Unknown

 

 

 

 

 

 

 

 

 

 

 

କଳାପାଣି

ଡକ୍ଟର ନରେନ୍ଦ୍ରନାଥ ମିଶ୍ର

 

ସୂଚୀପତ୍ର

 

୧.

ନିଜକଥା

୨.

ଠାକୁର ରାଜାଙ୍କ କଳାପାଣି

ପ୍ରଥମ ଭାଗ

୧.

ଆଣ୍ଡାମାନ ପଥେ

୨.

ଆଣ୍ଡାମାନରେ ପ୍ରଥମ ଦିନ

୩.

ଆଣ୍ଡ୍ରାମାନରେ ଦ୍ୱିତୀୟ ଦିନ

୪.

ଆଣ୍ଡାମାନରେ ତୃତୀୟ ଦିନ

୫.

ଆଣ୍ଡାମାନରେ ଚତୁର୍ଥ ଦିନ

୬.

ଆଣ୍ଡାମାନରୁ ବିଦାୟ

ଦ୍ୱିତୀୟ ଭାଗ

୧.

ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଭୂଗୋଳ ଓ ପ୍ରାଚୀନ ଇତିହାସ

୨.

ଆଣ୍ଡାମାନ ଓ ନିକୋବରର ଆଦିମ ଅଧିବାସୀ

୩.

କଳାପାଣିର ସହୀଦ ଓଡ଼ିଆ

Image

 

ଭୂମିକା

 

ଛୋଟ ବହିକି ଛୋଟ ଭୂମିକା; ତା’ ନ ହେଲେ ଦେଉଳକୁ ମୁକୁଶିଆଳୀ ବଳି ପଡ଼ିବ ।

 

ନରହତ୍ୟା ଅପରାଧରେ ଭାରତବର୍ଷର ବହୁ ଅପରାଧୀ କଳାପାଣି ଯାଇଛନ୍ତି । ତା’ ଭିତରେ ବହୁ ଓଡ଼ିଆ ବି ଥ‌ିବେ । କିନ୍ତୁ ‘ଲକ୍ଷେ ରାଜାର ମହୁଡ଼ମଣି’ ଠାକୁର ରାଜାଙ୍କ ଦ୍ଵୀପାନ୍ତର ବା କଳାପାଣି ଓଡ଼ିଆଙ୍କ ଛାତିରେ ଗଭୀର ଗାର କାଟିଥିଲା, ତା’ ଏବେ ଲିଭିନାହିଁ, କେବେ ଲିଭିବ ନାହିଁ-। ‘ମହାରାଜା ଚଉତିଶା’ ଶୁଣିଲେ ଏବେ ବି ଆଖିରେ ଲୁହ ଆସେ ।

 

ଅନ୍ଧକୂପ ହତ୍ୟା ପରି ଦିବ୍ୟସିଂହଦେବଙ୍କ ନରହତ୍ୟା ସମ୍ପୂର୍ଣ୍ଣ ମନଗଢ଼ା, ରୀତିମତେ ଏକ ଚକ୍ରାନ୍ତ । ସୌଭାଗ୍ୟକୋଳରେ ଜାତ ଓ ଲାଳିତ ମହାରାଜାଙ୍କ ଅକାରଣ ଦୁଃଖଭୋଗ ମନରେ ଘୋର ଦୁଃଖ ଆଣେ ।

 

ଡକ୍ଟର ନରେନ୍ଦ୍ରନାଥ ମିଶ୍ର ଓଡ଼ିଶା ଇତିହାସର ସେଇ କରୁଣ ଅଧ୍ୟାୟଟି ବହିର ମୂଳରେ ଦେଇଛନ୍ତି । ଏହି ଘଟଣା ଉପରେ ନୂତନ ଆଲୋକପାତ କରି ମହାରାଜା ଯେ ନିରୀହ, ତାହା ଯୁକ୍ତିଯୁକ୍ତ ଭାବେ ପ୍ରମାଣିତ କରିଛନ୍ତି ।

 

ଶ୍ରୀ ମିଶ୍ର ଜଣେ ନାମ୍‍ଜାଦା ଗବେଷକ ଓ ପ୍ରାବନ୍ଧିକ । ତାଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି ଓ ମାନବବାଦିତା ଯେ ଗଭୀର ଓ ସୁଦୂରପ୍ରସାରୀ ଓ ସେ ଜଣେ ସୃଷ୍ଟିଶୀଳ ଲେଖକ, ଏହା ପୁସ୍ତିକାର ଛତ୍ରେ ଛତ୍ରେ ପ୍ରକାଶିତ ହୋଇଅଛି ।

 

କଳାପାଣି ଖୁବ୍ ଆଦର ଲାଭ କରିବ ଓ ଏହି ସମାଜର ଏ ଜାତୀୟ ପୁସ୍ତକ ରଚନା ଲାଗି ତାଙ୍କୁ ଭବିଷ୍ୟତରେ ପ୍ରରୋଚିତ କରିବ, ମୋର ଦୃଢ଼ ବିଶ୍ୱାସ ।

 

ଦଶହରା

କୁଞ୍ଜବିହାରୀ ଦାଶ

୧୯୮୨

 

Image

 

ନିଜ କଥା

 

ଭ୍ରମଣ ଆଧୁନିକ ସଭ୍ୟ ଜୀବନର ଏକ ଅଙ୍ଗ । ମାନଚିତ୍ର ଖୋଲିଲେ ମନରେ ଭ୍ରମଣର ନିଶା ଲାଗେ । ମନର ପ୍ରସାର, ମାନବୀୟ ବୈଚିତ୍ୟ ଓ ଜାତୀୟ ମହାନତା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଲାଭ ପାଇଁ ଭ୍ରମଣ ପ୍ରୟୋଜନ । ବ୍ୟବସାୟ ବା କର୍ମ ଉପଲକ୍ଷ୍ୟେ ଆଜି ଅନେକ ସ୍ଵଦେଶ ଓ ବିଦେଶରେ ଦୂର ଦୂରାନ୍ତର ଭ୍ରମଣ କରିଥାନ୍ତି । ମାତ୍ର କ୍ୱଚିତ୍ ଏହା ସୃଷ୍ଟି କ୍ଷମ ମାନସିକତାର ଅଙ୍ଗ ହୋଇଥାଏ ।

 

ଇଚ୍ଛା ଥିଲେ ବି ପ୍ରୟୋଜନ ବ୍ୟତୀତ ଭ୍ରମଣ ସମ୍ଭବ ହୁଏ ନାହିଁ । ଏକେତ ଆର୍ଥିକ ପ୍ରତିବନ୍ଧକ, ଦ୍ଵିତୀୟତ ଏକୁଟିଆ ଭ୍ରମଣରେ ଏକ ନିଃସଙ୍ଗତାବୋଧ ମନରେ ଅବସାଦ ଆଣେ । ପୁଣି ବୟସ ବଢ଼ିଲେ କଷ୍ଟ ସହିବାକୁ ଅନିଚ୍ଛୁକ ଅନେକ ଭ୍ରମଣରୁ ବିରତ ରହନ୍ତି । ଅବକାଶକାଳୀନ ପାରିବାରିକ ଭ୍ରମଣର ପରିକଳ୍ପନା ଏକାନ୍ତ ଭ୍ରମଣ ଭୀରୁକୁ ମଧ୍ୟ ଦୂର ଦେଶ ଭ୍ରମଣ ପାଇଁ ଅନୁପ୍ରାଣିତ କରିଥାଏ । ୧୯୭୯ ନଭେମ୍ବର ମାସରେ ସୁଦୂର ଆଣ୍ଡାମାନ ଭ୍ରମଣର ଏକ ସୁଯୋଗ ଆସିଥିଲା । ଏଥିରେ ଥିଲେ ମୋ ପରିବାର ଓ ବିଶ୍ଵଭାରତୀରେ ମୋର ସହକର୍ମୀ ଅଧ୍ୟାପକ ଡକ୍ଟର ଶ୍ୟାମସୁନ୍ଦର ମହାପାତ୍ରଙ୍କ ପରିବାରର ସମସ୍ତେ । ପାରିବାରିକ ଆର୍ମୀୟତାପୂର୍ଣ୍ଣ ବାତାବରଣରେ ଏଇ ଭ୍ରମଣ ବିଶେଷ ଆନନ୍ଦଦାୟକ ହୋଇଥିଲା । ଆଣ୍ଡାମାନ ଓଡ଼ିଆ ସମାଜର ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ପାଢ଼ୀ ଓ ତାଙ୍କ ବନ୍ଧୁମାନଙ୍କର ସାହଚର୍ଯ୍ୟ ଅବିସ୍ମରଣୀୟ ।

 

ପୂଜ୍ୟପାଦ ଡକ୍ଟର କୁଞ୍ଜବିହାରୀ ଦାଶଙ୍କର ପ୍ରେରଣା ଓ ନିର୍ଦ୍ଦେଶ ପାଇ ନଥିଲେ, ଏଇ ଭ୍ରମଣ ଅନୁଭୂତି ଲେଖିବାର କଳ୍ପନା ପର୍ଯ୍ୟନ୍ତ ମୋ ମନରେ ସ୍ଥାନ ପାଇ ନ ଥାନ୍ତି । ମୋର ଭ୍ରମଣକାଳ ସ୍ଵଳ୍ପ, ଅନୁଭୂତି ସ୍ଵଳ୍ପତର । ମାତ୍ର ବିଦଗ୍‌ଧ ଚୟନଶୀଳ ସୃଷ୍ଟିକ୍ଷମାମନ ସାମାନ୍ୟ ଉପାଦାନରେ ମଧ୍ୟ ଅନବଦ୍ୟ ସାହିତ୍ୟ ସୃଷ୍ଟି କରିପାରେ । ଡକ୍ଟର କୁଞ୍ଜବିହାରୀ କାବ୍ୟିକ ଅନୁଭୂତି ରସରେ ସଞ୍ଜୀବିତ ଭ୍ରମଣସାହିତ୍ୟ ରଚନା କ୍ଷେତ୍ରରେ ଉଜ୍ଜ୍ୱଳ ପରମ୍ପରା ସୃଷ୍ଟି କରିଛନ୍ତି । ସେଇ ପରମ୍ପରାର ଅନୁସରଣ ପାଇଁ ଏହା ମୋର ଏକ ସାମାନ୍ୟତମ ପ୍ରୟାସ । ଏହି ଭ୍ରମଣକାହାଣୀର ଭୂମିକା ଲେଖିବାକୁ ସ୍ୱୀକୃତ ହୋଇ ସେ ମୋତେ ଏକାନ୍ତ ଋଣୀ କରିଛନ୍ତି ।

 

ମୋର ସ୍ୱଳ୍ପ ଅନୁଭୂତି ସଙ୍ଗେ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜର ଭୂଗୋଳ, ଇତିହାସ ଓ ଆଦିମ ଅଧିବାସୀଙ୍କ ଜୀବନ ବିଷୟରେ ବିବରଣୀ ସଂଯୋଜିତ ହୋଇଛି । ବିଶ୍ଵାସ, ଓଡ଼ିଆରେ ଏହି ବିଷୟରେ ଗ୍ରନ୍ଥାଭାବ ଦୃଷ୍ଟିରୂ ଏହା ଉପାଦେୟ ମନେ ହେବ । ଭ୍ରମଣକାହାଣୀକୁ ଅଧିକ ଭାରାକ୍ରାନ୍ତ ନ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଛି । ଅଧିକ ଜାଣିବାକୁ ଆଗ୍ରହୀ ପାଠକମାନେ ନିମ୍ନ ଗ୍ରନ୍ଥ ଦୁଇଟିର ସାହାଯ୍ୟ ଗ୍ରହଣ କରିପାରନ୍ତି ।

 

୧.

History of the Andaman & Nicobar Islands (1756-1966)

 

by L. P. Mathur M. A. Ph D.

 

Sterling Publishers (P) Ltd. Delhi 6-1968

 

 

୨.

The Andaman Story

 

by N. O Iqqal Singh

 

Vikas Publishing House (P) Ltd-

 

New Delhi-2-1978

 

ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଛନ୍ତି ଶ୍ରୀମାନ୍ ବସନ୍ତ କୁମାର ପଣ୍ଡା, ଏମ୍: ଏ, ଶ୍ରୀମାନ୍ ହରିହର କାନୁନଗୋ ଓ ଶ୍ରୀମାନ୍ ଅଶୋକ ମିଶ୍ର । ବିଶ୍ଵଭାରତୀ ଓଡ଼ିଆ ବିଭାଗର ଏଇ ଗବେଷକ ଓ ଛାତ୍ରମାନଙ୍କୁ ମୋର ସସ୍ନେହ ଆଶୀର୍ବାଦ ।

 

ନରେନ୍ଦ୍ରନାଥ ମିଶ୍ର

୧୮ ରତନ ପଲ୍ଲୀ

ଶାନ୍ତିନିକେତନ (ପଶ୍ଚିମବଙ୍ଗ)

ବିଷୁବ ସଂକ୍ରାନ୍ତି-୧୩୮୬

Image

 

ଠାକୁର ରାଜାଙ୍କ କଳାପାଣି

 

୧୮୭୭ ଜାନୁୟାରୀ ମାସରେ ଇଂରେଜ ସରକାର ପୁରୀର ତରୁଣରାଜାଙ୍କୁ ମହାରାଜା ପଦ ଓ ସାନନ୍ଦ ଦାନ କରିଥିଲେ ଓ ଜଗନ୍ନାଥ ମନ୍ଦିରର ସୁପରିଟେଣ୍ଟେ ଭାବରେ ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ଅର୍ପଣ କରିଥିଲେ । ଦିବ୍ୟସିଂହଦେବ ଥିଲେ ଉଚ୍ଚାଭିଳାଷୀ ଓ ଆତ୍ମାଭିମାନୀ । ପୁରୀ ମନ୍ଦିରର ଗୌରବରକ୍ଷା ସଙ୍ଗେ ସଙ୍ଗେ ନିଜ ରାଜବଂଶର ଅତୀତ ମହିମା ତାଙ୍କୁ ଭାବିବିଭୋର କରି ରଖୁଥିଲା । ପୁରୀ ମନ୍ଦିର ବିଷୟରେ ସରକାର ନାନା ଭାବରେ ହସ୍ତକ୍ଷେପ କରୁଥିଲେ ଓ ମନ୍ଦିର ପରିଚାଳନାରେ କୌଣସି ବିଭ୍ରାଟ ଦେଖାଦେଲେ, ସେଥିପାଇଁ ସବୁବେଳେ ରାଜାଙ୍କୁ ଦୋଷ ଦେଉଥିଲେ । ଏପରିକି ପୁରୀର ପ୍ରସିଦ୍ଧ ରଥଯାତ୍ରାକୁ ଥରେ ବନ୍ଦ କରିଦେବା ପାଇଁ ସରକାର ଭାବିଥିଲେ । ୧୮୭୭ ଖ୍ରୀଷ୍ଟାବ୍ଦ ଗୋବିନ୍ଦ ଦ୍ଵାଦଶୀ ସମୟରେ ଅତିରିକ୍ତ ଭିଡ଼ରେ କେତେକ ଯାତ୍ରୀ ଶ୍ରୀମନ୍ଦିରରେ ମୃତ୍ୟୁବରଣ କରିଥିଲେ । ଏହାର ପ୍ରତିକାର ସ୍ୱରୂପ ସରକାର ୧୮୭୭ ଜୁଲାଇ ମାସରେ ପୁରୀ ମନ୍ଦିରର ସୁପରିଚାଳନା ନିମନ୍ତେ ପରାମର୍ଶ ଦେବାପାଇଁ ହିନ୍ଦୁ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ଘେନି ଏକ କମିଟି ଗଠନ ପାଇଁ ମହାରାଜାଙ୍କୁ ଆଦେଶ ଦେଇଥିଲେ । ଏହି କମିଟିର ପରାମର୍ଶ ଅନୁସାରେ ପୁରୀ ମନ୍ଦିରର ପରିଚାଳନା ଓ ସମସ୍ତ ଦୁର୍ଘଟଣାର ନିବାରଣ ନିମନ୍ତେ ନିୟମାବଳୀ ଗଠନ ପାଇଁ ଏଥିରେ ବ୍ୟବସ୍ଥା ଥିଲା । ଏହି ନିୟମାବଳୀ ଗଠିତ ହୋଇ ସରକାରଙ୍କର ଅନୁମୋଦନ ଲାଭ ନ କରିବା ପର୍ଯ୍ୟନ୍ତ ପୁରୀ ରାଜାଙ୍କୁ ପ୍ରଦତ୍ତ ସାନନ୍ଦ ଓ ମହାରାଜା ପଦ ସ୍ଥଗିତ ରଖିବାକୁ ମଧ୍ୟ ଆଦେଶ ଦିଆଯାଇଥିଲା । ଏଥିରେ ଦିବ୍ୟସିଂହ ଦେବ ବିଶେଷ କ୍ଷୁର୍ଣ୍ଣ ହୋଇଥିଲେ । ଭାରତେଶ୍ୱରୀ ଭିକ୍ଟୋରିଆଙ୍କ ସିଂହାସନ ଆରୋହଣ ସାମ୍ୱତ୍ସରିକ ଉତ୍ସବ ଉପଲକ୍ଷ୍ୟେ ଆୟୋଜିତ ଏକ ଦରବାର ରାଜା ବର୍ଜନ କରିଥିଲେ । ୧୮୭୮ ଜାନୁୟାରୀ ମାସରେ ଏହି ଦରବାର ଅନୁଷ୍ଠିତ ହୋଇଥିଲା । ଉତ୍କଳଦୀପିକାର ଉକ୍ତି ଅନୁସାରେ କଲେକ୍ଟର ସାହେବ ଭାରତେଶ୍ୱରୀଙ୍କ ବାର୍ଷିକ ଉତ୍ସବ ଉପଲକ୍ଷ୍ୟରେ ଏକ ମହାନ ସଭା କରି ରାଜାଙ୍କୁ କୋତେ ଆଦର ପୂର୍ବକ ଆହ୍ୱାନ କଲେ । କିନ୍ତୁ ରାଜା ବୃଥା ଗାରିମାରେ ସଭାକୁ ଯିବାର ଅପମାନ ମଣି ସଭାକୁ ବିଜେ କଲେନାହିଁ । ଏହି ପ୍ରସଙ୍ଗରେ ଉତ୍କଳଦୀପିକାରେ “ଦରବାର ଚର୍ଚ୍ଚା” ନାମକ ଅଗ୍ରଲେଖାରୁ ପୁରୀ ରାଜାଙ୍କ ପ୍ରତି ଇଂରେଜ ଶାସକଙ୍କର ମନୋଭାବର ସ୍ୱରୂପ ଦେଖାଯାଇପାରେ । “ରାଜା–ଜମିଦାରଙ୍କ” ମଧ୍ୟରେ କେବଳ ପୁରୀ ରାଜାଙ୍କର ବିଶେଷ ମନସ୍ତାପ ହେବାର କଥିତ ହୁଅଇ ଓ ସେହି ହେତୁରୁ ସେ ଦରବାରକୁ ଆସିବେ ନାହିଁ ବୋଲି ସ୍ଥିରକରି ଅଛନ୍ତି-। ତାହାଙ୍କର ଅଭିଳାଷ ଯେ ଓଡ଼ିଶାର ସମସ୍ତ ରାଜାଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ହୋଇ ସମସ୍ତଙ୍କ ଉପରେ ସ୍ଥାନ ପାଇବେ । ମାତ୍ର, ବ୍ରିଟିସ୍ ଗଭର୍ଣ୍ଣମେଣ୍ଟଙ୍କ କର୍ମଚାରୀମାନେ ସେ ରୂପ ମର୍ଯ୍ୟାଦା ଦେବାକୁ ପ୍ରସ୍ତୁତ ନାହାଁନ୍ତି । ଓଡ଼ିଶାର ପୂର୍ବ ଇତିହାସକୁ ସ୍ମରଣ କଲେ ପୁରୀର ରାଜାଙ୍କର ଦାବି ଅସଙ୍ଗତ ବୋଧ ହୁଅଇ ନାହିଁ । କାରଣ, ଯେଉଁ ରାଜା ସମସ୍ତ ଓଡ଼ିଶା ଓ ବଙ୍ଗଲାର ତ୍ରିବେଣୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ ଓ ବର୍ତ୍ତମାନ ଯେଉଁମାନେ ଓଡ଼ିଶାରେ ରାଜା ବୋଲାଉ ଅଛନ୍ତି ସେମାନେ ଯାହାଙ୍କର ଅଧୀନ ସ୍ୱରୂପ ସେବାରେ ନିଯୁକ୍ତ ଥିଲେ, ତାହାଙ୍କ ବଂଶର ଉତ୍ତରାଧିକାରୀଏ ରାଜା ହୋଇଅଛନ୍ତି ଓ ଯଦ୍ୟପି କି କାଳର ପରିବର୍ତ୍ତନରେ ଏ ରାଜା କେତେକ ପୁରୁଷରୁ ରାଜ୍ୟଶୂନ୍ୟ ହୋଇ ପେନସନ ଭୋଗୀ ହୋଇଅଛନ୍ତି । ତଥାଚ ଏହାଙ୍କର ମର୍ଯ୍ୟାଦା ଅନ୍ୟ ରାଜାଙ୍କଠାରୁ ଊଣା ହୋଇଅଛି ଏମନ୍ତ ବୋଲିବା କିଛି କଠିନ ବୋଧ ହେଉଅଛି । ସମ୍ବାଦପତ୍ରରୁ ଉଡ଼ିଶାର କଥା, ସମ୍ପାଦନା, ସୁଧାକର ପଟ୍ଟନାୟକ, ୨୬୯ ।

 

ମାତ୍ର ପୁରୀ ରାଜାଙ୍କର ଜନପ୍ରିୟତା ଏଥିରେ କୌଣସି ହ୍ରାସ ହୋଇନଥିଲା । ଅଧିକନ୍ତୁ ଜନସାଧାରଣ ତାହାଙ୍କୁ ପୂର୍ବଭଳି ଚଳନ୍ତି–ବିଷ୍ଣୁଭାବରେ ଭକ୍ତି ଓ ଶ୍ରଦ୍ଧା ଅର୍ପଣ କରୁଥିଲେ । ମନ୍ଦିରର ପରିଚାଳନା ଭାର ପାଇବା ପରେ ଜନସାଧାରଣଙ୍କର ଶ୍ରଦ୍ଧା ଓ ସମ୍ମାନ ବହୁଗୁଣିତ ହୋଇଥିଲା । ପାଇକବିଦ୍ରୋହର ସ୍ମୃତି ଇଂରେଜ ଶାସକଙ୍କ ମନରୁ ଏକାବେଳେକେ ହୁଏତ ମ୍ଳାନ ହୋଇଯାଇନଥିଲା । ଆତ୍ମାଭିମାନୀ ରାଜାଙ୍କର ଜନସାଧାରଣଙ୍କ ହୃଦୟ ସିଂହାସନରେ ପ୍ରତିଷ୍ଠିତ ସମ୍ମାନ କ୍ଷୁର୍ଣ୍ଣ କରିବାପାଇଁ ଇଂରେଜମାନେ ସବୁପ୍ରକାର ଉଦ୍ୟମ କରୁଥିଲେ । ଶିବୁଦାସ ବାବାଜୀଙ୍କ ହତ୍ୟା ଅପରାଧରେ ଏଇ ପଟ୍ଟଭୂମିରେ ରାଜାଙ୍କୁ ଅଭିଯୁକ୍ତ କରାହୋଇଥିଲା ।

 

ପୁରୀ ମନ୍ଦିରରେ ଗୋବିନ୍ଦଦ୍ୱାଦଶୀ ଦୁର୍ଘଟଣା ପ୍ରସଙ୍ଗରେ ସରକାରଙ୍କ ଆଦେଶକୁ ଅନୁମୋଦନ କରି ଉତ୍କଳଦୀପିକା ‘ପୁରୀ ମନ୍ଦିରର ଶାସନ’ (୨୧.୭.୧୮୭୭) ନାମକ ଏକ ଅଗ୍ରଲେଖରେ ଲେଖିଥିଲେ, “ପୁରୀର ମହାରାଜା ଆଇନାନୁସାରେ ଜଗନ୍ନାଥ ମନ୍ଦିରର ସୁପରିଟେଣ୍ତଣ୍ଟ ଅଟନ୍ତି । ତାହାଙ୍କ ଉକ୍ତ କର୍ମରେ କେତେ ପ୍ରକାର ଶୈଥିଲ୍ୟ ଘଟିବାର ଅପ୍ରକାଶ ମଧ୍ୟ ନାହିଁ । ଆମ୍ଭେ ବିବେଚନା କରୁଅଛୁ କି ଗଭର୍ଣ୍ଣମେଣ୍ଟ ତାଙ୍କୁ ଯେଉଁ ଆଜ୍ଞା ଦେଇଛନ୍ତି, ତାହା ଅଯୌକ୍ତିକ ନୁହଇ ଏବଂ ତହିଁରେ ଏହାଙ୍କର (ମହାରାଜାଙ୍କର) ଅଧିକାର ପ୍ରତି ମଧ୍ୟ ହସ୍ତକ୍ଷେପ ହେଇନାହିଁ । କିନ୍ତୁ କେତେକ ଲୋକ ମନେ କରନ୍ତି ଯେ ଗୋବିନ୍ଦଦ୍ଵାଦଶୀ ସମୟରେ ଦୁର୍ଘଟଣା ସକାଶେ ଏକା ପୁରୀର ମହାରାଜାଙ୍କୁ ଦାୟଗ୍ରସ୍ତ କରିବାର ଉଚିତ ହୋଇନାହିଁ । ସେଠାରେ ସରକାରୀ କର୍ମକାରମାନେ ତ ଉପସ୍ଥିତ ଥିଲେ । ସେମାନେ ଅଧିକା କି ବନ୍ଦୋବସ୍ତ କଲେ ? ଏପରି ଚକ୍ରତୀର୍ଥରେ ଯେ ମନୁଷ୍ୟ ମାରାପଡ଼ିବାର ଶୁଣାଯାଏ, ତହିଁରେ ତ ମହାରାଜାଙ୍କର ଦୋଷ ବୋଲାଯାଇ ନପାରେ । ଅସାଧାରଣ ଭିଡ଼କୁ କାହାରି ଆୟତ୍ତ ନ ଥିବାର ଗଭର୍ଣ୍ଣମେଣ୍ଟ ବିବେଚନ କରି ସରକାରୀ କର୍ମକାରକଙ୍କୁ ନିର୍ଦ୍ଦୋଷ କରିଅଛନ୍ତି । ଅଥଚ ପୁରୀର ମହାରାଜାଙ୍କୁ ଏଥିପାଇଁ ଶାସନ କରିବାକୁ ପ୍ରବୃତ୍ତ ହେଲେ, ଏହା କେମନ୍ତ କରି ଘଟିଲା ?’’ ଏହି ବିଷୟରେ ନିରପେକ୍ଷ ତଦନ୍ତ ପାଇଁ କମିଶନଙ୍କ ନିକଟରେ ଉତ୍କଳଦୀପିକା ଦାବି କରିଅଛି । ଅଧିକନ୍ତୁ ସ୍ଥାନୀୟ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ପରାମର୍ଶକ୍ରମେ ମନ୍ଦିର ପରିଚାଳନାର ବ୍ୟବସ୍ଥା ପୁରୀରାଜା ବହୁପୂର୍ବରୁ କରିଥିଲେ । ୧୮୭୪ ଜୁନ ମାସରେ ପ୍ରକାଶିତ ମହାରାଜାଙ୍କର ଏକ ଘୋଷଣାରୁ ଦେଖାଯାଏ, ପୁରୀର ସାତଜଣ ବିଶିଷ୍ଟ ବ୍ୟକ୍ତି ମହାରାଜାଙ୍କ ଦରବାରରେ ସଭ୍ୟ ନିଯୁକ୍ତ ହେଇଥିଲେ । ଏମାନଙ୍କ ମଧ୍ୟରେ ଉଚ୍ଚପଦରେ ଅଧିଷ୍ଠିତ ହିନ୍ଦୁ ଅଫିସରମାନେ ମଧ୍ୟ ଥିଲେ । ତେଣୁ ଏକ ପରାମର୍ଶଦାତା କମିଟି ନିଯୁକ୍ତି ପାଇଁ ସରକାରଙ୍କର ଏକ ନୂତନ ଆଦେଶ ଦେବାର ହୁଏତ ଆବଶ୍ୟକତା ନଥିଲା । ସରକାରଙ୍କର ଏହି ଆଦେଶକୁ ପୁରୀ ମହାରାଜା କି ଭାବରେ ଗ୍ରହଣ କଲେ ତାହା ଜଣାନାହିଁ । ମାତ୍ର ପୁରୀ ମନ୍ଦିରର ଯାତ୍ରୀ ଭିଡ଼ ନିୟନ୍ତ୍ରଣରେ ସରକାରୀ ଅଫିସରମାନଙ୍କର ଦୋଷ ଦୁର୍ବଳତା ଯେ ଜନସାଧାରଣଙ୍କ ସମାଲୋଚନାର ବିଷୟ ଥିଲା ଏଥିରେ ସନ୍ଦେହ ନାହିଁ । ମହାରାଜାଙ୍କର କୌଣସି ରାଜନୀତିକ ଶାସନ କ୍ଷମତା ନ ଥିଲା । କୌଣସି ଅଇନ ଶୃଙ୍ଖଳାରକ୍ଷାକାରୀ ସଂସ୍ଥା ଉପରେ ତାଙ୍କର କର୍ତ୍ତୃତ୍ୱ ନ ଥିଲା । ତେଣୁ ପୁରୀ ସହରର ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳାରକ୍ଷାର ସମସ୍ତ ଦାୟିତ୍ୱ ସରକାରଙ୍କ ଉପରେ ହିଁ ନ୍ୟସ୍ତ ଥିଲା । ଅଥଚ ଏହି ଦାୟିତ୍ୱ ଯଥାଯଥ ଭାବରେ ପାଳନ ନ କରି ସରକାର ହୁଏତ ଆକ୍ରୋଶବଶତଃ ସ୍ଵାଧୀନଚେତା ତରୁଣ ମହାରାଜାଙ୍କୁ ଦାୟୀ କରୁଥିଲେ । ଶିବୁଦାସ ବାବାଜୀଙ୍କର ହତ୍ୟା ଅପରାଧରେ ମହାରାଜାଙ୍କୁ ଦୋଷୀ କରି ତାଙ୍କ ପ୍ରତି କଠୋର ଦଣ୍ଡବିଧାନ ପାଇଁ ସମସ୍ତ ଶାସନ ସଂସ୍ଥା ଯେ କଳଙ୍କିତ କାର୍ଯ୍ୟ କରିଥିଲା, ତାହା ପୁରୀ ରାଜାଙ୍କ ବିଚାର କାଳରେ ରାଜାଙ୍କ ପକ୍ଷସମର୍ଥନକାରୀ ଇଂରେଜ ଓକିଲଙ୍କ ଯୁକ୍ତିରୁ ହିଁ ପ୍ରତିପନ୍ନ ହୁଏ ।

 

ଦୀପିକାରେ ପ୍ରକାଶିତ ଘଟଣାର ପ୍ରାଥମିକ ବିବରଣୀ ଅନୁସାରେ ୧୮୭୮ ଫେବୃୟାରୀ ୨୩ ତାରିଖ ରାତ୍ରିରେ ରାଜା ଜଣେ ବୈଷ୍ଣବକୁ ନଅର ମଧ୍ୟକୁ ଘେନିଗଲେ ଓ ଅନେକ ମାଡ଼ ମାରି ସେ ମୃତବତ୍ ହେଲାରୁ ତା’କୁ ନଅର ପାଚେରୀ ଡିଆଇଁ ଫେପାଡ଼ି ଦେଲେ । ପ୍ରଭାତରେ ଜଣେ କନେଷ୍ଟବଳ ତା’କୁ ହାସପାତାଳକୁ ଘେନିଗଲା । ସେ ରାଜାଙ୍କ ଅମାନୁଷିକ ଅତ୍ୟାଚାରର ବୃତ୍ତାନ୍ତମାନ କହିବାରୁ ତଦନ୍ତ ଲାଗିଲା ଓ ମାଜିଷ୍ଟ୍ରେଟ୍ ନଅରକୁ ଯାଇ ତଦନ୍ତ କଲେ । ୨୫ ତାରିଖରେ ରାଜା ଚାଲାଣ ହୋଇ ହାଜତକୁ ଗଲେ । ରାଜା କାହିଁକି ଏପରି ଦୁଷ୍କର୍ମରେ ପ୍ରବୃତ୍ତ ହେଲେ । ଆମ୍ଭେ ଶୁଣୁଅଛୁଁ–“ବୈଷ୍ଣବ ଆପଣାର ଅଲୌକିକ ମହିମାର ଠକବୃତ୍ତିର ବ୍ୟବସାୟୀ ଅଟେ । ସେ ନଅର ମଧ୍ୟରେ କି ଅପରାଧ କଲା ତାହା ପ୍ରକାଶ ହୋଇନାହିଁ ।” ଏହାପରେ ୨୫ । ୫ । ୧୮୭୮ ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାରେ ପୁରୀ ରାଜାଙ୍କ ମକଦ୍ଦମାର ବିବରଣୀ ପ୍ରକାଶିତ । ୨୫ । ୫ । ୧୮୭୮ ସଂଖ୍ୟାରେ ହାଇକୋର୍ଟରେ ଫୁଲ୍‌ବେଞ୍ଚରେ ରାଜାଙ୍କ ବିଚାର ଓ କୋର୍ଟର ରାୟ ପ୍ରକାଶିତ । ଉତ୍କଳଦୀପିକାର ମାର୍ଚ୍ଚ ୩୦ ତାରିଖ (୧୮୭୮) ସଂଖ୍ୟାଟିର ପୁରୀ ମହାରାଜାଙ୍କ ମକଦ୍ଦମାର ବିବରଣୀରେ ହିଁ ପୂର୍ଣ୍ଣ ହୋଇଥିଲା ।

 

ଏହି ମକନ୍ଦମା ତଦାରଖ କରିବାକୁ ସରକାରଙ୍କ ପକ୍ଷରୁ ପୁଲିସ ସୁପରିଟେଣ୍ଡେଣ୍ଟ ଗ୍ରେବର ସାହେବ, ପୁରୀର ଡେପୁଟି କଲେକ୍ଟର ବାବୁ ନବୀନ ଚନ୍ଦ୍ର ସେନ୍, ସିରସ୍ତାଦାର ବାବୁ କ୍ଷେତ୍ରମୋହନ ଘୋଷ ଓକିଲ ନିଯୁକ୍ତ ହୋଇଥିଲେ । ରାଜାଙ୍କ ପକ୍ଷରୁ ବାରିଷ୍ଟର ଇବାନ୍‍ସ ସାହେବ ଓ ହଣ୍ଡଲି ସାହେବ ନିଯୁକ୍ତ ହୋଇଥିଲେ । ଦୀପିକା ବିବରଣ ଅନୁସାରେ, “ବାସ୍ତବରେ ଏପରି ଦୌରା ଏ ମଧ୍ୟରେ ଏ ନଗରରେ କେବେ ଦେଖାଯାଇ ନାହିଁ ।....ଯେତେବେଳେ ରାଜାଙ୍କ ପାଲିଙ୍କି ଅଦାଲତକୁ ଯାଉଥିଲା ଲୋକେ ଚାରିଆଡ଼ ବେଢ଼ି ଉଚ୍ଚସ୍ୱରରେ ହରିବୋଲ ଧ୍ଵନିକରି ପଛରେ ଦୌଡ଼ିଥିଲେ । ରାଜାଙ୍କ ପାଲିଙ୍କି ସଙ୍ଗେ ସଙ୍ଗେ ପ୍ରାୟ ପାଞ୍ଚ ହଜାର ଲୋକ ଅଦାଲତର ଚାରିଦିଗରେ ବେଢ଼ିଗଲେ ।.....କେତେବେଳ ଯାଏ ହରିବୋଲ ଧ୍ୱନି କରି ପୁଲିସ୍‌ର ପୁନଃପୁନଃ ତାଡ଼ନାରେ ଲୋକେ ସ୍ଥିର ହେଲେ । କିନ୍ତୁ ଅଧିକାଂଶ ଲୋକେ ଖରାରେ ପଡ଼ିରହି କୂଅର ପାଣି ଶୁଖାଇଲେ । ତଥାପି ଘରକୁ ଗଲେ ନାହିଁ | କଚେରି ଭାଙ୍ଗିବା ସମୟରେ ଏହିପରି ଭିଡ଼ ହୋଇଥିଲା । ସେ ସମସ୍ତେ ରାଜାଙ୍କର ମୁକ୍ତି ପ୍ରାର୍ଥନା କରୁଥିଲେ ।”

 

ବାରିଷ୍ଟର ଇବାନ୍‍ସ ସାହେବ ରାଜାଙ୍କ ନିର୍ଦ୍ଦୋଷତା ପ୍ରମାଣେ ସଙ୍ଗେ ସଙ୍ଗେ ମକଦ୍ଦମାଟି ଯେ ସମ୍ପୂର୍ଣ୍ଣ ରୂପେ ପୋଲିସଙ୍କ ଦ୍ୱାରା ଗଢ଼ା ତାହା ମଧ୍ୟ ପ୍ରମାଣ କରିଥିଲେ । ମହାରାଜାଙ୍କ ବଂଶର ମହତ୍ତ୍ୱ, ଓଡ଼ିଶାରେ ତାଙ୍କର ମର୍ଯ୍ୟାଦା, ହିନ୍ଦୁଧର୍ମର ଆର୍ଦଶ ରକ୍ଷାରେ ମହାରାଜାଙ୍କ ଦୃଢ଼ତାର ବିଶଦ ବିବରଣ ତାଙ୍କ ଯୁକ୍ତିରେ ଥିଲା । ବାବାଜୀଙ୍କ ତିନିଥର ପ୍ରଦତ୍ତ ଯୋବାନବନ୍ଦୀରେ ଥିବା ଅମେଳ ଉପରେ ମନ୍ତବ୍ୟ କରି ବାରିଷ୍ଟର ଏହା ପୁଲିସଙ୍କ କଳ୍ପିତ ବୋଲି ସମାଲୋଚନା କରିଥିଲେ । “ପୁଲିସ କର୍ମଚାରୀ ଓ ଗୁହାମାନେ ଏ ମୋକଦ୍ଦମାକୁ ଗଢ଼ିଅଛନ୍ତି । ଦୁଇଜଣ କନେଷ୍ଟବଲ୍ ହେଡ କନେଷ୍ଟବଲ୍ ଓ ସବ୍ ଇନ୍‍ସପେକ୍‍ଟରମାନେ ଯେ ପ୍ରକାର ଅସଙ୍ଗତ ଯୋବାନବନ୍ଦୀ ଦେଇଛନ୍ତି ତହିଁରୁ ପୁଲିସ୍‌ର ବିଦ୍ୟା ପ୍ରକାଶ ପାଉଅଛି । ପଛେ ପୁଲିସ ଦ୍ୱାରା କିଛି ବ୍ୟତିକ୍ରମ ହେବ–ଏଥ‌ିପାଇଁ ଜଣେ ଦିପୋଟି ତାହାଙ୍କ ସଙ୍ଗରେ ଆସିଛନ୍ତି ।”...ଇବାନ୍‍ସଙ୍କ ମତରେ ବାବାଜୀଙ୍କ ଏପରି ଦୁର୍ଦ୍ଦଶା କିଏ କଲା, ତାହା ଦେଖାଇବା ମୃଦାଲାଙ୍କ କର୍ମ ନୁହେଁ । ପଚାଶ ପ୍ରକାରେ ଏହା ହୋଇପାରେ-। ...ଏହି ମକଦ୍ଦମାରେ ଆସେସର ବାବୁ କାଳୀମୋହନ ଘୋଷାଲ ଓ ବାବୁ ବେହାରୀଲାଲ ପଣ୍ତିତଙ୍କ ମତ ସମ୍ପୂର୍ଣ୍ଣ ରୂପେ ରାଜାଙ୍କ ପକ୍ଷରେ ଥିଲା । ସେମାନଙ୍କ ମତରେ “ଆସାମୀମାନେ ସମସ୍ତେ ନିର୍ଦ୍ଦୋଷ, ଏମାନଙ୍କ ବିରୁଦ୍ଧରେ ପ୍ରମାଣ ଚୂଡ଼ାନ୍ତ ନୁହଇ ।’’ ଜଜ୍‍ଙ୍କ ପ୍ରଶ୍ନର ଉତ୍ତରରେ ଏମାନେ କହିଥିଲେ...“ଡାକ୍ତରଙ୍କ ଯୋବାନବନ୍ଦୀ ବିଶ୍ଵାସ ଯୋଗ୍ୟ ଅଟଇ, ମାତ୍ର ବାବାଜୀ ନଅର ମଧ୍ୟକୁ ଯିବାର ପ୍ରମାଣ ବିଶ୍ଵାସଯୋଗ୍ୟ ନୁହଇ ।”

 

ହାଇକୋର୍ଟରେ ରାଜାଙ୍କ ଦଣ୍ଡ କାଏମ ରହିଥିଲା । ଏହା ଉପରେ ଶେଷ ମନ୍ତବ୍ୟ କରି ଦୀପିକା ଲେଖିଥିଲେ, “ଜଣେ ଜଜ୍‍ଙ୍କ ମତରେ ଇବାନ୍‍ସ ସାହେବ ରାଜାଙ୍କ ଚରିତ୍ର ବିଷୟରେ କିଛି ପ୍ରମାଣ ଦେଇ ନାହାନ୍ତି । ଯଦି ସେ ଦେଇଥାନ୍ତେ ଓ ତାହା ତୁଷ୍ଟି ଜନକ ହୋଇଥାନ୍ତା, ତେବେ କିସ ହୁଅନ୍ତା । ତେବେ କି ବାରିଷ୍ଟରଙ୍କ ଅଜ୍ଞତାରୁ ସେ ଦଣ୍ଡପାଇଲେ ବୋଲାଯିବ ?...ଯେଉଁମାନେ ଆସେସର ନିଯୁକ୍ତ ହୋଇଥିଲେ, ସେମାନେ ଯେ ଯୋଗ୍ୟ, ନିରପେକ୍ଷ ଏବଂ କୁସଂସ୍କାରବିହୀନ ଲୋକ ଏବଂ ସରଳ ଭାବରେ ଆପଣା ମତ ଦେଇଥିଲେ ଏଥିରେ ସନ୍ଦେହ ନାହିଁ । ପୁରୀ ରାଜାଙ୍କୁ କ୍ଷମା ଦେବା ନିମନ୍ତେ ଭାରତର ସ୍ଵାଧୀନ କରଦ ମହାରାଜା, ରାଜାମାନେ ଓ ଅନ୍ୟାନ୍ୟ ସମ୍ଭ୍ରାନ୍ତ ବ୍ୟକ୍ତିମାନେ ସରକାରଙ୍କ ନିକଟରେ ଆବେଦନ କରିଥିଲେ । ମାତ୍ର ଏହା ଗୃହୀତ ନ ହୋଇ ୨୪ ବର୍ଷ ବୟସ୍କ ଦିବ୍ୟସିଂହ ଦେବ ଦ୍ୱୀପାନ୍ତର ପ୍ରେରିତ ହୋଇଥିଲେ ।

 

ଦ୍ୱୀପାନ୍ତର ବିବରଣୀ ୧୨-୧୦-୧୮୭୮ ସଂଖ୍ୟ ଉତ୍କଳଦୀପିକାରେ ନିମ୍ନ ପ୍ରକାରେ ପ୍ରଦତ୍ତ ହୋଇଥିଲା–“ପୁରୀର କଏଦୀ ରାଜା ଦ୍ୱୀପାନ୍ତରକୁ ପ୍ରେରିତ ହୋଇଅଛନ୍ତି । ଗତ ମାସ ୪ତାରିଖରେ ସାତାରା ନାମକ ଜାହାଜରେ ସେ ପୋର୍ଟବ୍ଳେୟାରରେ ପହଞ୍ଚିଲେ । ପୋର୍ଟବ୍ଲେୟାର ଆନ୍ଦାମାନ ଟାପୁର ଏକ ନଗର ଅଟଇ । ଏହିଠାରେ ଇଂରେଜଙ୍କର ଉପନିବେଶ ଓ ଜେଲଖାନା ଓ ଅନ୍ୟାନ୍ୟ କଚେରୀମାନ ଅଛି । ଆମ୍ଭେମାନେ ଅତ୍ୟନ୍ତ ଦୁଃଖର ସହିତ ସମ୍ବାଦପତ୍ରରେ ପାଠ କଲୁଁ ଯେ ଜାହାଜରେ ଘେନିଯିବା କାଳରେ ରାଜାଙ୍କୁ ଭାରୀ ଲୁହାର ବେଡ଼ି ପିନ୍ଧାଇ ଦିଆଯାଇଥିଲା ଓ ରାଜା ବାତୁଳ ବୋଲି ଛଳ କରିଥିଲେ । ଯେତେବେଳେ ଟାପୁରେ ପହଞ୍ଚି ଜେଲଖାନାର ହାକିମଙ୍କୁ ଅର୍ପିତ ହେଲେ, ତେତେବେଳେ ବିସ୍ତର କନ୍ଦାକଟା କଲେ । ଅନ୍ୟ ଆଜ୍ଞା ପର୍ଯ୍ୟନ୍ତ ତାହାଙ୍କୁ ଅନ୍ୟ କଇଦିଙ୍କଠାରୁ ପୃଥକ୍ ନିର୍ଜନ କୋଠରୀରେ କଏଦ ରଖାଯାଇଅଛି । କପାଳର ଲେଖା ମେଣ୍ଟିବାର ନୁହଇ ।” (ସମ୍ବାଦପତ୍ରରୁ ଓଡ଼ିଶାର କଥା–ପୃ ୪୧୪)

 

ଏଇ ରାଜନୈତିକ ମକଦ୍ଦମାର ପ୍ରତିକାର କ୍ଷମତା ଜନସାଧାରଣଙ୍କର ନଥିଲା । ସମସ୍ତ ଆବେଦନ ନିବେଦନ ବିଫଳ ହୋଇଗଲା । ଶ୍ଵେତଦ୍ୱୀପବାସିନୀ ଭାରତେଶ୍ୱରୀଙ୍କ ଶାସନରେ ରଜା ଓ ପ୍ରଜାଙ୍କ ପାଇଁ ସମାନ ଆଇନ । ନ୍ୟାୟ ଓ ନୀତିର ଅବତାର ରୂପେ ଇଂରେଜ ଶାସକ ଜନସାଧାରଣଙ୍କଠାରୁ ନିଜ ମହିମା ପ୍ରଚାର କରିଥିଲେ । ମାତ୍ର ରାଜମାତା ଓ ରାଣୀଙ୍କ ଶୋକରେ ଅଶ୍ରୁ ସତେ ଯେପରିକି ସମଗ୍ର ଦେଶବାସୀଙ୍କ ହୃଦୟକୁ ଅଶ୍ରୁସଜଳ କରି ଦେଇଥିଲା । ଏଇ ଘଟଣାର କରୁଣ ସ୍ମୃତି ବହୁ ଲୋକଗାଥାରେ ଜୀବନ୍ତ ରହିଅଛି ।

 

କା ଆଗେ କହିବି ମୋ ମରମ ଦୁଃଖ

ଦୟା ନ କଲେ ମୋତେ ଏ ପଦ୍ମମୁଖ

ସ୍ୱାମୀଙ୍କୁ ମୋର

ଏ କାଳେ ନେଲେ ଯାହା କଏଦୀଘର ।

 

କେତେ ପ୍ରକାରେ ମନା କରିଲି ମୁହିଁ

ରଜାଙ୍କ ସଙ୍ଗେ ବିବାଦୀ କରିବ ନାହିଁ

ମାନିଲ ନାହିଁ

ଏବେ ରହିଲ ଯାଇ ଅନ୍ତର ହୋଇ ।

 

(ରାଣୀଙ୍କ ଶୋକ-)

ପଲ୍ଲୀଗୀତି ସଞ୍ଚୟନ–୧ ମ ଭାଇ–ପୃ:୪୫.

ଡକ୍‍ଟର କୁଞ୍ଜବିହାରୀ ଦାଶ

Image

 

ଆଣ୍ତାମାନ ପଥେ

 

ମାର୍ଗଶୀର ଗୁରୁବାର । ଶିଶିରଭିଜା ସକାଳର ସୁନେଲି ସପନରେ, ସଜ ଗୋବର ଲିପା ଦୁଆର, ଧାନଶିଷା ଝୋଟି ଚିତା ଉପରେ ବରକୋଳି ପତ୍ର ଦୁବ ଓ ନୂଆଧାନର ଶିକ୍ଷାର ଆସ୍ଥାନରେ କନକମୟୀ ଲକ୍ଷ୍ମୀଙ୍କ ପାଦ ପଡ଼େ ଅଗଣିତ ପଲ୍ଲୀର କୁଟାରରେ । ସବୁ ମନେ ପଡ଼ିଯାଏ–କେତେ ଚିହ୍ନା ଦୃଶ୍ୟ, କେତେ ପ୍ରାଣଉଲୁସା ମୁହଁ, ଆନ୍ତରିକତାର ସ୍ନିଗ୍‌ଧ ମଧୁର ହସ । ସ୍ମୃତିକି ଯାହା ସତ ଆଖିକି ସେ ତ ସ୍ଵପ୍ନ । ଏଇ ମୋର ଜଗତ–ଦୂର ପ୍ରବାସରେ ଚାରିକାନ୍ଥ ଘେରା ଛୋଟ ବସାଘର, ଅଧେ ଘର, ଅଧେ ବାହାର–ଝରକା ଖୋଲିଲେ ଟଗର ଫୁଲର ଶୁଭ୍ରତା, ପତ୍ରର ସବୁଜିମା ଭାସି ଉଠେ । ଦୁଆର ଖୋଲିଲେ ପିଚୁଢ଼ଳା କୃଷ୍ଣସାର ପଥ ଦୂରର ଇଙ୍ଗିତ ବହନ କରି ଆଣେ । ପାଖ ପଡ଼ିଆରେ ଦୁଇ ଦୁଇଟି ବଣିଙ୍କ କାକଳି, ଫୁଲେ ଫୁଲେ ପ୍ରଜାପତିର ସାତରଙ୍ଗା ଡେଣାର କମ୍ପନ । ସବୁ ଏକାନ୍ତ ପରିଚିତ, ନିତାନ୍ତ ଅପରିବର୍ତ୍ତିତ, ଅଚଳାୟତନ । ତଥାପି ଗତିର ଛନ୍ଦ । କେଉଁ ଦଳେ ଯାଯାବର ପକ୍ଷୀ ଆକାଶର ଏକ ପ୍ରାନ୍ତରୁ ଉଡ଼ି ଆସି ଆଉ ଏକ ପ୍ରାନ୍ତରେ ମିଶି ଯାଆନ୍ତି । ସକାଳ ଖରା, ପୂର୍ଣ୍ଣମୀ ଜ୍ୟୋତ୍ସ୍ନାର ଧାରା କେଉଁ ଉଚ୍ଚ ଗଛ ଚୂଡ଼ାରୁ ଓହ୍ଳାଇ ଆସି ଦୁର୍ବାର ଗତିରେ ସବୁଜ ଘାସରେ, ପଥପ୍ରାନ୍ତରର ଧୂଳିକଣାରେ, ଜଳ ଓ ସ୍ଥଳରେ ପ୍ରାଣ ଓ ଗତିର ସ୍ପନ୍ଦନ ଖେଳାଇ ନୀରବରେ ଚାଲିଯାଏ । କିଏ ତା’ର ଖବର ରଖେ ? ସବୁ ସକାଳ ଏକାପରି ଯାଏ ନାହିଁ । ନଭେମ୍ବର ୮ ତାରିଖ ୧୯୭୯ ଗୁରୁବାର । ଆଜି ପ୍ରାଣେ ପ୍ରାଣେ ଗତିର ସ୍ପନ୍ଦନ, ମୁକ୍ତିର ସ୍ଵାଦ । ବିଦାୟ ଶାନ୍ତିନିକେତନ । ଆମେ ଆଣ୍ଡାମାନ ପଥର ଯାତ୍ରୀ । ଦୂର ସାଗର, ସୀମାହୀନ ଆକାଶର ଆହ୍ଵାନ ଘେନି ବହୁ ପ୍ରତ୍ୟାଶିତ ଦିନଟି ସତରେ ଏକ ପ୍ରିୟ ଅତିଥି ଭଳି ଉପସ୍ଥିତ ।

 

ସକାଳ ସାଢ଼େ ସାତଟାରେ ବସାରୁ ବାହାରିବାର କଥା । ରେଳଷ୍ଟେସନ ରିକ୍‌ସାକୁ ଦଶ ମିନିଟର ବାଟ । ଏଣେ ପିଲାଙ୍କ ମନ ଘରେ ରହୁଛି କାହିଁ ? ରୋଷେଇ, ଗାଧୁଆ, ଖିଆ ସାଢ଼େ ଛ’ଟା ବେଳକୁ ସବୁ ଶେଷ । ପିଲାଏ ଚାଲି ଚାଲି ଷ୍ଟେସନ ବାହାରିଲେ । ଆମେ ଭ୍ରମଣରେ ଯାଉଛୁଁ-। ଭ୍ରମଣର କି ମୂଲ୍ୟ ଯଦି ସାରାପଥ ଅଚଳ ମହାବାହୁ ପରି ଗୋଟିଏ ଆସ୍ଥାନରେ ବସି ବସି କଟିଲା ? ଆରମ୍ଭଟା ପାଦରେ ହେଉ । ବିଘ୍ନ ବିପଦରାଶି ଉପରେ ପଦେ ପଦେ ଆଘାତ ହାଣି ମରୁ, ଅରଣ୍ୟ ଗିରି ଲଙ୍ଘନ କରି ଯେଉଁ ପାଦ ଦିନେ ଅଜଣାକୁ ଜାଣିବାକୁ ଆହ୍ଵାନ ଦେଇଥିଲା, ଅସଭ୍ୟକୁ ସଭ୍ୟତାର ଆଲୋକ ଦେଇଥିଲା, ସେଇ ପଦ ଗତିର ଛନ୍ଦରେ ନାଚିଉଠୁ । କ୍ଷୁରଧାର ଯୁକ୍ତି । ପିଲାଙ୍କ ପ୍ରସ୍ତାବ ମାନିନେଲି । ସମସ୍ତ ଜିନିଷର ଗଦା ଭିତରେ ମୁଁ ଓ ରତ୍ନ ରିକ୍‌ସାରେ ବସିଲୁଁ-। ସତେ ଯେପରିକି ଅନେକ ଚିନ୍ତାର ଭାର ଲଘୁ ହୋଇଗଲା । ମନରେ ଜାଗିଲା ସତେଜ ସ୍ଵାଧୀନତାର ସ୍ଫୂର୍ତ୍ତି । ସୁଖ ଦୁଃଖର ସାଥୀ ଦୁଆର ମୁହଁର ନିମ ଗଛଟିଏ । ପିଲାଦିନେ କେତେ ଗୀତ ଗାଇଛି–ଏକ ତରା ଭାଇ ଦୁଇତରା, ନିମ ଗଛମୂଳେ ଖଟଣି ଘୋଡ଼ା । ସବୁ ଯେପରି ଅର୍ଥହୀନ, ଅବାନ୍ତର । ଏଇ ନିମଗଛରୁ ଅନାମିକା ଲତାଟିଏ ଓହଳି ସକାଳର ଧୀର ପବନରେ ଦୋହଲୁ ଥାଏ-। ମୁକ୍ତ ଆକାଶର ଆଲୋକଧାରା ସତେ ଯେପରି ତା’ର ପତ୍ର ଓ ଫୁଲରେ ସଞ୍ଚାରିତ ହୋଇ ମାଆ ମାଟିର କୋଳ ଛୁଇଁବାକୁ ଆକୁଳ ହେଉଥିଲା । ପଦେ ଗୀତ ମନରେ ଉଇଁଲା–

 

ମହୀରୂହ ଶାଖା ଛାଡ଼ି ଶୂନ୍ୟେ ଯେବେ ଓହଳଇ ଲତା

ଆକାଶେ ବତାସେ କହେ, ଏଇ ମୋର ସ୍ଵାଦ୍ୟ ସ୍ଵାଧୀନତା

ଝଡ଼ ସଙ୍ଗେ ବୁଝି କେବେ ହରାଇଲେ ଶାଖାର ଆଶ୍ରୟ

ସିକ୍ତ ମାଟି ରିକ୍ତ ମୋରେ ଦେବ ନିକି ଚିର ବରାଭୟ ।

 

ଏଇ ସାମାନ୍ୟ ଘର, ଦି’ଦିନର ବସା । ସବୁ ଦିନ ସେ କାହିଁକି ଆମକୁ ବାନ୍ଧି ରଖିବ ? ଆଜି ଆମେ ସ୍ଵାଧୀନ । ସକାଳୁ ଉଠି ବଜାର ଚିନ୍ତା କରିବାକୁ ହେବ ନାହିଁ । ସମୟ ସଙ୍ଗେ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଆଜି ପୂରାପୂରି ଆମର ଆୟତ୍ତ । ଆମେ ଯାତ୍ରୀ–ଚଲାପଥକୁ ସୁଖମୟ ଶଙ୍କାହୀନ କରିବାକୁ ସଭ୍ୟତାର ସକଳ ଆୟୋଜନ–ରିକ୍‍ସା, ରେଲ, ମୋଟର, ବ୍ୟୋମଯାନ । ସ୍ନେହାସ୍ପଦ ଦୁଇଜଣ ଛାତ୍ର ବନ୍ଧୁ ହାନିଲାଭ ବୁଝିବାକୁ ସଙ୍ଖୋଳିବାକୁ ବସାକୁ ଆସିଥିଲେ । ଚାବିଟି ସେମାନଙ୍କ ହାତକୁ ବଢ଼ାଇ ଦେଇ ରିକ୍‌ସାରେ ବସିଲି । ଅପାର୍ ଇଣ୍ଡିଆ ଟାଇମ୍ ହୋଇନି । ରିକ୍‌ସା ଧୀରେ ଧୀରେ ଚାଲିଲା । ପଡ଼ୋଶୀ ଘରେ ଜ୍ଞାନତପସ୍ଵୀ ଅଧ୍ୟାପକ ଟାଇପ୍ କରୁଛନ୍ତି । ସ୍ମିତଭରା ପରିଚିତ ମୁହଁ । ବହୁଦିନର ପ୍ରତିବେଶୀ ବନ୍ଧୁ ବିଦାୟ ଜଣାଇ କହିଲେ, ଭଲରେ ଫେରି ଆସନ୍ତୁ । ଆଗରେ ରତନ କୁଠି ଗୋଲାପ ବଗିଚା । ପ୍ରତିଦିନ ଏଇ ବଗିଚାର ଅଜସ୍ର ଫୁଟିଲା ଗୋଲାପ ମୁହିଁରେ ଉଷାର ପ୍ରଥମ ରଶ୍ମି ଦେଖି ପ୍ରାତଃଭ୍ରମଣ କରେ । ବ୍ୟସ୍ତ ମୂହୂର୍ତ୍ତରେ ଯିବା ଆସିବା ବାଟରେ ଅଜାଣତରେ ପାଦ ଏଠି ଟିକିଏ ଅଟକି ଯାଏ । ବାଳ ଦେବଦାରୁ ଧାଡ଼ିର କଅଁଳ ପତ୍ରର ସବୁଜ ପ୍ରାଚୀର ଭିତରେ ଗୋଲାପର ଚାହାଣି ସାତତାଳ ପଙ୍କ ଭିତରେ ପ୍ରବାଳ ପୁରୀର ପରୀଟି ଭଳି ନୀରବରେ ଆହ୍ୱାନ କରେ । ଆଗରେ ଉତ୍ତରାୟଣ–ଶାନ୍ତିନିକେତନର ବହୁ ସ୍ମୃତି ପୂତ କବି ନିବାସ, ବିଚିତ୍ର ରବୀନ୍ଦ୍ର ସ୍ମୃତି ସ୍ମାରକୀ ସଂଗ୍ରହଶାଳା–ଛତିମତଳା–ମହର୍ଷି ଦେବେନ୍ଦ୍ରନାଥଙ୍କ ସମାଧିପୀଠ, ଉପାସନାମନ୍ଦିରର କାଚଘର, ଏଇ ତାଳଧ୍ୱଜ–ତାଳଗଛକୁ ଘେରି ବିଚିତ୍ର କବିକୁଟୀର, ଏଇ ଶାନ୍ତିନିକେତନର ଦ୍ୱିତଳ ଡାକଘର–ବ୍ୟାଙ୍କ–ଅପର ପାଖରେ ତିନିପାହାଡ଼ର ପୁରାଣ ବଟଛାୟା, ଶ୍ୟାମ ପ୍ରାନ୍ତର ଶୋଭିତ ଉଦ୍ୟାନ–ମୃଣାଳିନୀ, ଆନନ୍ଦପାଠଶାଳା–ଶିଶୁ କଳରବରେ ମୁଖର । ସେ କାଳରେ ଏଇଠି ଗୁରୁଦେବ ରବୀନ୍ଦ୍ରନାଥଙ୍କ ସଂସାର ରଚନା କରିଥିଲେ କବିପତ୍ନୀ ମୃଣାଳିନୀ ଦେବୀ । ଏଇ ବିଶ୍ଵାଭାରତୀ କେନ୍ଦ୍ରୀୟ ଗ୍ରନ୍ଥାଗାର, କେନ୍ଦ୍ରୀୟ ଅଫିସ–ଅନ୍ୟ ପାଖରେ ହିନ୍ଦୀ ଭବନ । ସମ୍ମୁଖରେ ଦକ୍ଷିଣ ପଲ୍ଲୀର ବିପୁଳକାୟ ହ୍ରଦ–ଚକ୍‌କର ଦେଇ ଘୁରୁଛନ୍ତି ହଂସରାଳୀ ବତକ, ଧଳାଶିଉଳୀ ଫୁଲ ଓ ଲାଲ କଇଁରେ ଭରା ହ୍ରଦର ଶାନ୍ତ ଜଳରାଶି ଉପରୁ ଥରେ ଆଖି ବୁଲେଇ ନେଇ ଶାନ୍ତିନିକେତନକୁ ବିଦାୟ ଦେଲି । ଏଇ ଶାନ୍ତିନିକେତନ–ଜୀବନର ଦୀର୍ଘ ତିରିଶ ବର୍ଷ ଏଠି କଟିଲାଣି । ତଥାପି ସେ ମୋଠାରେ ପୁରୁଣା ହୋଇ ଯାଇନାହିଁ । ସେ ଚିର ନୂତନ–ସେ ଯେ” ସବ୍ ହତେ ଆପନ୍, ମୋଦେର ଶାନ୍ତିନିକେତନ ।”

 

ଘଣ୍ଟାଏ ବିଳମ୍ବରେ କଲିକତା ଗାଡ଼ି ଆସିଲା । ଦୁଇପାଖରେ ପରିଚିତ ଦୃଶ୍ୟ–କ୍ଷେତଘର-। କେଉଁ ଗହୀରରେ ଭଦାଳିଆଟିଏ ଗଛରୁ ଉଡ଼ିଯାଉଛି, ବଗଟିଏ ଦୀଘି କୂଳରେ ଧ୍ୟାନ କରୁଛି–ଚିଲଟିଏ ଚକ୍‍କର କାଟୁଛି ଓ କୁଆଟିଏ ଗାଡ଼ି ସଙ୍ଗରେ ଉଡ଼ି ଉଡ଼ି ପଛକୁ ପଡ଼ିଯାଉଛି । କେତେ ଅଜଣା ଆଶଙ୍କାରେ, ଅବା କେତେ ନୂଆ ଅନୁଭବର ସ୍ୱପ୍ନରେ ରାତିରେ ନିଦ ହୋଇନଥିଲା-। ମୋ ପ୍ରଥମ ଶ୍ରେଣୀ ଡ଼ବାରେ ମାତ୍ର ଜଣେ ଯାତ୍ରୀ ବସି ଢୁଳାଉଥିଲେ | ଆମ ଦଳର ସର୍ବ କନିଷ୍ଠ ସଞ୍ଜିତା ଦୁଇବର୍ଷର ଟିକି ଝିଅଟି ଶୋଇ ସାରିଥିଲା । ମୋର ବି ଆଖି ଦିଓଟି ବୁଜି ହୋଇଗଲା । ପହଞ୍ଚିଗଲା ପରିଚିତ ବର୍ଦ୍ଧମାନ । ଚଳଚଞ୍ଚଳ କୋଳାହଳମୟ ସବୁଠାରୁ ବଡ଼ଷ୍ଟେସନ । ଅନିଚ୍ଛାରେ ବି ନିଦ ଭାଙ୍ଗିଲା ପ୍ରକୃତି ନୁହେଁ, ମଣିଷର ରାଜ୍ୟ–ଅଗଣିତ ଶ୍ରମ ଓ ସାଧନାର ଏଇ ଭୂମି, ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧ । କେତେ ସୌଧ, ଉଦ୍ୟାନ, କାରଖାନା ସହର, ଦେଖୁଁ ଦେଖୁଁ ଗାଡ଼ି ଆସି ପହଞ୍ଚିଲା ଦମ୍ ଦମ୍ ଷ୍ଟେସନରେ । ମାତ୍ର ଏଇଠୁଁ ଆଉ ଯେପରିକି ଯିବାକୁ ନାହିଁ । ପିଲାଏ ସମସ୍ତେ ଅସ୍ଥିର ହୋଇ ଉଠିଲେ । କେହି କେହି କହିଲେ–ଆଉ କଲିକତା ନ ଯାଇ ଏଇଠାରୁ ସିଧା ଦମ୍ ଦମ୍ ବ୍ୟୋମ ବନ୍ଦରକୁ ଯିବା । ଯାନ ମିଳିବ ନାହିଁ ? ନମିଳୁ । ସମୟ ତ ଅନେକ, ଚାଲି ଚାଲି କ’ଣ ଯାଇପାରିବା ନାହିଁ ? ନୂଆ ଜାଗା । ବାଟ ବତାଇବ କିଏ ? ପୁଣି ଯାହାକୁ ପଚାରିବ, ସେ ତୁମକୁ ନିପଟ ମଫସଲି ଭାବି ହଇରାଣରେ ପକାଇପାରେ । ହଠାତ୍ ପାଖ ପ୍ଳାଟଫର୍ମରୁ ଗୋଟିଏ ବାଇଗଣ କିଏ ଫୋପାଡ଼ିଲା ଝିଅମାନଙ୍କ ଉପରକୁ । ପ୍ରଭତୀ ତା’କୁ ବଲ୍ ପରି ହାତରେ ଧରି ଖେଳିବାକୁ ଲାଗିଲା । ସମସ୍ତେ ଅପେକ୍ଷା କଲେ ଆଉ କ’ଣ କିଛି ଆସିବ । ଭାଗ୍ୟକୁ ଗାଡ଼ି ଛାଡ଼ି ଦେଲା । ଷ୍ଟେସନ ଅଦୂରରେ ବଙ୍ଗୀୟ ଉନ୍ମାଦ ଆଶ୍ରମ । ଝିଅମାନଙ୍କ ଉପରକୁ ବାଇଗଣ ଫିଙ୍ଗିବା କ’ଣ କୌଣସି ଉନ୍ମାଦର କାମ ? ଗାଡ଼ି ଆହୁରି ଥରେ ଅଧେ ବାଟରେ ପଡ଼ିରହି ପ୍ରାୟ ଗୋଟାଏ ବେଳେ ସିଆଲ୍‍ଦା ଷ୍ଟେସନରେ ପହଞ୍ଚିଲା । ସଙ୍ଗେ ସଙ୍ଗେ କାଫ୍‍ଟେରିଆରୁ କିଛି ଖାଇ ପ୍ରଥମ ଶ୍ରେଣୀ ବିଶ୍ରାମାଗାରରେ ବିଶ୍ରାମ କଲୁ । ନାମକୁ ପ୍ରଥମ ଶ୍ରେଣୀ ବିଶ୍ରାମାଗାର । ମାତ୍ର ଆସବାବପତ୍ରରେ ବୋଲପୁରଠାରୁ ହୀନ । ମୁଁ କୌଣସିମତେ ଗୋଟିଏ ଚୌକି ଯୋଗାଡ଼ କରି ମୋ ବହିର ପ୍ରୁପ୍ ଦେଖିବା କାମ ଆରମ୍ଭ କରିଦେଲି । କିଛି ସମୟ ପରେ କଲିକତା ଆଂଲୋ ଓଡ଼ିଆ ପ୍ରେସର ସ୍ଵତ୍ୱାଧିକାରୀ ଶ୍ରୀ ଆକୁଳି ମିଶ୍ର ଆସି ପହଞ୍ଚିଲେ । ପ୍ରବୀଣ ଜନନେତା, ସାଧାରଣ ସେବୀ, ସଦାପ୍ରସନ୍ନ–ମୁହଁରୁ ସତୁରୀ ବର୍ଷରୁ ଅଧିକ ବୋଲି ଜଣା ପଡ଼ନ୍ତି ନାହିଁ । ଆଣ୍ଡାମାନରୁ ଫେରି କଲିକତାରେ ଦିନେ ରହିବା ପାଇଁ ଗୋଟିଏ ହୋଟେଲ ସନ୍ଧାନରେ ଗଲୁଁ । ବାଟରେ ପ୍ରୟୋଜନୀୟ କିଛି ଖାଦ୍ୟ କିଣିଲୁଁ । ଶ୍ୟାମବାବୁ, ମୁଁ ଓ ମୋର ଝିଅ ମଞ୍ଜୁଳା ତିନିଜଣ ଗଲୁଁ । ମାତ୍ର ଲୋକ ଭିତରେ ମୁଁ ଓ ମଞ୍ଜୁଳା ଶ୍ୟାମବାବୁ ଓ ଆକୁଳିବାବୁଙ୍କୁ ହରାଇଲୁ । ଯାତ୍ରାର ଗୋଟିଏ ପ୍ରଥମ ରୋମାଞ୍ଚକର ଅନୁଭୂତି ହେଲା ।

 

ଓପର ବେଳା ପାଞ୍ଚଟା ବେଳକୁ ଦମ୍ ଦମ୍ ଯିବା ପର୍ବ ଆରମ୍ଭ ହେଲା; ଟ୍ୟାକ୍‌ସି କାହିଁ ? ଷ୍ଟେସନର ଗୋଟିଏ ପାଖରେ କିଛି କାର୍ ଓ ଘୋଡା ଗାଡ଼ି ଠିଆ ହୋଇଥିଲା । ସେମାନେ ଯିବାକୁ ସଙ୍ଗେ ସଙ୍ଗେ ରାଜି । ମାତ୍ର ଭଡା ଦୁଇଟି ଗାଡ଼ିକୁ ଅଶୀରୁ ସତୁରି ଟଙ୍କା ମଧ୍ୟରେ ରହିଲେ । ଆମେ ଚାଳିଶିରୁ ବେଶୀ ଦେବାକୁ ନାରାଜ । ତେଣୁ ସେଠାରୁ ଭାଗ୍ୟ ପରୀକ୍ଷା ପାଇଁ ଷ୍ଟାଣ୍ଡକୁ ଆସିଲୁ । ପୋଲିସର ଇଙ୍ଗିତରେ ଯଥା ସ୍ଥାନରେ ଲାଇନରେ ଠିଆ ହେଲୁଁ । ଶ୍ୟାମବାବୁଙ୍କୁ ପ୍ରଥମେ ଗାଡ଼ିଟିଏ ଜୁଟିଲା । ମାତ୍ର ଦମ୍ ଦମ୍ ଯିବାକୁ ମଙ୍ଗିଲା ନାହିଁ । କହିଲେ–ଗାଡ଼ି ଏତେ ଦୂର ବାଟକୁ ବିଗିଡ଼ି ପାରେ । କିଛି ସମୟ ପରେ ଅନ୍ୟ ଦୁଇଟି ଟ୍ୟାକ୍‌ସିରେ ଗଲୁଁ । ମଝିବାଟରେ ଆମ ଟ୍ୟାକ୍ ସିଟି ଠିଆ ହୋଇଗଲା, କିଛି ଯାତ୍ରିକ ଗୋଳମାଳ ହେତୁ । ମୁହଁ ସଞ୍ଜବେଳେ ଦମ୍ ଦମ୍ ବିମାନ ବନ୍ଦରରେ ପହଞ୍ଚିଲୁ । ଜଣେ ଯୁବକ ଆସି ଟ୍ୟାକ୍‍ସିରୁ ଜିନିଷ ବାହାର କଲେ–ଏୟାରପୋର୍ଟ କଣ୍ଟ୍ରାକଟ କୁଲି । ତାଙ୍କୁ ଏକ ନିର୍ଦ୍ଧାରିତ ହାରରେ ପାରିଶ୍ରମିକ ଦେବାକୁ ହେବ ଜାଣି ପିଲାମାନେ ଜିନିଷ ଛାଡ଼ିଲେ ନାହିଁ । ଆମେ ସମସ୍ତେ ଲାଉଞ୍ଜ ଭିତରେ ପଶି ଗୋଟିଏ ପାଖର ସମସ୍ତ ସିଟ୍‍କୁ ଆବୋରି ବସିଗଲୁଁ । ପିଲାମାନେ ଲିଫ୍‍ଟରେ, କେହି ବା ସିଡ଼ିରେ ଦ୍ୱିତଳ ପ୍ରାସାଦ ଉପରକୁ ଉଠିଲେ । ଉଡ଼ାଜାହାଜ ଦେଖିବା ପାଇଁ । ବିରାଟ ପ୍ରାସାଦ ଭାରତର ନାନା ପ୍ରାନ୍ତରୁ କୁଟୀରଶିଳ୍ପର ବିକ୍ରୟ କେନ୍ଦ୍ର ଓ ପ୍ରଦର୍ଶନୀଶାଳା ଅଛି । ଅମେ ଲାଉଞ୍ଜର ଯେଉଁ ଅଂଶରେ ବସିଥିଲୁ–ସେଥିରେ କୋଣାର୍କ ମନ୍ଦିରର ଗୋଟିଏ ମଡେଲ ଅଛି । ଏଇସବୁ ବୁଲି ଦେଖିବାରେ ବେଶ୍ କିଛି ସମୟ କଟିଲା । ଲିଫ୍‍ଟରେ ଉଠି ମୁଁ ବି ପିଲାମାନଙ୍କ ସଙ୍ଗରେ ଉଡ଼ାଜାହାଜ ଦେଖିବାକୁ ଗଲି । କେତେ ଉଡ଼ାଜାହାଜ ଓହ୍ଳାଉଥାଏ, ଯେପରି କି ଗୋଟିଏ ଆଲୋକର ପଟୁଆର କରି ଆମ ଆଡ଼କୁ ଆସୁଥାଏ । କେତେ ଟୁଲିବାସ୍ ଯାତ୍ରୀ ଘେନି ଯାଉଥାଏ ବା ଆସୁଥାଏ । କିଛି ସମୟ ବୁଲାବୁଲି ପରେ ପୁଣି ବସିଲୁ । ଶୁଖିଲା ଜଳଖିଆ ଖାଇ କେହି କେହି ଚାହା ଖୋଜିଲେ । ବାହାରେ ଗୋଟିଏ ଚା’ ଦୋକାନ ଥିବାର ସମ୍ବାଦ ଅଶୋକ ଆଣିଦେଲା । ଫ୍ଲାସ୍କରେ ଚା’ ଆଣିବାରୁ ମହିଳାମାନେ ଆଶ୍ଵସ୍ତ ହେଲେ । ଯେତେ ଯିଏ ପାରିଲା ଗପିଲା । କେତେ ଦେଶ ବିଦେଶର ଯାତ୍ରୀ ଯାତ୍ରିଣୀ ଆସୁଥାନ୍ତି । କିଛି ସମୟ ବସି ପୁଣି ଉଠିଯାଉଥାନ୍ତି । ଏମାନଙ୍କ ମଧ୍ୟରେ ଜଣେ ଥିଲେ ବେଶ୍ ସ୍ଥୂଳକାୟ ଛୋଟା, ଗୋଟିଏ ବିଚିତ୍ର ବାଡ଼ି ଧରି ଚାଲିଥାନ୍ତି । ମାତ୍ର ପୋଷାକ ଆମ ଓଡ଼ିଆ ଯାତ୍ରାର ରଜା ବା ସେନାପତିର ପୋଷାକ । ବଡ କୌତୁକ ଲାଗୁଥାଏ । କ୍ରମଶଃ ରାତି ଅଧିକ ହେଲା, ଯାତ୍ରୀଙ୍କ ଭିଡ଼ କମିଲା । ଆମେ ଦେଖିଲୁଁ, ଆମରି ଭଳି ଆଉ କେତେକ ଗୋଟିଏ ପାଖରେ ଶୋଇବାକୁ ବାହାରୁଛନ୍ତି । ତଥାପି ଅପେକ୍ଷା କଲୁଁ । ଉପରେ ତ ଲୋକ ନାହାନ୍ତି, ଶୋଇଲେ କିପରି ହୁଅନ୍ତା ? ପୁଣିଥରେ ଲିଫ୍‍ଟରେ ଉଠିଲି । ପାଖରେ କାହାକୁ ନପାଇ ଲିଫ୍‍ଟ ଚାଳକକୁ ପଚାରିଲି । ଆମେ ସକାଳୁ ଯିବାକୁ ସନ୍ଧ୍ୟାରୁ ଆସି ବ୍ୟୋମବନ୍ଦରରେ ଧାରଣା ଦେଇଛୁଁ ଜାଣି ଆଶ୍ଚର୍ଯ୍ୟ ହେଲା । ମାତ୍ର ତା’ଠାରୁ ଜାଣିଲି ଉପରେ ନିରାପଦ ନୁହେଁ’, କୌଣସି ଜଗୁଆଳ ରହନ୍ତି ନାହିଁ । ତେଣୁ ପୁଣି ନିଜ ଜାଗାକୁ ତଳକୁ ଫେରିଲି, ଆମେ ଗୋଟିଏ ଜାଗାରେ ସତରଞ୍ଜି ବିଛାଇ ଗଡ଼ିପଡ଼ିଲୁଁ । ସଙ୍ଗେ ସଙ୍ଗେ ଦଳେ ଆସି ଚଉକି ସଜାଡ଼ିବା, ଚଟାଣ ଝାଡ଼ିବା ଓ ପୋଛିବାରେ ଲାଗିଲେ । ଏମାନେ ଅନେକ ଓଡ଼ିଆରେ କଥା ହେଉଥାନ୍ତି । ଦାରିଦ୍ର୍ୟ ଯେ କୌଣସି ସାମାନ୍ୟ କର୍ମଲାଗି ଓଡ଼ିଆମାନଙ୍କୁ ବିଦେଶ ଯିବାକୁ ବାଧ୍ୟ କରେ–ଭାବି ଦୁଃଖ ହେଲା । ସମସ୍ତ କୋଳାହଳ କ୍ରମେ ବନ୍ଦ ହୋଇଗଲା; ଭାବିଲି ବେଶ୍ କିଛି ସମୟ ବିଶ୍ରାମ କରି ହେବ । ବାହାରିଲେ ମଶା । ସାନ, କ୍ଷିପ୍ର ବୋମାରୁ ବିମାନ ଭଳି ଆସି ଗୁଞ୍ଜନ ଓ ଦଂଶନରେ ବ୍ୟତିବ୍ୟସ୍ତ କରି ପକାଇଲେ । ମୁଁ ଆଡୋମସ୍ ମଲମ ବ୍ୟବହାର କଲି । ମଶାଙ୍କ କବଳରୁ କିଛିଟା ରକ୍ଷା ପାଇଲି । ମାତ୍ର ଦଳରେ ମହିଳାମାନେ ଆଡୋମସ୍ ଗନ୍ଧ ସହିପାରିଲେ ନାହିଁ । ମଶାଙ୍କ ସହିତ ବଚନ କଳହରେ ରାତ୍ରି କଟାଇଲେ । ଏଥ‌ିରେ ନିଦ ହେବ କୁଆଡ଼ୁ ? ନିଦ୍ରାହୀନ ତନ୍ଦ୍ରାରେ ରାତ୍ରିଟି କଟିଲା । କେହି ଜଣେ କହିଲା–ସକାଳ ଚାରିଟା ହେଲାଣି-? ନିତ୍ୟକର୍ମ ଶେଷ କରି ବନ୍ଦରକର୍ମଚାରୀଙ୍କଠାରେ ରିପୋର୍ଟ କରିବାକୁ ବାହାରିଲୁ । ଗୋଟିଏ ପାଖରେ ବହିର୍ଦ୍ଦେଶୀୟ ବିମାନ ଓ ଅନ୍ୟପାଖରେ ଅନ୍ତର୍ଦ୍ଦେଶୀୟ ବିମାନ ପାଇଁ ଯିବା କଥା-। ଆମେ ସବୁ ଆନ୍ତର୍ଦ୍ଦେଶୀୟ ବିମାନ ଆଡକୁ ଗଲୁ । ଏପର୍ଯ୍ୟନ୍ତ କାଉଣ୍ଟର ଖୋଲିନି । ଯାତ୍ରାବି କେହି ନାହାନ୍ତି-। କେହି ଜଣେ ବ୍ୟୋମବନ୍ଦର କର୍ମୀ ଏଇବାଟେ ଯାଉଥିଲେ । ଆମେ ଆଣ୍ଡାମାନ ଯାତ୍ରୀ ଜାଣି ଅନ୍ୟ ପାଖକୁ ଯିବାକୁ ବତାଇ ଦେଲେ । କାଉଣ୍ଟାର ପାଖରେ ଗୋଟିଏ ବଡ଼ ଲମ୍ବା ଲାଇନ୍ । ସତରେ ଏତେ ଆଗରୁ ଆସି ଆମେ ଏତେ ପଛରେ ପଡ଼ିଗଲୁ । ଆମର ନିପାରିଲାପଣିଆ ପାଇଁ ଦଳ ନେତା ଭାବରେ ଅନ୍ୟମାନଙ୍କ ତିରସ୍କାର ଶୁଣିବାକୁ ହେଲା-। କାଉଣ୍ଟାରରେ ଟିକେଟ ଚେକ୍ ହେଲା । ଫ୍ଳାଇଟ୍‍କାର୍ଡ ମିଳିଲା । ଆମର ସୁଟ୍‍କେଶଗୁଡ଼ିକ ଦେଇ ଗୋଟିଏ ଗୋଟିଏ ନମ୍ବରଦିଆ ଚକତି ନେବାକୁ ହେଲା । ଏହାପରେ ଅନ୍ୟ ଗୋଟିଏ ଜାଗାକୁ ଗଲୁଁ-। ଆମକୁ ଚଳମାନ ସିଡ଼ିଟିଏ ଦେଖାଇ ଦିଆଗଲା । ଉପରକୁ ସାହସ କରି ପ୍ରଥମେ କେହି ଉଠିଲେ ନାହିଁ । ମୁଁ ପ୍ରଥମେ ଉଠିଗଲି-। ପିଲାମାନେ ବେପରୁଆ ଡେଇଁ ଡେଇଁ ଉଠିଲେ । ମାତ୍ର ରତ୍ନ ଏଥିରେ ଗୋଡ଼ ଦେଉଁ ଦେଉଁ ତଳେ ପଡ଼ିଗଲେ । ଅବଶ୍ୟ ତାଙ୍କ ପଡ଼ିବାରେ କିଛି କରୁଣ ରସ ଥିଲେ ବି, ଅନେକଙ୍କଠାରେ ଏହା ବେଶ୍ ହାସ୍ୟ ସଞ୍ଚାର କରିଥିଲା । ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପଛକୁ ଚାହିଁ ଦେଖେତ ଶ୍ୟାମବାବୁ ଚଳମାନ ସିଡ଼ିରେ ଶେଷ ଧାପକୁ ଆସି ବସି ପଡ଼ିଛନ୍ତି । ସିଡ଼ିରୁ ଚଟାଣକୁ ସାମାନ୍ୟ ଲମ୍ଫ ଦେଇ ଆସିବାର କଥା । ସେତକ ନକରି କଚଡ଼ାଏ ଖାଇଛନ୍ତି । ତାଙ୍କୁ ଧରି ଉଠାଇଲି । ପଚାରିଲି, ଶ୍ୟାମବାବୁ, ଏ କ’ଣ ହେଲା ? ଶ୍ୟାମବାବୁ ବଡ଼ ହସଟାଏ ହସି କହିଲେ–ସିଡ଼ି ତ ମନକୁ ମନ ଚାଲିଛି । ସେଥିରେ ପୁଣି ଚାଲିକରି ନଯାଇ ବସିଗଲେ କିପରି ହେବ ପରୀକ୍ଷା କରୁଥିଲି । ଏଣେ ରତ୍ନଙ୍କୁ ବ୍ୟୋମବନ୍ଦରର ଜଣେ କର୍ମୀ ଧରି ଧରି ଆଣି ଉପରେ ଛାଡ଼ିଲେ । ଥରେ ପଡ଼ି ସେ ଆଉ ଚଳନ୍ତା ସିଡ଼ିରେ ପାଦ ଦେବାକୁ ଚାହୁଁ ନଥିଲେ । ସେ ପ୍ରାୟ ଗୋଟାଯାକେ ଥରୁଥିଲେ । ଅନ୍ୟ ମହିଳାମାନଙ୍କ ଆଖିରେ ବି ସତର୍କ ସନ୍ନାସର ଭାବ । ମାତ୍ର ଲଗାମଛଡ଼ା କ୍ରୀଡ଼ାବାଜମାନଙ୍କର ହସ ବନ୍ଦ ହେଉ ନ ଥିଲା । ଆଗରେ ସିକୁରିଟି । ଜିନିଷ ଯାଞ୍ଚ ହେଲା । ପୋଲିସ କର୍ମୀଜଣଙ୍କ ଗଳା ପାଖରୁ ଗୋଡ଼ ପର୍ଯ୍ୟନ୍ତ ଥରେ ହାତ ବୁଲାଇ ନେଲେ । ଆମେ ସବୁ ଯାଇ ଅପେକ୍ଷା କରିବା ସ୍ଥାନରେ ବସିଲୁଁ । ଏଠି ସିଟ୍‍ଗୁଡ଼ିକ ବେଶ୍ ଆରାମପ୍ରଦ । ପ୍ଲେନ୍ ଛାଡ଼ିବା ସମୟ ତ ହେଲା । କଥା କ’ଣ ? ତେଲ ଅଭାବରୁ କେତେ ପ୍ଳେନ୍ ଶେଷ ମୁହୂର୍ତ୍ତରେ ଯାତ୍ରା ସ୍ଥଗିତ କରୁଥିବା ଖବର ବାହାରିଥିଲା । ନା ଯାନ୍ତ୍ରିକ ଗୋଳମାଳ ? କିପରି ଏକ ଅଶ୍ଵସ୍ତି ମଧ୍ୟରେ ବସି ବସି ଘଣ୍ଟାର ମିନିଟ୍ ସେକେଣ୍ଡ ଗଣିବାକୁ ଲାଗିଲୁ । ଏଇ ସମୟରେ ଜଣେ ଯାତ୍ରୀଙ୍କ ସହିତ ଆଳାପ ହେଲା । ସେ ମହାରାଷ୍ଟ୍ରର ଲୋକ । ନୌବାହିନୀରେ କାମ କରନ୍ତି । ସେ କହିଲେ ପ୍ଳେନ କ୍ୱଚିତ ଯଥା ସମୟରେ ଛାଡ଼େ । ଆଜି ଅଧଘଣ୍ଟାଏ ବିଳମ୍ବରେ ଛାଡ଼ିବ । ମାତ୍ର ତାଙ୍କ କଥା ନ ସରୁଣୁ ଆମ ନମ୍ବର ପ୍ଲେଟ ଲଗାଇ ଦିଆହେଲା । ମନେ ମନେ ବେଶ୍ କିଛି ସମୟ ସେଠି ଅପେକ୍ଷା କରିବାକୁ ହେବ ଭାବି ବସିଥିଲି । ମାତ୍ର ସଙ୍ଗେ ସଙ୍ଗେ ଯିବାକୁ ହେଲା । କାଚଘେରା ଗଡ଼ାଣିଆ ଜେଟି ଦେଇ ଆମେ ସବୁ ବାସ୍ ନିକଟକୁ ଆସିଲୁଁ ଓ ଅଳ୍ପ କେତେ ମିନିଟ୍ ମଧ୍ୟରେ ଉଡ଼ାଜାହାଜ ନିକଟରେ ପହଞ୍ଚିଗଲୁଁ । ଇତି ମଧ୍ୟରେ ଯାତ୍ରୀଙ୍କ ଭିଡ଼ ଜମି ଯାଇଛି । ଆମକୁ ସିଡ଼ିକୁ ନ ଉଠି କିଛି ସସୟ ଅପେକ୍ଷା କରିବାକୁ ହେଲା । ବାହାରୁ ଆମ ପୁଷ୍ପକଟିର ଚେହେରା ଟିକିଏ ଦେଖି ନେଲି । ଶ୍ଵେତକାୟ, ପୃଥୁଳ ଉଦର, ବିସ୍ତାରିତ ପକ୍ଷ ଏକ ଗଣ୍ଡଭୈରବ । ବିମାନରେ ଆଗରେ ଯାତ୍ରୀଙ୍କ ପାଇଁ ଓ ପଛରେ ଜିନିଷପତ୍ର ପାଇଁ ବ୍ୟବସ୍ଥା । ଆଗଟି ଉଚ୍ଚ–ତେଣୁ ସିଡ଼ିରେ ଯାତ୍ରୀ ଉଠନ୍ତି-। ମାତ୍ର ପଛରେ ଜିନିଷଗୁଡ଼ିକ ହାତରେ ଟେକି ଭରୁଥାନ୍ତି । କିଛି ଦୂରରେ ଆହୁରି ଅନେକ ବିମାନ ଅପେଷା କରି ରହିଥାଏ । ସକାଳର ଉଜ୍ଜ୍ୱଳ କୋମଳ ଖରାରେ ସମସ୍ତ ବିମାନ ଘାଟିର ଏକ ସ୍ଥାନରୁ ଅପର ପ୍ରାନ୍ତ ଦେଖାଯାଉଥାଏ । ଏଇ ବିସ୍ତୃତ ପଡ଼ିଆର ଏକ ପ୍ରାନ୍ତରେ ବ୍ୟୋମ–ବନ୍ଦର ଅଫିସ ଓ ବିଶ୍ରାମ କକ୍ଷ ଗୋଟିଏ କ୍ଷୁଦ୍ରକାୟ ଶ୍ଵେତମର୍ମର ଶିଳା ଶ୍ରେଣୀ ଭଳି ଦେଖାଯାଉଥାଏ-

 

ବିମାନ ସିଡ଼ିରେ ଉଠିଲି । ପରିଚାରିକା ସ୍ନିତହାସ୍ୟରେ ସ୍ୱାଗତ କଲେ । ସିଟ୍ ଦେଖାଇ ଦେଲେ । ବିମାନର ବାମ ପାଖ ଡେଣାର ସାମାନ୍ୟ ଆଗକୁ ମୋର ସିଟ୍–ସବୁ ଆଡ଼ୁ ଦେଖି ହେବ–ମନେ ମନେ ଖୁସି ହେଲି । ବିମାନ ଭିତରଟି ବେଶ୍ ଆରାମପ୍ରଦ କକ୍ଷଟିଏ–ଚଟାଣରେ ସୁନ୍ଦର ଗାଲିଚା–ସିଟ୍ ଗୁଡ଼ିକରେ ବେଶ୍ ବହଳ ଗଦି ସମସ୍ତ କ୍ଳାନ୍ତି ଭୁଲି ବସି ପଡ଼ିଲି । ବିନିଦ୍ର ରଜନୀର ଆବେଗରେ କ୍ଷଣକ ପାଇଁ ଆଖି ବୁଜି ହୋଇଗଲା । ହଠାତ୍ ମଥା ଉପରୁ ଭାସି ଆସିଲା ଏକ କୋମଳ ମଧୁର ଯନ୍ତ୍ରସଙ୍ଗୀତର ସ୍ୱର । ଚାହିଁ ଦେଖିଲି, ଆଗରେ ଜଣେ ପରିଚାରିକା ବିପଦ ବେଳେ କିପରି ଅକ୍‌ସିଜେନ୍ ବ୍ୟବହାର କରିବାକୁ ହେବ ଦେଖାଉଛନ୍ତି । ଯାତ୍ରାର ମୁହୂର୍ତ୍ତ ଆରମ୍ଭ । ବିମାନର ମୁଖ୍ୟ ଚାଳକଙ୍କ ନାମଟି ଘୋଷଣା କରାହେଲା ଓ ଅନୁରୋଧ କରାହେଲା ବେଲ୍‍ଟ ବାନ୍ଧିବା ପାଇଁ-। ଇତି ମଧ୍ୟରେ ଜଣେ ପରିଚାରିକା ଚକୋଲେଟ, ପାନମହୁରୀ ଓ ତୁଳା ପୁଡ଼ିଆ ବାଣ୍ଟି ସାରିଥାନ୍ତି । ଏଇ ବନ୍ଦ କକ୍ଷ ଭିତରେ ବି ଇଞ୍ଜିନିର ଶବ୍ଦ ମୃଦୁ ଭାବରେ ଶୁଣାଯାଉଥାଏ, ଅନୁଭୂତ ହେଉଥାଏ ବିମାନର କମ୍ପନ । କେତୋଟି ମିନିଟ୍ ବିମାନ ତଳେ ଦଉଡ଼ିଲା ଓ ସତେ ଯେପରି ଗୋଟିଏ ଦୁଇଟି ଲମ୍ଫ ଦେଇ ଉପରକୁ ଉଠିଗଲା । ତଳେ ପଡ଼ି ରହିଲା କେତେ ସୌଧଉଦ୍ୟାନ–ଅଳ୍ପ କେତୋଟି ମିନିଟ୍ ମଧ୍ୟରେ ଆଉ ତଳର କୌଣସି ଦୃଶ୍ୟ ଦେଖାଗଲା ନାହିଁ । ମନେ ହେଲା ଅନେକ ମେଘର, ଅଥବା ଆଲୋକର ଫେନାୟିତ ଏକ ସମୁଦ୍ର ଉପରେ ଆମେ ସ୍ଥିର ହୋଇ ରହିଯାଇଛୁ । ଏକ ପ୍ରକାର ଦୃଶ୍ୟ । ଏକ ସ୍ଥାନରେ ସ୍ଥିତି, ଗତିର ଯନ୍ତ୍ର ବିମାନଟି ଭିତରେ ଥାଇ ଗତିର ସ୍ପନ୍ଦନ ପର୍ଯ୍ୟନ୍ତ ଅନୁଭୂତ ହେଲା ନାହିଁ–ଏହା ହିଁ ଆଶ୍ଚର୍ଯ୍ୟ ଲାଗିଲା । ପାଖରେ ଥିଲା ଅନେକ ଇଂରେଜୀ, ହିନ୍ଦୀ ଓ ବଙ୍ଗଳା ଖବରକାଗଜ । ଆଖି ବୁଲାଉ ବୁଲାଉ ପରିଚାରିକା ପ୍ରଥମେ ସପୁରୀ ରସ ଓ ପରେ ଜଳଖିଆ ଆଣିଦେଲେ । ଜଳଖିଆ ଟ୍ରେରେ ଥିଲା–ଦୁଇଟି ଅଣ୍ଡା, ଗୋଟିଏ ପାଉଁରୁଟି–ଗୋଟିଏ ଆପେଲ, ଲହୁଣି, ଗୋଲମରିଚ ଗୁଣ୍ଡ, ଚିନି ଓ ଲୁଣର ପୁଡ଼ିଆ–ପ୍ଳାଷ୍ଟିକର ଚାମଚ (ଫର୍କ) କଣ୍ଟା ଓ ଛୁରୀ‍ । ବାହାରେ ଦୂର ଆକାଶରେ ସ୍ଥାନେ ସ୍ଥାନେ ମେଘର ବିଚିତ୍ର ଲୀଳା–ପୁଣି ତଳେ କେତେବେଳେ ସମୁଦ୍ରର ଗାଢ଼ ନୀଳ ଆଭା । ସ୍ଥାନେ ସ୍ଥାନେ ଯେପରି କି କେତେ ଛକ କଟା ହୋଇଛି–ଗୋଟିଏ ରିଲିଫ୍ ନକ୍‍ସା ଭଳି–ଏଇ ବୋଧହୁଏ ଆଣ୍ତାମାନ ଦ୍ୱୀପପୁଞ୍ଜର ଧାରେ ଧାରେ ବିମାନ ଉଡ଼ୁଛି । ୬-୩୦ରେ ଆମେ ଆକାଶକୁ ଉଠିଥିଲୁ । ଏବେ ପ୍ରାୟ ଆଠଟା ବାଜିବାକୁ ଚାଲିଛି-। ସିଟ୍ ଛାଡ଼ି ଉଠିଲି । ଶୌଚାଗାରକୁ ଯିବା ଉପଲକ୍ଷରେ–ମାତ୍ର ବିମାନର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ବୁଲି ଦେଖିବାର ଲକ୍ଷ୍ୟ ମୋର ପୂରଣ ହୋଇଗଲା । ବିମାନଟିରେ ଆଗ ଓ ପଛରେ ଦୁଇଟି ବାଥ୍‍ରୁମ୍ । ଆଗରେ ଦେଖିଲି ‘ଅକୁପାଏଡ’ । ପୁଣି ପଛକୁ ଚାଲିଲି । ମଝିରେ ଗାଲିଚା ବିଛା ପଥ । ଦୁଇ ପାଖରେ ୩ । ୪ଟି କରି ସିଟ୍ । ମାତ୍ର ବିମାନ ଆଗ ଓ ପଛରେ ପ୍ରତି ଧାଡ଼ିରେ ୨ଟି କରି ସିଟ୍–ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ । ପଛରେ କେତେକ ଶ୍ଵେତକାୟ ଯୁବକ ଓ ଯୁବତୀ । ଏମାନେ ଗୋଟିଏ ଯୋଡ଼ିଏ ସିଟ୍‌କୁ ଜାବୁଡ଼ି ନିଶ୍ଚିନ୍ତରେ ଶୋଇ ଯାଇଛନ୍ତି, ଯେପରି କି କେତେ ରାତି ଶୋଇ ନାହାନ୍ତି । ଜଣକୁ ଉଠାଇ ପରିଚାରକ ଜଳଖିଆ ଯାଚୁଥାନ୍ତି–ନିଦ ନିଶାରେ ସେ ଖାଇବାକୁ ଅନିଚ୍ଛା ପ୍ରକାଶ କରୁଥାନ୍ତି । ପଛରେ କେତେକ ସିଟ୍ ଖାଲି ପଡ଼ିଥାଏ । ଶୌଚାଗାରଟି କ୍ଷୁଦ୍ର, ମାତ୍ର ପରିଚ୍ଛନ୍ନ । ଦ୍ଵାର ବନ୍ଦ କରି ଛିଟ୍‍କିଣିଟି ଲଗାଇ ଦେଲେ ଭିତରେ ଆଲୁଅ ଜଳି ଉଠେ । ପାଖକରେ ପରିଚ୍ଛନ୍ନ ଆରିଶିରେ ସର୍ବାଙ୍ଗ ଫୁଟି ଉଠେ । ବାହାରେ ଲେଖି ହୋଇଯାଏ ‘ଅକୁପାଏଡ’ । ବୁଲି ଆସି ସିଟରେ ବସିଲି । ଟିକିଏ କାନରେ ଅଶ୍ୱସ୍ତି ବୋଧ କଲି । ମଥା ଉପରେ ପୁଣି ଥରେ ବାଜଣା ବାଜି ଉଠିଲା । ଉଡ଼ଡ଼ୟନର ବିବରଣୀ ପ୍ରଚାରିତ ହେଲା । କାନରେ ବେଶ୍ ଟିକିଏ ଯନ୍ତ୍ରଣା ବଢ଼ିଲା । ଢୂଳା ଦେଇ ଲଜେନ୍‍ସ ପାଟିରେ ପକାଇ ମଝିରେ ମଝିରେ ଦୀର୍ଘଶ୍ଵାସ ଛାଡ଼ି ବସିଲି । ପାଖରେ ସିଟରେ ମୃଦୁଳା ବସି ଯନ୍ତ୍ରଣାରେ ଅସ୍ଥିର ହୋଇ କାନ୍ଦୁଥିଲା । ଜଳଖିଆ ପ୍ରାୟ ଛୁଇଁ ନ ଥିଲା । ଟିକିଏ ଥଣ୍ଡା ଥିବାରୁ ତା’କୁ ଯନ୍ତ୍ରଣା ଅଧିକ ବାଧିଥିଲା । ତଳେ ପର୍ବତ ଓ ଘନ ଅରଣ୍ୟ–ଜଳରାଶିର ପରିଖା ମଧ୍ୟରେ ଦୁର୍ଗ ଭଳି ଦେଖାଯାଉଥିଲା । ବେଲ୍‍ଟ ବାନ୍ଧିବାକୁ ଘୋଷଣା ହେଲା । ଚାହୁଁ ଚାହୁଁ ଆମ ବିମାନଟି ଦୁଇଟି ପାହାଡ଼ ମଝିରେ ଏକ ଆୟତାକାର ପ୍ରାନ୍ତରରେ ଅବତରଣ କଲା । ଏଇ ପୋର୍ଟବ୍ଲେୟାରର ଲମ୍ବା ଲାଇନ୍ ବ୍ୟୋମ ବନ୍ଦର । ବିମାନର ଦୁଆର ଖୋଲିଲା । ସିଟ୍ ଉପରେ ଥାକରୁ ଜିନିଷମାନ ଧରି ବାହାରିଲୁ । ପରିଚାରିକା ପୁଣି ସ୍ମିତ ହାସ୍ୟରେ ଜଣାଇ ଦେଲେ ପୁନର୍ଦର୍ଶନାୟଚ ! ୯ ନଭେମ୍ବର ଶୁକ୍ରବାର–ସକାଳ ଘ ୮ । ୨୫ ମିନିଟ୍......ଆଣ୍ତାମାନ ମାଟିରେ ପାଦ ଦେଲି ।

Image

 

ଆଣ୍ତାମାନରେ ପ୍ରଥମଦିନ

 

ଆଣ୍ଡାମାନ ଭୂଇଁରେ ପାଦ ପକାଇ ଚାରିଆଡ଼େ ଆଖି ବୁଲେଇ ନେଲି । ମଥା ଉପରେ ଉଜ୍ୱଳ ଖରା-ଗୋଟିଏ ପାଖରେ କିଛି ଦୂରରେ ପାହାଡ଼–ଧୂସର ପାଣ୍ଡୁର ଦିଗବଳୟରେ ମିଶିଯାଇଛି–ଗଛଲତାର ସବୁଜିମା ନୀଳପାହାଡ଼ କୋଳରେ ହଜିଯାଇଛି । ଅନ୍ୟପାଖରେ ପାହାଡ଼ଟି ବେଶ୍ ପାଖ–ଯେପରି ତା’ର ପାଦ ଦେଶରେ ଆମେ ଠିଆ ହୋଇଛୁଁ–ଦେହେ ଦେହେ ତା’ର ନଡ଼ିଆ ଓ ଗୁଆଗଛ ସାରୀ–ମଝିରେ ମଝିରେ ଘର । ଏଇ ପାହାଡ଼ର ଚୂଡ଼ାକୁ ଆଖି ପାଉନାହିଁ–ସବୁଜିମାର ଏକ ବଳୟ ଭିତରେ ହଜିଯାଇଛି ।

 

ଆମ ଦଳର ସମସ୍ତଙ୍କୁ ଏକାଠି କରିବାକୁ ବସିଲି । ମାତ୍ର ସଂହିତାକୁ ଘେନି ତା’ ମାଆ ଦଳଛଡ଼ା ହେବାକୁ ବସିଛନ୍ତି । ସଂହିତା ପ୍ରକୃତି ଆହ୍ୱାନରେ ଅସ୍ଥିର । ଇତି ମଧ୍ୟରେ ଗୋଟିଏ ବାସ୍ ଯାତ୍ରୀରେ ଭର୍ତ୍ତିହୋଇ ଚାଲିଗଲାଣି । ମାତ୍ର ବାସ୍‍ଟିତ ଅଦୂରରେ ତା’ର ବାଡ଼ଘେରା ବିମାନ ବନ୍ଦରର ଗୋଟିଏ ପାଖରେ ଯାତ୍ରୀମାନଙ୍କୁ ଛାଡ଼ି ଦେଉଛି । ଚାଲିଗଲେ କ୍ଷତି କ’ଣ ? ମାତ୍ର ଆଖିକି ଯାହା ପାଖ, ପାଦକୁ ଯେ ତାହା ପାଖ ହେବ କିଏ କହିବ ? ପୁଣି ବାସ୍‌ ଫେରିଲା । ଆମ ଦଳ ଏଥିରେ ଉଠିଲେ । ମୁଁ ଦୂର ଦୂରକୁ ଚାହିଁ ଦେଖୁଥାଏ । ଏଇ ଅଜଣା ଅପରିଚିତ ସ୍ଥାନରେ ଠାଇଁ ଖୋଜି ପାଇବୁ ତ ?” ଅଣ୍ଡାମାନ ଦୀପପୁଞ୍ଜ’’ ନାମରେ ଗୋଟିଏ ଓଡ଼ିଆ ବହି ହାତରେ ଧରି ମୁଁ ବାଡ଼ପାଖକୁ ଆଗେଇଗଲି । ଦେଖିଲି ଜଣେ ତରୁଣ ମୋତେ ଲକ୍ଷ୍ୟ କରୁଛନ୍ତି । ପାଖକୁ ଯାଉଁ ଯାଉଁ ତାଙ୍କ ସହିତ ଆଳାପ ଓ ପରିଚୟ ହୋଇଗଲା । ସେ ଆଣ୍ଡାମାନ ଓଡ଼ିଆ ସମାଜର ସହ ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ପାଢ଼ୀ । ତାଙ୍କ ସହିତ ମୁହୂର୍ତ୍ତକ ଆଳାପ ପରେ ପୋର୍ଟବ୍ଲେୟାର ଆଉ ଅପରିଚିତ ମନେହେଲା ନାହିଁ । ଆମ ସମସ୍ତଙ୍କୁ ନେବାପାଇଁ ସେ ଗୋଟିଏ ଟ୍ୟାକ୍‍ସି ବୁଝିଲେ । ଇତି ମଧ୍ୟରେ ଆମେ ଆମ ଜିନିଷତକ ଘେନି ଆସିଲୁଁ । କିଛି ଜିନିଷ ଓ ଆମ ଭିତରୁ କେତେଜଣଙ୍କୁ ଘେନି ଶ୍ୟାମସୁନ୍ଦରବାବୁ ପ୍ରଥମଥର ଟ୍ୟାକ୍‍ସିରେ ଗଲେ । ପ୍ରାୟ ୧୫ । ୨୦ ମିନିଟ୍ ମଧ୍ୟରେ ଟ୍ୟାକସି ପୁଣି ଫେରିଆସିଲା । ଦେଖାଗଲା ପଛକୁ ଆମ ସଂଖ୍ୟା ବେଶୀ । ପୋଲିସ୍ ଆଖି ଆଗରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ଯାତ୍ରୀ ନେବାକୁ ଟ୍ୟାକ୍‌ସିବାଲା ରାଜି ହେଲାନି । ମୁଁ ଶ୍ୟାମବାବୁ ଚାଲିଲୁଁ । ବ୍ୟୋମବନ୍ଦର ଗେଟ୍ ବାହାରେ କିଛିଦୂର ଚାଲିଯାଇ ଟ୍ୟାକ୍‍ସିରେ ଆମେ ଉଠିଲୁ । ପାହାଡ଼ର ତଳେ ଗୋଟିଏ ସଳଖ ପଥ । ଟ୍ୟାକ୍‌ସି କିଛି ଉପରକୁ ଉଠିଲା । ମୋଡ଼ଟିଏ ଘୁରି ଅଳ୍ପକେତୋଟି ଦୋକାନ ପାରେଇ ଠିଆହେଲା । ଆମ ଦଳର ଅନ୍ୟମାନେ ଏଇଠି ଆଗରୁ ଆସିଥିଲେ । ଏଠି ଆହୁରି ଦି’ଜଣ ବନ୍ଧୁ ଆମକୁ ନେବାକୁ ଆସିଯାଇଥିଲେ । ପ୍ରଧାନ ରାସ୍ତାଛାଡ଼ି ଗୋଟିଏ ଅଣଓସାରିଆ ଚଲାବାଟରେ ଆମେ ଆଗେଇଲୁ । ଗୋଟିଏ ପାଖରେ ତାମିଲ୍ ସିନେମା ନକ୍ଷତ୍ରଙ୍କ ପୋଷ୍ଟାର । ଶୁଣିଲି,ଏଇଠି ଗୋଟିଏ ତାମିଲ ସିନେମା ଆରମ୍ଭ ହୋଇଛି । ଘର ହୋଇନାହିଁ । ଅସ୍ଥାୟୀ ଟିଣ ଛପର ମଧ୍ୟରେ ସିନେମା ହେଉଛି । ଗୋଟିଏ କାଠ ସେତୁ–ପାରିହେଲେ ଗୋଟିଏ ପାଖରେ ଘର ସବୁଜ ବାଡ଼ରେ ଘେରା । ଆଉ ଗୋଟିଏ ପାଖରେ ପାହାଡ଼ର ପାଦଦେଶରେ ଧାନକ୍ଷେତ ଲମ୍ୱିଛି । ରାସ୍ତା କ୍ରମଶଃ ଉଠାଣି । ପାହାଡ଼ର ସ୍ତରେ ସ୍ତରେ ଉପରକୁ ଉଠିଛି । ଗୋଟିଏ ଜାଗାରେ ଉଠାଣି ଏତେ ତିଖ ଯେ ସିମେଣ୍ଟର ସ୍ଳାବ୍ ଓ ଧରିବାପାଇଁ ଗୋଟିଏ ପାଖରେ ଖିଲାଣ ପୋତାହୋଇଛି । ପ୍ରଥମେ ଗୋଟିଏ ଛୋଟଘର । ପୁଣି ଉପରକୁ ଉଠିଲେ ପାହାଡ଼ କଟାହୋଇ ଅରାଏ ଜାଗା ସମତଳ ହୋଇଛି । ତାହାରି ଉପରେ ସିମେଣ୍ଟ ଚଟାଣ, କାଠକାନ୍ଥ ଓ ଟିଣ ଛାତର ଘରଟିଏ । ଘରଟି ଦେଖିବାକୁ ସୁନ୍ଦର । ପଡ଼ିଆ ଓ ଘରର ଚଟାଣ ପ୍ରାୟ ମିଶିଯାଇଛି । ଘରର ପଶ୍ଚିମ ପାଖରେ ତିଖ ପାହାଡ଼–ମାତ୍ର ପାହାଡ଼ର ଚୂଡ଼ା ଦେଖାଯାଉନାହିଁ, ଘନ ସୁପାରୀ ‍ଓ ନାରିକେଳର ସାରି ଭିତରେ ଲୁଚିଯାଇଚି । ଆକାଶର ନୀଳିମାରେ ସବୁଜିମା ଏକରେଖା ଟାଣି ଦେଇଛି । ପୁଣି ତଳକୁ ଚାହିଁଲେ ନଡ଼ିଆ ସୁପାରୀ ଗଛର ସବୁଜଶିଖା ଆନ୍ଦୋଳିତ ହେଉଛି । ଦୂରକୁ ଦେଖାଯାଉଛି କିଛି ପ୍ରସାରିତ ଧାନକ୍ଷେତ ଓ ଲମ୍ବାଲାଇନ୍ ବିମାନ ବନ୍ଦରରି ରାନକ୍ୱେ–ଗୋଟିଏ ନୀଳ ରେଖାୟିତ ପ୍ରବାର୍ହୀଣୀ ନଦୀ ଭଳି । ସଙ୍ଗେ ସଙ୍ଗେ ବନ୍ଧୁମାନେ ଚାହା ଦେଇ ଆପ୍ୟାୟିତ କଲେ । କ୍ଷୀର ଏଠାରେ ଦୁର୍ଲଭ ଓ ଶୁଣିଲି ଅନେକେ ବିନା କ୍ଷୀରରେ ଚାହା ଖାଇବାରେ ଅଭ୍ୟସ୍ତ । ମାତ୍ର ଅତିଥିଙ୍କ ଚାହାରେ ବହଳ କ୍ଷୀର ଓ ପ୍ରଚୁର ଚିନି ଥିଲା-

 

ସ୍ନାନପ୍ରକାର ଶେଷ ହେଲା ବେଳକୁ ସାଢ଼େ ଦଶ, ଆମମାନଙ୍କ ସତ୍‌କାରକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସାହୁ, ବ୍ରହ୍ମା, ଘୋଷବାବୁ ଅଫିସ୍ ବାହାରିଲେ । ଶ୍ୟାମସୁନ୍ଦରବାବୁଙ୍କ ସଙ୍ଗରେ ଆମର କାର୍ଯ୍ୟକ୍ରମ ସ୍ଥିର ହେଲା । ଶନି, ରବି ଏଠାରେ ଅଫିସ୍ ବନ୍ଦ । ତେଣୁ ଆଜି ଦି’ ପହରେ ନୃତତ୍ତ୍ୱ ସଂଗ୍ରହଶାଳା (ମିଉଜିୟମ) ଦେଖିବା ସ୍ଥିର ହେଲା । ଉପରବେଳା ଆବାରଡିନ୍ ବଜାର ଓ ମ୍ୟାରିନା ବିଚ୍ । ମାତ୍ର ଦଳରେ ଅନେକ କ୍ଳାନ୍ତ । ମୃଦୁଳା ବିଛଣା ଛାଡ଼ିଲା ନାହିଁ । ପାହାଡ଼ ତଳେ ଗୋଟିଏ ହୋଟଲରେ ଦି’ପହରେ ଖାଇବା କଥା । ସେ ବିମାନରୁ ଧରି ଆସିଥିବା ଜଳଖିଆ ପଥ୍ୟ କଲା । ଆଉ କେହି କେହି କହିଲେ–ଏବେ ବି କାନରେ ଶୁଣି ପାରୁ ନାହାନ୍ତି । ମୁଁ ଏମାନଙ୍କୁ କିଛି ଆଭିଲ, ପୁଣି ଡାକ୍ତରୀ ଔଷଧ ନ ଖାଇବା ଲୋକଙ୍କୁ ବେଲାଡୋନା ଧରାଇଲି । ଔଷଧର କିଛି ଗୁଣ ଥାଉ ବା ନଥାଉ, ଔଷଧ ଖାଇଲେ–ଏଥର ସବୁ ଭଲ ହୋଇଯିବ–ସମସ୍ତେ ଆଶ୍ୱସ୍ତ ହେଲେ ।

 

ମୂଳ ବଜାରରୁ ଦୂର–ରାସ୍ତାପାଖ ହୋଟେଲ୍ । ତେଣୁ ଖାଇବା ଟିକିଏ ମୋଟା । କିନ୍ତୁ ଭଲ ହୋଟେଲ୍‍କୁ ଯିବାକୁ ହେଲେ ଚାଲିବାକୁ ହେବ । ସମସ୍ତେ ନାରାଜ । ତେଣୁ ସେଇଠି ଖାଇଲୁଁ-। ବଗଡ଼ା ଭାତ–ସମ୍ବର ଚାରୁ ଓ ରାଗ ତରକାରୀ–ମାଛ ବି ରାଗ, ବହଳ ମସଲା ପାଣିରେ ପଡ଼ିଛି । ଅନେକଙ୍କର ଦେଖୁ ଦେଖୁ ଭୋକ ମଲା । ଆମେ ତ ସବୁ ପ୍ରକାର ଅବସ୍ଥାର ସମ୍ମୁଖୀନ ହେବାକୁ ଆସିଛୁଁ । ମୁଁ ମନ ଖୁସିରେ ଖାଇଲି । ରତ୍ନ ଓ ରୂପାଲି ଗୋଟିଏ ମିଲ ଭାଗ କରି ଖାଇବାକୁ ବସିଲେ-। ଅଯଥା ଖାଦ୍ୟ ଓ ଅର୍ଥ ନଷ୍ଟ କରିବେ କାହିଁକି ? କିନ୍ତୁ ମିଲ୍ ଏଠି ମୁଣ୍ଡ ଗଣତା ଅର୍ଥାତ ରକ୍ଷା ହେଲାନାହିଁ–ମାତ୍ର କଥାଟା ଜଣା ପଡ଼ିଲା । ଏମାନେ କୃପଣା ନଅଜଣ ଖାଇଲୁଁ, ପଡ଼ିଲା ତେର ଟଙ୍କା ଆଠଅଣା । ଦଳର ସମସ୍ତେ ଖାଇ ସାରି ବିଶ୍ରାମ ନେବାକୁ ବସାକୁ ଫେରିଲେ-। ଅଧ୍ୟାପକ ମହାପାତ୍ର, ଅଶୋକ, ତେଞ୍ଜୁଳା, ବୀତଶୋକ ଓ ମୋମ ଶ୍ୟାମ ସୁନ୍ଦରବାବୁ ଆନ୍ଥ୍ରୋପଲୋଜି ମିଉଜିୟମ ଦେଖାଇବାକୁ ଘେନିଗଲେ ।

 

ଏଇ ପୋର୍ଟବ୍ଲେୟାର ନଗର । ପ୍ରଶସ୍ତ ପଥ । କେଉଁଠି ଉଚ୍ଚ ଓ କେଉଁଠି ଗଡ଼ାଣିଆ । ରାସ୍ତା ଜନ ବିରଳ । ମଝିରେ ମଝିରେ ପଥଚାରୀ, କ୍ୱଚିତ୍ ସାଇକେଲ ମୋଟର ସାଇକେଲ ଓ ସ୍କୁଟର । ବାସ୍ ଓ ଟ୍ୟାକ୍‌ସି ଅଗତ୍ୟା ଆସି ଶାନ୍ତି ଭାଙ୍ଗୁଥାଏ ? ଘର ଓ ସବୁଜ ବୃକ୍ଷଲତାରେ ରାସ୍ତାର ଦୁଇପାଖ ଭରା । କ୍ୱଚିତ୍ ସଡ଼କ ସହିତ ଘର ସମତଳ ଭାବରେ ଅଛି ବଡ଼ଘରଗୁଡ଼ିକ ପ୍ରାୟ ପାହାଡ଼ ଉପରେ । ରାଜପଥରୁ ସ୍ୱତନ୍ତ୍ର ପଥ ଯାଇଛି, ପୁଣି କେତେକ ଘର ରାସ୍ତାତଳେ । ଓହ୍ଲାଇବା ପାଇଁ ସିଡ଼ି ପଡ଼ିଛି । ସଡ଼କ ସହିତ ସମାନ ଭାବରେ ଥିବା ଘରଗୁଡ଼ିକ ଅନେକ ତଳୁ ଉଠିଛି । ତଳେ ହୁଏତ କାଠ ଖମ୍ବ, ଅଥବା ଗୋଟିଏ ମହଲା ଘର ଅଛି । ଏଇ ଘରକୁ ଯିବାକୁ କାଠର ସେତୁ । ଦକ୍ଷିଣ ଆଣ୍ଡାମାନର ପୂର୍ବ ଉପକୂଳରେ ପୋର୍ଟବ୍ଲେୟାର ସହର ନିର୍ମିତ । ୧୭୮୮ ରେ ଆର୍କବାଲ୍‌ଡ ବ୍ଲେୟାରଙ୍କୁ ଲର୍ଡ କର୍ଣ୍ଣଓ୍ୱାଲିସ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ପକ୍ଷରୁ ଏହି ଦ୍ୱୀପପୁଞ୍ଜ ସର୍ଭେ କରିବାକୁ ପଠାଇଥିଲେ । ବ୍ଲେୟାର ଏଇଠି କ୍ଷୁଦ୍ର ନୌବନ୍ଦରଟିଏ ପ୍ରତିଷ୍ଠା କରିଥିଲେ । ଦୁଇଶ ସତୁରୀ ଜଣ କଏଦୀ, ୫୫୦ ବଙ୍ଗୀୟ ପରିବାରଙ୍କୁ ଆଣି ଏଠାରେ ଏକ ବସତିସ୍ଥାପନର ଚେଷ୍ଟା ହୋଇଥିଲା । ମାତ୍ର ପ୍ରତିକୂଳ ଜଳବାୟୁ ହେତୁ ୧୭୯୬ ରେ ଏହି ଉପନିବେଶ ସ୍ଥାପନ ଚେଷ୍ଟା ପରିତ୍ୟକ୍ତ ହେଲା । ପୁଣି ପ୍ରାୟ ୩୦ ବର୍ଷ ପରେ ୧୮୨୪ ଖ୍ରୀଷ୍ଟାବ୍ଦରେ ବର୍ମା ଯୁଦ୍ଧ ସମୟରେ ଆର୍କବାଲ୍‍ଡ କ୍ୟାମ୍ପବେଲଙ୍କ ଜାହାଜ ଭେଳା ଏଇଠି ଆଶ୍ରୟ ନେଲା । ଭାରତ ମହାସାଗରରେ ଏଇ ଦ୍ୱୀପର ମହତ୍ତ୍ୱ ଇଂରେଜମାନେ ବୁଝିଲେ । ୧୮୩୮–ଦ୍ଵୀପରେ ଖଣିଜ ସନ୍ଧାନ ପାଇ ଭାରତର କମ୍ପାନୀ ସରକାର ଜଣେ ଋଷୀୟ ବୈଜ୍ଞାନିକ ଡଃ. ହୈଲଫାର୍‍ଙ୍କୁ ପଠାଇଲେ । ସେ ପୋର୍ଟ କର୍ଣ୍ଣଓ୍ୱାଲିସରେ ରହି କାର୍ଯ୍ୟ କରୁଥିଲେ । ମାତ୍ର ଆଦିବାସୀଙ୍କ ହାତରେ ପ୍ରାଣ ଦେଲେ । ୧୮୫୭ର ସିପାହୀ ବିଦ୍ରୋହର ଅନେକ ନେତା ଓ ଭାରତୀୟ ସିପାହୀମାନଙ୍କୁ ପ୍ରାଣଦଣ୍ଡ ନ ଦେଇ ଦେଶାନ୍ତର ଦଣ୍ଡ ଦେବାକୁ ଇଂରେଜ ସରକାର ସ୍ଥିର କଲେ । ଲର୍ଡକ୍ୟାନିଂଙ୍କ ପୃଷ୍ଠପୋଷକତାରେ ସେନାବାହିନୀ ସର୍ଜେଣ୍ଟ୍ ମେଜାର ଓ ବଙ୍ଗଳାର ଜେଲ ବିଭାଗର ଇନ୍‍ସପେକଟର ଡକ୍‍ଟର ଫ୍ରେଡ୍‍ରିକ୍ ମାର୍ଚ୍ଚଙ୍କ ଅଧିନାୟକତ୍ୱରେ ‘ଆଣ୍ଡାମାନ କମିଟି’ ଗଠିତ ହେଲା । ନିଜ ଉଦ୍ଦେଶ୍ୟ ବର୍ଣ୍ଣନା କରିବାକୁ ଯାଇ ମାର୍ଚ୍ଚ କହିଥିଲେ–“ନିଜ କୃତ ଅପରାଧର ପ୍ରାୟଶ୍ଚିତ୍ତ ସ୍ଵରୂପ ଏକ ପ୍ରାଚୀନ ଜାତି ଗୋଟିଏ ବର୍ବର ଜାତିର ଉଦ୍ଧାରର କାରଣ ହେବା ଉଚିତ ।” ୧୮୫୭ ସେପ୍ଟେମ୍ବର ୨୩ ତାରିଖରେ ମେଜର ମାର୍ଚ୍ଚ କଲିକତାରୁ ବାହାରି ଡ଼ିସେମ୍ବର ୯, ୧୮୫୭ ରେ ଆଣ୍ଡାମାନରେ ପହଞ୍ଚିଲେ । ସମସ୍ତ ସ୍ଥାନ ମଧ୍ୟରେ ଏମାନେ ପୋର୍ଟ କର୍ଣ୍ଣଓ୍ୱାଲିସ୍‌କୁ ବସତିସ୍ଥାପନ ପାଇଁ ଉପଯୁକ୍ତ ମନେକଲେ ଓ ଏହାର ପ୍ରତିଷ୍ଠାତାଙ୍କ ନାମକୁ ସ୍ମରଣୀୟ କରିବା ପାଇଁ ପୋର୍ଟବ୍ଲେୟାର ରଖିବାକୁ ସୁପାରିଶ କଲେ । ୧୮୫୮ ଖ୍ରୀଷ୍ଟାବ୍ଦ । ଚାରିଜଣ ଇଂରେଜ କର୍ମକର୍ତ୍ତା ଓ ୭୦୦ ଜଣ କଏଦୀଙ୍କୁ ଘେନି ଆରମ୍ଭ ହେଲା ପୋର୍ଟବ୍ଲେୟାରରେ ଆଧୁନିକ ବସତିସ୍ଥାପନର ଅପ୍ରତିହତ ପ୍ରୟାସ । ଏଇଠାରୁ ଆଣ୍ଡାମାନର ଏକ ନୂତନ ଇତିହାସର ଆରମ୍ଭ ।

 

ଆଣ୍ଡାମାନରେ ମାନବ ବସତିର ଇତିହାସ ସୁପ୍ରାଚୀନ । ଏହି ଦ୍ୱୀପମୟ ଭାରତର ଆଦିମ ଅଧିବାସୀଙ୍କ ବିଷୟରେ ଗ୍ରୀକ୍, ଟଲେମୀ, ପ୍ରାଚୀନ ଚୀନ ଭାରତୀୟ ହିନ୍ଦୁମାନଙ୍କୁ ଜଣାଥିଲା-। ପର୍ତ୍ତୃଗୀଜ ଜଳଦସ୍ୟୁମାନେ ଏଠାରେ ଆଦିବାସୀଙ୍କୁ ଦାସ ବ୍ୟବସାୟ ପାଇଁ ଧରି ନେଉଥିଲେ ବୋଲି ଅନୁମାନ କରାଯାଏ । ସଭ୍ୟ ମାନବ ପ୍ରତି ଆଦିବାସୀଙ୍କ ବୈରିତାର ଏହା ପ୍ରଧାନ କାରଣ ବୋଲି କେହି କେହି ବିଶ୍ୱାସ କରନ୍ତି । ମାତ୍ର ଭିନ୍ନ ଦେଶାଗତ ମନୁଷ୍ୟମାନଙ୍କ ପ୍ରତି ବୈରିତାର ମୂଳ ନିଜ ଭୂମିଖଣ୍ଡ ଓ ଜୀବନଧାରା ପ୍ରତି ଏମାନଙ୍କ ଆନୁଗତ୍ୟରେ ଖୋଜା ଯାଇପାରେ-। ଇଂରେଜମାନେ ୧୮୫୮ ରେ ପୋର୍ଟବ୍ଲେୟାରରେ ବସତିସ୍ଥାପନ ସମୟରେ ଆଣ୍ଡାମାନର ଆଦିବାସୀ ସମାଜର ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ । ବସତିସ୍ଥାପନକାରୀମାନେ ଜାଳେଣୀ ଓ ଗୃହ ନିର୍ମାଣ ପାଇଁ ବହୁଳ ଭାବରେ ଜଙ୍ଗଲ ନଷ୍ଟ କରୁଥିଲେ-। ଆଦିବାସୀମାନେ ଏମାନଙ୍କୁ ଏଥିଲାଗି ଶତ୍ରୁ ଭାବୁଥିଲେ । ଅରଣ୍ୟ ପ୍ରକୃତି ସହିତ ଆଦିବାସୀଙ୍କ ଜୀବନ ଓତଃପ୍ରୋତ ଭାବରେ ଜଡ଼ିତ । ଅରଣ୍ୟର ଫଳମୂଳ, ଶିକାର ଉପରେ ନିର୍ଭର କରି ମୁକ୍ତ ପ୍ରକୃତି କୋଳରେ ଏମାନେ ନିଜର ଜୀବନ ଅତିବାହିତ କରୁଥିଲେ । ତେଣୁ ସେମାନେ କ୍ଷୁଦ୍ର କ୍ଷୁଦ୍ର ଦଳରେ ଆସି ବାହାରର ବସତିକାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହା ଆବର୍ଡିନ୍ ଲଢ଼ାଇ ନାମରେ ପରିଚିତ ।

 

ଏଇ ଆବରର୍ଡିନ ବଜାରର ଅଦୂରରେ ଏକ ଦ୍ଵିତଳ ଗୃହରେ ନୃତତ୍ତ୍ୱ ବିଭାଗର ପ୍ରଦର୍ଶନୀଶାଳାଟି ଅବସ୍ଥିତ । ଗୋଟିଏ କାଠସେତୁ ଉପର ଦେଇ ଏଇ ଘରକୁ ଯିବାକୁ ହୁଏ । ତଳମହଲାରେ ପ୍ରଦର୍ଶନୀ ଗୃହ । ଆମେ ପହଞ୍ଚିବା ସଙ୍ଗେ ସଙ୍ଗେ ସେଠାର କର୍ମଚାରୀଜଣକ ଆମକୁ ପ୍ରଦର୍ଶନୀଟି ବୁଲାଇ ଦେଖାଇବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଡାଏରି ଫାର୍ମରୁ ପ୍ରାୟ ମାଇଲିଏ ବାଟ ଖରା ଓ ଉଠାଣି ଗଡ଼ାଣି ରାସ୍ତାରେ ଚାଲିଚାଲି ଆମେ ଖୁବ୍ କ୍ଳାନ୍ତ ହୋଇ ପଡ଼ିଥିଲୁଁ । ଶେଷରେ ତଣ୍ଟି ଶୁଖି ଯାଉଥିଲା । ଆମର ଅବସ୍ଥା ବୁଝି ସେ ଜଣେ ସହକାରୀଙ୍କ ସଙ୍ଗରେ ଉପର ମହଲାକୁ ପଠାଇଦେଲେ । ଅଣଓସାରିଆ କାଠ ସିଡ଼ିରେ ଚଢ଼ି ଆମେ ଉପରକୁ ଗଲୁ । ଗ୍ରନ୍ଥ ଗାର–ମଝିରେ ଏକ ବଡ଼ ଟେବୁଲରେ ପତ୍ରପତ୍ରିକା ସଜା ହୋଇ ରହିଛି । ପାଖ କୋଠରୀରେ ଗବେଷକ ଓ କର୍ମୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ବସିବାର ବ୍ୟବସ୍ଥା ଅଛି । ଏଠି ସମସ୍ତେ ପଙ୍ଖା ତଳେ ପତ୍ରପତ୍ରିକାରେ ଆଖି ପକାଉ ପକାଉ କିଛି ସମୟ ବିଶ୍ରାମ କଲୁ । ନଭେମ୍ବର ମାସରେ ବି ପଙ୍ଖ ଦରକାର ହେଲା । ଆକଣ୍ଠ ଶୀତଳ ପାଣି ପିଇଲୁ । ଆହୁରି କିଛି ସମୟ ବସିବାକୁ ଓ ସମ୍ଭବ ହେଲେ ଗ୍ରନ୍ଥାଗାରରୁ ଆଦିବାସୀଙ୍କ ଜୀବନ ବିଷୟରେ କୌଣସି କୌଣସି ବହିରେ ଆଖି ପକାଇବାକୁ ଇଚ୍ଛା ହେଉଥିଲା । ମାତ୍ର ତଳ ମିଉଜିୟମଟି ଦେଖିବାକୁ ଉଠିଲୁ ।

 

ଆଣ୍ତାମାନରେ ଆଦିବାସୀମାନେ ସାଧାରଣ ଭାବରେ ଆଣ୍ତାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବାସ କରନ୍ତି । ଏମାନଙ୍କ ମଧ୍ୟରେ ଓଙ୍ଗି ଓ ଜରଓ୍ୱା ପ୍ରଧାନ । ଜରଓ୍ୱାଙ୍କ ବ୍ୟତୀତ ଅନ୍ୟ ଆଦିବାସୀମାନେ ଆଣ୍ତାମାନର ବହିରାଗତ ଅଧିବାସୀଙ୍କ ସହିତ ମିତ୍ରଭାବରେ ବସକରନ୍ତି । ମାତ୍ର ଜରଓ୍ୱାମାନେ ଏବେ ବି ଶତ୍ରୁତା କରିଥାନ୍ତି । ଜରଓ୍ୱାମାନଙ୍କ ଅଞ୍ଚଳକୁ କେହି ଯେପରି ନ ଯାଆନ୍ତି, ବା ଜରଓ୍ୱାମାନେ ଆସି ଯେପରି ଆକ୍ରମଣ କରିନପାରନ୍ତି, ସେଥ‌ିପାଇଁ ‘‘ବୁଶ ପୋଲିସ’’ ସଂସ୍ଥା ରହିଛି ।

 

ବନ୍ୟ ଶୁକର ଓ ସମୁଦ୍ର ମାଛ ଶିକାର ଆଦିବାସୀମାନଙ୍କର ପ୍ରଧାନ ପେଷା । କଚିମ ଖୋଳପାରେ ଶୁକର ମାଂସ ପୂରାଇ ନିଆଁରେ ପୋଡ଼ି ଏମାନେ ଖାଆନ୍ତି । ଶିକାର ପାଇଁ ପ୍ରଥମେ ପଶୁ ହାଡ଼ର ଫଳାଯୁକ୍ତ ତୀର ଓ ଧନୁ ବ୍ୟବହାର କରୁଥିଲେ । ଏବେ ଲୁହାର ଫଳା ବ୍ୟବହାର କରନ୍ତି । ପ୍ରାକୃତିକ ଉପାୟରେ ଉପୁଡ଼ି ପଡ଼ୁଥିବା ଗଛର ଗଣ୍ଡିକୁ ନିଆଁରେ ପୋଡ଼ି ନୌକା ତିଆରି କରନ୍ତି । କେତେକ ଆଦିବାସୀ ଗଛ ଶାଖାରେ ଡ଼ାଳପତ୍ରର କୁଡ଼ିଆ କରି ରହନ୍ତି । ଏମାନେ ବଳ୍‍କଳ ଓ ପତ୍ର ପିନ୍ଧୁଥିଲେ । ଆଦିବାସୀମାନେ ଉପନିବେଶକାରୀଙ୍କ ସଂସର୍ଗରେ ଆସି ଧୂମ୍ରପାନ ଓ ଯୌନବ୍ୟାଧିଗ୍ରସ୍ତ ହୋଇ ବହୁପରିମାଣରେ ପ୍ରଜନନ ଶକ୍ତି ହରାଇ ବସିଛନ୍ତି । ଫଳରେ ଏମାନଙ୍କ ସଂଖ୍ୟା ଅତି ଦ୍ରୁତ ହ୍ରାସ ପାଉଛି । ମାତ୍ର ଜରଓ୍ୱାମାନେ ଏବେ ସୁସ୍ଥ, ସବଳ ଓ ପ୍ରାକୃତିକ ଜୀବନ ଅତିବାହିତ କରୁଛନ୍ତି । ପ୍ରଦର୍ଶନୀରେ ଆଦିବାସୀଙ୍କ ହାତ ହତିଆର, ବାସନ, ବସନ, ଆଦିବାସୀଙ୍କ ତୀରରେ ଆହତ ନୃତତ୍ତ୍ଵକର୍ମୀ ଓ ସେମାନଙ୍କ ନୌଯାନ, ଆଦିବାସୀଙ୍କ ଘର ଓ ଗାଆଁର ମଡ଼େଲ ଆଦି ରଖାଯାଇଛି । ଏଇ ସବୁ ଦୃଶ୍ୟ ଦେଖୁ ଦେଖୁଁ ପୁଣି ଅତୀତ ଆଡ଼କୁ ମନ ଚାଲିଗଲା । ସମସ୍ତ ଦ୍ୱୀପରେ ପ୍ରକୃତି, ଝଡ଼, ବନ୍ୟଜନ୍ତୁଙ୍କ ମଧ୍ୟରେ ଏମାନେ କିପରି ଜୀବନ ବିତାଉଥିଲେ । ଆମ ଦୃଷ୍ଟିରେ ଏମାନେ ଅସଭ୍ୟ ହେଲେ ବି, ପରିଶ୍ରମ ଓ ମାନବପ୍ରେମୀ ।

 

ଆବର୍ଡିନ୍ ଲଢ଼ାଇ ସମୟର କଥା । ଇଂରେଜମାନଙ୍କ ଜେଲ୍‍ର ଅତ୍ୟାଚାରରୁ ଅନେକ ସମୟରେ ପଳାଇଯାଇ ଭାରତୀୟମାନେ ଆଦିବାସୀଙ୍କ ସଙ୍ଗରେ ରହିବାକୁ ଭଲ ପାଉଥିଲେ । ଏଇଭଳି ଜଣେ ଭାରତୀୟ ବନ୍ଦୀ ଥିଲେ ଦୁଧନାଥ ତିଓ୍ୱାରୀ । ଆଦିବାସୀଙ୍କ ବିଶ୍ଵାସ ଓ ଆସ୍ଥା ସେ ଲାଭ କରିଥିଲେ । ଆଦିବାସୀ ସମାଜରୁ ସେ ମଧ୍ୟ ବିବାହ କରିଥିଲେ । କିନ୍ତୁ ଯେତେବେଳେ ଆଦିବାସୀମାନେ ସଙ୍ଗଠିତ ହୋଇ ପୋର୍ଟବ୍ଳେୟାର ବସତି ଉପରେ ଆକ୍ରମଣ କରିବାକୁ ବସିଲେ ସେ ବିଶ୍ୱାସଘାତକତା କରିଥିଲେ । ମେ ୧୬-୧୮୫୯ ରାତ୍ରିରେ ବିଭିନ୍ନ ଦ୍ୱୀପରୁ ୨୦ଖଣ୍ଡ ନୌକାରେ ଆସି ଆଦିବାସୀମାନେ ଆବର୍ଡିନ୍‍ରୁ ୩ମାଇଲ୍ ଦୂରରେ ଏକତ୍ର ହେଲେ । ଏମାନଙ୍କ ସଂଖ୍ୟା ଥିଲା ପ୍ରାୟ ୨୫୦ ଜଣ । ଏମାନଙ୍କ ମଧ୍ୟରେ ଥିବା ଦୁଧନାଥ ରାତି ଦୁଇଟାରେ ପଳାଇଆସି ଇଂରେଜୀଙ୍କୁ ଖବର ଦେଲେ ଓ ତାଙ୍କ କାର୍ଯ୍ୟର ଫଳସ୍ଵରୂପ ସେ ବନ୍ଦୀ ଅବସ୍ଥାରୁ ମୁକ୍ତି ପାଇଲେ । ଇଂରେଜମାନେ ସତର୍କ ହେବାରୁ ବିଶେଷ କ୍ଷତିରୁ ରକ୍ଷା ପାଇଲେ । ଆଦିବାସୀମାନେ ବହୁ ସଂଖ୍ୟାରେ ପ୍ରାଣ ହରାଇଲେ ।

 

ମିଉଜିୟମ୍ ଦେଖି ଆମେ ସବୁ ବସାକୁ ଫେରିଲୁଁ । ବେଳ ଗଡ଼ି ଆସୁଥିଲା । ପାହାଡ଼ର ଦୀର୍ଘ ଛାୟା ତଳର କ୍ଷେତ ଉପରେ ରାତିର ଭ୍ରମ ସୃଷ୍ଟି କରୁଥିଲା । ଆମ ଘର ପଛରେ ଥ‌ିବା ପାହାଡ଼ର ଗୋଟିଏ କଣରୁ ଅସ୍ତାୟମାନ ସୂର୍ଯ୍ୟଙ୍କର କନକଆଭା ଆକାଶକୁ ଉଜ୍ଜ୍ୱଳ କରି ରଖିଥିଲା-। ଆମେ ସବୁ ଆସି ଡେରି ଫର୍ମଷ୍ଟାଣ୍ଡରେ ବସ୍ ଧରିବାକୁ କିଛି ସମୟ ଅପେକ୍ଷା କଲୁଁ । ମାତ୍ର ଅପେକ୍ଷାରେ ଅଧିକ ସମୟ ନକଟାଇ ଅବର୍ଡିନ ବଜାର ଆଡ଼କୁ ଚାଲିଲୁ ।

 

ଦି’ପହର ବାଟ ଚଲାରେ ବେଶ୍ କ୍ଳାନ୍ତ ହୋଇଥିଲୁ । ବେଶ ଗରମ ଲାଗୁଥିଲା । ମାତ୍ର ପାହାଡ଼ ଉପରର ଘରେ କିଛି ସମୟ ବିଶ୍ରାମ ନେବା ପରେ ଭଲ ଲାଗିଲା । ତେଣୁ ମୋର ଚାଲିବାରେ ଆପତ୍ତି ନଥିଲା । ମାର୍ଗଶିର ସନ୍ଧ୍ୟା । ପାହାଡ଼ିଆ ଜାଗା । ଥଣ୍ଡା ହେବ ବୋଲି ଆମେ ସବୁ ସୁଇଟର୍, ମାଫଲାର, ଝିଅମାନେ ଚଦର ଧରିଥିଲେ । ଶ୍ୟାମବାବୁ ଅବଶ୍ୟ ଏସବୁ ନନେବା ପାଇଁ କହୁଥିଲେ । ବାଟରେ ଏବେ ତାଙ୍କ କଥାର ସତ୍ୟତା ବୁଝିଲି । ଗରମ ଲୁଗା ପୁଟୁଳା ବୋହିବାକୁ ହେଲା । କିଛି ବାଟ ଉଠାଣିରେ ଚାଲି ମହିଳାମାନେ ବଡ଼ ବ୍ୟସ୍ତ ହୋଇ ପଡ଼ିଲେ । ଆଉ ଟିକିଏ ଆଗକୁ ଗଲେ ଟ୍ୟାକ୍‌ସି ମିଳିବ । ସେମାନଙ୍କୁ ପ୍ରବୋଧ ଦେଇ ନେବାକୁ ହେଲା । ଇତି ମଧ୍ୟରେ ଚାରିଆଡ଼େ ଆଲୋକମାଳା ଜଳି ଉଠିଥିଲା । ରାସ୍ତାର ଗୋଟିଏ ଉଚ୍ଚଜାଗାରେ ଠିଆ ହୋଇ ଦେଖିଲେ–ଅନେକ ଦୂରରୁ ଗୋଟିଏ ପାହାଡ଼ର ଚୂଡ଼ାରୁ ପାଦଦେଶ ପର୍ଯ୍ୟନ୍ତ ଆଲୋକମାଳା ଦିଶୁଥିଲା । ପାହାଡ଼ଚୂଡ଼ାରୁ ସ୍ତରେ ସ୍ତରେ ବଜାର ରାସ୍ତା ଓ ଘରର ଆଲୋକମାଳା–ସମୁଦ୍ରର ଅନ୍ଧକାର ମଧ୍ୟରେ ହଜିଯାଇଥିଲା । ରାସ୍ତାର ଗୋଟିଏ ପାଖରେ ଦେଖିଲି–ଶିଖମାନଙ୍କର ଗୁରୁଦ୍ୱାର-। ଏଇଠୁ ଆବର୍ଡିନ୍ ବଜାର ଆରମ୍ଭ । ପାଖରେ ଜଳଖିଆ ଦୋକାନ ଦେଖି ପିଲାମାନେ ରହିବାକୁ ଚାହିଁଲେ । ମାତ୍ର ଶ୍ୟାମବାବୁ ଆଉ କିଛି ବାଟ ଚଲାଇ ନେଇ ହୋଟେଲ ଝୁମ୍‍ଝୁମରେ ଆମକୁ ଛାଡ଼ି ତାଙ୍କ ବନ୍ଧୁମାନଙ୍କୁ ଦେଖିବାକୁ ଗଲେ । ଆମେ ସମସ୍ତେ ବଡ଼ ଭୋକରେ ଅଧୀର ହୋଇଥିଲୁ-। ଦେଖିଲୁ, ଘଣ୍ଟାରେ ମାତ୍ର ୬ଟା ହୋଇଥିଲେ ବି ଅନେକ ମିଲ୍ ଅର୍ଡର କରୁଛନ୍ତି । ଆମେ ଜଳଖିଆରେ ଖରଚ ନକରି ମିଲ୍ ଅର୍ଡର ଦେଲୁଁ । ଏଠି ମଧ୍ୟ ମିଲ୍ ଗୋଟିକ ଦେଢ଼ ଟଙ୍କା, ପରିଷ୍କାର ଅରୁଆ ଚାଉଳର ଭାତ, ଡ଼ାଲି ଓ ଭଜା ମିଳିଲା । ତେବେ ତରକାରୀ ଓ ଝୋଳ ପାଟିରେ ନେଇ ଆଖିରୁ ପାଣି ଗଡ଼ିଲା । କିଛି ରୁଟି, ସ୍ୱତନ୍ତ୍ର ଭାବରେ ତିଆରି ମାଛ, ସନ୍ତୁଳା ଓ ଗୋଟିଏ ଗୋଟିଏ ଲଡ଼ୁ ଆମେ ଅଧିକ ଖାଇଲୁ । ରୁଟି ୨୦ ପଇସା, ମାଛ ଖଣ୍ଡିକ ୭୦ ପଇସା ଓ ଲଡ଼ୁ ଗୋଟିକ ୩୫ ପଇସା ପଡ଼ିଲା । ଖାଇସାରି ଆବର୍ଡିନ ବଜାରରେ ସାମାନ୍ୟ ବୁଲାବୁଲି କରି ଆମେ ମ୍ୟାରିନା ବିଚ୍‍କୁ ଗଲୁ ।

 

ଏକ ଦିଗରେ ଅବାରଡିନ୍ ବଜାର–ଅଦୂରରେ ଆଟ୍‍ଲ‌ାଣ୍ଟା ପାଇଣ୍ଟ ପାହାଡ଼ ଉପରେ ସେଲୁଲାର ଜେଲ ଓ ଗୋବିନ୍ଦ ବଲ୍ଲଭ ପନ୍ଥ ଡାକ୍ତରଖାନା, ଏଇ ପର୍ବତ ପାଦଦେଶରେ ଗୋଟିଏ ପଞ୍ଚାୟତ ଘର ବା ଧର୍ମଶାଳା । ଗାଆଁ ଲୋକମାନେ ପୋର୍ଟବ୍ଳେୟାର ଆସି ଫେରି ନପାରିଲେ ଏଇଠି ରାତ୍ରିରେ ଆଶ୍ରୟ ନିଅନ୍ତି । ଅନ୍ୟ ପାଖରେ ସମୁଦ୍ର ଧାରେ ଧାରେ ଗୋଟିଏ ବନ୍ଧ, ବନ୍ଧ ପାଖରେ ପ୍ରଶସ୍ତ ପଥ, ଏଇ ପଥର ଗୋଟିଏ ପାଖରେ ଆୟତାକାର ପାର୍କ–ପାର୍କଟି ଆଲୋକିତ, ପୁଷ୍ପ ଓ ତୃଣରେ ସର୍ଜ୍ଜିତ–ପାର୍କ ମଝିରେ ଗୋଟିଏ ମଣ୍ଡପ । ସେଠି ବସିବାର ବ୍ୟବସ୍ଥା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ପାଇଁ ଗୋଟିଏ ଉଚ୍ଚ ଖମ୍ବ ଉପରେ ରେଡ଼ିଓଟିଏ ରଖା ହୋଇଛି । ପୋର୍ଟବ୍ଲେୟାର ରେଡିଓର କାର୍ଯ୍ୟକ୍ରମ ଏଠାରୁ ସବୁ ସମୟରେ ପ୍ରଚାରିତ ହୁଏ ।

 

ଏଇ ମଣ୍ଡପର ଅଦୂରରେ ଆଉ ଏକ ପୀଠ ଉପରେ ବିଶ୍ଵକବି ରବିନ୍ଦ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି । ଚାରିପାଖରେ ଜଳକୁଣ୍ଡ, ସବୁଜବାଡ଼ ଓ ଫୁଲର କିଆରୀ । ବିପୁଳ, ବିସ୍ତୃତ ସମୁଦ୍ର ପରପାରରୂ ଆଭାସିତ ଦୂର ଦିଗବଳୟ ଉପରେ ଯେପରିକି କବିଙ୍କ ଦୃଷ୍ଟି ନିବଦ୍ଧ । ପାର୍କରେ ଗୋଟିଏ ପ୍ରାନ୍ତର, ଏକ ଉଚ୍ଚ ପୀଠ ଉପରେ ନେତାଜୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତି, ୧୯୪୩ରେ ଏଇଠି ନେତାଜୀ ସୁଭାଷ ଭାରତର ସ୍ଵାଧୀନ ଜାତୀୟ ପତାକା ଉଡ଼ାଇଥିଲେ । ନେତାଜୀ ଯେପରିକି ଭାରତ ଭୂଖଣ୍ଡ ପ୍ରତି ସ୍ୱାଧୀନତାର ଆହ୍ୱାନ ଶୁଣାଉଛନ୍ତି । ପଛରେ ସମୁଦ୍ର ଓ ସମ୍ମୁଖରେ ଜିମିଖାନା ପଡ଼ିଆ । ଏଇ ମୂର୍ତ୍ତି ନିକଟରେ କେତେପ୍ରକାର ଦୋଳି ଓ ଖେଳିବାର ବ୍ୟବସ୍ଥା ଅଛି । ପିଲାମାନେ ଦୋଳି ଚଢ଼ିବା, ସ୍ଳିପ ଖାଇବା ଆଦି ମଉଜରେ ମାତିଗଲେ । ଅଶୋକ କେତେକ ସ୍ଥାନୀୟ ବଙ୍ଗୀୟ ଯୁବକଙ୍କ ସଙ୍ଗେ ଆଳାପ ଜମେଇ ଦେଲା । ମୁଁ ଗୋଟିଏ ଖୋଲା ପଥର ବେଞ୍ଚରେ ବସି ଥରେ ଥରେ ସମୁଦ୍ରର କୃଷ୍ଣ ଧୁମଳ ଦିଗବଳୟ ଓ ଥରେ ଥରେ ନେତାଜୀଙ୍କ ଭାବଗମ୍ଭୀର ମୁଖମଣ୍ଡଳ ଆଡ଼େ ଦୃଷ୍ଟି ପକାଉଥିଲି । ସମୁଦ୍ରର ଶୀତଳ ସ୍ଵଚ୍ଛ ପବନ ଦେହ ଓ ମନରେ ସତେଜ ସ୍ଫୁର୍ତ୍ତି ଭରିଦେଉଥିଲା । ନୀରବ ପ୍ରଶାନ୍ତିରେ ଆଖିପତା ବୁଜିହୋଇ ଆସୁଥିଲା । ସାଢ଼େ ଆଠଟାରେ ଫେରିବାପାଇଁ ଶେଷ ବାସ୍ । ତେଣୁ ପାର୍କରୁ ବସ୍‍ଷ୍ଟାଣ୍ଡ ଆଡ଼େ ଚାଲିଲୁ । ବସ୍‍ଷ୍ଟାଣ୍ଡରେ ଗୋଟିଏ ବଡ଼ ଖୋଲା ହଲ୍, ଅଫିସ୍, ଚା’ ଜଳଖିଆ ଦୋକାନ । ଏଠାରେ ବହୁଯାତ୍ରୀଙ୍କ ଭିଡ଼ । ଏଠାରୁ ସବୁ ବସ୍ ପୋର୍ଟବ୍ଳେୟାରର ବିଭିନ୍ନ ଅଞ୍ଚଳକୁ ଓ ବାହାରକୁ ଯାଏ । କିଛି ସମୟ ଅପେକ୍ଷା କଲାପରେ ଆମେ ଜଙ୍ଗଲି ଘାଟଗାମୀ ବସରେ ଉଠିଲୁ ।

 

ନ’ଟାରେ ଡାଏରୀ ଫାର୍ମଷ୍ଟାଣ୍ଡରୁ ପାହାଡ଼ ଉପର ବସାଘରକୁ ଗଲୁ । ରାତ୍ରିର ଆଲୋକ ଅନ୍ଧାର ଯବନିକା ଭିତରେ ସତର୍କ ପଦାପାତରେ ପାହାଡ଼ ଉପରକୁ ଉଠିଲୁ । ସବୁବେଳେ ଡାହାଣକୁ ମାଡ଼ି ଚାଲିବାକୁ ବନ୍ଧୁ ପରାମର୍ଶ ଦେଉଥାନ୍ତି । ଡାହାଣ ପାଖରେ ପର୍ବତର କାନ୍ଥ ଓ ବାମ ପାଖରେ ଗଡ଼ାଣି ଓ ତଳର ଖେତ । ଗୋଡ଼ ଖସିଲେ କୋଉଠି ପାତାଳରେ ପଡ଼ିବ । କ୍ରମେ କ୍ରମେ ଜନକୋଳାହଳ ଶାନ୍ତ ହୋଇ ଆସିଲା । ପବନ ସ୍ଵଚ୍ଛ ଓ ଶୀତଳ ବୋଧହେଲା । ଆମେ ଆମ ଘର ଅଗଣାରେ ପହଞ୍ଚିଲୁଁ । ବନ୍ଧୁ ଗୋଟିଏ ବେଞ୍ଚ ପକାଇଲେ । କିଛି ସମୟ ବସିଲି । ଦୂରକୁ ଦୂର ସହରର ବିଲମ୍ବିତ ଆଲୋକମାଳା ତାରାଞ୍ଚିତ ଆକାଶର ଭ୍ରମ ସୃଷ୍ଟି କରୁଥିଲା । ଅଦୁରର ଏକ ପାହାଡ଼ ଉପରେ ବେତାର କେନ୍ଦ୍ରର ଉଚ୍ଚ ଟାୱାରର ଲାଲ ଆଲୋକ ଦୃଷ୍ଟି ଆକର୍ଷଣ କରୁଥିଲା । ସମସ୍ତ କ୍ଳାନ୍ତି ଭୁଲି ହୋଇଗଲା । ଆମେ ସବୁ ପଙ୍ଖା ଘୂରାଇ ଘରେ ପଶିଲୁଁ ଓ ବିଛଣା ଧରୁ ଧରୁ ନିଘୋଡ଼ ନିଦରେ ଶୋଇ ପଡ଼ିଲୁ ।

Image

 

Unknown

ଆଣ୍ଡାମାନରେ ଦ୍ୱିତୀୟ ଦିନ (୧୦ । ୧୧ । ୭୯)

 

କେଉଁ ଏକ ଅଜଣା ପକ୍ଷୀର କାକଳୀରେ ନିଦ ଭାଙ୍ଗିଲା । ଘର ବାରଣ୍ଡାକୁ ଆସିଲି । ଆଦ୍ୟଭାଷାର ମୋହନ ମାଧୁରୀରେ ଜୀବନ ସାର୍ଥକ ମନେ ହେଲା । ଦୂରପାହାଡ଼ର ଗାଢ଼ ନୀଳିମା ପ୍ରାଚୀରର ପର ପାଖରେ ଲୋହିତ ଆଭା ଫୁଟିଉଠୁଥ‌ିଲା । ଦୂର ଓ ନିକଟର ପର୍ବତ, ପର୍ବତର ଅତଟ ଓ ପାଦଦେଶରେ ଆଲୋକମାଳା ନିଷ୍ପ୍ରଭ ହୋଇ ଆସୁଥିଲା । ପାଖ ନଡ଼ିଆ, ଗୁଆ ଗଛର ପତ୍ରରେ ମୁକ୍ତାଭଳି ଶିଶିର ବିନ୍ଦୁ ଝଲମଲ କରୁଥିଲା । ନିତିପରିଚିତ କାକଟିଏ ଆସି କର୍କଶ ସ୍ଵରରେ ମୋର ଧ୍ୟାନ ଭାଙ୍ଗିଦେଲା ।

 

ସକାଳେ ଆଠଟାବେଳେ ଜଙ୍ଗଲିଘାଟ୍ ଜେଟିରୂ ଲଞ୍ଚ୍ ଧରିବାକଥା । ଆମର ସତ୍‌କାରକମାନେ ସକାଳ ଚା’ର ବ୍ୟବସ୍ଥା କଲେ । ଶୀଘ୍ର ପାହାଡ଼ ତଳକୁ ଓହ୍ଲାଇଲେ ଜଳଯୋଗର ବ୍ୟବସ୍ଥା ହେବ । ମାତ୍ର ୭ , ପୂର୍ବରୁ କେହି ତଳକୁ ଓହ୍ଳାଇ ପାରିଲେ ନାହିଁ । ସଙ୍ଗରେ ରୁଟି ଓ କଦଳୀ ଘେନି ଯିବାପାଇଁ ମୁଁ ଓ ଶ୍ରୀଯୁକ୍ତ ବ୍ରହ୍ମା ଆଗେଇଲୁ । ଅନ୍ୟମାନଙ୍କୁ ଧରି ଶ୍ରୀଯୁକ୍ତ ସାହୁ ଓ ପାଢ଼ୀବାବୁ ଜେଟିକୁ ଚାଲିଲେ । ଆମର କିଞ୍ଚିତ ବିଳମ୍ବ ହେଲା । ବେଶ୍ କିଛିବାଟ ଦଉଡ଼ି ମୁଁ ଓ ବ୍ରହ୍ମା ଲଞ୍ଚ୍ ଧରିଲୁଁ ।

 

”କଦମତଲା” ଲଞ୍ଚ । ଆଗରେ ମାଲ ଓ ପଛରେ ୩୦ । ୪୦ ଜଣ ଯାତ୍ରୀ ବସିବାର ବ୍ୟବସ୍ଥା ଅଛି । ଉତ୍କଳ ସୂର୍ଯ୍ୟକିରଣରେ ସମୁଦ୍ରର ଶାନ୍ତନୀଳ ଜଳରାଶି ଉଦ୍‍ଭାସିତ ହୋଇଉଠୁଥିଲା-। କୌଣସି ଏକ ହ୍ରଦପରି ସମୁଦ୍ର ଶାନ୍ତ ଓ ସ୍ଥିର । ମୃଦୁ ତରଙ୍ଗମାଳା ଜଳ ଭିତରେ କ୍ଷୀଣ ସ୍ରୋତର ଭ୍ରମ ସୃଷ୍ଟି କରୁଥିଲା । କୂଳର ପଥ, ମନୁଷ୍ୟ ଅଦୃଶ୍ୟ ହୋଇଗଲେ, ଘର ଓ ପର୍ବତ କ୍ଷୁଦ୍ର ହୋଇ ଆସିଲା । ତରୀଟି ଆମର ଜଳରାଶି ଉପରେ କଳନାଦ ସୃଷ୍ଟି କରି ସମୁଦ୍ର ଭିତରକୁ ଚାଲିଲା । ଲଞ୍ଚ ସାମାନ୍ୟ ଆନ୍ଦୋଳିତ ହେଉଥିଲା । ମନେ ହେଉଥିଲା, ଅନନ୍ତ ନୀଳ ଜଳରାଶି ମଧ୍ୟରେ ଯେପରିକି ଆମେ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଯାଇଛୁଁ । କେବଳ ଲଞ୍ଚ ପାଖର ପାଣିକୁ ଚାହିଁଲେ, ଜାଣିହେଉଥିଲା, ଆମେ ଆଗକୁ ଚାଲିଛୁଁ । ଦୂରରୁ କେତେ ଦ୍ୱୀପ ଓ ପାହାଡ଼ ଦେଖାଯାଉଥିଲା । ନୌକା ପାଖକୁ ଗଲେ ପାହାଡ଼ ବଡ଼ ଓ ଦୂରକୁ ଗଲେ ସାନ ଦେଖାଯାଉଥିଲା । ଆଉ ଗୋଟିଏ ଜେଟିରେ ନୌକା ଲାଗିଲା । କିଛି ମାଲ ଓ ଅନେକ ଯାତ୍ରୀ ଓ ଯାତ୍ରିଣୀ ଆସିଲେ । ଯାତ୍ରିଣୀଙ୍କ ସଂଖ୍ୟା ଯେତେ ବଢ଼ୁଥାଏ, ଯାତ୍ରୀମାନେ ସେମାନଙ୍କୁ ଜାଗା ଛାଡ଼ିଦେଉଥାନ୍ତି । ଦରକାର ହେଲେ ଠିଆ ହେଉଥାନ୍ତି । ବଳିଷ୍ଠ ଶରୀର-ପ୍ରଫୁଲ୍ଲ ମୁଖ ଓ ପରିଚ୍ଛନ୍ନ ପୋଷାକ ଏଇ ଯୁବତୀମାନେ ହୁଏତ କେଉଁ ଅଫିସରେ କାମ କରିବାକୁ, କଲେଜରେ ପଢ଼ିବାକୁ ଚାଲିଥାନ୍ତି । ଏମାନେ କୌଣସି ଦକ୍ଷିଣ ଭାରତୀୟ ଭାଷାରେ କଥା ହେଉଥାନ୍ତି–ଖୁବ୍ ସମ୍ଭବତଃ କେରଳୀ ।

 

ସାଢେ ନ’ଟାରେ ବମ୍ୱେ ଫ୍ଳେଟରେ ପହଞ୍ଚିଲୁ” । ସାଙ୍ଗରେ ଥିବା ଜଳଖିଆର ସଦ୍‍ବ୍ୟବହାର ପାଇଁ ସମସ୍ତେ ବ୍ୟଗ୍ର । ଗୋଟିଏ ଉପଯୁକ୍ତ ସ୍ଥାନ ସନ୍ଧାନ କରିବାପାଇଁ ଶ୍ରୀଯୁକ୍ତ ପାଢ଼ୀ ଓ ସାହୁବାବୁ ଗଲେ । ଆମେ ସବୁକିଛି ସମୟ ଜେଟିପାଖ ରାସ୍ତାଧାରରେ ଠିଆ ହେଲୁଁ । ଏକାଠି ଏତେ ଲୋକଙ୍କୁ ଦେଖି ଜଣେ ଆସି ଆମକୁ ଗୁଡ଼ିଏ ହ୍ୟାଣ୍ଡବିଲ୍ ବାଣ୍ଟି ଦେଇଗଲେ । ପାର୍ଲାମେଣ୍ଟ ନିର୍ବାଚନ ପ୍ରାର୍ଥୀ ଜଣେ ନେତାଙ୍କର ଦେଶସେବାର ବିବରଣୀ ଏଥିରେ ଦିଆଯାଇଛି । ସେ ଥିଲେ ପରାଧୀନ ଭାରତର ଜଣେ ସ୍ୱାଧୀନତା ସଂଗ୍ରାମୀ । ଦେଶଭଙ୍ଗର ଦୁର୍ଦ୍ଦିନରେ ସେ ଆଣ୍ଡାମାନ ଆସିଥିଲେ । ତାଙ୍କର ଥିଲା ବୈଜ୍ଞାନିକ ଦୂରଦୃଷ୍ଟି । ସେ ଆସି ଆଣ୍ତାମାନର ଅଧିବାସୀଙ୍କୁ ସଙ୍ଗଠିତ କରି ପ୍ରାକୃତିକ ସମ୍ପଦର ଆହରଣରେ ଆତ୍ମନିୟୋଗ କଲେ । ସେ ଗୋଟିଏ କରତକଳ ପ୍ରତିଷ୍ଠା କରିଛନ୍ତି ଓ ବହୁ ଶ୍ରମିକ ଏଥିରେ କାମକରି ଜୀବିକାର୍ଜନ କରୁଛନ୍ତି । ଆଣ୍ଡାମାନର ନାନା ଭାଷାଭାଷୀ ଓ ଜାତିର ଲୋକଙ୍କ ଭିତରେ ସାଂସ୍କୃତିକ ସିଂହତି ପ୍ରତିଷ୍ଠା ପାଇଁ ସେ ଗୋଟିଏ କ୍ଳବ କରିଛନ୍ତି । ପୋର୍ଟବ୍ଳେୟାର ମ୍ୟୁନିସ୍‍ପାଲିଟ୍‌ର ଜଣେ ସଭ୍ୟ ଭାବରେ ନଗରର ଉନ୍ନତି ବିଧାନ ପାଇଁ ବହୁ କାର୍ଯ୍ୟ କରିଛନ୍ତି–ଇତ୍ୟାଦି । ପାଖରେ ଗୋଟିଏ ଚାହା ଜଳଖିଆ ଦୋକାନ ଦେଖି ସମସ୍ତେ ଗଲୁଁ । ରୁଟି, କଦଳୀ ଓ ଚାହାରେ ଜଳଖିଆ ପର୍ବ ଶେଷ ହେଲା । ତଥାପି ରୁଟି ଓ କଦଳୀ ଶେଷ ହେଇନାହିଁ । ସେଇ ଦୋକାନରେ ମଧ୍ୟାହ୍ନଭୋଜନ କରିବାକୁ ସ୍ଥିରକରି ଦୋକାନୀ ନିକଟରେ ଅବଶିଷ୍ଟ ରୁଟି ଓ କଦଳୀର ପୁଡ଼ିଆଟି ରଖିଲୁ । ଆଣ୍ଡାମାନ ଟିମ୍ବାର ଇଣ୍ଡଷ୍ଟ୍ରିଜ୍‌ର ଗୋଟିଏ ‘ପ୍ଳାଇଉଡ୍’ କାରଖାନା ଦେଖିବାକୁ ଚାଲିଲୁ । ସମୁଦ୍ର ଧାରେ ଧାରେ ଗୋଟିଏ ପାହାଡ଼ର ଅତଟ ପ୍ରଦେଶ ମଧ୍ୟରେ ରାସ୍ତା । ମନେହେଲା ପାହାଡ଼ କଟାହୋଇ ରାସ୍ତା ହୋଇଛି । ପାହାଡ଼ର ଦେହେ ଦେହେ ନଡ଼ିଆ ଗଛ, ସମୁଦ୍ରଧାରେ ଧାରେ ବିରାଟକାୟ ଗଛ-ଘନଛାୟାରେ ପଥ ଓ ପର୍ବତ ପର୍ଯ୍ୟନ୍ତ ଆଚ୍ଛନ୍ନ କରିଛି । ହୁଏତ ଏଥିରୁ କେତେକ ଅଣ୍ଡାମାନର ବିଖ୍ୟାତ ବୃକ୍ଷରେନ, ଚିରହରିତ, ଆକାଶଚୁମ୍ୱୀ ।

 

କାରଖାନା ପାଖରେ ପହଞ୍ଚିଲୁ । ଗେଟରେ ନେପାଳୀ ଦରଓ୍ୱାନ । ମୋ ମଥାରେ ନେପାଳୀ ଟୋପିଟିଏ ଦେଖି ମୋତେ ତା’ ନିଜ ଦେଶ ଲୋକ ବୋଲି ଭାବି ଖୁସିରେ ମସ୍‍ଗୁଲ ହୋଇଗଲା । ତା’ ସହିତ କିଛି ସମୟ ଗପରେ କଟିଲା । ଏପରିକି ଆତ୍ମୀୟତା ଗଢ଼ିଉଠିଲା । ଯଦି ଆମେ କାରଖାନା ଭିତରେ ବିନା ଅନୁମତିରେ ପଶିଥାନ୍ତୁ, ହୁଏତ ସେ ଆପତ୍ତି କରି ନଥାନ୍ତା । ମାତ୍ର ଇତିମଧ୍ୟରେ ଶ୍ରୀଯୁକ୍ତ ପାଢ଼ୀ ଜଣେ ଗାଇଡ୍ ଓ ସଙ୍ଗେ ସଙ୍ଗେ ମ୍ୟାନେଜରଙ୍କ ଅନୁମତି ଘେନି ପହଞ୍ଚିଗଲେ ।

 

ଏସିଆର ଏ ହେଉଛି ଅନ୍ୟତମ ସୁବୃତ୍ତ ‘ପ୍ଳାଇଉଡ୍’ କାରଖାନା । ଦେଶ ବିଦେଶରୁ ଆନୀତ ବହୁ ଉନ୍ନତ ଯନ୍ତ୍ର ସାହାଯ୍ୟରେ କାରଖାନାରେ ଭିନ୍ନ ଭିନ୍ନ ସାଇଜ ଓ ମୋଟ ପଟା ତିଆରି ହୋଇଥାଏ । ଟ୍ରେନ, ଜାହାଜ ଆଦି ଯାନରେ, ଆସବାବ ତିଆରି ଓ ବିଶେଷ ଭାବେ ଘରର କୃତ୍ରିମ ଛାତ ଆଦିରେ ଏଇ ପଟା ବ୍ୟବହାର କରାଯାଏ । ଉଭୟ ଲଞ୍ଚ ଓ ଲରିରେ ବଡ଼ ବଡ଼ ମୋଟା କାଠଗଡ଼ ଅନ୍ୟ କାରଖାନାରେ ଠିକ୍ ସାଇଜ ମୁତାବକ କଟା ହୋଇ ଏଠିକି ଆସେ । ପ୍ରଥମେ ଯନ୍ତ୍ର ସାହାଯ୍ୟରେ କାଠଗଡ଼ର ବକଳ ବାହାର କରାଯାଏ । ତା’ପରେ ସ୍ତରକୁ ସ୍ତର କାଟି ସରୁ ପଟା ବାହାର କରାଯାଏ । ଏଇ ପଟାକୁ କାଟି ଓ ସାନ ପଟାକୁ ଯୋଡ଼ି ନିର୍ଦ୍ଦିଷ୍ଟ ସାଇଜ୍ କରାଯାଏ । ଚାପ ଓ ତାପ ପ୍ରୟୋଗ କରି ଦୁଇ ତିନି ସ୍ତର ପଟା ଯୋଡ଼ି ‘ସିଟ୍’ ମାନ ତିଆରି କରାଯାଏ । ଗାଇଡ୍ ଆମକୁ ଗୋଟିଏ ଘଣ୍ଟା କାରଖାନା ବୁଲାଇ ବିଭିନ୍ନ ଅଂଶର କାର୍ଯ୍ୟ ଦେଖାଇଲେ । କାରଖାନା ମଧ୍ୟରେ ଶବ୍ଦ, ଗରମ, କାଠଗୁଣ୍ଡର ଧୂଳିରେ ସମସ୍ତେ ଅତିଷ୍ଠ ହୋଇ ଉଠିଲୁ । ଗାଇଡ୍‍ଙ୍କର ଆହୁରି ବୁଝାଇବାର ଇଚ୍ଛା ଥିଲେ ବି ଧୈର୍ଯ୍ୟଚୁତି ଘଟିଥିଲା ।

 

ସମୟ ହୋଇନଥିଲା । କାରଖାନାରୁ ଫେରିବା ବାଟରେ ଗୋଟିଏ ବିରାଟକାୟ ‘ରେନ୍’ ଗଛ ତଳେ ଗୋଟିଏ ସେତୁ ଧାରର ପକ୍‌କା ବେଞ୍ଚ ଉପରେ ମୁଁ ବସି ପଡ଼ିଲି । ସମୁଦ୍ର ଧାରେ ଧାରେ ବିପୁଳାୟତନ କାଠଗଡ଼ ଜମା ହୋଇଥାଏ । ପିଲାମାନେ କେହି କେହି ତା’ ଉପରେ ଚଢ଼ିଲେ । ଗୋଟିଏ ମହିଷ ପଲ ସମସ୍ତ ରାସ୍ତାକୁ ଅଧିକାର କରି ଦୂର ପାହାଡ଼ ଆଡ଼କୁ ଗଲେ । କେତୋଟି କାଠ ବୋଝେଇ ଲରୀ କାରଖାନାକୁ ଗଲା । ମୁଁ ଥରେ ଥରେ ପାହାଡ଼ ଆଡ଼କୁ ଚାହିଁ ଦେଖୁଥାଏ । ଅଜସ୍ର ନାରିକେଳ ଗଛ ଯେପରିକି ବନ୍ୟଭାବରେ ବଢ଼ିଛନ୍ତି । କେହି ପାହାଡ଼, ଆଡ଼କୁ ପୁଣି କେହିବା ସମୁଦ୍ର ଆଡ଼କୁ ଆନୀତ ହୋଇପଡ଼ିଛି । ସବୁଥିରେ ନଡ଼ିଆ କାନ୍ଧି ଭର୍ତ୍ତି । ପିଲାମାନଙ୍କ ଭିତରୁ ଟେକା ଫିଙ୍ଗି ନଡ଼ିଆ ପାରିବାର ବୃଥା ଚେଷ୍ଟା ଚାଲିଲା । ମନକୁ ପଡ଼ି ଯେପରିକି ଅନେକ ନଡ଼ିଆ ଗଛ ବୁଦିବୁଦିକିଆ ଜଙ୍ଗଲ ଭିତରୁ ବାହୁଙ୍ଗା ମେଲି ଉଠିଛି । କେତେ ବିଚିତ୍ର ରଙ୍ଗର ପକ୍ଷୀ ହୁଏତ ମାଛରଙ୍କା ବା କାଠହଣା-କୁଆଡ଼ୁ ଆସି ବସିପଡ଼ୁଛନ୍ତି–କଳନାଦରେ ପରସ୍ପରକୁ ସ୍ୱାଗତ କରୁଛନ୍ତି ଓ ପୁଣି କୁଆଡ଼େ ଉଡ଼ି ଯାଉଛନ୍ତି । ରାସ୍ତାକୁ ଲାଗି ପାର୍ବତ୍ୟ ଜଙ୍ଗଲି ଲତା ଲମ୍ବି ଆସିଛି । ସଞ୍ଜୁ ଗୋଟିଏ ଫୁଲ ଛିଡ଼ାଇ ଆଣି ସମସ୍ତଙ୍କ ହାତରେ ଦେଇ କହିଲା–ଏ ମୋର ଗୋଟିଏ ଜିନିଷ । ତମକୁ ରଖିବାକୁ ଦେଲି । ଯେତେବେଳେ ମାଗିବି ଦବ ! କେତେବେଳେ ମାଗିବୁ ? ମୁଁ କହିବି ନାହିଁ-? ମୁଁ ଦେବି ନାହିଁ । ତମେ ମୋର ଧାରୁଆ ହେବ !

 

ଦୂର ସମୁଦ୍ରରେ କେତେ ନୌକା ଭାସିଯାଉଥିଲା । ପାଖର ନିସ୍ତରଙ୍ଗ ସମୁଦ୍ର ଗୋଟିଏ ଗୋଟିଏ ମୃଦୁ ଲହରୀରେ କୂଳକୁ ଆଘାତ କରୁଥିଲା । ସଞ୍ଜୁ ପଚାରିଲା–ଏ କେଉଁ ପୋଖରୀ ? ଏଥିରେ ମାଛ ଅଛନ୍ତି ? ନ ହେଲେ ଏ ମାଛରଙ୍କା ସବୁ କ’ଣ ଖାଆନ୍ତି ? ଏ ପୋଖରୀ ନୁହେଁ । ସମୁଦ୍ର । ମୁଁ ସମୁଦ୍ରରୁ ପାଣି ପିଇବି ? ପିଉସୀଙ୍କ ହାତଧରି ସେ ସମୁଦ୍ର ପାଣି ପିଇବାକୁ ଚାଲିଲା । ସତେ ଯେପରି ଗୋଟିଏ ଚଳୁରେ ଶେଷ କରିଦେବ ।

 

ପୂର୍ବ ହୋଟେଲରେ ମଧ୍ୟାହ୍ନ ଭୋଜନ । ଆଣ୍ତାମାନର ବିଖ୍ୟାତ ହରିଣ ମାଂସ ପାଇଁ ଅଶୋକ ଓ ବୀତଶୋକ ସୁଖୀ ହେଲେ । ମୁଁ ମଧ୍ୟ ଟିକିଏ ମାଂସ ଚାଖିଲି । ଲୁଣି ଓ ଲଙ୍କାର ପ୍ରାଧାନ୍ୟ ମଧ୍ୟରେ ଏ କି ମାଂସ ଜାଣିପାରିଲି ନାହିଁ । ଆଣ୍ଡାମାନର ବନ୍ଧୁମାନେ କହିଲେ–ହରିଣ ଶିକାର ଏବେ ମନା । ହୋଟେଲବାଲା ଘୁଷୁରି ମାଂସକୁ ହରିଣ ମାଂସ ବୋଲି ଚଳାଉଛନ୍ତି ।

 

ପୁଣି ବେମ୍ବୋ ଫ୍ଲାଟ୍ ଜେଟିକୁ ଗଲୁ । ଜେଟିର ପ୍ରବେଶ ପଥରେ ଗୋଟିଏ ଖୋଲା ହଲ୍-। ଦୁଇ ପାଖରେ ସିମେଣ୍ଟ ବେଞ୍ଚ । ଅନେକ ଯାତ୍ରୀ ଆସି ଅପେକ୍ଷା କରିଥାନ୍ତି । ଜଣେ କେଉଟ ଝୁଡ଼ିଏ ମାଛ ବିକିବାକୁ ବସିଥାଏ । କେଜି ଚାରି ଟଙ୍କା । କେହି କେହି ନାନା ପନିପରିବା ଘେନି ଆସିଥାନ୍ତି । ଜଣେ ପତ୍ରରେ ପାନର ଗୋଟିଏ ବଡ଼ ପୁଟୁଳି ବାନ୍ଧିଥାଏ । ପାନପତ୍ର ଏଠି ଓଜନରେ ବିକ୍ରି ହୁଏ । ସ୍ଥାନୀୟ ସୁପାରୀ ଓ ପାନ ଏଠାରେ ସୁଲଭ । ତଥାପି ଲଞ୍ଚ ଆସିବାକୁ ଡେରି । ପିଲାମାନେ ପାହୁଚରେ ଚଢ଼ି ପାଣିକୁ ଯିବାକୁ ବାହାରିଲେ । ଜେଟି ଦୁଇପାଖରେ ସ୍ୱଚ୍ଛପାଣି । ତଳର ବାଲି ପର୍ଯ୍ୟନ୍ତ ଦେଖିହେଉଛି । ଅଜସ୍ର ସାନ ସାନ ମାଛ ପାଣିରେ ଖେଳୁଛନ୍ତି । ଏଇ ମାଛରୁ କିଛି ଧରିପାରିଲେ କିପରି ହୁଅନ୍ତା । ସତକୁ ସତ ଗୋଟିଏ ମାଛ ଉପରକୁ ଡ଼େଇଁଲା । ପିଲାଙ୍କ ମଧ୍ୟରୁ ଜଣେ ସେଇଟିକୁ ଧରି ପକାଇଲା । ମାତ୍ର ଗୋଟିଏ ମାଛ କ’ଣ ହେବ ? ଏକାନ୍ତ ଅହିଂସ ଜଣେ ତା’କୁ ଯତ୍ନରେ ନେଇ ପାଣିରେ ଛାଡ଼ିଲା ।

 

ବାହାରେ ଅଜସ୍ର କୋଳାହଳ । ଅନ୍ତରେ ଅନ୍ତରେ ଅନନ୍ତ ନୀରବତା । କେଉଁ ଦୂର ଦିଗବଳୟ ପର୍ଯ୍ୟନ୍ତ ସାଗର ଲମ୍ବିଛି । କେତେ ତରୀ ତା’ ବକ୍ଷ ଚିରି ଚାଲିଛି । କେତେ ନେତା ଓ ପରାଜିତ ଏହି ମହାସମୁଦ୍ରର ଅସୀମ ବାରିରାଶିରେ ସମାଧି ଲାଭ କରିଛନ୍ତି । ଏଇ ଜେଟି ପୋର୍ଟବ୍ଲେୟାରର ଅନ୍ୟତମ ପ୍ରାଚୀନ ଜେଟି । ଏହାର ନାମ ଥିଲା ହୋପ ଟାଉନ୍ । ପ୍ରାୟ ଏକଶତ ବର୍ଷ ପୂର୍ବେ ଇଂରେଜ ଭାରତର ଭାଇସ୍‌ରାୟ ଲର୍ଡ ମେୟୋ (୧୮୭୨, ଫେବୃୟାରୀ ୮) ଏଇଠି ଶେର ଖାଁ ନାମକ ଜଣେ ବନ୍ଦୀର ଛୁରିକାଘାତରେ ପ୍ରାଣ ହରାଇଥିଲେ । ଆଣ୍ଡାମାନରୁ ଫେରି ଲର୍ଡ ମେୟୋ କଟକରେ ଏକ ଦରବାରରେ ସମ୍ବର୍ଦ୍ଧିତ ହୋଇଥାନ୍ତେ । ଏଇ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସମ୍ବର୍ଦ୍ଧନା ପାଇଁ ସଂଗୃହୀତ ଅର୍ଥରେ କମିଶନର ରେଭେନ୍‍ସା କଟକ କଲେଜରେ ନୂତନ ସୌଧ ନିର୍ମାଣ ପରିକଳ୍ପନା କରିଥିଲେ । ଏହାହିଁ ଆଜିର ରେଭେନ୍‍ସା କଲେଜ । କାଳସମୁଦ୍ରର ଅନନ୍ତ ଘଟଣାରାଶି ମଧ୍ୟରେ ଏ ଗୋଟିଏ ତରଙ୍ଗ ମାତ୍ର । ଗୋଟିଏ ତରଙ୍ଗର ଲୀଳା କି ବିଚିତ୍ର ଭାବରେ ଆମର ଜୀବନ ଓ ଜଗତକୁ ପ୍ରଭାବିତ କରିପାରେ, କିଏ କହିବ ?

 

ଦୂର ଦିଗ୍‍ବଳୟରୁ ଫେନପୁଞ୍ଜପରି ଗୋଟିଏ ବିନ୍ଦୁ ଭାସି ଆସିଲା । କ୍ରମଶଃ ଏକ ଶୁଭ ପର୍ବତ ଖଣ୍ଡ ଆକାର ଧାରଣ କଲା । ଏଇ ‘ନର୍ମଦା’ ଯାତ୍ରୀ ଲଞ୍ଚ । ଲଞ୍ଚଟି ବେଶ୍ ବଡ଼ । ପ୍ରାୟ ୨୦୦ ଯାତ୍ରୀ ଏଥିରେ ବସି ପାରନ୍ତି । ଗୋଟିଏ ଧାଡ଼ିରେ ଯାତ୍ରୀ ଓହ୍ଲାଇ ଆସୁଥାନ୍ତି । ଆଉ ଗୋଟିଏ ଧାଡ଼ିରେ ଆମେ ସବୁ ଚଢ଼ିବା ପାଇଁ ଠିଆ ହୋଇଥାଉଁ । ଜଣେ କର୍ମଚାରୀ ସମସ୍ତଙ୍କୁ ଟିକେଟ ଦେଉଥାନ୍ତି । ଆମେ ଗୋଟିଏ ଦଳ ଥିବାରୁ ଆମର ସଂଖ୍ୟା ଗଣି ନେଇ ଜାହାଜ ଭିତରକୁ ଛାଡ଼ି ଦେଲେ । ଆମେ ସବୁ ମଝାମଝି ଜାଗାରେ ଗୋଟିଏ ବେଞ୍ଚରେ ବସିଲୁ । ସମୁଦ୍ରକୁ ନିକଟରୁ ଦେଖି ହେବ–ଦେଖି ହେବ ଦୂରଦିଗନ୍ତର ଖୋଲା ଆକାଶର ଦୃଶ୍ୟ । ଉଠିବା ପଥରେ ଜାହାଜ ମଧ୍ୟରେ ଜଣେ ଚଣା ଭଜା ବିକୁଛି । ଦଶଟି ପଇସା ଦେଇ ସମସ୍ତେ ଗୋଟିଏ ଗୋଟିଏ ପୁଡ଼ିଆ କିଣୁଛନ୍ତି । ପ୍ରାୟ ଅଧଘଣ୍ଟାକ ମଧ୍ୟରେ ସମସ୍ତ ଜାହାଜଟି ବୋଝାଇ ହୋଇଗଲା । ପ୍ରତ୍ୟେକ ସିଟ୍‍ର ମଥା ଉପରେ ହଳଦିଆ ପ୍ଲାଷ୍ଟିକ୍ ଖୋଳରେ କ’ଣ ସବୁ ଥୁଆ ହୋଇଥାଏ । ଏସବୁ କ’ଣ ? ବନ୍ଧୁ କହିଲେ ଲାଇଫ୍ ବେଲ୍‍ଟ । ଗୋଟିଏ ବାହାର କରି ଦେଖିଲୁ ମୋଟା କ୍ୟାନଭାସ୍ ଖୋଳ ଭିତରେ ଦୁଇଟି କରି ବଡ଼ ସ୍ପଞ୍ଜ ରବର ଖଣ୍ଡ ରହିଛି । ଏହାକୁ ବିପଦବେଳେ ପିଠିରେ ପକାଇ ଦୁଇ କାଖ ତଳେ ବାନ୍ଧି ରଖିବାକୁ ପଡ଼ିବ । ଅନାୟସରେ ପାଣିରେ ଭାସି ହେବ–ବେଶୀ ଦୂର ପହଁରି ବି ହେବ-। ଦୂର ଓ ନିକଟରେ କେତେ ସାନ ବଡ଼ ଦ୍ୱୀପ ଓ ପର୍ବତ ଦେଖାଯାଉଥାଏ । ମଧ୍ୟାହ୍ନରେ ଉଜ୍ୱଳ ଖରା, ଚତୁର୍ଦ୍ଦିଗର ନୀଳ ଜଳରାଶି ଓ ଧୂସର ନୀଳାଭ ଆକାଶର ସର୍ବତ୍ର ପ୍ରକୃତିର ସତେଜ ଶ୍ରୀ–ସତେ କେଡ଼େ ମଧୁର, କେଡ଼େ ପ୍ରଶାନ୍ତ । ଆମେ ପୋର୍ଟବ୍ଳେୟାର ନଗରର ଜଳପଥର ଯାତ୍ରୀ-। ଏ ଜଳପଥ ଶ୍ରୀନଗର ବା ଭେନିସ୍‍ର ଜଳପଥ ପରି ସଂକୀର୍ଣ୍ଣ ନୁହେଁ । ଏଥିରେ ଅଛି ମହାସମୁଦ୍ରର ସ୍ପର୍ଶ ଅଥଚ ଜନପଦ ଓ ଜନପଥ ଅଦୂରରେ । କେବଳ ଦ୍ୱୀପ ନିକଟରେ ନିମଜ୍ଜିତ ଶିଳାରାଶିକୁ ଅତିକ୍ରମ କରିବା ପାଇଁ ତରୀକୁ କିଛି ଦୂର ସମୁଦ୍ର ମଧ୍ୟକୁ ସ୍ଥାନେ ସ୍ଥାନେ ଯିବାକୁ ହୁଏ । ପୁଣି ଗତିପଥ ବଦଳାଇ ନିର୍ଦ୍ଧାରିତ ପଥରେ ଦେଶ ଭାଗକୁ ଫେରି ଆସିବାକୁ ହୁଏ । ସମୁଦ୍ରରେ ବଡ଼ ବଡ଼ ସ୍ଥାୟୀ ଲୌହ ଗୋଲକ ଭସାଇ ଜାହାଜର ଗତି ପଥର ନିର୍ଦ୍ଦେଶ ଦିଆହୋଇଥାଏ । ପ୍ରାୟ ଘଣ୍ଟାକ ମଧ୍ୟରେ ନର୍ମଦା ଆସି ‘ହୁଡୋ’ ଜେଟିରେ ଲାଗିଲା ।

 

ହୁଡୋ ଆଣ୍ଡାମାନର ସବୁଠାରୁ ବଡ଼ ବନ୍ଦର । ସମୁଦ୍ରଗାମୀ ଜାହାଜ ସବୁ ଏଇଠିକି ଆସେ । ଗୋଟିଏ ପାହାଚର ପାଦ ଦେଶରେ ଏକ ବିସ୍ତୁତ ଆୟତାକାର ସମତଳ କ୍ଷେତ୍ର ଉପରେ ଡକ୍ ୟାର୍ଡ । ଗୋଟିଏ ପାଖରେ ନୌକାହିନୀର ଜାହାଜ ରହେ । ସାଧାରଣଙ୍କ ପକ୍ଷରେ ଡକ୍ ୟାର୍ଡ ଭିତରକୁ ଯିବାପାଇଁ ଟିକେଟ କରିବାକୁ ପଡ଼େ । ବନ୍ଦରର ପ୍ରବେଶ ପଥରେ ଦରଓ୍ୱାନକୁ କହି ଆମେ ଭିତରେ ପଶିଲୁ । ‘ହର୍ଷବର୍ଦ୍ଧନ’ ର ଆସିବାର ଥାଏ । ମାତ୍ର ଆସିନଥାଏ । ଶୂନ୍ୟ ଡକ୍ ଯାତ୍ରୀଙ୍କ ପାଇଁ ବିଶ୍ରାମଗୃହ, ଅଫିସ ଓ ପ୍ରଶସ୍ତ ଚତ୍ୱର ସବୁ ନିର୍ଜନ । ଅଳ୍ପ ସମୟ ମଧ୍ୟରେ ଆଖି ବୁଲେଇ ନେଇ ‘ହୁଡୋ’ ବଜାର ଆଡ଼େ ଚାଲିଲୁ । ବନ୍ଦର କର୍ତ୍ତୃପକ୍ଷ ଫୁଡ କର୍ପୋରେସନ୍ ଓ ଅନ୍ୟ ବହୁ ବଡ଼ ସରକାରୀ ଅଫିସ୍ ଓ ଗୋଦାମ ଘର, ଚାଥମ୍ ଦ୍ୱୀପାର କରତକଳ ଅଫିସ୍, କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚିଡ଼ିଆଖାନା, ଅତିଥିଶାଳା ଏଇଠାରେ ଅବସ୍ଥିତ । ଗୋଟିଏ ବଡ଼ ପାହାଡ଼ର ଅତଟ ଦେଶରେ ହୁଡୋ ଅବସ୍ଥିତ । ଅନେକ ଘୂରି ଘୂରି ଉପରକୁ ରାସ୍ତା ଯାଇଛି । ଆମେ ଗୋଟିଏ ଚଲାପଥରେ ଅନେକ ସିଡ଼ି ଚଢ଼ି ଅଳ୍ପ ସମୟ ମଧ୍ୟରେ ଉଚ୍ଚ ସୀମାକୁ ଉଠିଲୁଁ । ସେଠି ଗୋଟିଏ ଟ୍ରାଫିକ୍ ଆଇଲେଣ୍ଡ । ଏଇଠାରୁ ସମୁଦ୍ର ‘ହୁଡୋ ବନ୍ଦର’ ନୌବାହିନୀର ଜାହାଜ ସବୁ ପରିଷ୍କାର ଦେଖାଯାଉଥାଏ । କିଛି ସମୟ ବିଶ୍ରାମ ପରେ ଆଗେଇଲୁଁ । ବାଟରେ ‘ଚାଥମ’ ଦ୍ୱୀପକୁ ସେତୁପଥ ପଡ଼ିଲା । ମାତ୍ର ସମୟ ଅଭାବରୁ ଆମେ ଚାଥମ କରତକଳ ଦେଖିବା ପ୍ରସ୍ତାବ ବାଦ୍ ଦେଲୁଁ । ଗଡ଼ାଣି ଓ ଉଠାଣି ବାଟରେ ଗୋଟିଏ ଫର୍ଲଙ୍ଗ ଦୂରଯାଇ ଚିଡ଼ିଆଖାନାରେ ପହଞ୍ଚିଲୁଁ ।

 

ଆଣ୍ଡାମାନର ଉଦ୍ୟାନ ଓ ବନ ବିଭାଗ ଏଇ ପଶୁପକ୍ଷୀ ସଂଗ୍ରହଶାଳା ସ୍ଥାପନ କରିଛନ୍ତି । ଗୋଟିଏ ବଡ଼ ଲୌହ କପାଟର ତୋରଣ ମଧ୍ୟ ଦେଇ ଚିଡ଼ିଆଖାନାକୁ ପ୍ରବେଶ ପଥ । କୌଣସି ପ୍ରବେଶ ମୂଲ୍ୟ ଲାଗେ ନାହିଁ । ଦ୍ଵାରପାଳ ନିକଟରେ ନିଜର ନାମ, ପରିଚୟ ଲେଖିଯିବାକୁ ହୁଏ । ଏଇଠି ସମସ୍ତ ଉଦ୍ୟାନର ଏକ ମଡେଲ ଓ ମାନଚିତ୍ର ରହିଛି । ବିଭିନ୍ନ ପକ୍ଷୀ ଓ ପଶୁଙ୍କ ବିବରଣୀ ରହିଛି । ମଝିରେ ଫୁଲକିଆରୀ ଦୁଇଧାରରେ ପଥ । ପଥ ଧାରେ ଧାରେ ନାନା ଜାତିର ସାମୁଦ୍ରିକ ପଥର ଖଣ୍ଡମାନ ବିଛାଇ ଦିଆହୋଇଛି । ଏସବୁ ହୁଏତ କୌଣସି ଜଳଜୀବର ଜୀବାଣୁ ବା ଫସିଲର ଅବଶିଷ୍ଟାଂଶ ।

 

ପ୍ରଥମେ ପକ୍ଷୀଶାଳା ଦେଖିଲୁ । କେତେକ ମୂଳ ଭୂଖଣ୍ତର ପକ୍ଷୀ–କିନ୍ତୁ ଆଣ୍ଡାମାନର ବିଭିନ୍ନ ଦ୍ୱୀପରୁ ସଂଗୃହୀତ । କେତେ ପକ୍ଷୀ ସାମୁଦ୍ରିକ । ଏଗୁଡ଼ିକ ଆଣ୍ଡାମାନରେ ହିଁ କେବଳ ମିଳନ୍ତି-। ଗୋଟିଏ ପକ୍ଷୀର ଆକାର ତୁଳନାରେ ଥଣ୍ଟଟି ଅନେକ ବଡ଼–ସତେ ଯେପରି କ୍ଷୁଦ୍ର ଦେହକୁ ଏକ ଭାରା ନାନା ଜାତିର ମରାଳ, ବଗ, ଗଡ଼ା ବା ଗେଣ୍ଡାଳିଆ, ବିଚିତ୍ର ବର୍ଣ୍ଣର କାଠହଣା, ମାଛରଙ୍କା, ସାମୁଦ୍ରିକ ଗଲ୍ ଜାତୀୟ ପକ୍ଷୀଙ୍କ କାକଳିରେ ସ୍ଥାନଟି ମୁଖରିତ ହୋଇଥାଏ ।

 

ପଶୁଶାଳାରେ ଗୋଟିଏ ଧୂର୍ତ୍ତ ଗଧିଆ ସମସ୍ତଙ୍କୁ ସନ୍ଦେହ ଆଖିରେ ଚାହୁଁଥାଏ । କଟାଶ ଆଖି ଭୟଙ୍କର ଦିଶୁଥାଏ । କେତୋଟି ଘରେ ନାନା ଜାତିର ମାଙ୍କଡ଼ । ମାଙ୍କଡ଼ମାନେ ମୁଖ ଓ ହାତର ଭଙ୍ଗୀ କରି ପିଲାମାନଙ୍କୁ ଯେପରିକି ଆପଣାର କରିନେଲେ । ଛୋଟ ମାଙ୍କଡ଼ଟିଏ ଅଭିନୟ ଭଙ୍ଗୀରେ ଖାଲି ହାତକୁ ପାଟିରେ ପୂରେଇଲା । ସଞ୍ଜୁ ପଚାରିଲା ମାଙ୍କଡ଼ କ’ଣ ଖାଉଛି ? ତା’ର ଖାଇବାକୁ କିଛି ନାହିଁ । ମାଙ୍କଡ଼ମାନଙ୍କୁ କଦଳୀ ଦେବାକୁ ପିଲାମାନେ ଆରମ୍ଭ କଲେ । ଗୋଟିଏ ବଡ଼ ମାଙ୍କଡ଼ କଦଳୀଟିମାନ ଧରି ଉପରକୁ ପଳାଇଯାଉଥାଏ । ସାନ ମାଙ୍କଡ଼ଟିଏ କଦଳୀ ଧରି ନପାରି ବିକଳରେ ଆସି ବାଡ଼ ପାଖରେ ଠିଆ ହେଲା ଜଣେ ତା’ ହାତରେ ଗୋଟିଏ କଦଳୀ ଧରାଇ ଦେଲା । ଗୋଟିଏ କୃଷ୍ଣକାୟ ଭାଲୁ ଶୋଇ ଶୋଇ କମ୍ପୁଥାଏ । ଇଏ କ’ଣ ଭାଲୁକମ୍ପ ? ଗୋଟିଏ ବଡ଼ ହତା ମଧ୍ୟରେ ଅନେକ ହରିଣ–କେତେ ବିଚିତ୍ର ବର୍ଣ୍ଣର ଶିଙ୍ଗାଳ ହରିଣ । ଆମକୁ ଚକିତ ଦୃଷ୍ଟିରେ ଚାହିଁ ରହିଥାନ୍ତି । ତା’ପାଖରେ ଗୋଟିଏ ବଡ଼ ପାଣି କୁଣ୍ଡ–ସାନ ବଡ଼ ୩ । ୪ଟି କୁମ୍ଭୀର । ଅଚଳ ପଥର ଖଣ୍ତ ପରି ପଡ଼ିଥାନ୍ତି । ଏଇ ଜାତିର କୁମ୍ଭୀରଙ୍କ ବାସସ୍ଥାନର ଗୋଟିଏ ତାଲିକା ଦିଆହୋଇଛି । ତା’ ମଧ୍ୟରେ ଓଡ଼ିଶା ନାମଟି ଦେଖିଲୁଁ । ପରିହାସରେ ଜଣେ କିଏ କହି ଉଠିଲେ-ଓଡ଼ିଶାର ମଣିଷଙ୍କ ଆଗରୁ କୁମ୍ଭୀରମାନେ ଆଣ୍ଡାମାନ ଆସି ଉପନିବେଶ କରି ସାରିଛନ୍ତି । ଉଚ୍ଚ ନୀଚ ନାନା ସ୍ତରରେ ଚିଡ଼ିଆଖାନାର ପ୍ରଦର୍ଶନୀ ଶାଳା ଗୁଡ଼ିକ ରହିଛି । ନାନା ପ୍ରକାର ଗୁଣ୍ଡୁଚିମୂଷା ଓ ଚଟିଆ ପକ୍ଷୀ ଗୋଟିଏ ଉଚ୍ଚସ୍ଥାନରେ ଅଛନ୍ତି । ସେଇଠୁ ଅନେକ ଦୂରକୁ ଦେଖିଦେଲା । ଅଦୂରରେ ଆଉ ଗୋଟିଏ ପାହାଡ଼ ଉପରେ ଗୋଟିଏ ସୁନ୍ଦର ଘର । ଏହା ପ୍ରଧାନ ଅତିଥିଶାଳା । ପାଖକୁ ଲାଗି ସମୁଦ୍ର । ଅନେକ ସୁପାରି ଗଛର ସାଜ ଲମ୍ବି ଆସିଛି । ମନେ ହେଉଥିଲା ଆଗରେ ଚିଡିଆଖାନାର ଉଚ୍ଚ ତାରବାଡ଼ ନଥିଲେ ସୁପାରୀ ଗଛରୁ ସୁପାରୀ ପାରି ହୁଅନ୍ତା । କିନ୍ତୁ ହୁଏତ ଗୋଡ଼ ଖସି କେଉଁ ରସା ତଳରେ ପଡ଼ନ୍ତୁ । ଏଠି କିଛି ସମୟ ଠିଆ ହୋଇ ସମୁଦ୍ରର ମୁକ୍ତ ପବନ ଢୋକେ ଢୋକେ ଶୋଷି ନେଲୁ । ଫେରିଲୁଁ । ଆଗରେ ଗୋଟିଏ ବଡ଼ ଘାସ ପଡ଼ିଆ । ଗୋଟିଏ ପାଖରେ ପାଣି ପାଇପଟିଏ ଦେଖି ସମସ୍ତଙ୍କୁ ଯେ ଶୋଷ ଲାଗିଥିଲା, ଜଣାପଡ଼ିଲା । ଗୋଟିଏ ଘର ଆଗରେ ଦେଖିଲି–‘‘ଆଣ୍ଡାମାନ ଫଳ ସଂରକ୍ଷଣ ବିଭାଗ” । ଏଇ ବିଭାଗରେ କାର୍ଯ୍ୟ ଅଳ୍ପଦିନ ହେଲା ଆରମ୍ଭ ହୋଇଛି । କେବଳ ଲେମ୍ବୁରସର କ୍ୱାସ୍ ଏବେ ତିଆରି ହେଉଛି । ପରେ କମଳା, ଆମ୍ବ, ସପୁରୀ ଆଦିର କ୍ୱାସ୍ ତିଆରି ହେବ । ଗୋଟିଏ ବୋତଲ ଲେମ୍ବୁ କ୍ୱାସ୍ କିଣିଲି । ଦାମ୍ ପଡ଼ିଲା ମାତ୍ର ସାଢ଼େ ତିନିଟଙ୍କା ।

 

ଚିଡ଼ିଆଖାନାରୁ ଖଣ୍ଡେ ଦୂର ଯାଇ ବାସ୍, ଧରିବାକୁ ଅପେକ୍ଷା କଲୁଁ । ରାସ୍ତାର ଡାହାଣ ପାଖରେ ପୁଣି ଗୋଟିଏ ପାହାଡ଼ । ତା’ର ପାଖେ ଘର । ବାଁ ପାଖରେ ଗୋଟିଏ ବଡ଼ହତା ଓ ଦୁଇ ଧାଡ଼ିରେ ଦୁଇ ମହଲା ଘର । ଏ ହେଉଛି ‘‘କେନ୍ଦ୍ରୀୟ ହାୟାର ସେକେଣ୍ଡାରୀ ସ୍କୁଲ’’ । କିଛି ସମୟ ଠିଆ ହେଲୁ । ବାସ୍ ନାହିଁ । ବିରକ୍ତିରୁ ରକ୍ଷା ମିଳିବ, କୌତୂହଳ ବି ମେଣ୍ଟିବ । ସ୍କୁଲ ହତା ଭିତରେ ପଶିଲି । ମୂଳ ଦ୍ୱିତଳ ପ୍ରାସାଦ ପରେ ଗୋଟିଏ ନାତିବୃହତ୍ ଖେଳ ପଡ଼ିଆ । ଏହାର ଚାରିପାଖରେ ଉଚ୍ଚନୀଚ ନାନା ସ୍ଥାନରେ ଅନେକ ଘର । ଏଇ କେନ୍ଦ୍ରୀୟ ବିଦ୍ୟାଳୟଟି ଆଣ୍ଡାମାନର ଏକ ଅଭିଜାତ ବିଦ୍ୟାଳୟ । ଏଠାର ସମସ୍ତ ବିଦ୍ୟାଳୟ ଏକ ସମୟରେ ପଶ୍ଚିମବଙ୍ଗ ସେକେଣ୍ଡାରୀ ବୋର୍ଡ ଅଧୀନରେ ଥିଲା । ଏବେ ଏହାର ଶାସନ ଆଣ୍ଡାମାନ ପ୍ରଶାସନ ଓ ପରୀକ୍ଷା ଆଦି ଦିଲ୍ଲୀରୁ କେନ୍ଦ୍ରୀୟ ସେକେଣ୍ଡାରୀ ବୋର୍ଡ ଦ୍ୱାରା ନିୟନ୍ତ୍ରିତ । ଏଇ ସ୍କୁଲରେ ତାମିଲ ଓ ହିନ୍ଦୀ ଉଭୟ ଭାଷାରେ ଶିକ୍ଷା ଦିଆଯାଏ । ପ୍ରାୟ ୧୫ ଶହ ତାମିଲ ଓ ୬ଶହ ହିନ୍ଦୀ ସେକ୍‍ସନରେ ଛାତ୍ର ଅଛନ୍ତି । ଗେଟରେ ଜଣେ ଯୁବକ ଠିଆ ହୋଇଥିଲେ । ତାଙ୍କୁ ପଚାରି ବୁଝିଲି ଯେ ଏଇ ସ୍କୁଲର ଜଣେ ଛାତ୍ର, ବର୍ତ୍ତମାନ ଗେଟ୍, ଜଗବା ଡିଉଟି କରୁଛନ୍ତି । ଛାତ୍ରମାନଙ୍କୁ ବିଦ୍ୟାଳୟ କାମ କରିବାକୁ ହୁଏ । ଚାହୁଁ ଚାହୁଁ ଖେଳ ଛୁଟି ଘଣ୍ଟା ବାଜିଲା । ବିରାଟ ହଟ୍ଟଗୋଳରେ ସମସ୍ତ ସ୍କୁଲ ଅଙ୍ଗନଟି ପୂର୍ଣ୍ଣ ହୋଇଗଲା । କେତେକ ଛାତ୍ର ଓ ଶିକ୍ଷକ ଏଇ ଅଜଣା ଅତିଥିଙ୍କ ଆଡ଼କୁ ଚାହୁଁଥାନ୍ତି । ମାତ୍ର ବସ ହରାଇବା ଭୟରେ ଆମେ ଚାଲି ଆସିଲୁଁ । ଏ ବାସ୍ ଗୋବିନ୍ଦ ବଲ୍ଲଭ ପନ୍ଥ ଡାକ୍ତରଖାନା ସମ୍ମୁଖରେ ରହିଲା ।

 

ଏ ହେଉଛି ଆଟଲାଣ୍ଟାପାଇଣ୍ଟ ପର୍ବତ । ଏହାର ଗୋଟିଏ ପାଖରେ ସମୁଦ୍ର ଓ ଅନ୍ୟ ପାଖରେ ଆବାରଡିନ୍, ବଜାର । ସମୁଦ୍ର ଧାରେ ଧାରେ ମେରିନା ବିଚ । ଏଇ ପର୍ବତର ଶିଖର ପ୍ରଦେଶରେ ଖଣ୍ଡେ ବିସ୍ତୃତ ସମତଳ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା, ସେ କାଳରେ କଏଦୀଙ୍କ ଦ୍ଵାରା । ଏହାରି ଉପରେ ନିର୍ମିତ ସେଲୁଲାର ଜେଲ । ଏଇ ଜେଲ ନିର୍ମାଣ ପାଇଁ ଲାଗିଥିଲା ୧୦ବର୍ଷ (୧୮୮୬ ରୁ ୧୮୯୬) ଇଂରେଜ ସାମ୍ରାଜ୍ୟର ମଧ୍ୟାହ୍ନ କାଳର ଏହା ଶ୍ରେଷ୍ଠ କୀର୍ତ୍ତି । ଆଣ୍ତାମାନରେ ବିଶେଷତଃ ପୋର୍ଟବ୍ଳେୟାରରେ ଇଟା ତିଆରି ମାଟିର ଅଭାବ । ଇଂରେଜମାନେ ବ୍ରହ୍ମଦେଶରୁ ଇଟା ଆଣିଥିଲେ । ଏଇ ଜେଲରେ ସାତଟି ଲମ୍ବା ସେଲ୍ ଓ ପ୍ରିତି ସେଲରେ ଶତାଧିକ ବନ୍ଦୀଙ୍କୁ ରଖିବାର ବ୍ୟବସ୍ଥା ଥିଲା । ଜେଲ୍‍ଟି ଦ୍ୱତଳ ବିଶିଷ୍ଟ । ମଝିରେ ଥିଲା ପର୍ଯ୍ୟବେକ୍ଷଣ ସ୍ତମ୍ଭ । ସେଇଠାରୁ ସାତଟି ବ୍ୟସାର୍ଦ୍ଧ କ୍ରମେ ଅର୍ଦ୍ଧବୃତ୍ତାକାରରେ ଏଇ ଜେଲ୍ ନିର୍ମିତ ହୋଇଥିଲା । ଜେଲ୍‍ର କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ଗୃହ, କଏଦୀଙ୍କ ପାଇଁ କର୍ମଶାଳା, ଶାସ୍ତିବିଧାନ ପାଇଁ ଓ ଫାଶିଦେବା ପାଇଁ ମଞ୍ଚ ଆଦି ନିର୍ମିତ ହୋଇଥିଲା । ଏବେ ଏଇ ବିପୁଳକାୟ ଜେଲ୍‍ ପ୍ରାନ୍ତରର ଏକାଂଶରେ ଅଣ୍ଡାମାନର କେନ୍ଦ୍ରୀୟ ପୋଲିସସଂସ୍ଥାର କାର୍ଯ୍ୟାଳୟ । ଏକାଂଶରେ ଗୋବିନ୍ଦ ବଲ୍ଲଭ ପନ୍ଥ ହସ୍‍ପିଟାଲ ଓ ଏକାଂଶରେ ଆଣ୍ଡାମାନର ଜେଲ୍ ରହିଛି, ମୂଳ ଜେଲ୍‍ର । ମାତ୍ର ଦୁଇଟି ପକ୍ଷର ସେଲ୍ ସାଧାରଣଙ୍କ ପ୍ରଦର୍ଶନୀ ପାଇଁ ସୁରକ୍ଷିତ । ଏହା ସମ୍ମୁଖରେ ଦୁଇଟି ପ୍ରଶସ୍ତ ହଲ୍ ଘରେ ଶହୀଦମାନଙ୍କର ଆଲୋକ ଚିତ୍ର ଓ ବନ୍ଦୀମାନଙ୍କର ଦୈନନ୍ଦିନ ଜୀବନର ମେଡେଲ ରଖା ହୋଇଛି । ଆମେ ପ୍ରଥମେ ଆଲୋକଚିତ୍ର ପ୍ରଦର୍ଶନୀ ଗୃହରେ ପ୍ରବେଶ କଲୁ । ଭାରତର ବିଭିନ୍ନ ପ୍ରାନ୍ତର ସ୍ଵାଧୀନତା ସଂଗ୍ରାମୀମାନଙ୍କର ଆଲୋକଚିତ୍ର ପ୍ରଦର୍ଶିତ । ୧୯୨୧ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ କଳାପାଣି ବ୍ୟବସ୍ଥା ଚାଲିଥିଲା । ଏଇ ଅନୁସାରେ ଗୁରୁତର ଅପରାଧୀ ତଥା ବହୁ ରାଜନୈତିକ ବନ୍ଦୀଙ୍କୁ ଏଠାକୁ ପଠାଯାଇଥିଲା । ଅପରାଧିଙ୍କ ନାମ ବା ଇତିହାସ କେହି ସଂଗ୍ରହ କରି ନାହାନ୍ତି । ମାତ୍ର ୧୯୦୫ ରୁ ଏପରିକି ସିପାହୀ ବିଦ୍ରୋହଠାରୁ ୧୯୨୧ ପର୍ଯ୍ୟନ୍ତ ଆଣ୍ଡାମାନ ପ୍ରେରିତ ରାଜନୈତିକ ବନ୍ଦୀମାନଙ୍କର ନାମ ଓ ଜୀବନୀ ସଙ୍କଳନର ନାନା ପ୍ରୟାସ ହୋଇଛି । କେତେକ ରାଜନୈତିକ ବନ୍ଦୀଙ୍କ ଲିଖିତ ଜୀବନୀ ବା ସ୍ମୃତିକଥାରୁ, ଜେଲ୍‌ର ଡାଏରୀରୁ ଓ ବିଚାରାଳୟମାନଙ୍କ ନଥିରୁ ଏସବୁ ସଂଗୃହୀତ । ଏ ଇତିହାସ ଏବେ ବି ଅସମ୍ପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ଗବେଷଣାର ଅପେକ୍ଷା ରଖେ । ପୁଣି କେତେକ ରାଜନୈତିକ ପାଇକ ବିଦ୍ରୋହୀ ବନ୍ଦୀଙ୍କୁ ସାଧାରଣ ଅପରାଧୀ ଭାବରେ ଇଂରେଜମାନେ ଶାସ୍ତି ଦେଇଛନ୍ତି, ତା’ର ଇୟତ୍ତା ନାହିଁ । ଏଇ ଜେଲ୍‌ରେ ୧୮୮୭ ଖ୍ରୀଷ୍ଟାବ୍ଦରେ ଯକ୍ଷ୍ମା ରୋଗରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ପୁରୀର ଠାକୁର ରାଜା ଗଜପତି ଦିବ୍ୟସିଂହ ଦେବ । ୧୮୭୮ ଖ୍ରୀଷ୍ଟାଦ୍ଦରେ ନରହତ୍ୟା ଅପରାଧରେ ସେ କଳାପାଣି ପଠାହୋଇଥିଲେ । ସେ କେବଳ ଅପରାଧୀ, ନରହନ୍ତା, ନା ରାଜନୈତିକ ବନ୍ଦୀ ? ଏ ଇତିହାସର କୌଣସି ସଙ୍କେତ ଏଠାରେ ନାହିଁ । ସେକାଳ ବନ୍ଦୀମାନଙ୍କ ମଧ୍ୟରୁ ୫୫ଟି ଓଡ଼ିଆ ପରିବାର ଏବେ ବି ଆଣ୍ଡାମାନରେ ଅଛନ୍ତି । ପୂର୍ବପୁରୁଷଙ୍କ କାହାଣୀ କ’ଣ ଏମାନଙ୍କ ସ୍ମୃତିରେ ଏବେ ବି ଜୀବିତ ନାହିଁ ? ଏ ଗବେଷଣା କେହି କରି ନାହାନ୍ତି ।

 

ଅନ୍ୟ ହଲକୁ ଯାଇ ବନ୍ଦୀମାନଙ୍କ ଦୈନନ୍ଦିନ ଜୀବନ, ବନ୍ଦୀମାନଙ୍କୁ ଶାସ୍ତିବିଧାନର ଦୃଶ୍ୟର ମଡେଲ ଦେଖିଲୁ । ଗୃହ ଆରମ୍ଭରେ ବେଡ଼ି ଓ ହାତକଡ଼ି ପରିହିତ ଦୁଇଜଣ କଏଦୀଙ୍କ ମଡେଲ । ଗୋଟିଏ ତେଲଘଣା–ନଡ଼ିଆକତା ବଳିବା ବନ୍ଦୀ ଦୃଶ୍ୟ–କାଠ ଖମ୍ୱରେ ବାନ୍ଧି ଚାବୁକ ମାରିବାର ଦୃଶ୍ୟ ଆଦି ବହୁ ବିଭିନ୍ନ ଦୃଶ୍ୟ ପ୍ରଦର୍ଶିତ । ଏଇ ଘରେ ପ୍ରଦର୍ଶନୀର କର୍ମଚାରୀଙ୍କ ନିକଟରେ ଗୋଟିଏ ବହିରେ ଆମର ମନ୍ତବ୍ୟ, ନାମ ଆଦି ଲେଖିଲୁ । ଏଇଠି ପୋର୍ଟବ୍ଳେୟାର ଗାନ୍ଧୀ ସ୍ମୃତିସ୍ତମ୍ଭ ‘‘ମୋହନପୁରା” ର ଗୋଟିଏ ମ୍ୟାପ୍ ଦେଖିଲି । ଇଚ୍ଛାଥିଲେ ବି ସମୟ ଅଭାବରୁ ମୋହନପୁରା ଦେଖିବା ସମ୍ଭବ ହେଲାନାହିଁ । ପ୍ରଦର୍ଶନୀ ଗୃହ ଦେଖିସାରି ଫାଶିମଞ୍ଚ ଦେଖିବାକୁ ଗଲୁ । ମଞ୍ଚର କାଠପଟା ତଳର ଅନ୍ଧକାର କୂପ ମନରେ ବିଭୀଷିକା ସଞ୍ଚାର କରୁଥାଏ । ଏଠାରୁ ଜେଲ୍‍ର ସୁରକ୍ଷିତ ଅଂଶଟି ଦେଖିବାକୁ ଗଲୁଁ । ଦ୍ୱିତଳକକ୍ଷ । ଶେଷ ପ୍ରାନ୍ତର ଗୋଟିଏ ସେଲରେ ବୀର ସବ୍‍ରକରଙ୍କୁ ନିର୍ଜ୍ଜନ ବନ୍ଦୀ ଭାବରେ ରଖାଯାଇଥିଲା । ସେଠାରେ ତାଙ୍କର ଗୋଟିଏ ଆଲୋକଚିତ୍ରରେ ପ୍ଲାଷ୍ଟିକର ଫୁଲମାଳ ପିନ୍ଧାଇ ଦିଆଯାଇଛି । ଏଇ ବୀର ଶହୀଦଙ୍କୁ ପ୍ରଣିପାତ କରିବାକୁ ସ୍ୱତଃ ମଥା ନତ ହୋଇ ଆସିଲା । ଏଇ ଦ୍ୱିତଳ ବନ୍ଦୀଖାନାର ଦୀର୍ଘ ବାରଣ୍ଡାର ଗୋଟିଏ ପାଖରୁ ଏବର ଜେଲ ଓ ଅନ୍ୟ ପାଖରେ ଗୋବିନ୍ଦ ବଲ୍ଲଭ ପନ୍ଥ ହସ୍‍ପିଟାଲ ଓ୍ୱାର୍ଡ ଦେଖାଯାଉଥିଲା-। କେହି ଜଣେ ବନ୍ଦିନୀ ଅନବରତ ଚିତ୍କାର କରୁଥିଲେ । କେତେବେଳେ କରୁଣ ବିକଳ କ୍ରନ୍ଦନ, ପୁଣି କେତେବେଳେ ଅଶ୍ଳୀଳ ଗାଳିବର୍ଷଣ–ସତେ ଅବା ଉନ୍ମାଦୀନୀ ।

 

ଭାରତର ସ୍ଵାଧୀନତା ସଂଗ୍ରାମର ଇତିହାସ–ଅଗଣିତ ଶହୀଦଙ୍କ ଆତ୍ମୋତ୍ସର୍ଗର ଇତିହାସ । ଜାତି, ଧର୍ମ ଓ ଭାଷାର ବିଭେଦ ଊର୍ଦ୍ଧ୍ୱରେ ଏକ ମହାନ୍ ମାନବସଂହତିର ଉଜ୍ଜ୍ଵଳ ଇତିହାସର ପୁର୍ଣ୍ଣ ପ୍ରଭାବ ଏଇ ବନ୍ଦୀଗୃହର କକ୍ଷେ କକ୍ଷେ ସଞ୍ଚିତ ହୋଇ ରହିଛି । ମୁହୂର୍ତ୍ତକ ପାଇଁ ଆଖି ଅଶ୍ରୁ ସଜ୍ଜଳ ହୋଇଉଠିଲା–ହୃଦୟରେ ଆଙ୍କି ହୋଇଗଲା ଏ ମହାଜାତିର ଉଜ୍ଜ୍ୱଳ ଭବିଷ୍ୟତର ଚିତ୍ର । ସନ୍ଧ୍ୟାର କନକ ଶ୍ରୀ ଦୂର ସମୁଦ୍ରର ଦିଗ୍‌ବଳୟରେ, ପାହାଡ଼ର ଚୂଡ଼ରେ ଫୁଟ ଉଠୁଥ‌ିଲା । ଆମେ ସବୁ ଟ୍ରାଫିକ୍ ଆଇଲାଣ୍ଡରେ କିଛି ସମୟ ବିଶ୍ରାମ ନେଲୁ । ପାଖରେ ଗୋଟିଏ କେଣ୍ଟିନ୍‌ରୁ ଚାହା ଖାଇଲୁଁ । ଅଶୋକ-ମଞ୍ଜୁଳା ଗୋଟିଏ ହିନ୍ଦୀ ସିନେମା ଗଲେ । ଆମେ ଆବରଡିନ ବଜାର ଆଡ଼େ ଚାଲିଲୁ । ପଥରେ ଦେଖା ହେଲେ ଡଃ ଚୌଧୁରୀ–ପୋର୍ଟବ୍ଳେୟାର ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ସେ ବର୍ଷେ ହେଲା ଏଠାକୁ ଆସିଛନ୍ତି । ଆଗରୁ ଓଡ଼ିଶାର ବ୍ରହ୍ମପୁରରେ ଥିଲେ ।

 

ଆମେ ଆସି ଓଡ଼ିଆ ସମାଜ ସହ-ସମ୍ପାଦକଙ୍କ ବସାରେ କିଛି ସମୟ କଟାଇଲୁ । ସମାଜର ସଭାପତି, ମ୍ୟାରିନ୍, ଇଞ୍ଜିନିୟର ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ଟେଲିଫୋନ କଲେ । ସନିର୍ବନ୍ଧ ଅନୁରୋଧ ଏଡ଼ି ନପାରି ତାଙ୍କ ବସାକୁ ଗଲି । ଅନ୍ୟମାନେ କ୍ଳାନ୍ତ । ସେମାନଙ୍କୁ ଅଧ୍ୟାପକ ମହାପାତ୍ର ଓ ଶ୍ରୀଯୁକ୍ତ ସାହୁବାବୁ ଡାଏରୀ ଫାର୍ମ ବସାକୁ ଘେନିଗଲେ । ଗୋଟିଏ ପାହାଡ଼ ଉପରେ ମାରିନ ଇଞ୍ଜିନିୟରଙ୍କ ବସା । କ୍ଳାନ୍ତିରେ ପଦ ଅବଶ ଲାଗୁଥିଲା । ଆବରଡିନ ଟ୍ୟାକ୍‌ସି ଷ୍ଟ୍ୟାଣ୍ଡରୁ ଗୋଟିଏ ଟ୍ୟାକ୍‌ସି ଧରିଲୁ ଭଡ଼ା ଛିଡ଼ିଲା ସାଢ଼େ ତିନିଟଙ୍କା । ଦଶମିନିଟ୍ ମଧ୍ୟରେ ଗୋଟିଏ ସୁନ୍ଦର ଉଠାଣି ରାସ୍ତାରେ ଟ୍ୟାକ୍‌ସି ମନୋରଞ୍ଜନବାବୁଙ୍କ ବସାରେ ପହଞ୍ଚାଇ ଦେଲା । ପାହାଡ଼ ଧାରେ ଧାରେ ମନୋରମ ଉଦ୍ୟାନ, ଏକ ଦିଗରେ ସମୁଦ୍ର–କାଠର ଦ୍ୱିତଳ ସୌଧ–ଦୁଆରେ ପହଞ୍ଚିଲୁ । ସଙ୍ଗେ ସଙ୍ଗେ ମନୋରଞ୍ଜନବାବୁ ଆସି ଆମକୁ ଉପର ମହଲାକୁ ଘେନିଯାଇ ବୈଠକଖାନାରେ ବସାଇଲେ ।

 

ଆଣ୍ତାମାନର ବର୍ତ୍ତମାନ ସାମାଜିକ ଜୀବନ ଘେନି ମନୋରଞ୍ଜନବାବୁ ନିଜର ଅନୁଭୂତି ବର୍ଣ୍ଣନା କଲେ । ଦିନେ ଏଇ ଲୋକଙ୍କର ଅତୁଳ କର୍ମୋଦ୍ୟମସାଗର ପରିଖା ବେଷ୍ଟିତ କଙ୍କରିଳ ଭୂମିକୁ ସଭ୍ୟ ମଣିଷର ବାସୋପଯୋଗୀ କରିଥିଲା । ସୁବିସ୍ତୃତ ଫଳଉଦ୍ୟାନ–ସୁରମ୍ୟ କାଷ୍ଠନିର୍ମିତ ଅଟ୍ଟାଳିକା–ସୁନ୍ଦର ରାଜପଥ ଏହାର ନିଦର୍ଶନ । ଏ ସବୁ ମୂଳରେ ବିଦ୍ୟମାନ ଏକ ସୁଖୀ ଓ ସ୍ଵଚ୍ଛନ୍ଦ ସମାଜ । ଏ ସମାଜ ଏକ ଦିଗରୁ ବଡ଼ ପ୍ରଗତିଶୀଳ । ଏଠାରେ କେହି ଦାସ ନୁହେଁ–ନାରୀ ମର୍ଯ୍ୟାଦା ଖୁବ୍ ଉଚ୍ଚ । ଜାତିଭେଦର ଶୃଙ୍ଖଳା ନାହିଁ–ଧର୍ମର ମତାନ୍ଧତା ନାହିଁ । ନାନା ଜାତି ଓ ଧର୍ମର ଲୋକଙ୍କ ମଧ୍ୟରେ ବିବାହ ହୁଏ । ଏଠାରେ କୌଣସି ବିବାହ ଯୋଗ୍ୟା କୁମାରୀକୁ ବିବାହ ପାଇଁ ଅପେକ୍ଷା କରିବାକୁ ପଡ଼େନାହିଁ, ବା କୌଣସି ବୟସ୍କା ନାରୀକୁ ବୈଧବ୍ୟଦୁଃଖ ଭୋଗ କରିବାକୁ ହୁଏନାହିଁ । ପ୍ରାୟ ପ୍ରତି ରବିବାର ବିବାହ ପର୍ବ ଅନୁଷ୍ଠିତ ହୁଏ । ଏଠାରେ କୌଣସି ନାରୀକୁ ପତିତାର ଅମର୍ଯ୍ୟାଦା ଭୋଗ କରିବାକୁ ହୁଏ ନାହିଁ । ଲୋକଙ୍କର ନୈତିକତା ଉନ୍ନତ ମାନର । ସାଧାରଣ ଚୋରି, ଡକାୟତୀ ଦୁର୍ଲଭ । ଏବେ ଏହା କେନ୍ଦ୍ରଶାସିତ । ଏହାର ସାମୂହିକ ଉନ୍ନତି ପାଇଁ ନାନା ଭାବରେ ସରକାରୀ ଅର୍ଥ ଢଳା ହେଉଛି । ବହୁ ନୂଆ ନୂଆ ଚାକିରି ସୃଷ୍ଟି ହେଉଛି । ବ୍ୟବସାୟରେ ସମବାୟର ଭୂମିକା ମୁଖ୍ୟ । ମୂଳ ଭୂଖଣ୍ଡରୁ ବିନା ମାସୁଲରେ ଜିନିଷ ଆସେ–କୌଣସି ସ୍ଥାନୀୟ କର ପଡ଼େ ନାହିଁ । ଖାଦ୍ୟଦ୍ରବ୍ୟ ମଧ୍ୟ ସୁଲଭ । ଏତେ ସୁଯୋଗ ସ୍ଥାନୀୟ ଲୋକଙ୍କୁ କ୍ରମଶଃ ଆଳସ୍ୟପରାୟଣ ଓ ଭୋଗସର୍ବସ୍ଵ କରିଦେଇଛି । କୌଶଳୀ ଶ୍ରମିକର ଏଠି ବଡ଼ ଅଭାବ । କାଠ ଓ ରାଜମିସ୍ତ୍ରୀ ଏଠି ଘଣ୍ଟା ହିସାବରେ ମଜୁରି ନିଅନ୍ତି । ଜାତୀୟ ସ୍ଵାର୍ଥ ବୋଲି କୌଣସି ବିଚାର ଏଠି ନାହିଁ । ସମସ୍ତେ ଆତ୍ମସ୍ୱାର୍ଥମତ୍ତ । ସରକାରୀ ଋଣ ଥରେ ନେଲେ କେହି ଶୁଝିବା କଥା ଭାବନ୍ତି ନାହିଁ-। ସରକାରୀ ଅଫିସରେ କର୍ମତତ୍ପରତାର ଘୋର ଅଭାବ । ଏଠା ଅଫିସରେ କେରଳୀୟଙ୍କ ପ୍ରଭାବ ବେଶୀ । ନିଜ ଆତ୍ମୀୟ ସ୍ୱଜନ ପୋଷଣ ନୀତିରେ ଏମାନେ ଧୁରନ୍ଧର ।

 

ନିଜ ଉଦ୍ୟାନର ସୁପକ ରମ୍ଭା, ଆମଲେଟ, ଚାହା ଓ ପାନୀୟରେ ମନୋରଞ୍ଜନବାବୁ ଆପ୍ୟାୟିତ କଲେ, ଓଡ଼ିଶାରେ ତାଙ୍କର ଅତୀତ ସ୍ମୃତି ଚାରଣ କଲେ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ବିଶେଷ ବୁଦ୍ଧିମାନ୍ । କୌଣସି ଜଣେ ବାଲେଶ୍ୱରିଆଙ୍କ ହାତରେ ଯେତେ ଅସଜଡ଼ା ଶାସନ କଳ ସଜାଡ଼ି ହୋଇଯିବ । ତାଙ୍କର ଅତ୍ୟଧିକ ବାଲେଶ୍ଵର ପ୍ରୀତି ମୋତେ ହାସ୍ୟଜନକ ମନେ ହେଉଥିଲା । ଉପର ମହଲାର ଘର ବୁଲାଇ ଦେଖାଇଲେ । ଓଡ଼ିଶାର ଚାନ୍ଦୁଆ, ପରଦା ଓ ଶିଳ୍ପ ସମ୍ଭାରରେ ତାଙ୍କର ରୁଚି ବିଶେଷ ମୁଗ୍‍ଧ କଲା । ଘରର ବାଲ୍‍କୋନିରୁ ଦେଖିଲି–ନଗର ଆଲୋକମାଳା, ମେରିନ୍‍ୟାଡ–ସମୁଦ୍ରର କୃଷ୍ଣନୀଳିମା ଦିଗ୍‍ବଳୟ ଭିତରେ ମିଶିଯାଇଥିଲା ।

 

ଅଳ୍ପଦିନ ପାଇଁ ଆଣ୍ଡାମାନ ଆସିବା ଏକ ନିର୍ବୋଧତା–ଆମେ ପୋର୍ଟବ୍ଳେୟାର ଆଖପାଖରେ ଥିବା ସମସ୍ତ ଅଞ୍ଚଳ ବି ଦେଖି ପାରିଲୁ ନାହିଁ । ଆସନ୍ତା କାଲି ରବିବାର । ମନୋରଞ୍ଜନବାବୁ ଗୋଟିଏ ସୁରମ୍ୟ ଦ୍ୱୀପକୁ ଆମକୁ ନିଜ ନୌକାରେ ଘେନି ଯିବାର ପ୍ରସ୍ତାବ କଲେ । ମାତ୍ର ରବିବାର ସକାଳେ ‘କାର୍ବାଇଂ ସ୍ଳୋବ୍’ ସମୁଦ୍ରରେ ସ୍ନାନର କାର୍ଯ୍ୟକ୍ରମ ଥ‌ିବାରୁ ଆମେମାନେ ରାଜି ହେଲୁ ନାହିଁ । ତାଙ୍କଠାରୁ ବିଦାୟ ଘେନି ଶେଷ ବସରେ ଡାଏରୀ ଫାର୍ମ ବସାକୁ ଫେରିଲି । ପାହାଡ଼ଟି ଲଙ୍ଘନ କରି ଆଶ୍ରୟ ସ୍ଥଳରେ ପହଞ୍ଚିଲା ମାତ୍ରେ ସାରାଦିନର କ୍ଳାନ୍ତି ଭୁଲି ହୋଇଗଲା । ନୀରବ ନିର୍ଜନତା–ମଥା ଉପରେ ତାରାଞ୍ଚିତ ଉଦାର ଆକାଶ–ପୃଥିବୀର କଳୁଷକାଳିମା, ଦ୍ୱନ୍ଦ୍ୱ ସଂଘର୍ଷରୁ ବହୁ ଊର୍ଦ୍ଧ୍ୱରେ ଆତ୍ମାନୁଭୂତିର ଏକ ମଧୁର ଆବେଶରେ ପ୍ରାଣମନ ପରିପୂର୍ଣ୍ଣ ହୋଇଗଲା ।

Image

 

ଆଣ୍ତାମାନରେ ତୃତୀୟ ଦିନ

 

ଗୋଟିଏ ବାଛୁରୀର ‘ହମା’ ଡାକରେ ନିଦ ଭାଙ୍ଗିଲା । ସୂର୍ଯ୍ୟଦେବ କୁହେଳିମୟ ପାଣ୍ଡୁର ଦିଗ୍‌ବଳୟରେ ନୀଳକୁନ୍ତଳା ଗୋଟିଏ ପର୍ବତର ସୀମନ୍ତ ମଣି ଭଳି ଝୁଲି ରହିଛନ୍ତି । ପଣସ ଗଛର ଚିକ୍‍କଣ ବହଳ ପତ୍ରରେ ସକାଳର ଖରା ଝଲସି ଉଠୁଛି । ଆମ ବସାଘରର ଅଦୂରର ପାହାଡ଼ରୁ ଆଉ ଖଣ୍ଡେ କାଟି ସମତଳ କରାହୋଇଛି । ସେଇଠି ଘରମାଲିକଙ୍କ ଗୋରୁଗୁହାଳ । ଚାରିପାଖରେ କୌଣସି କାନ୍ଥ ନାହିଁ । ଦୁଇ ପାଖରେ ପାହାଡ଼ର ୮ । ୧୦ ଫୁଟ ଉଚ୍ଚ ତିଖ ଅତୁଟ ପ୍ରାଚୀର ଭଳି ରହିଛି । କାଠ ଖମ୍ବ ଉପରେ ଖଣ୍ଡେ ନଡ଼ା ଛପର । ଏଇଥିରେ କେତୋଟି ଗାଈ ଓ ବଳଦ ବନ୍ଧା ହୋଇଛନ୍ତି । ବାଛୁରୀଟିଏ ଆସି ଆମ ଘର ଚାରିପାଖରେ ସମତଳ ପ୍ରାନ୍ତରରେ ମନଖୁସିରେ ଦଉଡ଼ୁଛି । ବାରଣ୍ଡା ତ ପ୍ରାନ୍ତର ସଙ୍ଗେ ସମତଳ । ଠିକ୍ ମୋ ଘରଦୁଆର ସାମନାରେ ଗୋମୟ ଲେପି ଯାଇଛି ।

 

ଆମେ ସବୁ ସକାଳ ସାତଟା ବେଳକୁ କାମ ସାରି ଆବର୍ଡିନ୍ ବାହାରିଲୁ । ଓଡ଼ିଆ ସମାଜର ସହ ସମ୍ପାଦକ ଶ୍ରୀଯୁକ୍ତ ପାଢ଼ୀଙ୍କ ବସାରେ ଚା’ ଓ ଜଳଯୋଗ । ନ’ଟା ବାସ୍ ଧରି ‘କାର୍ବାଇଂ ସ୍ଲୋବ’ ରେ ସମୁଦ୍ର ସ୍ନାନ ପାଇଁ ଚାଲିଲୁ । ଆଜି ରବିବାର ଛୁଟିଦିନ । ସ୍ୱତନ୍ତ୍ର ବାସ୍ ଆବର୍ଡିନରୁ ସମୁଦ୍ର ସ୍ନାନାଥିନୀ ସ୍ନାନାର୍ଥୀଙ୍କୁ ଘେନିଯାଏ ଓ ‘କାର୍ବାଇଂ ସ୍ଲୋବ’ରେ ଦୁଇ ଘଣ୍ଟା ରହି ଫେରିଆସେ । ବାସ୍‌ରେ ଅସମ୍ଭବ ଭିଡ଼ । ତିଳାର୍ଦ୍ଧ ସ୍ଥାନ ନାହିଁ । ଭାଗ୍ୟକୁ ପଛ ଓ ପାଖ ସିଟ୍ ଦେଖି ଆମେ ଆଗରୁ ବସି ସାରିଥିଲୁ । ଜଙ୍ଗଲିଘାଟ ପର୍ଯ୍ୟନ୍ତ ପୋର୍ଟବ୍ଳେୟାରର ପରିଚିତ ଦୃଶ୍ୟ–କେତେ କାଠଘର, ଘରପାଖର ଉଦ୍ୟାନ–ଗୁଆ, ଆମ୍ବ, ସଜନା । ଗୁଆ ଗଛରେ ସୁନେଲି ରଙ୍ଗର ଗୁଆ କାନ୍ଦି–ଆମ୍ବଗଛରେ ଅଜସ କଞ୍ଚା ଆମ୍ବ–ସଜନାଗଛ କେଉଁଠି ଫୁଲ ନେନ୍ଥାରେ ଧଳା ହୋଇଯାଇଛି, ତ କେଉଁଠି ଛୁଇଁ ଦୋହଲୁଛି । କେତେ ଘର, ଆମ୍ବପତ୍ର, ରଙ୍ଗୀନ କାଗଜରେ ସଜା ହୋଇଛି–କୌଣସି ତାମିଲ ସିନେମା ସଙ୍ଗୀତ ମାଇକ୍‌ରେ ଭାସି ଆସୁଛି ।

 

ଆଜି ରବିବାର । ଅନେକ ଘରେ ହୁଏତ ବିବାହ ଉତ୍ସବ, କ୍ରମଶଃ ଘର ବିରଳ ହେଲା । ଦୁଇ ପାଖରେ ପାହାଡ଼–ମଝିରେ ରାସ୍ତା, ରାସ୍ତା ଧାରେ ଧାରେ ଘନ ଅରଣ୍ୟ । ଏଇ ଅରଣ୍ୟର ଛାୟା ନିରନ୍ଧ୍ର ପଥରେ ୧୫ । ୨୦ ମିନିଟ ଯାଇ ବାସ୍ ଗୋଟିଏ ମୋଡ଼ ଘୁରିଲା । ପଛକୁ ଗୋଟିଏ ପାହାଡ଼ ରହିଲା । ଆଗେ ଗୋଟିଏ ମୁକ୍ତ ପ୍ରାନ୍ତର–ଆଉ ଟିକିଏ ଆଗକୁ ଯାଇ ଏକ ବିସ୍ତୃତ ନାରିକେଳ ଉଦ୍ୟାନ ଧାରରେ ବାସ୍ ରହିଲା । ଏକାଧାରରେ ଗୋଟିଏ “ତାରକା ଚିହ୍ନିତ ହୋଟେଲ’’-। ବିଦେଶୀ ଟୁରିଷ୍ଟଙ୍କ ରହିବା ସ୍ଥାନ । ଏଇ ହୋଟେଲ ପଛକୁ ଗୋଟିଏ ନଣ୍ତା ପାହାଡ ।

 

କାର୍ବାଇଂ ସ୍କୋବ ସମୁଦ୍ର ଶାନ୍ତ ଓ ସ୍ୱଚ୍ଛ । ଏକାନ୍ତ ଆପଣାର ପରି ଆହ୍ୱାନ କରେ । ଦୁଇ ପାଖରେ ପାହାଡ଼–ସମ୍ମୁଖରେ ଦୁଇ ତିନି କିଲୋମିଟର ଦୂରରେ ସ୍ନାକ୍ ଆଇଲାଣ୍ଡ । ତେଣୁ ସମୁଦ୍ର ଏଡ଼େ ପ୍ରଶାନ୍ତ । ଅଗଭୀର ସ୍ୱଚ୍ଛ ପାଣିରେ ଠିଆ ହେଲେ ଢେଉ ଉପରେ ଢେଉ ଆସି ମୃଦୁ ଆଲିଙ୍ଗନ କରିଯାଏ । ବନ୍ଧୁ ଘୋଷ କହିଲେ–ଏଇ ଲୁଣମଖା ବାଲି ଦେହରେ ବୋଳି ହେଲେ, ଦେହ ପରିଷ୍କାର ହୁଏ, ଦେହରେ ବାଲି ବୋଳି ବେଶ ଘଣ୍ଟାଏ ସମୁଦ୍ରରେ ପହଁରିଲି । ପିଲାମାନଙ୍କୁ ପହଁରା ଶିଖାଇବା ପାଇଁ ଚେଷ୍ଟା ଚାଲିଲା । ସମୁଦ୍ର କୂଳରେ ଓ ପାଣିରେ କେତେକ ପିଲା ବଲ୍ ଖେଳୁଥାନ୍ତି । ନିଜ ଗାଁଆରେ (ବାଲେଶ୍ଵରର) ସମୁଦ୍ର ବେଳାରେ ମୋର ପିଲାଦିନର କେତେ ଖେଳର ସ୍ମୃତି ମନେ ପଡ଼ିଗଲା । ଏମିତି ସମୁଦ୍ର ପନ୍ତାରେ ବାଗୁଡ଼ି, ବୋହୂଚୋରି, ବାଲିଘର, ବାଲିଗଛ ଖେଳ ଖେଳୁଥିଲେ । କେତେ ଥର ଖେଳୁ ଖେଳୁ ସମୁଦ୍ର ଲହଡ଼ିରେ କଚଡ଼ା ଖାଇଛି । ସମୁଦ୍ରର ବିପୁଳ ବିସ୍ତୃତ ଦିଗ୍‌ବଳୟର ରହସ୍ୟ ଭିତରେ ଆତ୍ମସତ୍ତା ହରାଇଛି । କିନ୍ତୁ ଏତେ ଅନ୍ତରଙ୍ଗ ଭାବରେ ସମୁଦ୍ରକୁ କେଉଁଠି ପାଇନାହିଁ । ଏ ସମୁଦ୍ର ବିପୁଳ ବିସ୍ତୃତ ନୁହେଁ । ଅନନ୍ତ ରହସ୍ୟରେ ଆତ୍ମବିସ୍ମୃତ ଅଥବା ଉଦବେଳ, ଉତ୍‌ଫଣ ତରଙ୍ଗରେ ଆଘାତ କରେ ନାହିଁ । ପାଣି ଉପରେ ଭାସି, ଉତ୍କଳ ଚଳ ଚପଳ ଢେଉ ଦୋଳାରେ ଦୋହଲି ଅନନ୍ତ ଉଦାର ଆକାଶକୁ ଅଥବା ଆକାଶର ସୀମା ମାପୁଥିବା ପାହାଡ଼କୁ ଦେଖୁ ଦେଖୁ ପ୍ରକୃତିର ନୀଳ ଧୂସର ସ୍ଵପ୍ନ ହୃଦୟରେ ଆଙ୍କି ହୋଇଯାଏ । ସମୁଦ୍ରରୁ ବାହାରି ମଧୁର ପାଣିରେ ସ୍ନାନକରି ନାରିକେଳ ଛାୟା ଶୋଭିତ ବେଳାରେ ଟିକିଏ ବିଶ୍ରାମ ନେଲୁ । ଆଉ କେତେକ ଓଡ଼ିଆ ବନ୍ଧୁଙ୍କ ସହ ସାକ୍ଷାତ ଓ ଆଳାପ ହେଲା । ଜଣେ କହିଲେ–ଆପଣମାନେ ବସରେ କାହିଁକି ଯିବେ ଏଇ ନଣ୍ଡା ପାହାଡ଼ ଆର ପାଖରେ ଡାଏରୀ ଫାର୍ମ । ଆପଣମାନେ ଅନାୟାସରେ ଚାଲି ଯାଇ ପାରିବେ । ମାତ୍ର ପାହାଡ଼ ଚଢ଼ିବା କଥା ଶୁଣି ମହିଳାମାନେ ଜିଭ କାମୁଡ଼ିଲେ । ନୈବ ନୈବଚ । ସମୁଦ୍ରରେ ପହଁରି ପହଁରି ସକାଳର ଜଳଖିଆ କୁଆଡ଼େ ପେଟରେ ମିଳେଇ ଯାଇଥିଲା । ବାସ୍‌ରେ ଯାଇ ଶୀଘ୍ର ଆବର୍ଡିନର ହୋଟେଲର ଟେବୁଲ୍ ଆବୋରି ବସିବାକୁ ମୋର ଇଚ୍ଛା ହେଉଥିଲା । ବାସ୍‌ ଛାଡ଼ିବାକୁ ତୁରୀ ବଜାଇଲା । ଆଳାପ ଭାଙ୍ଗି ଚାଲିଲୁଁ ।

 

ଦି’ପହର ଭୋଜନ ପରେ କିଛି ସମୟ ସେଣ୍ଟ୍ରାଲ ଏକ୍‍ସାଇଜ ଅଫିସରେ ବସି ଆଳାପ ଆଲୋଚନାରେ କଟାଇଲୁ । ଏଇ ଛୋଟ ଦ୍ୱୀପରେ ଏଇ କେନ୍ଦ୍ରୀୟ କର ଆଦାୟ ସଂସ୍ଥାର କାର୍ଯ୍ୟ କ’ଣ ? ଦ୍ୱୀପଗୁଡ଼ିକ ଭାରତର ଦକ୍ଷିଣ ସୀମାନ୍ତର ଦ୍ୱାରଦେହଳୀ । ଦକ୍ଷିଣ ପୂର୍ବ ଏସିଆ ବିଶେଷତଃ ହଁଙ୍କଙ୍ଗ ଓ ବ୍ୟାଙ୍କକ୍ ଆଦିରୁ ଅନେକ ବିଦେଶୀ ଜିନିଷ ଚୋରି ଭାବରେ ଏଠିକି ଆସିଥାଏ । ବିଦେଶୀ ଜାହାଜ ମାଛ ମାରିବା ପାଇଁ ଆସନ୍ତି । ଭାରତର ଦରିଆରୁ ବେଆଇନ୍ ଭାବରେ କୋଟି କୋଟି ଟଙ୍କାର ମାଛ ଲୁଟି ନିଅନ୍ତି । କେତେବେଳେ କିପରି ନୌବାହିନୀ ହାତରେ ଧରା ପଡ଼ନ୍ତି । ବିଦେଶୀ ସୌଖିନ ଜିନିଷ, ମଦ ଓ ସୁନା ଏମାନେ ଆଣି ଆଣ୍ଡାମାନର କୌଣସି ନା କୌଣସି ଦ୍ଵୀପରେ ପହଞ୍ଚାଇ ଦିଅନ୍ତି । ଏସବୁ ଧରିବା ବଡ଼ କଠିନ କାମ । ମସଲା, ଅରଣ୍ୟଜାତ ସମ୍ପଦ, ହରିଣ ଚମଡ଼ା, ପ୍ଳାଇଉ‍ଡ, ସାମୁଦ୍ରିକ ପ୍ରବାଳ ଓ ଆହୁରି ନାନାବିଧ ଭାରତୀୟ ପଣ୍ୟ ଏଠାରୁ ବିଦେଶକୁ ଯାଏ ।

 

ଆଲୋଚନା ମଝିରେ ଜଣେ ସୁଦର୍ଶନ ବଙ୍ଗୀୟ ଯୁବକ ଆସି ପହଞ୍ଚିଲେ । ସେ ଜଣେ ଗ୍ରାଜୁଏଟ୍ । କଲିକତାରେ ବହୁଦିନ ଚେଷ୍ଟାକରି କୌଣସି କର୍ମସଂସ୍ଥାନ କରି ପାରି ନାହାଁନ୍ତି । ଭାଗ୍ୟ ପରୀକ୍ଷା ପାଇଁ ଆଣ୍ତାମାନ୍ ଆସିଛନ୍ତି । ଏକ୍‍ସାଇଜ୍ ସଂସ୍ଥାର ଶ୍ରୀଯୁକ୍ତ ପାଢ଼ୀ ଆଣ୍ତାମାନର ସବୁ ଅଫିସ ଓ ବ୍ୟବସାୟୀ ସଂସ୍ଥା ସହିତ ପରିଚିତ । ତେଣୁ ସେ ତାଙ୍କୁ ଧରି ଚାକିରିର ସନ୍ଧାନ କରି ଚାଲିଛନ୍ତି । ଏଠାରେ ସ୍ଥାନୀୟ ଅଧିବାସୀଙ୍କୁ ଚାକିରିରେ ପ୍ରାଧାନ୍ୟ ଦିଆଯାଏ । ବଙ୍ଗୀୟ ବାସ୍ତୁତ୍ୟାଗୀ ସମାଜ ସଙ୍ଗେ ଆତ୍ମୀୟତା ସ୍ଥାପନରେ ତତ୍ପର ଅଛନ୍ତି । ଏଇ ବାସ୍ତୁତ୍ୟାଗୀ ମାନଙ୍କର ଆଳସ୍ୟ, ନୈତିକ ଦାୟିତ୍ୱବୋଧର ଅଭାବ ବିଷୟରେ ସେ ଅଭିଯୋଗ କଲେ । ବାସ୍ତୁତ୍ୟାଗୀ ମାନଙ୍କୁ ପ୍ରଚୁର ଜମି ଦିଆ ହୋଇଛି । ଘର ତିଆରି ପାଇଁ, ଜମିର ଉନ୍ନତି ବିଧାନ ପାଇଁ ଏକକାଳୀନ ସାହାଯ୍ୟ ଓ ନାନା ଭାବରେ ସରକାରୀ ଋଣ ସୁଯୋଗ ଦିଆ ହୋଇଛି । ଏମାନେ କୌଣସି ପ୍ରକାରେ ଗୋଟିଏ ଫସଲ ଫଳାନ୍ତି । ସରକାରୀ ଋଣ ଥରେ ପାଇଲେ ଶୁଝିବାର ନାମ ଧରନ୍ତି ନାହିଁ-। ଅଧିକନ୍ତୁ ନାନା ପ୍ରାକୃତିକ ଦୁର୍ଯୋଗ, ଫସଲହାନି ଆଦି ଆଳରେ ଆହୁରି ଅଧିକ ସରକାରୀ ସାହାଯ୍ୟ ପାଇବା ପାଇଁ ଚେଷ୍ଟା କରନ୍ତି । ଶିକ୍ଷାଦୀକ୍ଷାରେ ଏମାନେ ସେପରି ଅଗ୍ରଗାମୀ ନୁହଁନ୍ତି-। ଏମାନଙ୍କୁ ପୂନର୍ବାସନ କରାଯାଇଥିବା ଗୋଟିଏ ଅଞ୍ଚଳ ଦେଖି ଆସିବା ପାଇଁ ସେ ଆମକୁ ଅନୁରୋଧ କଲେ । ସମୟ ହେଲେ ତାଙ୍କ ଅନୁରୋଧ ରକ୍ଷାକରିବୁ କହି ତାଙ୍କୁ ବିଦାୟ ଦେଲୁ ।

 

ସରକାରୀ କର୍ମଚାରୀମାନଙ୍କର କଲୋନି ‘ଗୋଲଘର’ । ଏଇଠି ଓଡ଼ିଆ ସମାଜର ସମ୍ପାଦକ ଡକ୍ଟର ପଣ୍ଡା ରହନ୍ତି । ସେ ମୃଷ୍ଟିମେୟ ଓଡ଼ିଆ କର୍ମଚାରୀଙ୍କ ମଧ୍ୟରେ ପ୍ରବୀଣ । ପୋର୍ଟବ୍ଳେୟାର ଗୋବିନ୍ଦ ବଲ୍ଲଭ ପନ୍ଥ ହସ୍‍ପିଟାଲରେ ସେ ଓ ତାଙ୍କର ସ୍ତ୍ରୀ ଡାକ୍ତର । ଏଇଟି ଆଣ୍ଡାମାନର ପ୍ରଧାନ ହସପିଟାଲ । ଆବାରର୍ଡିନ ବସ୍‍ଷ୍ଟାଣ୍ଡରୁ ଗୋଲଘର ଯିବାକୁ ବସ୍‍ ଧରିଲୁ । ଚଳମାନ ବସରୁ ଦେଖିଲୁ ଅସ୍ତ ସୂର୍ଯ୍ୟର ଲୋହିତ ରଶ୍ମି ଗୋଟିଏ ପର୍ବତର ଚୂଡ଼ାର ଉତ୍କଳ କପାଳରୁ ଧୀରେ ଧୀରେ ଲିଭି ଯାଉଥିଲା । ପର୍ବତର ଅତଟ ଦେଶରେ ବସ୍‍ରୁ ଓହ୍ଲାଇଲୁ । ଏଇ ପ୍ରଧାନ ରାଜପଥର ଅନେକ ତଳେ ବଡ଼ ସମତଳ ସ୍ଥାନରେ ଅନେକ ଘର ଦେଖାଯାଉଥିଲା । ଆମେ ଗୋଟିଏ ଗଡ଼ାଣିଆ ରାସ୍ତାରେ କିଛି ଦୂର ଯାଇ ସେଠାରେ ପହଞ୍ଚିଲୁ । ଏକ ପ୍ରକାର ଘର, କଂକ୍ରିଟ୍ ରାସ୍ତା ଘର ସମ୍ମୁଖରେ ଛୋଟ ଛୋଟ ଉଦ୍ୟାନ । ଗୋଟିଏ ଘର ଆଗରେ ବୃଦ୍ଧା ଜଣେ ଗୋଟିଏ ପିଲାକୁ ଖେଳାଉଥିଲେ । ପାଢ଼ୀବାବୁ ପଚାରିଲେ “ମାଉସୀ କ’ଣ କରୁଛ ? ଆପଣଙ୍କ ଘରକୁ ଆଜି ଅନେକ କୁଣିଆ ଆସିଛନ୍ତି ।” ସେ ଆମମାନଙ୍କୁ ଘେନିଯାଇ ବସିବା ଘରେ ବସାଇଲେ । ଡକ୍ଟର ଶ୍ରୀମତୀ ପଣ୍ଡାଙ୍କ ଠାରୁ ଜାଣିଲୁ ଡକ୍ଟର ପଣ୍ଡା କିଛି ସମୟ ଆଗରୁ ବାହାରକୁ ଯାଇଛନ୍ତି । ପୂର୍ବଦିନ ଆମ ଆସିବା ସମ୍ବାଦ ଡକ୍ଟର ଚୌଧୁରୀ ଦେବାର ଥିଲା । ମାତ୍ର ସେ ଖବରଟି ଦେଇ ନଥିଲେ । ଶ୍ରୀମତୀ ପଣ୍ଡା କମଳା ରସର ସରବତ୍ ଦେଇ ଆପ୍ୟାୟିତ କଲେ । ଆଣ୍ତାମାନର ଚିକିତ୍ସାବ୍ୟବସ୍ଥା ଓ ଆଦିବାସୀମାନଙ୍କ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧରେ ସେ ନିଜର ଅନୁଭୂତି ବର୍ଣ୍ଣନା କଲେ । ପୋର୍ଟବ୍ଲେୟାର ଆଣ୍ତାମାନର ସର୍ବବୃହତ ସହର । ମାତ୍ର ଏଠାରେ କୌଣସି ଘରୋଇ ଚିକିତ୍ସକ ନାହାନ୍ତି । ଔଷଧ ଦୋକାନ ମଧ୍ୟ ବିରଳ । ସରକାରୀ ଡାକ୍ତରଖାନାରେ ଡାକ୍ତର ସଂଖ୍ୟା ରୋଗୀ ତୁଳନାରେ ଅଳ୍ପ ନୁହେଁ । ଏଠାରେ ସବୁ ପ୍ରକାର ଔଷଧ ଜନସାଧାରଣଙ୍କୁ ଯଥୋଚିତ ପରିମାଣରେ ମିଳିଥାଏ । ଏଠା ଜଳବାୟୁ ସମଶୀତୋଷ୍ଣ ଓ ସ୍ଵାସ୍ଥ୍ୟପ୍ରଦ । ଋତୁ ପରିବର୍ତ୍ତନ ଜନିତ ସାଧାରଣ ପୀଡ଼ା କମ୍ ହୁଏ । ପୁଣି ଭାରତର ଅନ୍ୟ ବଡ଼ ସହର ପରି ବାୟୁମଣ୍ଡଳ ଆଦୌ ଦୂଷିତ ନୁହେଁ । ମଶା ଓ ମାଛିଙ୍କ ଉପଦ୍ରବ ନାହିଁ । ରୋଗ ସହଜରେ ବ୍ୟାପେ ନାହିଁ । ତେଣୁ ଆଧୁନିକ ସ୍ୱାସ୍ଥ୍ୟ ସଚେତନ ଶିକ୍ଷିତ ଲୋକଙ୍କ ପାଇଁ ସରକାରୀ ଚିକିତ୍ସା ବ୍ୟବସ୍ଥା ଅତି ସନ୍ତୋଷଜନକ ଭାବରେ କାମ କରିଥାଏ । ଆଣ୍ଡାମାନର ପ୍ରକୃତ ଅଧିବାସୀ ଆଦିବାସୀମାନେ । ଏବେ ସେମାନଙ୍କର ସଂଖ୍ୟା ହ୍ରାସ ପାଇଛି ବୋଲି ନୃତତ୍ତ୍ୱବିତ୍ ଓ ସମାଜସେବୀମାନେ ବିବ୍ରତ । ଏମାନେ ଆଧୁନିକ ଚିକିତ୍ସା ବ୍ୟବସ୍ଥାର କୌଣସି ବିନିଯୋଗ କରନ୍ତି କି ? ଶ୍ରୀମତୀ ପଣ୍ତା କହିଲେ–ଆଦିବାସୀଙ୍କ ସମସ୍ୟା ଚିକିତ୍ସା ନୁହେଁ, ପରିବେଶଗତ ପରିବର୍ତ୍ତନର ସମସ୍ୟା । ଆଦିବାସୀମାନେ ପ୍ରକୃତି କୋଳରେ କଠୋର ଶ୍ରମ ଓ ସ୍ଵଳ୍ପ ସମ୍ପଦ ମଧ୍ୟରେ ଜୀବନ ବିତାଉଥିଲେ । ସଭ୍ୟତା ସେମାନଙ୍କୁ ନୂତନ ପରିବେଶ ଓ ପ୍ରାଚୁର୍ଯ୍ୟ ଆଣିଦେଇଛି । ସ୍ୱାସ୍ଥ୍ୟଦକ୍ଷାର ସଂଯମ ଓ ଶୃଙ୍ଖଳା ରକ୍ଷା କରି ନପାରି ସେମାନେ ବ୍ୟାଧିଗ୍ରସ୍ତ ହୋଇପଡ଼ୁଛନ୍ତି । ବେଶି ପରିମାଣରେ ମସଲା ଓ ଶ୍ଵେତସାର ଖାଦ୍ୟ, ଧୁମ୍ରପାନ ଓ ଯୌନରୋଗ ସେମାନଙ୍କ ବଂଶହାନିର କାରଣ । ତଥାପି କେତେକ ପରିମାଣରେ ଆଦିବାସୀମାନେ ଏବେ ସ୍ଵାସ୍ଥ୍ୟ ସଚେତନ । ସେମାନେ ରୋଗର ପୀଡ଼ା ନୀରବରେ ଭୋଗ ନକରି ଆଧୁନିକ ଚିକିତ୍ସାର ସୁଯୋଗ ନେବାକୁ ଆଗଭର । ଆମମାନଙ୍କ ଆଳାପ ମଧ୍ୟରେ ଜଣେ ଓଡ଼ିଆ ଭଦ୍ରଲୋକ ଜଗନ୍ନାଥଙ୍କ ରଙ୍ଗୀନ ଚିତ୍ରପଟ୍ଟଟିଏ, ଓଡ଼ିଆ ସମାଜର କର୍ମକର୍ତ୍ତାମାନଙ୍କର ଗୋଟିଏ ଗ୍ରୁପ୍ ଫଟୋ ଧରି ପହଞ୍ଚିଲେ-। ଶ୍ରୀ ପ୍ରାଣକୃଷ୍ଣ ସ୍ୱାଇଁ ଯାଜପୁର ଅଞ୍ଚଳର ଜଣେ ସମାଜସେବୀ । ସେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ଆଣ୍ଡାମାନ ଓଡ଼ିଆମାନଙ୍କୁ ଏକତ୍ର କରି ଓଡ଼ିଆ ସମାଜ ଗଢ଼ିଛନ୍ତି । ସେ ପୋର୍ଟବ୍ଳେୟାରରେ ଗୋଟିଏ ଜଗନ୍ନାଥ ମନ୍ଦିର ସ୍ଥାପନ ପାଇଁ ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି-। ପୋର୍ଟବ୍ଳେୟାର ଆସିବା ପୂର୍ବରୁ ବୃହତ୍ତର କଲିକତା ଉତ୍କଳ ସମାଜର ସଭାପତି ଶ୍ରୀଯୁକ୍ତ ଆକୁଳି ମିଶ୍ରଙ୍କ ନିକଟରୁ ତାଙ୍କ କଥା ଶୁଣିଥିଲି । ଭଦ୍ରଲୋକ ଚାଥମ କରତକଳର ଜଣେ ସାଧାରଣ କର୍ମୀ, ଓଡ଼ିଆ ସମାଜର ଅଗ୍ରଗତିରେ ତାଙ୍କର ଗଭୀର ଆଗ୍ରହ । ସେ ଆମକୁ ଚାଥମ କରତକଳ ଦେଖିଯିବାକୁ ବିଶେଷ ଅନୁରୋଧ କରିଥିଲେ ।

 

ଡାକ୍ତର ପଣ୍ଡାଙ୍କ ଆସିବାକୁ ବିଳମ୍ବ ହେଲା । ଆମେ ଡାଏରୀ ଫାର୍ମ ଫେରିଲୁ । ଫେରିବା ବାଟରେ ଜଙ୍ଗଲୀ ଘାଟ ଅଞ୍ଚଳରେ ଗୋଟିଏ ହୋଟେଲରେ ରାତ୍ରିଭୋଜନ କଲୁ । ଦେଢ଼ଟଙ୍କିଆ ଦକ୍ଷିଣ ଭାରତୀୟ ମିଲ୍ ସଙ୍ଗରେ କେହି ମାଛ ଓ କେହି କୁକୁଡ଼ା ମାଂସ ଖାଇଲେ । ଲଙ୍କା ଓ ରାଗକୁ ଡରି ମୁଁ ଓ ଶ୍ୟାମବାବୁ କେବଳ ସାଧା ତରକାରୀ ଓ ରୁଟି ଖାଇଲୁ ।

 

ଡାଏରୀ ଫାର୍ମର ପର୍ବତ ଉପରର ଆମ ବସାଘରକୁ ପାଦଚଲା ଉଠାଣି ରାସ୍ତାରେ ଉଠିଲୁ । ଉଠୁ ଉଠୁ ଅଧରାସ୍ତାରେ ହଠାତ୍ ଅନ୍ଧକାରର କଳା ପରଦା ଆଖି ଆଗରେ ଟାଣି ହୋଇଗଲା । ଏଇ ଅଞ୍ଚଳରେ କରେଣ୍ଟ ଫେଲ କରିଥାଏ । କିଛି ସମୟ ଠିଆ ହେଲୁ । ଦୂରରୁ ଆଉ ଗୋଟିଏ ପର୍ବତରେ ଆଲୋକମାଳା ଆକାଶର ତାରକାରାଜି ସହିତ ମିଶିଗଲା ପରି ବୋଧ ହେଉଥାଏ । ସତେ ଯେପରି ତାରାମଣ୍ଡିତ ଆକାଶରୁ ଖଣ୍ଡେ ପୃଥିବୀରେ ଲାଗିରହିଛି । ମଥା ଉପରେ ସ୍ଵଚ୍ଛ ଆକାଶ । ଅଦୂର ପର୍ବତର ସବୁଜ ବୃକ୍ଷଲତା ନୀଳାଭ ଉଜ୍ଜ୍ୱଳତାରେ ଭାସି ଉଠୁଥିଲା । କିଛି ସମୟ ପରେ ଅନ୍ଧକାର ସହିତ ଆତ୍ମୀୟତା ଆସିଗଲା । କେତେ ଅନ୍ଧକାର ରାତ୍ରିରେ, ବର୍ଷା ବିଜୁଳିରେ ଗହୀର ଦଣ୍ଡାରେ, ଅପନ୍ତରା ଜଙ୍ଗଲ ରାସ୍ତାରେ ଚାଲିଛି । ଅନ୍ଧାର ସହିତ ଆତ୍ମୀୟତା ନଥିଲେ ଏବେ ବି ଗ୍ରାମୀଣ ଜୀବନ ଅସହାୟ ଲାଗିବ । ଏଇ ଅନ୍ଧକାର ମଧ୍ୟରେ ପାଖର ଗଛ, ପାହାଡ଼ ତଳର ଧାନ କ୍ଷେତ, ପାହାଡ଼ ଅତଟର କାନ୍ଥ ସବୁ ଯେପରିକି ବାରି ହୋଇଯାଉଥିଲା । ଧୀରେ ଧୀରେ ଆଗେଇଲୁ । ୧୫ ମିନିଟ୍ ବାଟ ହୁଏତ ଅଧଘଣ୍ଟା ଲାଗିଲା । କିନ୍ତୁ ଅନ୍ଧକାରରେ ଆମର ସେଇ ପରିଚିତ ଗୃହ ଅଙ୍ଗନର ଆଉ ଏକ ରୂପ ଫୁଟିଉଠିଲା–ଅନ୍ତରଙ୍ଗ ନୈକଟ୍ୟର ଉଷ୍ମତା ଘେନି–ମନେ ମନେ ଭାବୁଥିଲି–

 

–‘ଆଲୁଅ ତାର କି ମନୋହର

ଅନ୍ଧକାର ତା’ଠାରୁ ଭଲ ।’

Image

 

ଆଣ୍ତାମାନରେ ଚତୁର୍ଥ ଦିନ

 

କ୍ୟାଣ୍ଡାଲ ଆଲୁଅରେ ବିଛଣା ସଜାଡ଼ି ଶୋଇ ପଡ଼ିଲୁ । ପଙ୍ଖା ନାହିଁ । ନୀରବ ନିର୍ଜନତା ଭିତରେ କ୍ଳାନ୍ତ ଦେହ ମନରେ ନିଦ୍ରା ପ୍ରଶାନ୍ତିର ପ୍ରଲେପ ବୋଳି ଦେଲା । କେତେବେଳେ ଏକ ଅଜଣା ତନ୍ଦ୍ରା ସୁଷୁପ୍ତିର ରହସ୍ୟ ରାଜ୍ୟରେ ପ୍ରବେଶ କଲା । ସତେ ଯେମିତି ଧାରା ଶ୍ରାବଣର ନିଶୀଥ ବର୍ଷା ସ୍ତବ୍‌ଧ ରାତ୍ରିକୁ ସଙ୍ଗୀତ ମୁଖର କରିଚାଲିଛି । ଭେକରାବ ବା ଅଶନି ଗର୍ଜନ ନାହିଁ । ବର୍ଷାର ଧାରାରେ ପାଖ ପଣସ ଗଛର ପତ୍ରରେ ମନ୍ଦିରର କଳଧ୍ଵନି ସୃଷ୍ଟି ହୋଇଛି । ସତେ ଯେପରି ନୃତ୍ୟ ପାଇଁ ଅପେକ୍ଷାରତ କେହି ନଟୀର ନୂପୂରର ନିକ୍ୱଣ–ଅଲକ୍ଷ୍ୟରେ ବାଜି ଉଠୁଛି କେଉଁ ଏକ ଯବନିକାର ନେପଥ୍ୟରୁ । ନୈଶବର୍ଷ । ଆଣ୍ଡାମାନ ପ୍ରକୃତିର ଏକ ବିଶେଷ ଦାନ । ବର୍ଷାର ମଧୁର ଜଳ ହିଁ ଆଣ୍ଡାମାନ ଅଧିବାସୀଙ୍କ ପ୍ରାଣ ପୋଷଣର ପ୍ରଧାନ ସମ୍ପଦ । ତା’ ନୋହିଲେ ସାଗର ସୁନ୍ଦରୀଙ୍କୁ ଝୁରି ହେବାକୁ ପଡ଼ନ୍ତା–“Water Water everywhere, not a drop to drink” “ଚଉଦିଗେ ଜଳ ଜଳ ଆଉ ଜଳ ବିନ୍ଦୁଏ ନାହିଁ ମୂଖେ ତୃଷାର୍ତ୍ତର” ।

 

ବର୍ଷଧୁଆ ପ୍ରକୃତିର ସ୍ୱଚ୍ଛ ନିର୍ମଳ ରୂପ ଉଷାର କନକ ଆଭାରେ ଉଜ୍ଜ୍ୱଳ ହୋଇ ଉଠିଲା । ସାଗର ଦୋଳିରେ ଦୋହଲି ଅରୁଣ ରଥ ଯେପରିକି ଗୋଟିଏ ଲମ୍ଫରେ ପର୍ବତ ଚୂଡ଼ାରେ ଆସି ପହଞ୍ଚିଥିଲା । ସହଳ କାମ ଶେଷକରି ରସ୍ ଦ୍ୱୀପ ଦେଖିବାକୁ ଗୋଟିଏ ନୌକା ଯୋଗାଡ଼ କରିବାକୁ ମୁଁ ଆବାରର୍ଡିନ ମ୍ୟାରିନ୍ ଇଞ୍ଜିନିୟରଙ୍କ ଅଫିସକୁ ଯିବାକୁ ଶ୍ରୀଯୁକ୍ତ ପାଢ଼ୀଙ୍କ ସଙ୍ଗେ ବାହାରିଲି । ଅଶୋକ ଓ ମଞ୍ଜୁଳା ମୋ ସଙ୍ଗରେ ଚାଲିଲେ । ଦୋଷା ଇଟିଲିରେ ଅରୁଚି ଧରିଥିଲା । ଗୋଟିଏ ଦୋକାନରେ ପୂରୀ ତରକାରୀ ମିଳିଲା । ଜଳଖିଆ ପର୍ବ ଶେଷ ହେଲା । ଇତିମଧ୍ୟରେ ସାହୁବାବୁ ଆସି ଯୋଗଦେଲେ । ଆଠଟାବେଳେ ଆମେ ଯାଇ ମ୍ୟାରିନ୍‍ୟାର୍ଡ ଅଫିସରେ ମ୍ୟାରିନ୍ ଇଞ୍ଜିନିୟର ମନୋରଞ୍ଜନବାବୁଙ୍କୁ ସାକ୍ଷାତ କଲୁଁ । ମନୋରଞ୍ଜନବାବୁ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଚାହା ଖୁଆଇଲେ-। ଆଜି ହର୍ଷବର୍ଦ୍ଧନ ଆସିଛି । ତେଣୁ ନୌକା ସବୁ ମାଲ ଓ ଯାତ୍ରୀଙ୍କୁ ନେବାରେ ବ୍ୟସ୍ତ । ପାଇବା କଷ୍ଟ । ନୈରାଶ୍ୟ ବାଣୀରେ ପ୍ରଥମେ ହତାଶ ହେଲୁଁ । ଅଧଘଣ୍ଟାଏ ପରେ ତାଙ୍କର ଅଧସ୍ତନ କର୍ମଚାରୀମାନେ ଆସିଲେ । ସାଢ଼େ ୧୨ଟା ପରେ କୌଣସିମତେ ବୋଟ୍‍ଟିଏ ବନ୍ଦୋବସ୍ତ କରିଦେବେ । ବୋଟ୍ ପାଇଁ ଶହେଟି ଟଙ୍କା ଆଡଭାନ୍‍ସ ଦେବାକୁ ହେଲା । ହାତରେ ଆହୁରି ୩ । ୪ ଘଣ୍ଟା ସମୟ । ମ୍ୟାରିନା ପାର୍କର ଫିସେରିଜ୍ ମିଉଜିୟମ, ମତ୍ସ୍ୟ ପ୍ରଦର୍ଶନୀଶାଳା ଦେଖିବା କଥା ସ୍ଥିର କଲୁଁ ।

 

ଇତିମଧ୍ୟରେ ଆମ ଦଳର ଅନ୍ୟମାନେ ଆସି ସାରିଥିଲେ । ବଜାଜ୍ ସ୍କୁଟର ଦୋକାନର ଜଣେ ଓଡ଼ିଆ କର୍ମୀ–କିଛିଦିନ ହେଲା ଭୁବନେଶ୍ୱରରୁ ଆସିଛନ୍ତି । ଶ୍ୟାମବାବୁଙ୍କର ଗୋଟିଏ ଔଷଧ ଆବାରର୍ଡିନ୍‍ରେ କିଣିବା ପାଇଁ ମିଳିଲା ନାହିଁ । ସେ ହୁଡୋରେ ଏଇ ଔଷଧଟିର ସନ୍ଧାନ ପାଇଁ ବାହାରିଲେ । ବୀତଶୋକ ତାଙ୍କ ସ୍କୁଟରରେ ଗଲା । ହୁଡୋ, ଆଲଲାଣ୍ଟା ପାଇଣ୍ଟର ଜେନେରାଲ୍ ହସ୍‍ପିଟାଲ ପୋର୍ଟର୍ବ୍ଲେୟାରର ଅନ୍ୟ ସମସ୍ତ ବଜାର ତାର ବୁଲା ହୋଇଗଲା । ସ୍ଵଦେଶରୁ ଆଗତ ଅତିଥିମାନଙ୍କର ଯତ୍ନ ନେବାକୁ ସମସ୍ତଙ୍କର ଏତେ ତତ୍ପରତା ଆମ ସମସ୍ତଙ୍କୁ ବିସ୍ମିତ କଲା ।

 

ଆଲଲାଣ୍ଟା ପାଇଣ୍ଟ ପର୍ବତର ଅତଟରେ ଗୋଟିଏ ବଡ ସୌଧ ପୋର୍ଟବ୍ଲେୟାରର ଜେନେରାଲ ପୋଷ୍ଟ ଅଫିସ୍ । ରାସ୍ତାର ଅପର ଦିଗରେ ଗୋଟିଏ ସୁନ୍ଦର ଉଦ୍ୟାନ, ତା’ ମଧ୍ୟରେ ଏକ ମହଲା ଘରଟିଏ ମତ୍ସ୍ୟବିଭାଗର ପ୍ରଦର୍ଶନୀଶାଳା । ମନେହେଲା ରତ୍ନଗର୍ଭା ସିନ୍ଧୁର ସମସ୍ତ ଭଣ୍ଡାର ସତେ ଯେପରିକି ସୁସଜ୍ଜିତ କରି ରଖାଯାଇଛି, ଦର୍ଶକଙ୍କ ପାଇଁ । ପ୍ରବେଶ ଗୃହରେ କାଚ ସୋକେଶ ମଧ୍ୟରେ ନାନା ରଙ୍ଗ ବେରଙ୍ଗର ପ୍ରବାଳ । ଅଗଭୀର ସମୁଦ୍ରର ସ୍ଵଚ୍ଛ ବାରିରାଶି ମଧ୍ୟରେ ସମୁଦ୍ରର ତଳ ପ୍ରଦେଶରୁ ପ୍ରବାଳର ରିଫ୍ ଦେଖି ଦେଖି ନୌକା ବିହାରର ସୁଯୋଗ ଆମର ହୋଇନାହିଁ । ମାତ୍ର ସଂଗ୍ରହ ଶାଳାରେ ପ୍ରବାଳ ଦେଖି ତା’ର ସୌନ୍ଦର୍ଯ୍ୟ ସମ୍ପର୍କରେ କିଞ୍ଚିତ ଧାରଣା କଲି । ପ୍ରବାଳ ମଧ୍ୟରେ ଶୈବାଳ, ତୃଣ ଓ ବିଚିତ୍ର ରଙ୍ଗର ମତ୍ସ୍ୟ ବର୍ଣ୍ଣବିଭାର ଏକ ଏକ ମନୋଜ୍ଞ ଜଗତ ସୃଷ୍ଟି କରିଥାଏ । ଆଉ ଏକ କୋଠରୀରେ ସାମୁଦ୍ରିକ ମତ୍ସ୍ୟର ସଂଗ୍ରହଶାଳା । ହଲ୍ ମଝିରେ ଏକ ବୃହଦକାୟ ହାଙ୍ଗରର କଙ୍କାଳ, ଗୋଟିଏ ତିମି ମାଛର ଖପୁରି ସହଜରେ ଦୃଷ୍ଟି ଆର୍କଷଣ କଲା-। ସ୍ଥାନୀୟ ବହୁ ପ୍ରକାର ମାଛ ନାମର ତାଲିକା, ଛବି ଓ କାଚ ପାତ୍ରରେ ଔଷଧ ମଧ୍ୟରେ ମାଛ ସବୁ ବୁଲି ବୁଲି ଦେଖିଲୁ । ତାରାମାଛ Starfish ପିଠି ଉପରେ ତାରକା–ତଳେ ଅସଂଖ୍ୟ ଗୋଡ଼–ଗ୍ଲୋବ୍ ଫିସ୍–ପେଟଟି ଗୋଟିଏ ବଲ୍ ଭଳି ଓ ପିଠି ଗୋଟିଏ ଓଲଟା ନୌକା ଭଳି–କେତେ ରଙ୍ଗର ମାନ୍ଥ ସତେ ଯେପରି ଜୀବନ୍ତ ହୋଇ ରହିଛନ୍ତି । ଆଉ ଗୋଟିଏ ହଲରେ ନାନାପ୍ରକାର ନୌକା ମଡେଲ ଓ ମାଛ ଧରିବା ସରଞ୍ଜାମ ସୁରକ୍ଷିତ । ତଥାପି ସମୟ ହୋଇନାହିଁ । ଆମେ ସବୁ ମେରିନା ପାର୍କକୁ ଗଲୁଁ । ରବୀନ୍ଦ୍ର ମୂର୍ତ୍ତି ପାଖରେ ଗୋଟିଏ ବଡ଼ ଗଛର ଛାୟାରେ ସିମେଣ୍ଟ ବେଞ୍ଚ ଉପରେ ବସିଲି । ଘିଅ ରଙ୍ଗର ଗୋଲ ଗୋଲ ଫଳ କେତୋଟି ସ୍ମାରକ ରୂପେ ଆଣିଲି । ଜଣେ ଗଛର ଫଳ ଗୋଟାଉ ଥିଲେ । ଏଇ ଫଳରୁ ତେଲ ବାହାରେ । ଚିରହରିତ, ବିରାଟ ମହୀରୂହଟି ସମଗ୍ର ପାର୍କରେ ସମ୍ରାଟ ଗୌରବରେ ଠିଆ ହୋଇଥିଲା । ଏହାର ଆକାଶଚୁମ୍ବୀ ଶାଖାରେ ସାମୁଦ୍ରିକ ପକ୍ଷୀମାନେ ଆଶ୍ରୟ ନେଇ ପୁଣି ସମୁଦ୍ର ଆଡ଼କୁ ଚକ୍‌କର ଦେଇ ଉଡ଼ିଯାଇଥିଲେ । ଉଜ୍ଜ୍ୱଳ ଖରାରେ ସେମାନଙ୍କ ପ୍ରସାରିତ ପକ୍ଷ ଆକାଶର ନୀଳିମା ଭେଦକରି ସମୁଦ୍ର ଓ ଆକାଶର ମିଳନର ବୃତ୍ତ ରେଖା ମଧରେ ହଜି ଯାଇଥିଲା ।

 

ଆବରର୍ଡିନର ପରିଚିତ ନେସନ୍ୟାଲ୍ ହୋଟେଲକୁ ମଧ୍ୟାହ୍ନ ଭୋଜନ ପାଇଁଗଲୁ । ଲଙ୍କା ଓ ଲୁଣର ଉପଦ୍ରବ କିଛି କମ୍‍ । ଗତକାଲି ଅମୃତଭଣ୍ଡା ଓ ନଡ଼ିଆ ତରକାରୀ ଅତି ରୁଚିକର ହୋଇଥିଲା । ତା’ର ସ୍ଵାଦ ଭୁଲି ନ ଥିଲି । ଆଜି କିନ୍ତୁ ଭେଣ୍ଡି, ପୁଣି ସବୁଯାକ ବୁଢ଼ା ଭେଣ୍ଡି । ପ୍ରାୟ ଅଖାଦ୍ୟ । ସମ୍ବର, ପାଚୋଡ଼ି ଥାରଣା ମାଛର ବେସରରେ କୌଣସିମତେ କିଛି ଅନ୍ନ ଉଦରସାତ୍‍ କଲି ।

 

ମ୍ୟାରିନ୍‍ୟାତ୍‍ ଜେଟିରେ ନୌକା ଅପେକ୍ଷା କରୁଥିଲା । ଛୋଟ ନୌକାଟିଏ, ଭିତରେ ଗୋଟିଏ କେବିନ୍‍ । ତିନିପାଖରେ ସିଟ୍ । ସିଟରେ ଗଦି, ରେକ୍‌ସିନ୍ ଆଚ୍ଛାଦିତ । ଛ’ ଜଣ ଆରାମରେ ବସି ପାରିବେ । କେବିନ୍‍ ଆଗରେ ଇଞ୍ଜିନ୍‍ । ସମ୍ମୁଖରେ ଡେକରେ ଦୁଇଟି ବେଞ୍ଚ । ସମୁଦ୍ରର ଦୃଶ୍ୟ ଦେଖିବାକୁ ପିଲାମାନେ ସେଇଠି ବସିଲେ । ମୁଁ କେବିନ୍‍ଟି ଖାଲି ପାଇ ଶୋଇ ପଡ଼ିବାକୁ ଚେଷ୍ଟା କଲି । ଇଞ୍ଜିନ୍ ଶବ୍ଦରେ ତରୀଟି ଥରି ଉଠିଲା । ଗୋଟିଏ ଝରକା ଖୋଲି ସମୁଦ୍ରର ଦୃଶ୍ୟ ଦେଖିବାକୁ ଚେଷ୍ଟାକଲି । ଆଗରେ ଉତ୍ତାଳ ସମୁଦ୍ର । ନାଉରୀଙ୍କ ମଧ୍ୟରୁ ଜଣେ ଆସି ଝରକାଟି ବନ୍ଦ କରିଦେଲେ–ନୋହିଲେ ନୌକା ମଧ୍ୟରେ ପାଣି ପଶିଯିବ । ଚାହୁଁ ଚାହୁଁ ତରୀଟି ବିଶେଷ ଆନ୍ଦୋଳିତ ହେବାକୁ ଲାଗିଲା । ସମୁଦ୍ର ତରଙ୍ଗମାଳା ଭେଦକରି କଳ କୋଳାହଳରେ ନୌକା ଆଗେଇ ଚାଲିଲା । ଦୂରରୁ ସମୁଦ୍ର ନୀଳ ଦିଗ୍‍ବଳୟରେ ଚେନାଏ ସବୁଜ ଦେଖାଯାଉଥିଲା-। ପ୍ରାୟ ୨୦ ମିନିଟ୍ ମଧ୍ୟରେ ଆମେ ରସ୍‍ଦ୍ୱୀପ ଜେଟିରେ ପହଁଞ୍ଚିଗଲୁ ।

 

ପୋର୍ଟବ୍ଳେୟାର ନିକଟରେ ଛୋଟ ବଡ଼ କେତେଗୁଡ଼ିଏ ଦ୍ୱୀପ ଅଛି । ଏଗୁଡ଼ିକ ମଧ୍ୟରେ ରସ୍‍ (0.645 S. Km) ବଡ଼ । ଚାଥମ (0.155 S. Km) କରତକଳ ପାଇଁ ଓ ଓ୍ୟାଇପର (0.46) ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଖ୍ୟାତ । ପୋର୍ଟବ୍ଲେୟାରର ଆଟଲାଣ୍ଟା ପାଇଣ୍ଟ ଉପରୁ ଏଇ ଦ୍ୱୀପଟି ଦେଖିହୁଏ । ଭାରତ ମହାସାଗରର ତରଙ୍ଗମାଳା ଏଇ ଦ୍ୱୀପର ଶିଳାନାସୀ ଉପରେ ଅନବରତ ଆଘାତ କରୁଥାଏ । ପୋର୍ଟବ୍ଳେୟାର ଥିଲା ବନ୍ଦୀଙ୍କ ନିବାସସ୍ଥାନ । ତା’ର ଅଦୂରରେ ଏଇ ଦ୍ୱୀପଟିରେ ଇଂରେଜ ଶାସନ କର୍ତ୍ତାଙ୍କ ଆବାସ ଓ ଅଫିସ୍ ଗୃହ ନିର୍ମିତ ହୋଇଥିଲା । ୧୯୪୨ ମାର୍ଚ୍ଚ ୨୨ ତାରିଖରେ ଆଣ୍ଡାମାନ ଓ ନିକୋବରର ଚିଫ୍ କମିଶନର ୱାଟରଫଲ ଏଇଠି ଜାପାନୀଙ୍କଦ୍ୱାରା ବନ୍ଦୀ ହୋଇଥିଲେ । ଜାପାନୀମାନେ କାର୍ଯ୍ୟତଃ ଆଣ୍ତାମାନ ଶାସନ କରୁଥିଲେ ବି ସେମାନେ ଏହାର ନିୟମ ତାନ୍ତ୍ରିକ ଶାସନ ଆଜାଦ୍‍ ହିନ୍ଦୁ ସରକାର ହାତରେ ଅର୍ପଣ କରିଥିଲେ । ୧୯୪୩ ଶେଷ ଆଡ଼କୁ ନେତାଜୀ ସୁଭାଷ ଆଣ୍ଡାମାନ ଭ୍ରମଣରେ ଆସି ଏଇଠି ରହିଥିଲେ । ସେ ସ୍ଵାଧୀନ ଭାରତର ପତାକା ଉଡ଼ାଇଥିଲେ । କର୍ଣ୍ଣେଲ ଲୋକନାଥ୍‍ନଙ୍କୁ ଏଠାର କମିଶନର ନିଯୁକ୍ତ କରିଥିଲେ । ଜାପାନୀମାନେ ଏଇ ଦ୍ୱୀପର ସୁରକ୍ଷାପାଇଁ ବିଶେଷ ବ୍ୟବସ୍ଥା କରିଥିଲେ । କିନ୍ତୁ ୧୯୪୫ରେ ଇଂରେଜଙ୍କ ବୋମାରୁ ବିମାନର ଆକ୍ରମଣରେ ଏଇ ଦ୍ୱୀପର ସମସ୍ତ ସୌଧ ଭଗ୍ନସ୍ତୁପରେ ପରିଣତ ହୋଇଥିଲା । ଏଇ ଦ୍ୱୀପଟି କ୍ରମଶଃ ସମୁଦ୍ରରେ ବୁଡ଼ିଯାଇଛି ବୋଲି ତଦ୍‍ବିଦ୍‍ଙ୍କ ଧାରଣା । ଯୁଦ୍ଧ ପରବର୍ତ୍ତୀ ପୂନନିର୍ମାଣ କାଳରେ ଏଠାରେ କୌଣସି ଭଗ୍ନଘର ସଂସ୍କାର ହେଲାନାହିଁ । ଏହି ପରିତ୍ୟକ୍ତ ଦ୍ୱୀପଟି ନୌବାହିନୀର ତତ୍ତ୍ୱାବଧାନରେ ରଖା ଯାଇଛି । କମିଶନରଙ୍କ ଗୃହ, ଅଫିସ, ଗୀର୍ଜା, ସେନାନିବାସର ଭଗ୍ନ ପ୍ରାସାଦ, ନାରିକେଳ ଉଦ୍ୟାନ ଓ ହରିଣ ଲାଗି ଦ୍ୱୀପଟି ଦର୍ଶକଙ୍କ ନିକଟରେ ଆକର୍ଷଣୀୟ ।

 

ଜେଟିଟି କ୍ଷୁଦ୍ର । ଗୋଟିଏ ଦୁଇଟି ନୌକା ମାତ୍ର ଏକ ସମୟରେ ଠିଆ ହୋଇପାରେ । ନୌକାରୁ କାଠ ଖମ୍ବରେ ତିଆରି କେତୋଟି ସୋପାନରେ ପାଦ ଦେଇ ଉଠିବାକୁ ହେଲା । ନୌକା ଦୋହଲୁଥାଏ । କାଠ ଖମ୍ବରେ ଗୋଡ଼ ଲାଗୁ ନଥାଏ । ଏକପ୍ରକାରେ ଧରାଧରି କରି ମହିଳାମାନଙ୍କୁ ଉପରକୁ ଉଠାଇବାକୁ ହେଲା ।

 

ଦୁଇ ଜଣ ନୌସେନା ସେଠାରେ ଉପସ୍ଥିତ ଥିଲେ । ଆମର ଅନୁମତି ପତ୍ରଟି ସେମାନଙ୍କୁ ଦେବାକୁ ହେଲା । କୌଣସି ବନ୍ୟପ୍ରାଣୀଙ୍କୁ ଆହତ କରିବ ନାହିଁ, ନାରିକେଳ ନେବ ନାହିଁ, ନିଜ ଦାୟିତ୍ୱରେ ପୁରାତନ ଜୀର୍ଣ୍ଣ ସୌଧ ବୁଲି ଦେଖିବାକୁ ହେବ–ନୌସେନାର ଲୋକଙ୍କ ପ୍ରତି ଭଦ୍ରବ୍ୟବହାର କରିବାକୁ ହେବ ଓ ସେମାନଙ୍କ ନିର୍ଦ୍ଦେଶ ମାନିବାକୁ ହେବ, ଆଦି ଅନୁମତି ପତ୍ରରେ ଲେଖା ହୋଇଥିଲା । ଆମର ଅନୁରୋଧକ୍ରମେ ଜଣେ ସୈନିକ ଆମକୁ ବୁଲାଇ ଦେଖାଇବାକୁ ମଙ୍ଗିଲେ । ସେ ନିଜ କୋଠରୀକୁ ଯାଇ ଗୋଟିଏ ବଡ଼ ବାଉଁଶ ଲାଠି ଘେନି ଆସିଲେ-। ତାଙ୍କ ହାତରେ ଏଇ ଲମ୍ବା ଲାଠିଟି କିଛି ପରିମାଣରେ ଆମ ମନରେ କୌତୂହଳ ଜାତ କଲା । ସେ କହିଲେ–ଜୀର୍ଣ୍ଣ ସୌଧର ସାପଙ୍କ ପ୍ରାଦୁର୍ଭାବ ଲାଗି ଲାଠିଟି ପ୍ରୟୋଜନ । ଦୁଇପାଖରେ ନିବିଡ଼ ନାରିକେଳ ଉଦ୍ୟାନ । ଆମେ ଗୋଟିଏ ଉଠାଣି ରାସ୍ତାରେ ଚାଲିଲୁଁ । ସର୍ବୋଚ୍ଚ ସ୍ଥାନରେ ବେଶ୍ ଗୋଟିଏ ସମତଳ ଚତ୍ୱର । ସେଇଠାରେ ଗୋଟିଏ ବଡ଼ ଭଗ୍ନ ପ୍ରାସାଦ । ଏହା କମିଶନର ସାହେବଙ୍କ ଆବାସ ସ୍ଥଳ ଥିଲା । ତା’ର ଅଦୂରରେ ଗୋଟିଏ ଲମ୍ବା ହଲ ଘର । ଏହା ଥିଲା ପ୍ରଧାନ କାର୍ଯ୍ୟାଳୟ । ବନ୍ୟ ଗୁଳ୍ମ ଲତା ଆଚ୍ଛାଦିତ ଗୋଟିକ ପରେ ଗୋଟିଏ ଭଗ୍ନ ଘର ଦେଖିଲୁଁ । ଏସବୁ ସେନାନିବାସ ଥିଲା । ଏଇଠି ନିର୍ମିତ ହୋଇଥିଲା ଅସ୍ତ୍ରାଗାର । ଏଠାରୁ ତଳକୁ ଚାହିଁଲେ ସମୁଦ୍ର ଅଧକୁ ଗୋଟିଏ ଶିଳାର ନାସୀ ଅନେକ ଦୂର ପଶି ଯାଇଥିବାର ଦେଖିବାକୁ ମିଳିଲା । ଏଇ ନାସୀ ଉପରେ ଅଗଣିତ ତରଙ୍ଗ କଳରୋଳ କରି ଲୋଟି ପଡ଼ୁଥିଲା । ସୃଷ୍ଟି ହେଇଥିଲା ଶୁଭ୍ର ଫେନ୍ ପୁଂଜ କେଉଁ ବାସୁକୀର ଶତ ସହସ୍ର ଫଣା ଭଳି । ଘନ ଗୁଞ୍ଜିତ ନାରିକେଳ ବନରେ ଯୁଥବଦ୍ଧ ହୋଇ ହରିଣ ବୁଲୁଥାନ୍ତି । ସ୍ରେଣ୍ଟିଙ୍କ ପୋଷା କୁକୁରଟିଏ ହରିଣ ଯୁଥ ସହିତ ଖେଳରେ ମାତିଥାଏ । ପାହାଡ଼ ଚୂଡ଼ାରେ ଅବସ୍ଥିତ ଅସ୍ତ୍ରାଗାରରୁ ସମୁଦ୍ର କୂଳ ପର୍ଯ୍ୟନ୍ତ ଗୋଟିଏ ସୁଡ଼ଙ୍ଗ ପଥ ନିର୍ମିତ ହୋଇଥିଲା । ଏଇ ସୁଡ଼ଙ୍ଗ ପଥର ମୁଖଟି ଦେଖାଇବା ପାଇଁ ଗାଇଡ୍ ଆମକୁ ଗଡ଼ାଣିଆ ବାଟରେ ସମୁଦ୍ର ଧାରକୁ ଘେନିଗଲେ । ମୁଁ ତଳକୁ ବେଶି ଦୂର ନଯାଇ ଏଇ ଉଚ୍ଚ ପାହାଡ଼ରେ ବସି ସମୁଦ୍ର ଶୀତଳ ପବନ ଆକଣ୍ଠ ସେବନ କଲି । ଉଜ୍ଜ୍ୱଳ ସମୁଦ୍ରର ଉଦ୍‌ବେଳ ଧ୍ୱନି ପ୍ରାସାଦର ଭଗ୍ନ, ସ୍ତୂପରେ ପ୍ରତିଧ୍ୱନିତ ହୋଇ ସକଳ ମାନବ କୀର୍ତ୍ତିର ନଶ୍ୱଋଣ ଘୋଷଣା କରୁଥିଲା ।

 

ଆମେ ସବୁ କ୍ଳାନ୍ତ ଓ ବିଶେଷ ତୃଷାର୍ତ୍ତ ବୋଧ କରୁଥିଲୁ । ସ୍ରେଣ୍ଟିଙ୍କୁ ପିଇବା ପାଣି ମିଳିବ କି ନାହିଁ ପଚାରିଲୁ । ସେ କହିଲେ–ଆମେ ପିଇବା ପାଣି ରଖୁନା । ଶୋଷ କଲେ ପଇଡ ପାଣି ପିଉଁ । ମାତ୍ର ସକାଳେ ଜଣେ ଗଛ ଚଢ଼ାଳି କେଉଟ ଆସି ପ୍ରୟୋଜନ ମୁତାବକ ଡାବ ତୋଳି ଦେଇଯାଏ । ଆପଣମାନେ ପାରିଲେ ଗଛରୁ ତୋଳି ଡାବ ପିଇପାରନ୍ତି । କିନ୍ତୁ ଏଠାରୁ ବାହାରକୁ ନେଇ ପାରିବେ ନାହିଁ । ଅଶୋକ କେଉଁ ଗଛକୁ ଉଠିବ ଉଠିବ ହେଉଥିଲା । କିନ୍ତୁ ସାମୁଦ୍ରିକ ଝଡ଼ ବାୟୁ ମୁଖରେ ଗଛ ଉଠିବା ଏବେ ନିରାପଦ ନୁହେଁ, ପୁଣି ପେଣ୍ଟ ସାର୍ଟ ପିନ୍ଧି କ’ଣ ନଡ଼ିଆ ଗଛକୁ ଉଠିବ ? ଆଉ ଗୋଟିଏ ବାଟରେ ଆମେ ଫେରିଲୁ । ଗୋଟିଏ ପୋଖ‍ରୀ । ପାଣି ନେଳିଆ । ବର୍ଷା ପାଣି ଜମି ଜମି ପାହାଡ଼ ଉପରେ ଏଇ ପୋଖରୀରେ ପାଣି ଭର୍ତ୍ତି ହୋଇଛି । ସ୍ନାନ ଓ ଧୂଆ ଧୋଇ ପାଇଁ ଏ ପାଣି ବ୍ୟବହୃତ ହୁଏ । ଏଇ ପୋଖରୀ ଧାରେ ଧାରେ ଏକ ପାର୍କ ଓ ଅପର ପାଖରେ ଗୋଟିଏ ଗୀର୍ଜା । ଆମେ ଗ୍ରୀର୍ଜା ଦେଖିବାକୁ ନଯାଇ ଶ୍ରୀଘ୍ର ଫେରିବାକୁ ବାହାରି ଗୀର୍ଜା ଦେଖିବାକୁ ନଯାଇ ଶ୍ରୀଘ୍ର ଫେରିବାକୁ ବାହାରିଲୁଁ । ଫେରିବା ପୂର୍ବରୁ ଗାଇଡ୍ ଆମ ହାତରେ କଟାରିଟିଏ ଧରାଇ ଦେଇ ନିଜ ଘରକୁ ଚାଲିଗଲେ । ଗଛରେ ଉଠି ଡ଼ାବ ତୋଳିବା ଚେଷ୍ଟା ନକରି ଗଛ ମୂଳରେ ପଡ଼ିଥିବା ନଡ଼ିଆ ଫଟାଇଲୁ । ପିଲାମାନେ ସଙ୍ଗେ ସଙ୍ଗେ ଗୋଟାଇ ଆଣି ନ‍ଡ଼ିଆର ଗୋଟିଏ ଗାଦି କରିଦେଲେ । ନଡ଼ିଆ ପାଣି ମାଟିରେ ବୋହିଗଲା । ଅଧ୍ୟାପକ ମହାପାତ୍ର ଗୋଟିଏ କଲମ ପ୍ରାସ ଛୁରୀ ରଖିଥିଲେ । ସେଥ‌ିରେ କୌଣସି ଗୋଟିଏ ନଡ଼ିଆ ବି ପୂରା ବାହାର କରି ହେଲା ନାହିଁ । ଶେଷକୁ ନଡ଼ିଆ କାଢ଼ିବାକୁ କେହି କେହି ଦାନ୍ତ ଲଗାଇଲେ । ହାତରେ ଖଣ୍ଡିଏ ଖଣ୍ଡିଏ ନଡ଼ିଆ ଧରି ନ ଧରୁଣୁ ନୌକା ତୁରୀ ବଜାଇଲା ! ତିନିଟା ବେଳକୁ ଅନ୍ୟ ଲୋକ ଏହାକୁ ଭଡ଼ା କରିଛନ୍ତି ।

 

ଆମ ଗାଇଡ୍‍ଙ୍କଠାରୁ ବିଦାୟ ଘେନି ଆସିଲୁ । ତାଙ୍କ ଘର ହରିୟାନା । ଜଗନ୍ନାଥଙ୍କ ପରମ ଭକ୍ତ । ଆମେ ଓଡ଼ିଶାରୁ ଯାଇଛୁଁ ଜାଣି ବିଶେଷ ଖୁସି ହେଲେ । ଫେରିବା ବେଳେ ମୁଁ ନୌକାର କେବିନ୍‍ ବାହାରେ ଠିଆ ହେଲି । ମଝି ସମୁଦ୍ରରେ ବଡ଼ ବଡ଼ ଢେଉ ଆସି ନୌକାକୁ ଦୋହଲାଉ ଥାଏ । ସମୁଦ୍ର ପାଣି ଛିଟା ଆକସ୍ମିକ ବର୍ଷାଧାରା ଭଳି ଆସି ଦେହରେ ବାଜୁଥାଏ । କିନ୍ତୁ ସମୁଦ୍ର ସହିତ ଆତ୍ମୀୟତାର ଏକ ଉଷ୍ଣ ଆବେଗରେ ସମସ୍ତ ବିପଦ ମୁଖରେ ବେପରୁଆ ଠିଆ ହେବାକୁ ଖୁସି ଲାଗୁଥାଏ । କିଛି ସମୟ ପରେ ନୌକା ସ୍ଥିର ସମୃଦ୍ରରେ ପ୍ରବେଶ କଲା । କେତେକ ବଡ଼ ବଡ଼ ଲୌହ ଗୋଲକ ନୌକାର ପଥ ନିର୍ଦ୍ଦେଶ କରୁଥାଏ । ଦୁଇ ପାଖର ପ୍ରାକୃତିକ ଶିଳାନାସୀ ମଧ୍ୟସ୍ଥ ଏକ ସଂକୀର୍ଣ୍ଣ ପଥରେ ଜାହାଜ ସବୁ ପୋର୍ଟବ୍ଲେୟାର ନୌଘାଟିକୁ ଯାଏ । ଗୋଟିଏ ବୃହଦାକାର ପାହାଡ଼ ଉପରେ ପୋର୍ଟବ୍ଳେୟାର ଯେ ଅବସ୍ଥିତ, ତାହା ଏଇ ସମୁଦ୍ର ବକ୍ଷରୁ ବେଶ୍ ଜାଣି ହେଉଥାଏ । ଆମେମାନେ ପ୍ରାୟ ସାଢ଼େ ତିନିଟାରେ ମେରିନୟାର୍ଡ ଜେଟିରେ ପହଁଞ୍ଚଲୁ । ଦଳେ ଶିଖ ନୌକାଟି ପାଇଁ ଅପେକ୍ଷା କରିଥାନ୍ତି । ଅଫିସରୁ ଆମ ଆଡ଼ଭାନ୍‍ସ ଦେଇଥିବା ଟଙ୍କାର ହିସାବ ଆଣିବାକୁ ଗଲୁ । କର୍ମଚାରୀ ଜଣଙ୍କ କହିଲେ–ଆଜି କ୍ୟାସ କାଉଣ୍ଟର ବନ୍ଦ ହୋଇଗଲାଣି । କାଲି ସକାଳେ ରସିଦ୍ ଓ ଅବଶିଷ୍ଟ ଟଙ୍କା ଫେରସ୍ତ ଦେବେ । କିନ୍ତୁ ଅଫିସ ଖୋଲିବ ୯ଟାରେ ଓ ଆମେ ପୋର୍ଟବ୍ଲେୟାର ଛାଡ଼ିବୁ ସକାଳ ଆଠଟାରେ; ବହୁ ଅନୁରୋଧପରେ ସେ ହିସାବ ଦେଲେ–ମୋଟ ଲାଗିଲା ଟ୩୫-୦୦ ଅବଶିଷ୍ଟ ଟଙ୍କା ଫେରାଇଲେ । ମାତ୍ର ରସିଦ ସକାଳେ ନେବାକୁ କହିଲେ । ତାଙ୍କ ସହିତ ଅଧିକ ସମୟ ବ୍ୟୟ ନକରି ମନୋରଞ୍ଜନ ବାବୁଙ୍କ ନିକଟରୁ ବିଦାୟ ଘେନି ଆମେ ସବୁ ବସ୍‍ଷ୍ଟାଣ୍ଡକୁ ଫେରିଲୁଁ ।

 

ଆମର ସତ୍କାରକମାନେ ଆମ ପାଇଁ ସନ୍ଧ୍ୟାରେ ଏକ ଭୋଜିର ଆୟୋଜନ କରିଥାନ୍ତି । ଏଥିରେ ସାହାଯ୍ୟ କରିବାକୁ ମହିଳାମାନେ ଚାରିଟା ବସରେ ଡାଏରୀଫାର୍ମ ଫେରିଲେ । ପିଲାମାନେ ଗୋଟିଏ ସିନେମା ଦେଖିବାକୁ ପାଢ଼ୀବାବୁଙ୍କ ସଙ୍ଗରେ ଗଲେ । ମୁଁ ଓ ଅଧ୍ୟାପକ ମହାପାତ୍ର ଷ୍ଟେଟ ଲାଇବ୍ରେରୀ ଦେଖିବାକୁ ଓ କିଛି କିଣାକଣି କରିବାକୁ ରହିଲୁଁ । ଗୋଟିଏ ଦୋକାନରୁ କିଛି ମସଲା କିଣିଲୁ । ଏଇ ଦ୍ୱୀପପୁଞ୍ଜରେ ମସଲା ଏକ ଲାଭଜନକ ଫସଲ । କିନ୍ତୁ ଆମେ କୌଣସି ମସଲା ଚାଷ ଅଞ୍ଚଳ ଦେଖିପାରିଲୁଁ ନାହିଁ । ଷ୍ଟେଟ୍ ଲାଇବ୍ରେରୀର ଯେ ଆଜି ଛୁଟି ଦିନ ଏହା ଆମେ ଜାଣି ନଥିଲୁ । ବାଟରେ କୁଟୀରଶିଳ୍ପ ମିଉଜିୟମ୍ ପଡ଼ିଲା । ପ୍ରକୃତରେ ଏହା ସଂଗ୍ରହାଳୟ ନୁହେଁ, ସରକାରୀ ପରିଚାଳନାରେ କୁଟୀର ଶିଳ୍ପଜାତ ପଦାର୍ଥର ଏକ ସୁବୃହତ୍ ବିପଣି । ଏଠାରେ କାଠ, ବେତ, ସାମୁଦ୍ରିକ ପ୍ରବାଳ ଶାମୁକାର ନାନାପ୍ରକାର ସୁନ୍ଦର ଜିନିଷ, ଅଳଙ୍କାର ଆଦି କିଣିବାକୁ ମିଳେ । ଆମେ ଏପରି କିଛି କିଣିବା ପାଇଁ ବିଶେଷ ପ୍ରସ୍ତୁତ ନଥିଲୁଁ । ତେବେ ବୁଲି ବୁଲି ଦେଖିଲୁ । କିଛି ନ କିଣିଲେ ଅଭଦ୍ରତା ହେବ । ଅଧ୍ୟାପକ ମହାପାତ୍ର ବାରଟଙ୍କା ଦେଇ ଗୋଟିଏ ଶଙ୍ଖ କିଣିଲେ । ଏସବୁ ବିକ୍ରି କରୁଥିବା ମହିଳା ଜଣକ ଅନେକ ଶଙ୍ଖ ବଜାଇ ଆମକୁ ଭଲ ଶଙ୍ଖଟିଏ ବାଛିବାରେ ସାହାଯ୍ୟ କଲେ । ଗୋଟିଏ ଗୋଟିଏ ଶଙ୍ଖ ବଜାଇବାକୁ ତାଙ୍କର ସହସ୍ୟ ପ୍ରସ୍ତୁତି ଓ ଅସାଫଲ୍ୟରେ ଆମର ପ୍ରତିକ୍ରିୟା ବେଶ୍ ଉପଭୋଗ୍ୟ ହେଲା । ଆମେ ଚାଲି ଚାଲି ଡାଏରୀଫାର୍ମ ଫେରିଲୁଁ । ଶେଷଥର ଲାଗି କେରଳ ସମାଜ, ବଙ୍ଗୀୟ ସମାଜର ଗୃହ, ଷ୍ଟେଟ୍ ବ୍ୟାଙ୍କ, ସେକ୍ରେଟେରିଆଟ୍ ଗିରିଶୃଙ୍ଗିତ ସୌଧ ସବୁ ଉପରେ ଆଖି ବୁଲେଇ ନେଲି । ସବୁ ଯେପରି ଆମର ଏକାନ୍ତ ପରିଚିତ ହୋଇଯାଇଥିଲା । ଗୋଟିଏ ସମବାୟ ପରିବା ଦୋକାନରୁ କିଛି ସଜନାଛୁଇଁ, ଗୋଟିଏ ବଙ୍ଗୀୟ ମିଷ୍ଟାନ୍ନ ଦୋକାନରୁ କିଛି ଛେନା ମିଠା କିଣିଲୁଁ । ଛେନା ଏଠି ଦୁର୍ଲଭ । ତେଣୁ ମିଠାରେ ଚିନି ମାତ୍ରା ଅଧିକ ।

 

ବସାରେ ଆମ ସହିତ ସାକ୍ଷାତ କରିବାକୁ ଦୁଇଜଣ ତରୁଣ ବନ୍ଧୁ ଆସିଥିଲେ । ତାଙ୍କ ମଧ୍ୟରେ ଜଣେ ନୌବାହିନୀର ଅଫିସର । ଆଇ.ଏନ. ଏସ ଶାର୍ଦ୍ଦୁଳରେ ଡିଉଟିରେ ଆଣ୍ଡାମାନ ଆସିଛନ୍ତି । ଆଉ ଜଣେ ନୌବାହିନୀର ମ୍ୟାରିନ୍ ଇଞ୍ଜିନିୟର । ନାମ ଦୁର୍ଯ୍ୟୋଧନ ସ୍ଵାଇଁ । ଏଇ ସ୍ଵାଇଁ ବାବୁ ରସ୍ ଆଇଲେଣ୍ଡ ଯିବାପାଇଁ ଆମ ଲାଗି ଅନୁମତି ପତ୍ର କରାଇ ଦେଇଥାନ୍ତି । ଆଣ୍ତାମାନରେ ନୌବାହିନୀର କାର୍ଯ୍ୟକଳାପ ଏମାନେ ବର୍ଣ୍ଣନା କଲେ । ଏହା ଭାରତର ଦକ୍ଷିଣ ସୀମାନ୍ତ । ଭାରତ ମହାସାଗରର ସମସ୍ତ ସମ୍ପଦ, ବିଶେଷତଃ ମତ୍ସ୍ୟ ସମ୍ପଦ ଯେପରି ବିଦେଶୀମାନେ ଲୁଟି ନ ନିଅନ୍ତି ତାହା ଦେଖିବା ଏମାନଙ୍କର କାମ । ଊନବିଂଶ ଶତକର ପ୍ରଥମ ପାଦରେ ‘ବର୍ମୀୟ ସମର’ ସମୟରେ ନୌବାହିନୀ ପାଇଁ ଆଣ୍ଡାମାନର ମହତ୍ୱ ପ୍ରମାଣିତ ହୋଇଥିଲା । ଏଠାରେ ଏବେ ନୌସେନାର ବିଶେଷ ଘାଟୀ ପ୍ରତିଷ୍ଠିତ । ସ୍ଵତନ୍ତ୍ର ବିମାନ ଯୋଗେ ନୌବାହିନୀ ମୂଳ ଭୂଖଣ୍ଡ ସହିତ ଯୋଗାଯୋଗ ରକ୍ଷା କରିଥାଏ । ଆବଶ୍ୟକ ହେଲେ ନୌବାହିନୀ ଜାହାଜ ଏଠି ମରାମତି କରାଯାଏ । ସେ କ୍ଷେତ୍ରରେ ନୌବାହିନୀର ଇଞ୍ଜିନିୟରଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ପଡ଼ିଥାଏ । ଗ୍ରୀଷ୍ମ ଓ ବର୍ଷାକାଳରେ ଅନେକ ବାଣିଜ୍ୟ ତରୀ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୁଏ । ସେମାନଙ୍କ ସାହାଯ୍ୟ ପାଇଁ ନୌବାହିନୀ ଆଗେଇ ଯାଏ । ନୌବାହିନୀର ଘାଟୀ, ନୌସେନାନୀଙ୍କ ଆବାସସ୍ଥଳ ଆଦିର ନିର୍ମାଣ କାର୍ଯ୍ୟ ଏବେ ବି ଚାଲିଛି । ଏ ସବୁର ସମୁନ୍ନତି ଲାଗି ଏବେ ବି ନୂତନ ନୂତନ ପରିକଳ୍ପନା ନିଆଯାଇଛି । ନୂଆ ନୂଆ ଦ୍ୱୀପରେ ବନ୍ଦର ଓ ଜେଟି ନିର୍ମିତ ହେଉଛି । ଆମ ଆଲୋଚନାରେ ଅନ୍ୟ ବନ୍ଧୁମାନେ ଆସି ଯୋଗଦେଲେ ।

 

ଆଜି ଆମର ଆଣ୍ଡାମାନରେ ଶେଷଦିନ । ଆମେ କ’ଣ ଦେଖିଲୁ ? ପ୍ରାୟ କିଛି ଦେଖିଲୁ ନାହିଁ । ଆଣ୍ଡାମାନର ମନୋରମ ପ୍ରକୃତି, ବିପୁଳ ଅରଣ୍ୟ, ନୀଳ ସାଗରର ଦ୍ୱୀପଦଣ୍ଡୀ ସୁଉଚ୍ଚ ପର୍ବତମାଳା ସବୁ ଅଦେଖା ରହିଗଲା ମାଉଣ୍ଟ ହେରିୟାଟ୍ ଉପରୁ ଦିଗ୍‍ବଳୟ ବ୍ୟାପି ସମୂଦ୍ରର ନୀଳିମା, ପୋର୍ଟବ୍ଲେୟାରର ସୌଧମାଳା, ଅରଣ୍ୟର ସବୁଜିମା ମଧ୍ୟରେ ଉଷା ଅଥବା ଗୋଧୂଳି ଦୃଶ୍ୟ ଯେ ଥରେ ନ ଦେଖିଛି ତା’ର ସାଗରସୁନ୍ଦରୀଙ୍କ ପକ୍ଷ୍ମପାତ ପର୍ଯ୍ୟନ୍ତ ଦେଖା ହେଲାନାହିଁ | ଆଉ ଥରେ ଆଣ୍ଡାମାନ ଭ୍ରମଣରେ ଆସିବା ପାଇଁ ସଙ୍କଳ୍ପ ନେଲୁ । ଏଇ ଶୁଷ୍କ ଋତୁରେ ଆଣ୍ଡାମାନର ସୁନ୍ଦର ମୁଖଟି ଦେଖି କେହି ସୁଖର ସନ୍ଧାନ କରିପାରନ୍ତି । ଉଜ୍ୱଳ ବର୍ଣ୍ଣବିଭାର ମାୟା ଭ‍ରା ଆଖିରେ ପ୍ରକୃତ ଅନ୍ତରର ସ୍ପର୍ଶ କ୍ୱଚିତ ମିଳେ । ସାମୁଦ୍ରିକ ଝଡ଼ ଏଇ ସାଗର ସୁନ୍ଦରୀଙ୍କ ପ୍ରକୃତ ପ୍ରେମିକ । ଆକାଶ ଚୁମ୍ବୀ ବନସ୍ପତି, ସାରି ସାରି ନଡ଼ିଆ ଓ ଗୁଆ ଗଛ ନୃତ୍ୟ ଛନ୍ଦରେ ବିହ୍ୱଳ ହୋଇ ଉଠେ । ବାଜି ଉଠେ ପର୍ବତର କନ୍ଦରେ କନ୍ଦରେ ଅଶନି ଡମ୍ବରୁ, ଆକାଶ ଓ ସମୁଦ୍ରର ଏକୀଭୂତ ସୀମାର ବଳୟକୁ ଉଦ୍‍ଭାସିତ କରି ଚଳଚଞ୍ଚଳ ଗତିରେ ଖେଳିଯାଏ ବିଜୁଳିର ରଶ୍ମିରେଖା–ଜାଗିଉଠେ ଅନାଦି ଆଦିମ ବସନାର ଉଦ୍‌ବେଳ ଆବେଗ-ସତେ ଯେପରି ସାଗର ସମ୍ଭବା ରମାଙ୍କ ବିଷ୍ଣୁପାଦ ସ୍ପର୍ଶ କାତର କର ନଭୋମୟ ପ୍ରସାରିତ ।

 

ଭୋଜି ପରେ ଶୋଇବାକୁ ଟିକିଏ ବିଳମ୍ବ ହେଲା । ସମସ୍ତ କ୍ଳାନ୍ତି ସତ୍ୱେ ଆଖିକୁ ନିଦ ଆସୁନଥିଲା । ଯେତେ ଆଖି ବୁଜିଲେ ବି ଭାସି ଉଠୁଥିଲେ ଦେଖା ଅଦେଖା କେତେ ରୂପ-କେତେ ଉଚ୍ଛଳ ହାସ୍ୟ, କେତେ କରୁଣ କ୍ରନ୍ଦନ, କେଉଁ ସଫରୀ ନୟନା ଚକିତ ହରିଣୀ ଚଳଚପଳ ଚାହାଣୀ–ଅଶ୍ରୁଝରା ବ୍ୟଥାର ଆର୍ତ୍ତ । ଆଜି ଦେଖା ଭଗ୍ନ ସ୍ତୁପ ଭିତରୁ ଫୁଟି ଉଠୁଥିଲା କେତେ ଆଶା ଓ ନୈରାଶ୍ୟ ଭାରା ମୁଖ, ଦର୍ପ ସ୍ପର୍ଦ୍ଧିତ ବୁକୁ ଓ ଭଗ୍ନ ଜାନୁ ସୈନିକର ବେଦନା । ଗତକାଲିର ଦେଖା କେତେ ସହୀଦଙ୍କ ପ୍ରତିକୃତି, ପ୍ରତିଟି ପ୍ରତିକୃତି ଭିତରେ ଯେପରିକି ଅତୀତର ଉଦ୍ଦାମ ଆବେଗ ସଞ୍ଚିତ ଇତିହାସ ଭବିଷ୍ୟତ ପ୍ରତିଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଇତିହାସ କେଉଁ ଅନାଦି ଅନନ୍ତ ଦିଗ୍‌ବଳୟର ରହସ୍ୟ ଭିତରେ ଊନବିଂଶ ଶତକର ଇଂରେଜ ବର୍ମୀୟ ଯୁଦ୍ଧ, ବିଂଶ ଶତକର ଜାପାନ ଇଂରେଜ ଯୁଦ୍ଧ ସତେ ଯେପରି ଦୁଇଟି ଆଲୋକ ବର୍ତ୍ତିକା ପରି ଆଣ୍ଡାମାନର ଭାଗ୍ୟ ନିୟନ୍ତ୍ରିତ କରିଥିଲା–କେତେ ବ୍ୟଥା, ଅଶ୍ରୁ; ରକ୍ତପାତ, ନିର୍ମମ ନିପୀଡ଼ନ ମଧ୍ୟରେ ମାନବାତ୍ମାର ଅପରାହତ ଜୟଯାତ୍ରାର କାହାଣୀ ଏଇଠି ଅଭିନୀତ ହୋଇଛି, ହେଉଥିବ ଚିରଦିନ । ଗୁରୁଜନଙ୍କ ପଦ ଅଙ୍ଗୁଳି ସ୍ପର୍ଶରେ ଯେପରି ସମସ୍ତ ଅନ୍ତର ଶ୍ରଦ୍ଧାରେ ପୁରିଉଠେ, ପୁରାଣ ବୃଦ୍ଧ ଭାରତୀୟ ମହାଜାତୀର ସୀମାହୀନ ଉଦାର ଅନ୍ତର ଯେପରିକି ଏଇ କ୍ଷୁଦ୍ର ଦ୍ୱୀପଟିରେ ଠୁଳୀଭୂତ ହୋଇ ରହିଛି, ଅନନ୍ତ ସିନ୍ଧୁ ଭିତରେ ଏକ ଉଜ୍ୱଳ ବିନ୍ଦୁରୂପେ ।

Image

 

ଆଣ୍ଡାମାନ ବିଦାୟ

 

ନଭେମ୍ବର ୧୩, ଶୁକ୍ରବାର । ବିମାନ ଘାଟୀକୁ ଯିବାକୁ ସକାଳରୁ ପ୍ରସ୍ତୁତ ହୋଇଗଲୁ । ଅନ୍ୟ କୌଣସି ଦିନ ସକାଳେ ଏତେ ଶୀଘ୍ର କାମ ସରେ ନାହିଁ । ସେତେ ସୁଖର ହେଲେ ବି ବିଦେଶ ବିଦେଶ । ସ୍ୱେଦଶର ନିତି ଦିନର ସହଜ ଜୀବନଧାରାର ଆକର୍ଷଣ ଅଲଙ୍ଘନୀୟ । ସୁଟ୍‍କେଶଟିମାନ ଧରି ଚାଲିଲୁଁ । ରାସ୍ତାକୁ ଆସି ଦେଖିଲୁ ଗୋଟିଏ ବାସ୍ ଠିଆ ହୋଇଛି । ବିମାନ ବନ୍ଦର ରାସ୍ତାରେ ଯିବ । କିନ୍ତୁ ଆଣ୍ଡାମାନର ଫଳ ଶ୍ରୀଫଳ କିଛି କିଣୁ କିଣୁ ବସ ଛାଡ଼ି ଦେଲା । ଏବେ ବି ହାତରେ ଅନେକ ସମୟ । ବ୍ୟସ୍ତ ହେବୁ କାହିଁକି ? ଧୀରେ ଧୀରେ ଚାଲିଲୁଁ । ପାହାଡ଼ ଧାରେ ଧାରେ ରାସ୍ତା । ରାସ୍ତା ପାଖକରେ ସମତଳ ପ୍ରାନ୍ତର । ପୋଲିସ୍ କଲୋନି ଓ ବିମାନ ବନ୍ଦର ପାଇଁ ସଂରକ୍ଷିତ ଭୂମି । ରଜତ କରୋଜ୍ଜ୍ୱଳ ଦୂର ଆଭାସିତ ପର୍ବତ ଓ ବନଭୂମିର ଅପରୂପ ରୂପରେ ଆଖି ଲାଖି ହୋଇ ଯାଉଥିଲା । ଅନ୍ୟ ଦିଗରେ ଏକ ଧୂସର ଅଜଗର ଭଳି ବ୍ୟୋମ ବନ୍ଦରର ରାନଓ୍ୱେ ଘର ବାହୁଡ଼ାର ଉଷ୍ଣତା ଆବେଗରେ ପଦଯୁଗକୁ ଚଞ୍ଚଳ କରି ଦେଉଥିଲା ।

 

ବ୍ୟୋମ ବନ୍ଦର ଅଫିସରେ ପହଞ୍ଚିଲୁ । ଏବେ ବି ଯାତ୍ରୀଙ୍କ ଭିଡ଼ ଆରମ୍ଭ ହୋଇନାହିଁ । କର୍ମଚାରୀଙ୍କ ମଧ୍ୟରୁ ଅଳ୍ପ କେତେଜଣ ମାତ୍ର ଆସିଛନ୍ତି । ଲାଉଞ୍ଜରେ ବସି ମନେ ପଡ଼ିଲା ଚିର ପରିବ୍ରାଜକ, ପ୍ରକୃତିର ଅନାସକ୍ତ, ଉପାସକ, କବି ଓ କାବ୍ୟଗତ ପ୍ରାଣ ପର୍ବତ ପରି ବିଶାଳ ଶ୍ରୀମନ୍ତ ବପୁ ଓ ସାଗର ପରି ଉଦାର ହୃଦୟ ମୋର ଗୁରୁ ଓ ପଥ ପ୍ରଦର୍ଶକ କୁଞ୍ଜ ବିହାରୀଙ୍କୁ । ଆଣ୍ଡାମାନ ଆସିବାକୁ ସେ ହିଁ ପ୍ରେରଣା ଦେଇ ଚିଠି ଲେଖିଥିଲେ । ତାଙ୍କୁ ଗୋଟିଏ ଚିଠି ଲେଖିଲି । ସମୟ ଅଳ୍ପ, ଲେଖିବା ପାଇଁ ମନେ ମନେ କେତେ ଭାବ–ହୃଦୟରେ ଅସରନ୍ତି କଥା ।

 

ଓଡ଼ିଆ ଏକ ସାମୁଦ୍ରିକ ଜାତି–ସିନ୍ଧୁତୀରେ ତୀରେ ସେ ଗଢ଼ିଛି ଶ୍ରୀକ୍ଷେତ୍ର, କୋଣାର୍କର କାରୁକଳା–ଦିନେ ସମୁଦ୍ରର ଉତ୍ତାଳ ତରଙ୍ଗ ହୋଇ ଉଠିଥିଲା ତା’ର କୀର୍ତ୍ତିରେ ମୁଖର, ଜାଭା ବାଲିରେ ସେ ଗଢ଼ିଥିଲା ଶିଳ୍ପ, ବୁଣିଥିଲା ସଭ୍ୟତାର ଆଲୋକ–ଏଇ ପଥରେ କେତେ ତରୀ ଭାସି ଯାଇଥିବ ଶରତର ଉଜ୍ୱଳ ଆକାଶ ତଳେ, ସିନ୍ଧୁର ଶାନ୍ତ ବକ୍ଷରେ । ପାରାଦ୍ୱୀପ ଆଣ୍ଡାମାନର ନିକଟତମ ବନ୍ଦର । କଟକ ଆଣ୍ଡାମାନର ନିକଟତମ ସହର । କିନ୍ତୁ କାହିଁ ? ଦକ୍ଷିଣ ଓ ପୂର୍ବାଞ୍ଚଳର ସବୁ ଜାତି–ମାଲୟାଲୀ, ତାମିଲ୍, ତେଲଗୁ ଓ ବଙ୍ଗୀୟଙ୍କ ତୁଳନାରେ ଓଡ଼ିଆଙ୍କ ସଂଖ୍ୟା ନଗଣ୍ୟ । କେବେ ପାରାଦ୍ୱୀପରୁ ଯାତ୍ରୀବାହୀ ଜାହାଜ ଆଣ୍ଡାମାନ ଆସିବ ? ଆସିବେ ବହୁ ଓଡ଼ିଆ କାରିଗର, ଶ୍ରମିକ, କର୍ମୀ ଆଣ୍ଡାମାନର କୁମାରୀ ଭୂମିରେ ଭାଗ୍ୟଦେବୀ ସନ୍ଧାନରେ ।

 

ବନ୍ଧୁମାନଙ୍କ ଠାରୁ ବିଦାୟ ଘେନି ବିମାନକୁ ଚାଲିଲୁଁ । ବନ୍ଧୁମାନଙ୍କ ଆତ୍ମୀୟତା ଭରା ମୁହଁଟିମାନ କ୍ରମେ ଜନଗହଳିରେ ହଜିଗଲା । ଆତ୍ମୀୟ ସ୍ୱଜନଙ୍କୁ ବିଦାୟ ଦେବାକୁ ଆସିଥିଲେ ଅନେକ । ବିମାନ ବନ୍ଦର ତା’ର ବାଡ଼ ପାଖକରେ ବନ୍ଧୁମାନେ ଠିଆ ହୋଇଥିଲେ–ଅନ୍ୟ ପାଖରେ ବାସ୍ । ହଠାତ୍ ପାଢ଼ୀବାବୁଙ୍କ ଶ୍ମଶ୍ରୁଳ ମୁଖଟି ଅଶୋକ ଆଖିରେ ପଡ଼ିଗଲା । ବସକୁ ନ ଯାଇ ସେ ସେଇ ଆଡ଼କୁ ମୁହାଁଇଲା । ପହରାରତ ପୋଲିସ ଆଗେଇ ଆସି କହିଲେ “ଏ କ’ଣ ? ସିକ୍ୟୁରିଟି ଚେକ୍ ପରେ ଆପଣ ସିଧା ବିମାନକୁ ଯିବେ । ବାସ୍ ନେଇ ବିମାନ ପାଖରେ ପହଞ୍ଚାଇଲା । ଅଳ୍ପ ସମୟ ଆଗରୁ ବିମାନଟି ଓହ୍ଲାଇ ଥାଏ । ବାସ୍ ବିମାନରୁ ଯାତ୍ରୀ ନେଉଥାଏ ଓ ଫେରିବା ବେଳେ ବିମାନ ଯାତ୍ରୀଙ୍କୁ ଆଣୁଥାଏ । ପ୍ରତି ଥର ପ୍ରାୟ ୨୦ ଜଣ ଯାତ୍ରୀ ଛୋଟ ମିନି ବସ୍‍ଟିରେ ଯା’ ଆସ କରୁଥାନ୍ତି । ଆଖି ଆଗରେ ଲମ୍ବା ଲାଇନ୍ ବିମାନ ବନ୍ଦରର ଦୁଇ ପାଖରେ ପର୍ବତ ପରିଖା–ତା’ର ଶୃଙ୍ଗ ଉପରେ ପଲକହୀନ ଆଖିର ତାରା, ସତେ ଯେପରି ଏକ ଉଷ୍ମ ଆବେଗରେ ଆର୍ଦ୍ର ହୋଇ ଉଠିଲା । ଗିରି ଶିଖେ ଲୟ ରଖି ଚାଲିବି ମୁକର । ଏଇ ଚାଲିବାର ଅନ୍ତ ନାହିଁ ! ମୁହୁର୍ତ୍ତକେ ପର୍ବତମାଳାକୁ ଲମ୍ପ ଦେଇ ବିମାନ ଅନନ୍ତ ସିନ୍ଧୁର ନୀଳିମା ଉପରେ ଅବାରିତ ଆକାଶର ସୀମାହୀନ ବକ୍ଷରେ ଭାସିଲା । ମନେ ମନେ ଗାଇ ଉଠିଲି କେଉଁ ଏକ ଅଜଣା ଗୀତର ସ୍ୱର–

 

ଅସୀମ ଆକାଶ ଅକୁଳ ସିନ୍ଧୁ କୋଳେ

ସବୁଜ ମାୟାରୁ ସ୍ଵପ୍ନ, ଶିଖ‍ରୀ ଦୋଳେ

ପ୍ରାଣେ ମନେ ବାଜେ ଆଦିମ ପୁଲକ ଗୀତି

ସ୍ଵପ୍ନେ ହଜଇ ସକଳ ଶଙ୍କା ଭୀତି

ଆକାଶର ଡାକେ ମାଟିର ମମତା ଭୁଲି

ଜୀବନ ମରଣ ସୀମା ପାରେ ଖେଳି ଦୋଳି

ଚାଲିବା ଯୁଗର ଯାତ୍ରୀ

ସ୍ୱପ୍ନ ସାରଥୀ ଅରୁଣର ରଥେ ଲଙ୍ଘି କରାଳ ରାତ୍ରି

Image

 

Unknown

ଆଣ୍ତାମାନ ଓ ନିକୋବର ଦ୍ୱୀପପୁଞ୍ଜର ଭୂଗୋଳ ଓ ପ୍ରାଚୀନ ଇତିହାସ

 

ଭୌଗୋଳିକ ଅବସ୍ଥିତି :

 

ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଭାରତର ଦକ୍ଷିଣ ସୀମାନ୍ତର ତୋରଣ । ପ୍ରାଚ୍ୟ ଭୂଖଣ୍ତ ଓ ଭାରତ ଉପମହାଦେଶ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ପଥରେ ଏହା ଅବସ୍ଥିତ । ଗଙ୍ଗାମୁହାଣରୁ ଏହାର ଦୂରତ୍ୱ ୫୯୦ ମାଇଲ । ମାତ୍ର ମହାନଦୀ ମୁହାଣରୁ ଏହାର ଦୂରତ୍ୱ ୫୦୦ ମାଇଲରୁ ଅଳ୍ପ । ଦୁଇଶହ ଚାରିଗୋଟ ଦ୍ୱୀପ ୧୦ରୁ ୧୪ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଓ ୯୨ରୁ ୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଅତୀତରେ ଓଡିଆମାନେ ଜାଭା ସୁମାତ୍ରାରେ ବାଣିଜ୍ୟରେ ଅଗ୍ରଣୀ ଥିଲେ । ସେମାନେ ହୁଏତ ଏଇ ଦ୍ୱୀପ ଆବିଷ୍କାର କରିଥିବେ । ସୁମାତ୍ରାର ଉତ୍ତର ସୀମାନ୍ତରୁ ଏହାର ଦୂରତ୍ୱ ୩୪୦ ମାଇଲ ଓ ବର୍ମାର ନଗର୍ସିସ୍ ଅନ୍ତରାପ ଠାରୁ ୧୨୦ ମାଇଲ । ଆଣ୍ଡାମାନ ଦ୍ୱୀପପୁଞ୍ଜରେ ୫ଟି ପ୍ରଧାନ ଦ୍ୱୀପ ହେଉଛି–ଉତ୍ତର ଆଣ୍ଡାମାନ୍, ମଧ୍ୟ ଆଣ୍ତାମାନ, ବାରାଟଙ୍ଗ୍, ଦକ୍ଷିଣ ଆଣ୍ତାମାନ ଓ ରୁଟ୍ ଲାଣ୍ତ ଦ୍ୱୀପପୁଞ୍ଜ । ଏଇ ସମସ୍ତ ଦ୍ୱୀପ ପରସ୍ପରର ଅଦୂରବର୍ତ୍ତୀ । ଏଗୁଡ଼ିକୁ ଗ୍ରେଟ ଆଣ୍ଡାମାନ କୁହାଯାଏ । ଗ୍ରେଟ ଆଣ୍ତାମାନର ଚାଳିଶ ମାଇଲ ଦକ୍ଷିଣରେ ଲିଟଲ ଆଣ୍ତାମାନ ଦ୍ୱୀପପୁଞ୍ଜ । ନାରକୋଡମ୍ ଆଗ୍ନେୟଗିରି ଏହାର ବଡ଼ ଆକର୍ଷଣ । ଆଣ୍ଡାମାନ ଦ୍ୱୀପପୁଞ୍ଜ ୨୧୯ମାଇଲ ଦୀର୍ଘ ଓ ସବୁଠାରୁ ଅଧିକ ଚଉଡ଼ାରେ ୩୨ମାଇଲ । ଏହାର କ୍ଷେତ୍ରଫଳ ୨୫୦୮ ବର୍ଗମାଇଲ I ଦକ୍ଷିଣ ଆଣ୍ତାମାନର ପୂର୍ବ ଉପକୂଳରେ ଆଣ୍ତାମାନ ଓ ନିକୋବର ଦ୍ୱୀପପୁଞ୍ଜର ବଡ଼ ସହର ଓ ରାଜଧାନୀ ପୋର୍ଟବ୍ଳେୟାର ଅବସ୍ଥିତ । ଆଣ୍ଡାମାନ ଦ୍ୱୀପପୁଞ୍ଜରେ କୌଣସି ନଦୀ ନାହିଁ । ବୃଷ୍ଟିଜଳ ବ୍ୟତୀତ ଅନ୍ୟ କୌଣସି ସ୍ଥାୟୀ ଜଳାଧାର ନାହିଁ । ଆଣ୍ତାମାନ ଉପକୂଳ ଦନ୍ତୁରିତ । ଏଠାରେ ବହୁସଂଖ୍ୟକ ପ୍ରାକୃତିକ ବନ୍ଦର ବିଦ୍ୟମାନ । ଦ୍ୱୀପପୁଞ୍ଜ ଉପରେ ପାଶ୍ଚାତ୍ୟ ଅଧିକାର ପ୍ରତିଷ୍ଠା ପୂର୍ବରୁ ମାଳୟ ଅଧିବାସୀମାନେ ଜଳଦସ୍ୟୁ ଭାବରେ ଏଇ ଦ୍ୱୀପର ବନ୍ଦର ଗୁଡ଼ିକୁ ବ୍ୟବହାର କରୁଥିଲେ । ପୋର୍ଟବ୍ଳେୟାର ସମଗ୍ର ପୃଥିବୀର ଏକ ସୁନ୍ଦର ପ୍ରାକୃତିକ ବନ୍ଦର । ଏହାର ସମ୍ମୁଖ ଭାଗରେ ଏକ କ୍ଷୁଦ୍ର ଦ୍ୱୀପ । ଦୁଇପାଖ ଦେଇ ଜାହାଜ ସବୁ ବନ୍ଦରର ଶାନ୍ତ ଜଳରାଶି ମଧ୍ୟରେ ପ୍ରବେଶ କରେ । ପୋର୍ଟବ୍ଳେୟାର ବ୍ୟତୀତ ଦକ୍ଷିଣ ଆଣ୍ଡାମାନର ପୂର୍ବ ଉପକୂଳରେ ପୋର୍ଟକ୍ୟାମ୍ବେଲ ଓ ଉତ୍ତର ଆଣ୍ଡାମାନର ପୋର୍ଟ କର୍ଣ୍ଣଓ୍ୱାଲିସ୍ ଅନ୍ୟ ଦୁଇଟି ପ୍ରଧାନ ବନ୍ଦର ।

 

ଆଣ୍ଡାମାନ ଦ୍ୱୀପପୁଞ୍ଜର ୮୦ ମାଇଲ ଦକ୍ଷିଣରେ ଓ ସୁମାତ୍ରାର ୯୧ ମାଇଲ ଉତ୍ତରରେ ନିକୋବର ଦ୍ଵୀପପୁଞ୍ଜ ଅବସ୍ଥିତ । ଏଥ‌ିରେ ସାତଟି ବଡ଼ ଓ ବାରଟି କ୍ଷୁଦ୍ର ଦ୍ୱୀପ ରହିଛି । ଉତ୍ତର ଦକ୍ଷିଣ ହୋଇଥିବା ବଡ଼ ଦ୍ୱୀପଗୁଡ଼ିକ ହେଲା କାରନିକୋବର, ଟେରେସା, ବମ୍ପୋକା, କର୍ମୋତା, ନନ୍‍କଓରୀ, ଲିଟଲ ନିକୋବର ଓ ଗ୍ରେଟ ନିକୋବର । ଏଥିରେ କେତେକ ଦ୍ୱୀପରେ କୌଣସି ଜନବସତି ନାହିଁ । ନିକୋବର ଦ୍ୱୀପପୁଞ୍ଜ ଦୀର୍ଘ ୧୬୩ ମାଇଲ୍ ଓ ପ୍ରସ୍ଥ (ସବୁଠାରୁ ବେଶୀ ଚଉଡ଼ା) ୩୬ ମାଇଲ–କ୍ଷେତ୍ରଫଳ ୬୩୫ ବର୍ଗମାଇଲ । ତେଣୁ ଆକାରରେ ଏହା ଆଣ୍ଡାମାନର ଏକ-ଚତୁର୍ଥାଂଶ ମାତ୍ର । ନିକୋବର ଆଣ୍ଡାମାନ ଭଳି ଶୁଷ୍କ ଅନୁର୍ବର ନୁହେଁ । ଏଥ‌ିରେ ଚିରସ୍ରୋତା ନଦୀ ଓ ଅନେକ ଝରଣା ଅଛି । ଏହାର ଉପକୂଳ ଭାଗ ଦନ୍ତୁରିତ । ଏଥିରେ ଅନେକ ବନ୍ଦର ଉପଯୋଗୀ ସୁନ୍ଦର ସ୍ଥାନ ଅଛି । ନାନ୍‍କଓରି ଏହାର ସର୍ବଶ୍ରେଷ୍ଠ ବନ୍ଦର ।

 

ଆଣ୍ଡମାନ ଓ ନିକୋବର ବିଷୁବ ମଣ୍ଡଳୀୟ ଦ୍ୱୀପ । ଏହାର ଜଳବାୟୁ ଉଷ୍ଣ ଓ ଆର୍ଦ୍ର । ଉତ୍ତର-ପୂର୍ବ ମୌସୁମୀବାୟୁ ଓ ସାମୁଦ୍ରିକ ଝଡ଼ ଫଳରେ ଏଠାରେ ପ୍ରଚୁର ବର୍ଷା ହୁଏ । ବର୍ଷର ସବୁ ସମୟରେ ଆକସ୍ମିକ ଝଡ଼ ଓ ଝଞ୍ଜା ଦେଖାଦେଲେ ବି, ନଭେମ୍ବରରୁ ଏପ୍ରିଲ୍ ଏଇ ଛ’ ମାସ ଆବ୍‍ହାଓ୍ୱା ଶାନ୍ତ ଥାଏ । ଆଣ୍ଡାମାନର ଚିରହରିତ୍ ଅରଣ୍ୟ, ନୀଳ ପ୍ରଶାନ୍ତ ସମୁଦ୍ର, ଆଦିମ ଅଧିବାସୀ ଏବେ ଭ୍ରମଣକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ମାତ୍ର ବହୁ ପ୍ରାଚୀନ କାଳରୁ ବଣିକ ଓ ନାବିକମାନଙ୍କୁ ଏହା ଆକୃଷ୍ଟ କରି ଆସିଛି । କାରଣ ସୁଦୂରପ୍ରାଚ୍ୟ, ବର୍ମା, ଇଣ୍ଡୋନେସିଆ, ଭାରତ ଓ ଆରବ ଭୂଖଣ୍ଡର ସାମୁଦ୍ରିକ ବାଣିଜ୍ୟ ପଥରେ ଏକ କେନ୍ଦ୍ର ସ୍ଥାନରେ ଏହା ଅବସ୍ଥିତ । କେତେ ଝଞ୍ଜା ବିଧ୍ୱସ୍ତ, ଦିଗଭାନ୍ତ ତରୀ ଏଇଠାରେ ଆଶ୍ରୟ ଲୋଡ଼ିଛି । ଏଇଠାରୁ ଦୂରଗାମୀ ବାଣିଜ୍ୟ ତରୀ ସବୁ ମଧୁର ଜଳ ଓ ପ୍ରାଣୀଜ ରସଦ ସଂଗ୍ରହ କରିଥାନ୍ତି । ନୌଘାଟି ଭାବରେ ଏହାର ଗୁରୁତ୍ୱ ବିଶେଷ ଭାବରେ ସ୍ଵୀକୃତ । ଏଇଠି ପ୍ରତିଷ୍ଠିତ ଶକ୍ତିଶାଳୀ ନୌଘାଟି ସାହାଯ୍ୟରେ ବର୍ମା, ଭାରତ ଓ ଇଣ୍ଡୋନେସିଆ ଉପରେ ପ୍ରଭାବ ବିସ୍ତାର ସମ୍ଭବ ।

 

ପ୍ରାଚୀନ ଇତିହାସ :

 

ମାଳୟ ଭାଷାରେ ଆଣ୍ତାମାନ ଦ୍ୱୀପ ହଣ୍ଟୁମାନ ନାମରେ କଥିତ । ସଂସ୍କୃତ ହନୁମାନ ଶବ୍ଦରୁ ଏହା ଉଦ୍ଧୃତ ହୋଇଥିବା ସମ୍ଭବ । ଆଣ୍ଡାମାନ ଆଦିବାସୀଙ୍କ ମୁଖମଣ୍ତଳ ବୃହତ ହନୁହାଡ଼ ଯୁକ୍ତ ହୋଇଥିବାରୁ ସେମାନଙ୍କୁ ହୁଏତ ଏଇ ନାମରେ ନାମିତ କରାହୋଇଛି । କଞ୍ଚାମାଂସ ଓ ମତ୍ସ୍ୟ ଆହାର କରୁଥିବା ଦ୍ୱୀପବାସୀ କିରାତଙ୍କ ବର୍ଣ୍ଣନା ରାମାୟଣରୁ ମିଳେ । ଖ୍ରୀଷ୍ଟ ଦ୍ୱିତୀୟ ଶତକରୁ ଷୋଡ଼ଶ ଶତକ ପର୍ଯ୍ୟନ୍ତ ଭ୍ରମଣକାରୀମାନେ ଆଣ୍ଡାମାନର ଅଧିବାସୀଙ୍କୁ ନରଖାଦକ ରୂପେ ବର୍ଣ୍ଣନା କରିଛନ୍ତି ।

 

ଖ୍ରୀଷ୍ଟ ଦ୍ୱିତୀୟ ଶତକରେ ଆଲେକ୍‌ଜାଣ୍ଡ୍ରିୟାର ଟଲେମି (Claudius Ptolemaeus)ଙ୍କ ଭୂଗୋଳ ଗ୍ରନ୍ଥରେ ଭାରତ ମହାସାଗରର ଅଗମତୈ (Agamatae) ଦ୍ୱୀପର ବର୍ଣ୍ଣନା ମିଳେ । ଚୀନ ପରିବ୍ରାଜକ ଇତସିଂ (I Tsing) ୬୭୧ ଖ୍ରୀଷ୍ଟାବ୍ଦରେ ଏକ ପାରସ୍ୟ ଦେଶୀୟ ଜାହାଜରେ ଭାରତ ଆସିଥିଲେ । ତାଙ୍କର ଭ୍ରମଣ କାହାଣୀରେ ‘ଅଣ୍ତବାନ’ ଦ୍ୱୀପର ନରଖାଦକ ଅଧିବାସୀଙ୍କ ବର୍ଣ୍ଣନା ରହିଛି ।

 

ଇଂରେଜମାନଙ୍କ ଆଗମନ ପରେ ଆଣ୍ଡାମାନର ଆଧୁନିକ ଇତିହାସ ଆରମ୍ଭ ହେଲା । ଦକ୍ଷିଣ ଭାରତରେ ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ ଇଂରେଜମାନଙ୍କ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହେଲା । ସଦୂର ପ୍ରାଚ୍ୟ ସହିତ ବ୍ୟବସାୟ ବାଣିଜ୍ୟ ପାଇଁ ବ୍ୟବହୃତ ଜାହାଜ ସବୁ ସାମୟିକ ସାମୁଦ୍ରିକ ଝଡ଼ କବଳରୁ ଆଶ୍ରୟ ନେବା ଭଳି ଗୋଟିଏ ବନ୍ଦର ସେମାନେ ଆଣ୍ତମାନ ଦ୍ୱୀପପୁଞ୍ଜରେ ନିର୍ମାଣ କରିବାକୁ ଚାହୁଁଥିଲେ । ଏଥିପାଇଁ ନେଗ୍ରେସ୍ (Negreis) ଦ୍ଵୀପରେ ବସତିସ୍ଥାପନର ଚେଷ୍ଟା କରିଥିଲେ । କିନ୍ତୁ ୧୭୫୨ ଖ୍ରୀଷ୍ଟାବ୍ଦରେ ଏହି ବସତିସ୍ଥାପନ ଉଦ୍ୟମ ପରିତ୍ୟାଗ କରିବାକୁ ପଡ଼ିଥିଲା । ୧୭୭୭ ଖ୍ରୀଷ୍ଟାବ୍ଦରେ ଜନ-ରିତି (john-Ritochie) ଏହି ଦ୍ୱୀପର ଏକ ସର୍ଭେ କରିବାପାଇଁ ଓ୍ୱାରେନ୍ ହେଷ୍ଟିଙ୍ଗସ୍‍ଙ୍କୁ ଅନୁରୋଧ କରିଥିଲେ । ତାହା କମ୍ପାନୀ କର୍ତ୍ତୃପକ୍ଷ ଗ୍ରହଣ କରି ନଥିଲେ । ୧୭୮୮ ପର୍ଯ୍ୟନ୍ତ ଏହିଭଳି ଆହୁରି କେତେକ ଅନୁରୋଧ ମଧ୍ୟ ପ୍ରତ୍ୟାଖ୍ୟାତ ହୋଇଥିଲା । ପରିଶେଷରେ ୧୭୮୮ ଖ୍ରୀଷ୍ଟାବ୍ଦରେ ଜଣେ ଇଂରେଜୀ ନୌସେନାପତି କେପଟେନ୍‍ ବୁଚାନନ୍‍ (Buchannan) ଙ୍କ ଅନୁରୋଧରେ ଫୋର୍ଟଉଇଲିୟମର କର୍ତ୍ତୃପକ୍ଷ ଆଣ୍ଡାମାନ ସର୍ଭେ ପାଇଁ ସମ୍ମତ ହୋଇଥିଲେ । ଏହାପରେ ୧୯ ଡିସେମ୍ବର ୧୭୮୮ ରେ ଲେଫଟନେଣ୍ଟ ବ୍ଳେୟର (Blair) ଙ୍କୁ ନିଯୁକ୍ତ କରାଯାଇଥିଲା । ଅଣ୍ଡାମାନର ପଶୁପକ୍ଷୀ, ଖଣିଜ, ଜଳବାୟୁ, ଜଳସମ୍ପଦ, ଅରଣ୍ୟସମ୍ପଦ, ମୃତ୍ତିକା ଇତ୍ୟାଦି ବିଷୟରେ ଗବେଷଣା କରିବେ ସଙ୍ଗେ ସଙ୍ଗେ ତା’କୁ ମୌସୁମୀ ସାମୁଦ୍ରିକ ଝଡ଼ କବଳରୁ ରକ୍ଷା ପାଇବା ପାଇଁ ଗୋଟିଏ ନିରାପଦ ବନ୍ଦରର ସ୍ଥାନ ନିରୂପଣ କରିବାକୁ କୁହାଯାଇଥିଲା । ଆଣ୍ଡାମାନର ଆଦିବାସୀଙ୍କ ପ୍ରତି ଶାନ୍ତିପୂର୍ଣ୍ଣ ନୀତି ଗ୍ରହଣ କରିବାକୁ, ସେମାନଙ୍କୁ ବୁଝାଇ ଉପହାର ଦେଇ ଓ ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ଆଧୁନିକ ଜୀବନର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଆକୃଷ୍ଟ କରିବାକୁ କୁହାଯାଇଥିଲା । ୯ ଜୁନ୍ ୧୭୭୯ ଖ୍ରୀଷ୍ଟାବ୍ଦରେ ଗଭର୍ଣ୍ଣର–ଜେନେରାଲ ଲର୍ଡ କର୍ଣ୍ଣଓ୍ୱାଲିସ୍‍ଙ୍କୁ ବ୍ଳେୟାର ଆଣ୍ଡାମାନରୁ ଫେରି ଏକ ବିବରଣୀ ଦେଇଥିଲେ । ୨୦ ଡିସେମ୍ବର ୭୮୮ରେ ସେ କଲିକତାରୁ ଆଣ୍ଡାମାନ ଯାତ୍ରା ଆରମ୍ଭ କରିଥିଲେ ଓ ୨୨ ଏପ୍ରିଲ୍ ୧୭୭୯ରେ ସେ ଆଣ୍ଡାମାନ ଛାଡ଼ିଥିଲେ । ନିଜ ଯାତ୍ରାର ଦୈନନ୍ଦିନ କାର୍ଯ୍ୟାବଳୀର ବିଶଦ୍ ବିବରଣୀ ଦେବା ସଙ୍ଗେ ସଙ୍ଗେ ଆଣ୍ଡାମାନର ଭୂମିଭାଗ ଭୌଗୋଳିକସ୍ଥିତି, ଜଳବାୟୁ, ଆଦିମ ଅଧ‌ିବାସୀଙ୍କ ବିଷୟରେ ବହୁ ତଥ୍ୟ ସେ ପ୍ରାଞ୍ଜଳ ଭାବରେ ଲିପିବଦ୍ଧ କରିଥିଲେ । ସେ ଆଣ୍ଡାମାନର ଦେଖିଥିବା ଦ୍ୱୀପମାନଙ୍କର ମାନଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ । ଆଦିବାସୀମାନଙ୍କର ସମ୍ପର୍କରେ ସେ ଯେତେଥର ଆସିଥିଲେ, ପ୍ରତ୍ୟେକଥର ଆଦିବାସୀମାନେ ଭୟଙ୍କର ଶତ୍ରୁତାପୂର୍ଣ୍ଣ ଆଚରଣ କରିଥିଲେ । ବ୍ଳେୟାରଙ୍କ ମତରେ ଏହି ଆଦିବାସୀମାନେ ମାଳୟର ଜଳଦସ୍ୟୁମାନଙ୍କ ଦ୍ୱାରା ନିଗୃହୀତ ହୋଇ ଓ ନିଜର କୁସଂସ୍କାରବଶତଃ ଆଗନ୍ତୁକଙ୍କ ପ୍ରତି ଶତ୍ରୁତା ଆଚରଣ କରିଥାନ୍ତି । ବ୍ଳେୟାରଙ୍କ ରିପୋର୍ଟକୁ ଭିତ୍ତିକରି ୧୭୭୯ ଖ୍ରୀଷ୍ଟାବ୍ଦରେ ଆଣ୍ଡାମାନରେ ବସତିସ୍ଥାପନର ସିଦ୍ଧାନ୍ତ ନିଆଗଲା । ଆଗରୁ ଏହି ବସତିସ୍ଥାପନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିପଦଗ୍ରସ୍ତ ଜାହାଜମାନଙ୍କୁ ଆଶ୍ରୟ ଦେବାଭଳି ଏକ ସ୍ଥାୟୀ ବନ୍ଦର ସ୍ଥାପନ କରିବା । ଏହି ସିଦ୍ଧାନ୍ତ ଅନୁସାରେ ସେପ୍ଟେମ୍ବର ୧୭୭୯ ଖ୍ରୀଷ୍ଟାବ୍ଦରେ କେତେଜଣ ମିସ୍ତ୍ରୀ, ଶ୍ରମିକଙ୍କୁ ସଙ୍ଗରେ ଘେନି ଆଣ୍ଡାମାନ ଅଭିମୁଖେ ସେ ବାହାରିଲେ । ପୋର୍ଟକର୍ଣ୍ଣଓ୍ୱାଲିସ (ବର୍ତ୍ତମାନର ପୋର୍ଟବ୍ଲେୟାର) ଅଞ୍ଚଳରେ ବସତିସ୍ଥାପନ କରିବା, ଆଦିବାସୀମାନଙ୍କ ସହିତ ବନ୍ଧୁତ୍ୱ ସ୍ଥାପନ କରିବାପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଚାଥମ’ ଦ୍ୱୀପ ନିକଟରେ ଦକ୍ଷିଣ ଆଣ୍ତାମାନର ଏକ ଅଂଶରେ ସେ ବସତିସ୍ଥାପନ ପାଇଁ ଚେଷ୍ଟା କରିଥିଲେ । ବ୍ଳେୟାରଙ୍କ ଏହି ଯାତ୍ରା ଓ ବସତିସ୍ଥାପନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଭାରତର ସର୍ଭେୟର ଜେନେରାଲ କ୍ୟାପ୍‌ଟେନ୍ ଆଲେକ୍‍ଜାଣ୍ତାର କିଡ୍‍ଙ୍କୁ ସମସ୍ତ ଆଣ୍ତାମାନ ସର୍ଭେ କରିବାର ଆଦେଶ ଦିଆଯାଇଥିଲା । କିଡ୍‍ ନିଜ ପକ୍ଷରୁ ଲେଫ୍‍ଟନେଣ୍ଟ କୋଲଡ ବ୍ରୁକ୍‍ଙ୍କୁ ନିଯୁକ୍ତ କରିଥିଲେ । କୋଲଡ ବ୍ରୁକ୍‍ ଓ ବ୍ଳେୟାର ଦକ୍ଷିଣ ଓ ସମସ୍ତ ଆଣ୍ତାମାନର ଦ୍ୱୀପପୁଞ୍ଜଭାଗ ସର୍ଭେ କରିବାକୁ ଯାଇ ବହୁ ନୂତନ ଦ୍ୱୀପ ଆବିଷ୍କାର କରିଥିଲେ । ୧୭୭୯ ଖ୍ରୀଷ୍ଟାବ୍ଦରେ ଚାଥମ ଦ୍ୱୀପ ଓ ତା’ର ନିକଟବର୍ତ୍ତୀ ଅଞ୍ଚଳ ପରିଷ୍କାର କରାଯାଇଥିଲା । ଏହି ବସତିସ୍ଥାପନକାରୀ ଦଳରେ ୧୧୯ ଜଣ ବ୍ୟକ୍ତି ଥିଲେ । ବ୍ଳେୟାର ଜଙ୍ଗଲରୁ କାଠ ଗଣ୍ତି କାଟି ତା’ର ବ୍ୟବସାୟିକ ନିୟୋଗ ପାଇଁ କଲିକତାରୁ ପଠାଇଥିଲେ-। ୧୭୯୧ ରେ ଚାଥମ୍‍ ଦ୍ୱୀପରେ ଏକ ବୃହତକାୟ ଗୋଦାମ ଘର ନିର୍ମିତ ହୋଇଥିଲା । ବସତିସ୍ଥାପନକାରୀମାନଙ୍କୁ କଲିକତାକୁ ଫେରିବାକୁ ଓ ନିଜ ନିଜର ପରିବାର ଆଣିବାକୁ ଅନୁମତି ଦିଆଯାଇଥିଲା । ପ୍ରଥମେ କ୍ଷେତ୍ର ବିଶେଷରେ ବ୍ଳେୟାରଙ୍କୁ ଆଦିମ ଅଧିବାସୀଙ୍କ ପ୍ରତି ନିଷ୍ଠୁର ଆଚରଣ କରିବାକୁ ହୋଇଥିଲା ଓ ଦୁଇଜଣ ବ୍ୟକ୍ତିଙ୍କୁ ସେ ବନ୍ଦୀ କରିଥିଲେ । ସେମାନଙ୍କ ଚାଲିଚଳଣୀ ଓ ଭାଷା ଶିକ୍ଷା କରିବା ବ୍ଳେୟାରଙ୍କ ଉଦ୍ଦେଶ୍ୟ ଥିଲା । ୧୭୯୭ ଖ୍ରୀଷ୍ଟାବ୍ଦରେ ବ୍ଳେୟାର ଲେଖିଥିଲେ, “ଆମର ସାଧୁ ଉଦ୍ଦେଶ୍ୟ ବୁଝିପାରି ଏହି ଆଦିମ ଅଧିବାସୀମାନେ ଆମମାନଙ୍କ ପ୍ରତି ସେମାନଙ୍କର ଆକ୍ରମଣାତ୍ମକ ଭାବ ତ୍ୟାଗ କରିଛନ୍ତି” । ବ୍ଳେୟାରଙ୍କ ଏହି ସାଧୁ ଉଦ୍ୟମ ସଫଳ ହୋଇଥିଲା । ଏମାନେ ବସଗୃହ, ହସ୍‍ପିଟାଲ, ନିର୍ମାଣ କରିଥିଲେ । ଆଦିବାସୀମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବ ସ୍ଥାପନ କରିଥିଲେ । କମାଣ୍ତର କର୍ଣ୍ଣଓ୍ୱାଲିସ ୧୭୯୨ ଖ୍ରୀଷ୍ଟାବ୍ଦରେ ଏହି ଦ୍ୱୀପ ପରିଭ୍ରମଣ କରିଥିଲେ । ତାଙ୍କର ଆଦେଶ ଅନୁସାରେ ବ୍ଳେୟାରଙ୍କ ସ୍ଥାନରେ ଆଲେକ୍‍ଜାଣ୍ତାର କିଡ୍‍ ବ୍ଳେୟାରଙ୍କ ସ୍ଥାପିତ ଏହି ବସତିର ଅଧିକର୍ତ୍ତା ହେଲେ ଓ ଉତ୍ତର ଆଣ୍ତାମାନରେ ଏହି ନୂତନ ବସତିସ୍ଥାପନ କରିବାପାଇଁ ଆଦେଶ ଦେଲେ । ଫଳରେ ଉତ୍ତର ଆଣ୍ତାମାନରେ ଏହି ନୂତନ ବସତିସ୍ଥାପନ କରିବାପାଇଁ ୩୬୦ ଜଣ ବସତିସ୍ଥାପନକାରୀଙ୍କୁ ନେଇ ବ୍ଳେୟାର ସେଠାରେ ପହଞ୍ଚିଲେ । କିନ୍ତୁ ଏହି ନୂତନ ଅଞ୍ଚଳ ଆଦୌ ସ୍ୱାସ୍ଥ୍ୟପ୍ରଦ ନଥିଲା । ପରିଶେଷରେ ୧୭୯୬ ଖ୍ରୀଷ୍ଟାବ୍ଦରେ ସମସ୍ତ ବସତି ପରିତ୍ୟକ୍ତ ହେଲା । ଏହି ସମୟରେ ୭୭୦ ଜଣ ବନ୍ଦୀ ଇଉରୋପୀୟଙ୍କ ସମେତ ୫୫ ଜଣ ଅଧିବାସୀ ଆଣ୍ତାମାନ ଛାଡ଼ି ଚାଲିଯାଇଥିଲେ । ୧୭୯୬ ରୁ ୧୮୫୬ ମଧ୍ୟରେ ଆଣ୍ତାମାନ ନିକଟରେ ବହୁ ଜାହାଜ ସମୁଦ୍ର ଝଡ଼ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଓ ଆଣ୍ଡାମାନ ଦ୍ଵୀପରେ ସାମୟିକ ଆଶ୍ରୟ ନେଇଥିଲେ । ୧୮୨୪ରେ ବର୍ମା ଯୁଦ୍ଧରେ ଯୋଗ ଦେବାକୁ ଯାଉଥ‌ିବା ଇଂରେଜୀ ନୌଭେଳା ମଧ୍ୟ ପୋର୍ଟ କର୍ଣ୍ଣଓ୍ୱାଲସିରେ ଆଶ୍ରୟ ନେଇଥିଲା-। ଏହି ସମୟରେ ଇଂରେଜ ନୌସେନାପତିମାନେ ଆଣ୍ଡାମାନ ଓ ତା’ର ଅଧିବାସୀମାନଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ବିଶେଷଭାବରେ ଦୁର୍ଦ୍ଦଶାଗ୍ରସ୍ତ ଜାହାଜଗୁଡ଼ିକ ପ୍ରାକୃତିକ ଦୁର୍ଯୋଗ ସାଙ୍ଗକୁ ଆଣ୍ଡାମାନର ଆଦିମ ଅଧିବାସୀଙ୍କ ଆକ୍ରମଣର ସମ୍ମୁଖୀନ ହେଉଥିଲେ-। ୧୮୪୪ ଖ୍ରୀଷ୍ଟାବ୍ଦରେ ଝଡ଼ବିଧ୍ୱସ୍ତ ହୋଇ ରୁନିମେଡ୍‍ ଓ ବ୍ରିଟେନ ଦୁଇଟି ଜାହାଜ ଆଣ୍ଡାମାନ ଉପକୂଳରେ ସମୁଦ୍ରରେ ବୁଡ଼ିଯାଇଥିଲା । ଏହି ଦୁର୍ଘଟଣାରୁ ରକ୍ଷାପାଇଥିବା ୬୨୦ ଜଣ ନାବିକ ଓ ସୈନିକ ଏହି ଦ୍ୱୀପରେ ୫୪ ଦିନ କଟାଇଥିଲେ । ଏହି ୫୪ ଦିନ ଭିତରେ ସାତଜଣ ସୈନିକ ଓ କେତେଜଣ ବାଳକ ମୃତ୍ୟୁମୁଖରେ ପଡ଼ିଥିଲେ । ଇତିମଧ୍ୟରେ, ଅଷ୍ଟ୍ରେଲିଆର କେତେଜଣ ଦୁଃସାହସୀ ନାବିକ ୧୪ ଜଣ ଅଷ୍ଟ୍ରେଲୀୟ ପୁରୁଷ ଓ ୪ଜଣ ବର୍ମିଜଙ୍କୁ ଘେନି ଗ୍ରେଟ୍ କୁକୋ ଦ୍ୱୀପରେ ବସତିସ୍ଥାପନର ଚେଷ୍ଟା କରିଥିଲେ । କିନ୍ତୁ ଏମାନଙ୍କର ଚେଷ୍ଟା ସଫଳ ହୋଇନଥିଲା । ୧୮୩୯ ଖ୍ରୀଷ୍ଟାବ୍ଦରେ ଏମିଲି ଓ ପ୍ଳାଇଙ୍ଗ ଫିସ୍ ନାମକ ଦୁଇଟି ଜାହାଜ ଆଣ୍ଡାମାନ ଦ୍ୱୀପର ପଶ୍ଚିମ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଜାହାଜର ଜଣେ ଅଫିସର ଆଦିବାସୀଙ୍କ ଦ୍ୱାରା ନିହତ ହୋଇଥିଲେ । ଜାହାଜଗୁଡ଼ିକ ଆଦିବାସୀଙ୍କ ଦ୍ୱାରା ଲୁଣ୍ଠିତ ହୋଇଥିଲା-। ମାଳୟର ଜଳଦସ୍ୟୁଙ୍କ କବଳରୁ ଆଦିବାସୀମାନଙ୍କୁ ରକ୍ଷାକରିବା ଓ ଦୁର୍ଦ୍ଦଶାଗ୍ରସ୍ତ ଜାହାଜର ନାବିକମାନଙ୍କୁ ନିରାପଦରେ ଆଶ୍ରୟ ଦେବାପାଇଁ ଏହି ଦ୍ୱୀପଗୁଡ଼ିକୁ ଇଂରେଜୀ ନୌବାହିନୀର ପ୍ରଭାବାଧୀନ କରିବାପାଇଁ ଶେଷରେ ସିଦ୍ଧାନ୍ତ କରାଗଲା । ଏଥିପାଇଁ ଆରାକାନରେ ନିଯୁକ୍ତ ଇଂରେଜ କମିଶନରଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଗଲା । କିନ୍ତୁ ଏ ସମୟର ଗଭର୍ଣ୍ଣର ଜେନେରାଲ ଲର୍ଡ କେନିଂ ଏହାର ବିରୋଧ କରିଥିଲେ । କାରଣ ଆରାକାନର କମିଶନର ଜଣାଇଥିଲେ ଯେ ଆଣ୍ଡାମାନକୁ ଅଧିକାର କରିବାକୁ ହେଲେ ନିକୋବରକୁ ମଧ୍ୟ ଏହାର ଅଙ୍ଗୀଭୁତ କରିବାକୁ ପଡ଼ିବ । ତଥାପି ବିଷୟଟିର ସମସ୍ତ ଦିଗ ବିଚାର କରିବାପାଇଁ ୧୮୫୭, ୨୦ ନଭେମ୍ବରରେ ‘ଆଣ୍ଡାମାନ କମିଟି’ ନିଯୁକ୍ତ ହେଲା-। ଆଣ୍ଡାମାନରେ ଏକ ପେନାଲ ସେଟେଲମେଣ୍ଟ ସ୍ଥାପନ ଓ ନାବିକମାନଙ୍କ ପାଇଁ ଆଣ୍ତାମାନଙ୍କୁ ନିରାପଦ କରିବାରେ ପନ୍ଥା ସ୍ଥିର କରିବାପାଇଁ ଏ କମିଟିକୁ କୁହାଯାଇଥିଲା । ଏହା ସିପାହୀ ବିଦ୍ରୋହର ସମୟ । ୧୮୫୮ ଜାନୁଆରୀ ୧୫ ତାରିଖରେ ଆଣ୍ଡାମାନରେ ପେନାଲ ସେଟଲମେଣ୍ଟର ସ୍ଥାପନ ସିଦ୍ଧାନ୍ତ ଗୃହୀତ ହେଲା । ଅନ୍ୟାନ୍ୟ ଦ୍ୱୀପାନ୍ତରିତ ବନ୍ଦୀଙ୍କ ସହିତ ସିପାହୀ ବିଦ୍ରୋହରେ ଜଡ଼ିତ ଅପରାଧୀମାନଙ୍କୁ ଏହି ଆଣ୍ଡାମାନ ଦ୍ୱୀପକୁ ପଠାଇବାପାଇଁ ସ୍ଥିର ହେଲା । ଏହି ବନ୍ଦୀବସତି ଲେଫ୍‍ଟନେଣ୍ଟ ବ୍ଳେୟାରଙ୍କ ସ୍ଥାପିତ ପ୍ରଥମ ବସତି ସ୍ଥାନରେ ହିଁ ଅବସ୍ଥାପିତ ହେଲା । ୮୦ ବର୍ଷ ପୂର୍ବେ ସେ ଏହି ସ୍ଥାନଟି ଆବିଷ୍କାର କରିଥିଲେ ଓ ପ୍ରଥମ ବସତି କରାଇଥିଲେ । ତାଙ୍କରି ନାମରେ ଏହାକୁ ପୋର୍ଟବ୍ଳେୟାର ରଖାଗଲା ।

 

୧୮୫୮ରୁ ୧୯୪୭ ପର୍ଯ୍ୟନ୍ତ ଆଣ୍ଡାମାନର ଇତିହାସରେ ସବୁଠାରୁ ବଡ଼ ଘଟଣା–ଭାରତୀୟ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଓ ଅନ୍ୟାନ୍ୟ ଅପରାଧୀମାନଙ୍କୁ ଘେନି ବସତିସ୍ଥାପନ ର ପ୍ରୟାସ । ଏହି ପ୍ରଥମ ଯୁଗରେ ଆଣ୍ତାମାନର ଅଧିବାସୀମାନେ ଏଠି ବାଧା ଦେବାକୁ ଚେଷ୍ଟା କରିଥିଲେ । କାରଣ ବସତିସ୍ଥାପନକାରୀ ଓ ବନ୍ଦୀମାନେ ସେମାନଙ୍କର ସ୍ୱାଭାବିକ ବାସସ୍ଥାନ ଜଙ୍ଗଲ ଗୁଡ଼ିକୁ ଦ୍ରୁତଗତିରେ ନଷ୍ଟ କରୁଥିଲେ । ୧୮୫୯ ଖ୍ରୀଷ୍ଟାବ୍ଦ ଏପ୍ରିଲ ମାସରେ ପ୍ରାୟ ୧୫୦୦ ଆଣ୍ଡାମାନ ଆଦିବାସୀ ସମବେତ ହୋଇ ଏହି ବସତି ଉପରେ ଆକ୍ରମଣ କରିଥିଲେ । ହାତକଡ଼ି ପିନ୍ଧି ଯେଉଁମାନେ ବନ୍ଦୀ ଭାବରେ ଥିଲେ ସେମାନଙ୍କ ପ୍ରତି ଏମାନେ କୌଣସି ବିଦ୍ୱେଷଭାବ ପୋଷଣ କରିନଥିଲେ । ଏହି ଆକ୍ରମଣମରେ ଆଦିମ ଅଧିବାସୀମାନେ ବସତିସ୍ଥାପନକାରୀଙ୍କ ଜିନିଷ ଲୁଟି ନେଇଥିଲେ ଓ ନିଜ ଇଚ୍ଛାନୁସାରେ ବନ୍ଦୀମାନଙ୍କୁ ନିଜ ସାଙ୍ଗରେ ନଚାଇଥିଲେ । ଇଂରେଜ ଓ ଅନ୍ୟ ମୁକ୍ତ ଲୋକମାନେ ନୌକାରେ ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେମାନଙ୍କୁ ଅନୁଧାବନ କରିବାର ସାହସ ଆଦିମ ଅଧିବାସୀମାନଙ୍କର ନଥିଲା । ଏହି ଜୟର ସୁଫଳକୁ ବୁଦ୍ଧିମତାର ସହିତ ଆଦିବାସୀମାନେ କାର୍ଯ୍ୟରେ ଲଗାଇ ନଥିଲେ । ଶେଷ ସଂଘର୍ଷ ମେ ୧୭, ୧୮୫୯ରେ ଘଟିଥିଲା । ଇଂରେଜମାନଙ୍କ ଦ୍ୱାରା ଅନେକ ଆଦିବାସୀ ଆହତ କିମ୍ବା ନିହତ ହୋଇଥିଲେ । ଏହା ‘ଆବାର୍ଡିନ–ଲଢ଼େଇ’ ନାମରେ ଆଣ୍ଡାମାନ ଇତିହାସରେ ଖ୍ୟାତ । ଆଣ୍ତାମାନର ଅଧିବାସୀମାନଙ୍କୁ ବଶୀଭୂତ କରିବାପାଇଁ ଇଂରେଜମାନେ ବହୁ କୌଶଳ ଅବଲମ୍ବନ କରିଥିଲେ । କେତେବେଳେ କ୍ୱଚିତ ଭୟଭୀତ ଓ ବହୁ ସମୟରେ ସେମାନଙ୍କୁ ବନ୍ଦୀକରି ରଖିଥିଲେ-। ଥରେ ସେମାନେ ‘ସ୍ନୋ-ବଲ୍’ ଓ ‘ଜାମ୍ବୋ’ ନାମକ ଦୁଇଜଣ ଆଦିବାସୀଙ୍କୁ ବନ୍ଦୀକରି ରଖିଥିଲେ । ଜାମ୍ବୋର ସ୍ତ୍ରୀ ଟପ୍‍ସି ଓ ଅନ୍ୟ କେତେକ ଆଦିବାସୀ ସ୍ତ୍ରୀ ଏମାନଙ୍କୁ ଦେଖିବା ପାଇଁ ଆସି ଉପସ୍ଥିତ ହେଲେ । କ୍ରମେ ଏମାନଙ୍କୁ ବଶୀଭୂତ କରାଇବା ପାଇଁ ଅଧିକତର ପ୍ରୟାସ ହେଲା ଓ କରବାଇନ (Corboin) ନାମକ ଜଣେ ଖ୍ରୀଷ୍ଟିୟାନ-ଧର୍ମଯାଜକଙ୍କ ଅଧିନାୟକତ୍ୱରେ, ‘ରସ୍’ ଦ୍ୱୀପରେ ‘ଆଣ୍ଡାମାନ-ହୋମସ’ ସ୍ଥାପିତ ହେଲା । କରବାଇନ୍ ଆଣ୍ଡାମାନର ଅଭ୍ୟନ୍ତରକୁ ଯାଇ ଆଦିବାସୀମାନଙ୍କ ସହିତ ଦୁଃସାହସିକ ଭାବରେ ସମ୍ପର୍କ ସ୍ଥାପନ କରୁଥିଲେ ଓ ଏମାନଙ୍କୁ ଏହି ଆଣ୍ଡାମାନ-ହୋମରେ ରହିବାକୁ ପ୍ରଭାବିତ କରୁଥିଲେ । ‘କରବାଇନ୍’ ଆଦିବାସୀମାନଙ୍କୁ ଇଂରେଜୀ ଶିଖାଇବା, ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିବାକୁ ଚାହୁଁଥିଲେ । କିନ୍ତୁ ଏହା ସମ୍ଭବ ହୋଇ ନଥିଲା । ଏମାନେ ସୁଯୋଗ ପାଇଲାମାତ୍ରେ ଏଠାରୁ ଖସି ପଳାଇବାକୁ ଚାହୁଁଥିଲେ । ଏହି ଆଣ୍ଡାମାନ ହୋମ୍–ମାଧ୍ୟମରେ ଆଦିବାସୀମାନଙ୍କ ମଧ୍ୟରେ ଯୌନ ବ୍ୟାଧି ଓ ନାନାପ୍ରକାର ରୋଗ ମଧ୍ୟ ବ୍ୟାପିଗଲା । ୧୮୬୬-୬୮ ଖ୍ରୀଷ୍ଟାବ୍ଦରେ ଆଣ୍ଡାମାନର ଆଦିମ ଅଧିବାସୀମାନଙ୍କ ମଧ୍ୟରେ ନାନାପ୍ରକାର ସଂକ୍ରାମକ ରୋଗ ମହାମାରୀ ଭାବରେ ଦେଖା ଦେଇଥିଲା । ଧୂମପାନର ଅଭ୍ୟାସ ଆଣ୍ଡାମାନ ହୋମରୁ ଶିଖି ଓ ଯୌନବ୍ୟାଧି ଗ୍ରସ୍ତ ହୋଇ ସେମାନେ ସ୍ଵାସ୍ଥ୍ୟ ହରାଇଥିଲେ । ପ୍ରୋଟିନଯୁକ୍ତ ମାଛ ମାଂସ ଛାଡ଼ି ଭାତ ଖାଇବା ଓ ପରିଷ୍କାର କରିବାକୁ ନ ଶିଖି ଲୁଗା ପିନ୍ଧିବା ଫଳରେ ଏହା ହୋଇଥିଲା । ମେଲେରିଆ ମଧ୍ୟ ବ୍ୟାପକ ଭାବରେ ଏ ସମୟରେ ବୃଦ୍ଧି ପାଇଥିଲା । ଏହି ଦୁର୍ଯୋଗ ଦିନରେ ‘ହମ୍ପ୍ରେ’ ନାମକ ଜଣେ ଇଂରେଜ ଆଣ୍ଡାମାନର ଅଧିବାସୀ ଓ ଅନାଥ ବାଳକଙ୍କ ପାଇଁ ଏକ ‘ଅନାଥାଶ୍ରମ’ ସ୍ଥାପନ କରିଥିଲେ । ଏହି ଶିଶୁମାନଙ୍କୁ ସେ ଇଂରାଜୀ ଶିଖାଇବା ପାଇଁ ଚେଷ୍ଟା କରିଥିଲେ । ଚେଷ୍ଟା କ୍ୱଚିତ୍‍ ସଫଳ ହୋଇଥିଲା । ଇଂରେଜମାନେ ଥରକୁ ଥର ଯାଇ ସଭ୍ୟତାର ଆଲୋକ ବିସ୍ତାର ଉଦ୍ଦେଶ୍ୟରେ ଆଣ୍ଡାମାନର ଆଦିମ ଅଧିବାସୀମାନଙ୍କୁ ଆଣି ବଶ କରିବାକୁ ଚେଷ୍ଟା କରୁଥିଲେ । ୧୮୭୪ରୁ ୧୮୭୯ରେ ସ୍ଵତନ୍ତ୍ର ଅଫିସର ରୂପେ ପୋର୍ଟମ୍ୟାନଙ୍କୁ ସେମାନେ ନିଯୁକ୍ତ କରିଥିଲେ । ସେ ଆଦିବାସୀମାନଙ୍କୁ ଧରିଆଣି ନାନା ଉପହାର ଦେଇ ଛାଡ଼ୁଥିଲେ । ଏହାଙ୍କ କାର୍ଯ୍ୟଫଳରେ ଓଙ୍ଗି, ଆନାବିୟୋଡ଼ା ଆଦି କେତେକ ଉପଜାତିର ଲୋକେ ବଶୀଭୂତ ହୋଇଥିଲେ । କିନ୍ତୁ ସେମାନଙ୍କର ସଂଖ୍ୟା ଦ୍ରୁତ ହ୍ରାସ ପାଇଥିଲା । ଯୌନବ୍ୟାଧି, ଅପୁଷ୍ଟି, ଧୂମପାନ ଇତ୍ୟାଦି ମନ୍ଦ ଅଭ୍ୟାସ ଥିଲା ଏସବୁର ମୁଖ୍ୟ କାରଣ । କିନ୍ତୁ ଜାରୁଓ୍ୱାମାନେ ଶତ୍ରୁତା ଆଚରଣ ଛାଡ଼ିନଥିଲେ ଓ ଏବେ ବି ଛାଡ଼ି ନାହାଁନ୍ତି । ସେମାନେ ହିଁ ସୁସ୍ଥ ଓ ସବଳ ଭାବରେ ନିଜର ଆଦିମ ଜୀବନଧାରା ରକ୍ଷାକରି ଆସିଛନ୍ତି ।

 

ଆଣ୍ଡାମାନରେ ବନ୍ଦୀ ବସତି :–

 

ଭାରତବର୍ଷରେ ବ୍ରିଟିଶ ଶାସନର ଅୟମାରମ୍ଭ ଦିନରୁ ଦ୍ୱୀପାନ୍ତର ଦଣ୍ଡ କାର୍ଯ୍ୟକାରୀ ହେଉଥିଲା । ୧୭୮୭ ଖ୍ରୀଷ୍ଟାବ୍ଦରେ ସୁମାତ୍ରାର ବେନ୍–କୁଲେନ୍ (Beneculen) ଦ୍ୱୀପକୁ ଭାରତୀୟ ବନ୍ଦୀଙ୍କୁ ପଠାହୋଇଥିବା ଜଣାଯାଏ । ୧୮୨୫ ରେ ସୁମାତ୍ରା ଡଚ ଅଧିକାରଭୁକ୍ତ ହେବାପରେ ଏହି ବନ୍ଦୀମାନଙ୍କୁ ସିଂହାପୁର ଓ ପେନାଙ୍ଗକୁ ପଠାଯାଉଥିଲା । ୧୮୧୮ ଖ୍ରୀଷ୍ଟାବ୍ଦର ଏକ ବିବରଣୀରୁ ଦେଖିବାକୁ ମିଳେ–ଏହି ବନ୍ଦୀମାନଙ୍କୁ ନାନା ପ୍ରକାର କଠୋର ଶାରୀରିକ ଶ୍ରମରେ ଲଗାଯାଉଥିଲା, ଯେପରି କି ଏମାନେ ଆତ୍ମନିର୍ଭରଶୀଳ ସମାଜ ଗଢ଼ିପାରିବେ । ୧୮୨୭ ଖ୍ରୀଷ୍ଟାବ୍ଦରେ ‘ପ୍ରିନସଅଫ୍ ଓ୍ୱେଲସ’ ଦ୍ୱୀପରେ ଦ୍ୱୀପାନ୍ତରିତ ବନ୍ଦୀମାନଙ୍କୁ ନେଇ ରଖାଯାଉଥିଲା । ହୁଏତ ଏମାନଙ୍କ ମଧ୍ୟରେ ପାଇକ ବିଦ୍ରୋହର ଶତାଧିକ ବନ୍ଦୀ ଥିଲେ । ୧୮୫୮ରେ ସିପାହୀ ବିଦ୍ରୋହର ଅଗଣିତ ଆଜୀବନ ବନ୍ଦୀଙ୍କୁ ଆଣ୍ଡାମାନରେ ରଖିବାର ବ୍ୟବସ୍ଥା ହୋଇଥିଲା । ଏହି ସବୁ ବନ୍ଦୀଙ୍କୁ ଆଣ୍ଡାମାନରେ ରଖିବାର ଏକ ବଡ଼ କାରଣ ଥିଲା । ମାଳୟ ଅନ୍ତଃରୀପ ନିକଟବର୍ତ୍ତୀ ଦ୍ୱୀପରୁ ବନ୍ଦୀମାନେ ଅନାୟାସରେ ପଳାଇ ଯାଉଥିଲେ । ମୂଳ ଭୂଖଣ୍ଡରୁ ବହୁ ଦୂରବର୍ତ୍ତୀ ଥିବାରୁ ଆଣ୍ତାମାନ ବନ୍ଦୀ ବସତି ପାଇଁ ଉପଯୁକ୍ତ ସ୍ଥାନ ରୂପେ ବଛା ଯାଇଥିଲା । ୧୮୫୮ ମାର୍ଚ୍ଚ ୧୦ ତାରିଖରେ ଜେମସ୍ ପାର୍ଟିସନ୍ ଓ୍ୱାକର ୪ଜଣ ୟୁରୋପୀୟ ଅଫିସର ଓ ୭୩୩ଜଣ ବନ୍ଦୀଙ୍କୁ ଘେନି ଆଣ୍ଡାମାନରେ ପାଦଦେଲେ । ପୋର୍ଟବ୍ଳେୟାର ନିକଟବର୍ତ୍ତୀ ଋସ୍ (Ross) ଦ୍ୱୀପରେ ସେ ନିଜର ଅଫିସ୍ ସ୍ଥାପନ କଲେ । ଏହି ବନ୍ଦୀମାନଙ୍କ ସାହାଯ୍ୟରେ ନିକଟବର୍ତ୍ତୀ ଚାଥମ୍ ଦ୍ୱୀପ ଓ ପୋର୍ଟବ୍ଳେୟାର ନିକଟବର୍ତ୍ତୀ ଅରଣ୍ୟ ପରିଷ୍କାର କରି ବସତିସ୍ଥାପନର ପ୍ରୟାସ କଲେ । ଏହି ସମୟରେ ଓ୍ୱାକର ଦୁଇଟି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପ୍ରଥମତଃ । ବନ୍ଦୀମାନଙ୍କର କ୍ୟାମ୍ପରୁ ପଳାୟନ ଓ ଦ୍ୱିତୀୟତଃ ବସତିଉପରେ ଆଦିମ ଅଧିବାସୀମାନଙ୍କର ଆକ୍ରମଣ । ଏପରିକି ବନ୍ଦୀମାନେ ମଧ୍ୟ ସଂଘବଦ୍ଧ ଭାବରେ ଇଂରେଜ କର୍ମକର୍ତ୍ତାଙ୍କୁ ହତ୍ୟାକରି ଆଣ୍ତାମାନରେ କର୍ତ୍ତୃତ୍ୱ ପ୍ରତିଷ୍ଠା କରିବାକୁ ଚାହିଁଥିଲେ । ଏହିପରି ଏକ ଘଟଣା ପହିଲା ଏପ୍ରିଲ ୧୮୫୯ ଖ୍ରୀଷ୍ଟାବ୍ଦରେ ଘଟିଥିଲା । ସର୍‍ବରସା ଓ ନୁସେର ମହମ୍ମଦ ନାମକ ଦୁଇଜଣ ବନ୍ଦୀ ଓ୍ୱାକର ଓ ତାଙ୍କର ଭାରତୀୟ ସହଯୋଗୀ ମୁତ୍ରାଦାସଙ୍କ ପ୍ରାଣନାଶ ପାଇଁ ଚେଷ୍ଟା କରିଥିଲେ । ୧୮୬୩ ଖ୍ରୀଷ୍ଟାବ୍ଦରେ ସାର୍ ରବର୍ଟ ନାପିଏର ପୋର୍ଟବ୍ଳେୟାରରେ ବନ୍ଦୀମାନଙ୍କର ବହୁସଂଖ୍ୟାରେ ମୃତ୍ୟୁବରଣର କାରଣ ଅନୁସନ୍ଧାନ କରିବାପାଇଁ ପ୍ରେରିତ ହୋଇଥିଲେ । ଉପଯୁକ୍ତ ବସସ୍ଥାନର ଅଭାବ, ଖାଦ୍ୟାଭାବ ଓ କଠୋର ଶାରୀରିକ ପରିଶ୍ରମ ଏହି ମୃତ୍ୟୁର କାରଣ ବୋଲି ସେ ମତ ଦେଇଥିଲେ । ଜନସ୍ୱାସ୍ଥ୍ୟର ଉନ୍ନତି ଓ ଉପଯୁକ୍ତ ବସଗୃହ ନିର୍ମାଣ ପାଇଁ ତାଙ୍କର ସୁପାରିଶ ଗୃହୀତ ହୋଇଥିଲା । ୪୦ । ୪୫ବର୍ଷରୁ ଊର୍ଦ୍ଧ୍ୱ କିମ୍ବା ଦୁର୍ବଳସ୍ଵାସ୍ଥ୍ୟ ବନ୍ଦୀମାନଙ୍କୁ ଆଣ୍ଡାମାନ ନ ପଠାଇବାର ସିଦ୍ଧାନ୍ତ ହୋଇଥିଲା । କଲୋନେଲ୍ ଏଚ୍. ମ୍ୟାନ ମାର୍ଚ୍ଚ ୧୮୬୮ରେ ପୋର୍ଟବ୍ଳେୟାରର ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହୋଇଥିଲେ । ୧୮୫୯ ଏପ୍ରିଲ ୧୬ ତାରିଖରେ ଇଂରେଜମାନେ ନିକୋବର ଦ୍ୱୀପପୁଞ୍ଜ ଅଧିକାର କରି ତାହାର ଶାସନ ଭାର ପୋର୍ଟବ୍ଳେୟାର ସୁପରିଟେଣ୍ତେଣ୍ଟଙ୍କ ହସ୍ତରେ ଅର୍ପଣ କରିଥିଲେ । ନିକୋବରର ନାନ୍‍କଓରି ଦ୍ୱୀପରେ ଏକ ବନ୍ଦର ଓ ବନ୍ଦୀ ବସତିସ୍ଥାପନର ବ୍ୟବସ୍ଥା ହୋଇଥିଲା । ଏହି କଲୋନେଲ୍ ମ୍ୟାନ ଥିଲେ ଜଣେ ଅତ୍ୟନ୍ତ ଅଭିଜ୍ଞ ବ୍ୟକ୍ତି । ବନ୍ଦୀ ବସତିର ପ୍ରଶାସନିକ ବ୍ୟବସ୍ଥା ବିଷୟରେ ତାଙ୍କ ପ୍ରଣୀତ ନିୟମମାନ ୧୯୪୫ରେ ବନ୍ଦୀବସତି ଉଠିଯିବା ପର୍ଯ୍ୟନ୍ତ ପ୍ରାୟ ପ୍ରଚଳିତ ଥିଲା । ଲର୍ଡ ମେୟୋ ବନ୍ଦୀ ବସତିର ବିକାଶ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ ଓ ଏହି ବନ୍ଦୀ ବସତି ପରିଦର୍ଶନରେ ଯାଇଥିବା ସମୟରେ ୧୮୭୨ ଫେବୃୟାରୀ ୮ ତାରିଖରେ ମାଉଣ୍ଟ ହେରିଏଟ୍‍ର ପାଦଦେଶରେ ଥ‌ିବା ହୋପ୍ ଟାଉନ୍ (Hope-town) ଜେଟିରେ ଶେରଆଲି ନାମକ ଜଣେ ବନ୍ଦୀଙ୍କ ଅତର୍କିତ ଆକ୍ରମଣ ଦ୍ୱାରା ନିହତ ହୋଇଥିଲେ । ଏହି ବନ୍ଦୀ ବସତିର ସଂସ୍କାର ଓ ବିକାଶ ପାଇଁ ନାନା ପଦକ୍ଷେପ ନିଆହୋଇଥିଲା । କଲୋନେଲ୍ ସାର୍ ରିଚାର୍ଡ ଟେମ୍ପଲଙ୍କ ପ୍ରଶାସନ କାଳରେ ୧୮୯୬ ଖ୍ରୀଷ୍ଟାବ୍ଦରେ ବିଖ୍ୟାତ Cellular-ଜେଲର ନିର୍ମାଣ ଆରମ୍ଭ ହୋଇଥିଲା ଓ ୧୯୧୦ରେ ଛ’ ଶହ ତେଷଠିଟି ସେଲର ଏହି ଜେଲଟିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା । ବନ୍ଦୀମାନଙ୍କୁ ଏହି ସେଲୁଲାର୍ ଜେଲରେ ପ୍ରଥମ କେତେକ ବର୍ଷ କଠୋର ଶୃଙ୍ଖଳ ମଧ୍ୟରେ ଆବଦ୍ଧ ରଖି ପରେ ସ୍ଵାଧୀନ ଜୀବନଯାପନ କରିବାପାଇଁ ମୁକ୍ତ କରି ଦିଆଯାଉଥିଲା । ଏମାନଙ୍କ ମଧ୍ୟରୁ ଅନେକେ କୃଷକ, କାରିଗର ଓ କେହି ବା ସରକାରୀ ବୃତ୍ତିଭୋଗୀ ଶ୍ରମିକ ଭାବରେ ପ୍ରତିଷ୍ଠିତ ହୋଇପାରିଥିଲେ । ୧୯୧୬ ଖ୍ରୀଷ୍ଟାବ୍ଦରେ ଆଣ୍ଡାମାନରେ ୭୬୪୦ ବନ୍ଦୀଙ୍କ ମଧ୍ୟରୁ ୨୧୧୫ଜଣ ସରକାରଙ୍କଠାରୁ ମଜୁରି ନେଇ ଓ ୭୭୭୨ ଜଣ କୃଷକୁ କେନ୍ଦ୍ରକରି ଆତ୍ମନିର୍ଭରଶୀଳ ହୋଇପାରିଥିଲେ । ୧୯୨୧ରେ ଭାରତରୁ ଆଣ୍ଡାମାନକୁ ବନ୍ଦୀପଠାଇବା ନୀତି ବାତିଲ କରି ଦିଆହୋଇଥିଲା । ୧୯୩୧ରେ ସନ୍ତ୍ରାସବାଦୀ ଆନ୍ଦୋଳନ ଭାରତରେ ଆରମ୍ଭ ହୋଇଥିଲା ଓ ସନ୍ତ୍ରାସବାଦୀମାନଙ୍କୁ ବହୁସଂଖ୍ୟାରେ ସେଲୁଲାର ଜେଲରେ ବନ୍ଦୀ କରାହୋଇଥିଲା-। ମାତ୍ର ଏ ବନ୍ଦୀମାନେ ଜେଲରେ ମଧ୍ୟ ଅନଶନ ଧର୍ମଘଟ ଓ ଅନ୍ୟାନ୍ୟ ଆନ୍ଦୋଳନାତ୍ମକ ନୀତି ଗ୍ରହଣ କରିଥିଲେ । ଏମାନଙ୍କ ମୁକ୍ତିପାଇଁ ଭାରତରେ ବହୁ ଆନ୍ଦୋଳନ ହୋଇଥିଲା । ୧୯୩୭ ଖ୍ରୀଷ୍ଟାବ୍ଦରେ ଏହି ରାଜନୈତିକ ବନ୍ଦୀମାନଙ୍କୁ ଭାରତର ମୂଳଭୂଖଣ୍ଡକୁ ଫେରାଇ ଅଣାଯାଇଥିଲା ।

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଣ୍ତାମାନର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦକ୍ଷିଣ ପୂର୍ବ ଏସିଆରେ ଜାପାନୀମାନଙ୍କର ଆଧିପାତ୍ୟ କାଳରେ ୨୩ ମାର୍ଚ୍ଚ ୧୯୪୨ ଖ୍ରୀଷ୍ଟାବ୍ଦରେ ଆଣ୍ଡାମାନ ଜାପାନୀମାନଙ୍କ ଦ୍ୱାରା ଅଧିକୃତ ହୋଇଥିଲା । ଜାପାନୀମାନଙ୍କର ଅଧିକାରରେ ଥିବା ସମୟରେ ନେତାଜୀ ସୁବାଷଚନ୍ଦ୍ର ବୋଷ ଆଜାଦ୍‍ହିନ୍ଦ୍ ଫୌଜର ସର୍ବାଧିନାୟକ ଭାବରେ ପୋର୍ଟବ୍ଳେୟାର ପରିଦର୍ଶନ କରିଥିଲେ ଓ ପୋର୍ଟବ୍ଳେୟାରର ଜିମ୍‍ଖାନା ପଡ଼ିଆରେ ଏକ ଜନସଭାରେ ‘ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି’ ଏହି ବାଣୀ ଉଚ୍ଚାରଣ କରିଥିଲେ । ଜାପାନୀ ସେନାପତିଙ୍କ ହାତରେ କାର୍ଯ୍ୟଶାସନ ଭାର ଥିଲେ ହେଁ ଆଜାଦ୍‍ହିନ୍ଦ୍ ସରକାର ପକ୍ଷରୁ ଲୋକନାଥନ୍ ଏହାର ପ୍ରଶାସକ ନିଯୁକ୍ତ ହୋଇଥିଲେ । ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ଭାରତୀୟ ଆଜାଦ୍ ବାହିନୀ ପକ୍ଷରୁ ଆଉ ୪ଜଣ ଅଫିସର ମଧ୍ୟ ନିଯୁକ୍ତ ହୋଇଥିଲେ-। ୧୯୪୪ ଫେବୃୟାରୀ ବେଳକୁ ଏହି ଆଜାଦ୍‍ହିନ୍ଦ୍ ବାହିନୀର ଲୋକଙ୍କ ହାତରେ ଏହି ଦ୍ୱୀପପୁଞ୍ଜର ଶାସନଭାର ବିନ୍ୟସ୍ତ ହୋଇଥିଲା । କିନ୍ତୁ ବ୍ରିଟିସ୍ ଶାସକମାନଙ୍କ ଆକ୍ରମଣର ସମ୍ମୁଖୀନ ହୋଇ ନପାରି ଜୁଲାଇ ମାସରେ ଆଜାଦ ହିନ୍ଦୁ ଫୌଜ ଆଣ୍ଡାମାନ ଛାଡ଼ିଥିଲେ ଓ ଅକ୍ଟୋବର ମାସରେ ଏହା ଇଂରେଜମାନଙ୍କ ଦ୍ଵାରା ପୁନଃ ଅଧିକୃତ ହୋଇଥିଲା । ୧୯୪୨ରୁ ୧୯୪୫ ଏହି ତିନିବର୍ଷର ଜାପାନୀ ଅଧିକାର ସମୟରେ ଆର୍ଥିକ, ସାମାଜିକ ଓ ନୈତିକ ଦିଗରୁ ଆଣ୍ଡାମାନ ଦ୍ୱୀପର ଅଧିବାସୀମାନେ ନାନା ପରିବର୍ତ୍ତନର ସମ୍ମୁଖୀନ ହୋଇଥିଲେ । ଜାପାନୀମାନେ କଠୋର ଶାସକ ଥିଲେ । ଏପରିକି ସେମାନେ ଜାରୁୱାଙ୍କ ଉପରେ ମଧ୍ୟ ବୋମା ବର୍ଷଣ କରିଥିଲେ-। ଆଣ୍ଡାମାନଙ୍କୁ ଖାଦ୍ୟ ଦିଗରୁ ସ୍ୱନିର୍ଭର କରିବାପାଇଁ ସେମାନେ କୃଷିର ଦ୍ରୁତ ବିକାଶ କରିବାକୁ ଚାହିଁଥିଲେ । ଏହା ହିଁ ଥିଲା ସେମାନଙ୍କ ଶାସନର ସୁଫଳ ।

 

ନିକୋବରର ଆଧୁନିକ ଇତିହାସ ଆରମ୍ଭ କାଳ ଅଷ୍ଟାଦଶ ଶତାବ୍ଦୀ । ପଣ୍ଡିଚେରୀରେ ଫରାସୀ କ୍ଷମତା ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ ଫରାସୀ ଧର୍ମ ପ୍ରଚାରକମାନେ ନିକୋବରରେ ଖ୍ରୀଷ୍ଟଧର୍ମ ପ୍ରଚାର ପ୍ରୟାସ କରିଥିଲେ । ଏଥିପୂର୍ବରୁ ଜେସୁଇଟ୍ ଗ୍ରେଷ୍ଟିମାନେ ଖୁବ୍ ସମ୍ଭବତଃ ସପ୍ତଦଶ ଶତକର ମଧ୍ୟଭାଗରୁ ନିକୋବରରେ ଖ୍ରୀଷ୍ଟଧର୍ମ ପ୍ରଚାର ଆରମ୍ଭ କରିଥିଲେ । ଫରାସୀ ଧର୍ମପ୍ରଚାରକଗଣଙ୍କ ମଧ୍ୟରେ Father Bonnetଙ୍କ ନାମ ସ୍ମରଣୀୟ । ସେ ୧୭୧୧ରୁ ୧୭୧୩ ମଧ୍ୟରେ ନିକୋବରରେ ଥିଲେ ଓ ଭଗ୍ନସ୍ଵାସ୍ଥ୍ୟ ହୋଇ ମୃତ୍ୟୁବରଣ କରିଥିଲେ । Father Bonnetଙ୍କ ସଙ୍ଗେ ଥିଲେ Father petmefoure (୧୭୪୧-୪୨) ଖ୍ରୀଷ୍ଟାବ୍ଦରେ ଆଉ ଜଣେ ଫରାସୀ ଧର୍ମପ୍ରଚାରକ ନିକୋବରରେ ଗୋଟିଏ କାରଖାନା ବସାଇବା ଓ ଧର୍ମ ପ୍ରଚାର କରିବାପାଇଁ ପଣ୍ଡିଚେରୀ ସରକାରଙ୍କ ଅନୁମୋଦନ କ୍ରମେ ଯାଇଥିଲେ । ମାତ୍ର ସେ ମଧ୍ୟ ଭଗ୍ନସ୍ୱାସ୍ଥ୍ୟ ହୋଇ ଫେରିଆସିଥିଲେ । ଏହାପରେ ଡେନିସ୍‌ ଇଷ୍ଟଇଣ୍ଡିଆ କମ୍ପାନୀ ନିକୋବରରେ ବସତିସ୍ଥାପନ ଓ ଧର୍ମପ୍ରଚାର ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କ ଉଦ୍ୟମ ଥରକୁ ଥର ବିଫଳ ହୋଇଥିଲା । ସେମାନେ ନାନ୍‍କଓରୀ ଦ୍ୱୀପରେ ବସତିସ୍ଥାପନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ୧୭୭୧ରେ ପ୍ରତିକୂଳ ଜଳବାୟୁ ସେମାନଙ୍କୁ ନିକୋବର ଛାଡ଼ିବାକୁ ବାଧ୍ୟ କରିଥିଲା । ମାତ୍ର ନିଜ ଆଧିପତ୍ୟର ସଙ୍କେତ ସ୍ୱରୂପ ସେମାନେ କେବଳ ଜଣେ ଡେନିସ୍‍ ମିଶ୍‍ନାରୀଙ୍କୁ ନିଜ ପ୍ରତିନିଧି ରୂପେ ନିକୋବରରେ ରଖିଥିଲେ । ଏହି ସମୟରେ ଅଷ୍ଟ୍ରିଆ ତରଫରୁ ମଧ୍ୟ ନିକୋବରରେ ବସତିସ୍ଥାପନର ପ୍ରୟାସ ହୋଇଥିଲା । ଏହି ସମୟରେ ଆହୁରି ଅନେକ ଇଉରୋପୀୟ ଜାତି ମଧ୍ୟ ଆସିଥିଲେ, ମାତ୍ର କ୍ୱଚିତ୍ ସେମାନଙ୍କର ପ୍ରୟାସ ସଫଳ ହେଉଥିଲା । ୧୭୮୩– ୧୮୩୬ ମଧ୍ୟରେ ଡେନିସ୍‍ମାନେ ନିକୋବରରେ ସ୍ଥାୟୀବସତି ଓ ଏକ କ୍ଷୁଦ୍ର ସୈନ୍ୟବାହିନୀ ରଖିବାର ପ୍ରୟାସ କରିଥିଲେ । ୧୮୦୭ ଖ୍ରୀଷ୍ଟାବ୍ଦରେ ନେପୋଲିୟନୀୟ ଯୁଦ୍ଧ ସମୟରେ ଇଂରେଜମାନେ ଏହାକୁ ନିଜ ଅଧିକାରଭୂକ୍ତ କରିବା କଥା ଘୋଷଣା କରିଥିଲେ । କିନ୍ତୁ ୧୮୧୪ ରେ ଏକ ଚୁକ୍ତି ଫଳରେ ଏହା ସେମାନେ ପୁଣି ଡେନ୍‍ମାର୍କକୁ ଫେରାଇ ଦେଇଥିଲେ । ୧୮୩୬ ରୁ ୪୫ ମଧ୍ୟରେ ଫରାସୀ ମିଶ୍‍ନାରୀମାନେ ପୁଣି ନିକୋବରରେ ଆଧିପତ୍ୟ ସ୍ଥାପନର ପ୍ରୟାସ କରିଥିଲେ । ୧୮୪୫ ରୁ ୧୮୫୯ ପର୍ଯ୍ୟନ୍ତ ଡେନ୍‍ମାର୍କ ପୁଣି ଏହାକୁ ନିଜ ଅଧିକାରଭୁକ୍ତ କରିବା ପାଇଁ ପ୍ରୟାସ କରିଥିଲା । କିନ୍ତୁ ଏହା ସଫଳ ହୋଇ ନଥିଲା । ଏହି ସମୟରେ Prussiaର ଜଣେ ଅଫିସର ମଧ୍ୟ ଏହାର ଏକ ଅଂଶ ଅଧିକାର କରିବା ପାଇଁ ଚେଷ୍ଟା କରିଥିଲେ । ନିକୋବରରେ ବସତିସ୍ଥାପନ ଅଥବା ଧର୍ମପ୍ରଚାର କୌଣସି କ୍ଷେତ୍ରରେ ଇଉରୋପୀୟମାନେ ସଫଳ ହୋଇନଥିଲେ । ୧୮୪୮ ରୁ ୧୮୬୯ ପର୍ଯ୍ୟନ୍ତ ନିକୋବରରେ କୌଣସି ଆଧୁନିକ ଶାସନ ପ୍ରାୟ ନଥିଲା । ଇଉରୋପୀୟମାନଙ୍କର ଅଧିକାର ଥିଲା କେବଳ ନାମକୁ ମାତ୍ର । ନିକୋବରର ଅଧିବାସୀମାନେ ଜଳଦସ୍ୟୁ ଭାବରେ ବିଶେଷ ସନ୍ତ୍ରାସ ସୃଷ୍ଟି କରିଥିଲେ । ଦକ୍ଷିଣ ପୂର୍ବ ଏସିଆରେ ବାଣିଜ୍ୟପାଇଁ ବ୍ରିଟିଶ ନୌଜାହାଜ ସବୁ ଏଇ ପଥଦେଇ ଯାଉଥିଲା । ସାମୁଦ୍ରିକ ଝଡ଼ ଓ ଦୁର୍ବିପାକର ସମ୍ମୁଖୀନ ହୋଇ ନିକୋବରର ବନ୍ଦରମାନଙ୍କରେ ଆଶ୍ରୟ ନେଉଥିଲା । ମାତ୍ର ନିକୋବରିଜ୍‍ମାନଙ୍କର ଆକ୍ରମଣ ଭୟଙ୍କର ପରିବେଶ ସୃଷ୍ଟି କରୁଥିଲା । ଇତିମଧ୍ୟରେ ସିପାହୀ ବିଦ୍ରୋହ ପରେ ଆଣ୍ଡାମାନରେ ବନ୍ଦୀ ବସତି ସ୍ଥାପିତ ହୋଇସାରିଥିଲା । ନିକୋବରର ଜଳପଥକୁ ବିପଦମୁକ୍ତ କରିବା ପାଇଁ ନିକୋବରର ଶାସନ ଭାର ମାର୍ଚ୍ଚ ୧୮୫୯ ପୋର୍ଟବ୍ଳେୟାର କମିଶନରଙ୍କଠାରେ ନ୍ୟସ୍ତ କରାଗଲା । ଆଣ୍ଡାମାନ ଓ ନିକୋବର ମଧ୍ୟରେ ଯୋଗାଯୋଗ ସ୍ଥାପନ ପାଇଁ ଏକ ବାଷ୍ପଚାଳିତ ସାମୁଦ୍ରିକ ଜାହାଜ ନିଯୁକ୍ତ କରାଗଲା । ନାନ୍‍କଓରୀରେ ଏକ ନୂତନ ବନ୍ଦୀ ବସତିସ୍ଥାପନ କରାଗଲା । ପରିଶେଷରେ ଡେନ୍‍ମାର୍କ ସରକାରଙ୍କ ଅନୁମୋଦନ କ୍ରମେ ୧୬ ଏପ୍ରିଲ ୧୮୫୯ ଖ୍ରୀଷ୍ଟାବ୍ଦରେ ନିକୋବର ଦ୍ଵୀପପୁଞ୍ଜର ଶାସନ କ୍ଷମତା ବ୍ରିଟେନ ଗ୍ରହଣ କଲା । ବ୍ରିଟିଶ ଶାସନାଧୀନ ହେବାପରେ ବନ୍ଦୀ ବସତିସ୍ଥାପନ ସଙ୍ଗେ ସଙ୍ଗେ ଚାଇନିଜ୍ ଓ ମାଳୟ କୃଷକମାନଙ୍କୁ ଆଣି ସେଠାରେ ସଭ୍ୟ ବସତିସ୍ଥାପନର ଚେଷ୍ଟା କରାଗଲା । ମାତ୍ର ଏସବୁ କ୍ୱଚିତ୍‍ ସଫଳ ହୋଇଥିଲା । ବ୍ୟୟ ବୃଦ୍ଧି ଓ ଅସ୍ୱାଭାବିକ ପରିସ୍ଥିତିରେ ୧୮୮୮ ଖ୍ରୀ: ନାନ୍‍କଓରୀରେ ବନ୍ଦୀ ବସତି ବନ୍ଦ କରି ଦିଆହୋଇଥିଲା । ତେବେ ବ୍ରିଟିଶମାନେ ନିଜର ଅଧିକାର ଛାଡ଼ିନଥିଲେ । ୧୮୯୫ଖ୍ରୀ: ସେମାନେ ସୋଲୋମନ ନାମକ ଜଣେ ଦକ୍ଷିଣ ଭାରତୀୟ ବିଶପଙ୍କୁ ନିକୋବରରେ ନିଜର ପ୍ରତିନିଧି ଭାବରେ ନିଯୁକ୍ତ କରିଥିଲେ । ନିକୋବରର ପ୍ରଶାସକ ଥିଲେ ଜଣେ ଡେପୁଟି ସୁପରିଟେଣ୍ଡେଣ୍ଟ ଓ ତାଙ୍କର ଅଫିସ ଥିଲା ପୋର୍ଟବ୍ଲେୟାରରେ । ସେ ବର୍ଷରେ ତିନିଚାରିଥର ମାତ୍ର ନିକୋବର ଯାଉଥିଲେ । ନିକୋବରର ପ୍ରକୃତ ଶାସନ ଦେଖିବାକୁ ଗଲେ ନିକୋବର ଅଧିବାସୀଙ୍କ ଉପରେ ନ୍ୟସ୍ତ ଥିଲା । ନିକୋବରରେ ପ୍ରତିଷ୍ଠିତ ବ୍ରିଟିଶ ଏଜେଣ୍ଟଙ୍କର ଶାସକ ବା ବିଚାରକ ଭାବରେ କୌଣସି କ୍ଷମତା ନଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ଜଣେ ସହକାରୀ କମିଶନରଙ୍କୁ ମାଜିଷ୍ଟ୍ରେଟ୍ କ୍ଷମତା ଦେଇ ନିକୋବରକୁ ପଠାଗଲା । କାର ନିକୋବର ଇତିମଧ୍ୟରେ ବ୍ୟବସାୟ ବାଣିଜ୍ୟର ଏକ କେନ୍ଦ୍ର ଭାବରେ ପ୍ରତିଷ୍ଠା ଲାଭ କରିଥିଲା । ସହକାରୀ କମିଶନରଙ୍କର ଅଫିସ୍ ସେହିଠାରେ ପ୍ରତିଷ୍ଠିତ ହେଲା । ଏଠାରେ ଗୋଟିଏ ଆଧୁନିକ ଡାକ୍ତରଖାନା ବସିଲା । ଅନ୍ୟାନ୍ୟ ଦ୍ଵୀପ ଉପରେ ଶାସନ କର୍ତ୍ତୃତ୍ୱ ଜାରୀପାଇଁ ଜଣେ ତହସିଲଦାର ମଧ୍ୟ ନିଯୁକ୍ତ ହେଲେ । ବାହାରକୁ ରପ୍ତାନୀ କରାହେଉଥିବା ନଡ଼ିଆ ଉପରେ ଶତକଡା ୧୦ ଭାଗ କର ବସାଇ ଆୟ ବୃଦ୍ଧିର ପ୍ରୟାସ କରାଗଲା । ନିକୋବରର କେତୋଟି ପ୍ରଧାନ ଦ୍ଵୀପ ଉପରେ ଆଧୁନିକ ପ୍ରଶାସନିକ ପ୍ରଭାବ ବିସ୍ତାରର ପ୍ରୟାସ ଏଇଭାବରେ ସଫଳ ହୋଇଥିଲା । ମାତ୍ର ବହୁ ଦ୍ୱୀପରେ ଆଦିମ ଅଧିବାସୀମାନେ ସଭ୍ୟତାଠାରୁ ବିଚ୍ଛିନ୍ନ ହୋଇ ନିଜର ସ୍ୱତନ୍ତ୍ର ଜୀବନଧାରା ରକ୍ଷା କରିଥିଲେ ।

 

ଆଣ୍ଡାମାନ ଓ ନିକୋବର ଭାରତର ଅଧିକାରଭୂକ୍ତ ହେବାପରେ ଏଠାରେ ଊନ୍ନୟନର ଗତିବେଗ ତ୍ୱରାନ୍ୱିତ ହୋଇଛି ଓ ଏହି ସୁତ୍ରରେ ଭାରତରେ ମୂଳ ଭୂଖଣ୍ଡର ଅଧ‌ିବାସୀଙ୍କ ସହିତ ଏମାନଙ୍କ ସମ୍ପର୍କ ନିବିଡ଼ତର ହୋଇଚାଲିଛି ।

 

ଆଣ୍ତାମାନ ଓ ନିକୋବରର ବର୍ତ୍ତମାନ ସ୍ଥିତି–ଭବିଷ୍ୟତ :–

 

ଆଣ୍ଡାମାନର କଳାପାଣି ନାମ ଏବେ ବିସ୍ମୃତ । ୧୯୪୫ରେ ଆଣ୍ଡାମାନର ବନ୍ଦୀ ବସତି ଚିରଦିନ ପାଇଁ ଲୋପ ପାଇଲା । ସରକାରୀ ବ୍ୟୟରେ ଅବାଧରେ ବନ୍ଦୀମାନେ ଦେଶକୁ ଫେରି ଆସିଲେ । ଫଳରେ ଏହାର ଜନସଂଖ୍ୟା ୨୧ ହଜାରରୁ ୧୪ ହଜାରକୁ କମି ଆସିଥିଲା । କିନ୍ତୁ ଦେଶ ବିଭାଗ ପରେ ଏହା ହେଲା ସ୍ୱାଧୀନ ଭାରତବର୍ଷର ଏକ ଅଙ୍ଗ ରାଜ୍ୟ । ପୂର୍ବବଙ୍ଗରୁ ଆଗତ ଶରଣାର୍ଥୀମାନଙ୍କୁ ବହୁ ସଂଖ୍ୟାରେ ଏଠାରେ ଥଇଥାନ କରାଗଲା । ୧୯୫୬ ରେ ନଭେମ୍ବର ୧ ତାରିଖରୁ ଏହାକୁ କେନ୍ଦ୍ର ଶାସିତ ‘ଗ’ ଶ୍ରେଣୀଭୂକ୍ତ ରାଜ୍ୟରୂପେ ଗ୍ରହଣ କରାଗଲା । ଜଣେ ପାର୍ଲାମେଣ୍ଟ ସଭ୍ୟ ଆଣ୍ଡାମାନ ନିକୋବରରୁ ବଛାଯାନ୍ତି । କେନ୍ଦ୍ର ସରକାରଙ୍କ ଘରୋଇ ବିଭାଗଦ୍ୱାରା ନିଯୁକ୍ତ ଜଣେ ଚିଫ କମିଶନର ଏକ ଉପଦେଷ୍ଟା ସମିତି ସାହାଯ୍ୟରେ ଏହାର ଦୈନନ୍ଦିନ ଶାସନ ପରିଚାଳନା କରିଥାନ୍ତି । ଆଣ୍ଡାମାନ ଓ ନିକୋବରର ଉନ୍ନୟନ ପରିକଳ୍ପନା ରୂପେ କୃଷ, ଶିଳ୍ପ ଓ ନୂତନ ନୂତନ ଅଞ୍ଚଳରେ ଜନବସତିସ୍ଥାପନ ର ପ୍ରୟାସ ଅବ୍ୟାହତ ଗତିରେ ଚାଲିଅଛି । ଶରଣାର୍ଥୀମାନଙ୍କ ସହିତ ଦକ୍ଷିଣ ଭାରତ ତଥା ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରୁ କୃଷକ କାରିଗର ଓ ମତ୍ସ୍ୟଜୀବୀମାନଙ୍କୁ ନେଇ ବସତିସ୍ଥାପନର ପ୍ରୟାସ ଚାଲିଅଛି । ଏପରିକି ପ୍ରତିରକ୍ଷା ଦୃଷ୍ଟିରୁ ଅବସରପ୍ରାପ୍ତ ପଞ୍ଜାବୀ ସୈନିକମାନଙ୍କୁ ଗ୍ରେଟ ନିକୋବରରେ ବସତିସ୍ଥାପନ ପାଇଁ ରଖାହୋଇଅଛି । ପଞ୍ଜାବୀମାନେ ଭାରତର ଏହି ସୁଦୂର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଏହି ଉପନିବେଶକୁ ନୂତନ ପଞ୍ଜାବ ଆଖ୍ୟା ଦେଇଥାଆନ୍ତି ।

 

ସଭ୍ୟତାର ପ୍ରସାର, ଅର୍ଥିକ ପ୍ରଗତି ଆଣ୍ଡାମାନ ଓ ନିକୋବରର ପ୍ରଧାନ ସମସ୍ୟା ନୁହେଁ-। ହୁଏତ ଉଗ୍ର ବସ୍ତୁବାଦୀମାନେ ଏହାକୁ ପ୍ରଗତି ବୋଲି ମନେ କରିପାରନ୍ତି । କିନ୍ତୁ ଆଣ୍ଡାମାନ ଓ ନିକୋବରର ସରଳ ଆଦିମ ଅଧିବାସୀମାନଙ୍କୁ ନିଜ ପ୍ରାକୃତିକ ପରିବେଶରେ ନିଜସ୍ୱ ଜୀବନଧାରା ଅନୁସାରେ ବଞ୍ଚିବାପାଇଁ ଦେବାହିଁ ସବୁଠାରୁ ପ୍ରଧାନ ସମସ୍ୟା । ଏମାନେ ମନୁଷ୍ୟ ସଭ୍ୟତାର ଆଦିମ ଯୁଗର ପ୍ରତିନିଧି । କିନ୍ତୁ ସଭ୍ୟତାର ସଂସ୍ପର୍ଶରେ ଆସି ବୋଜିଂଜଜି ଶ୍ରେଣୀର ସମସ୍ତ ଆଦିବାସୀ ଲୋପ ପାଇଯାଇଛନ୍ତି । ୟେରେଓ୍ୱା ଶ୍ରେଣୀର ଆଦିବାସୀ ପ୍ରାୟ ଲୋପ ହେବାପାଇଁ ବସିଛନ୍ତି । ନିକୋବରର ସମପେନ୍ (Shompen) ଓ ଆଣ୍ତାମାନର ଜାରୁଓ୍ୱାମାନେ ସଭ୍ୟ ମଣିଷଠାରୁ ନିଜକୁ ଦୂରରେ ରଖି ନିଜର ଅସ୍ତିତ୍ୱ ବଜାୟ ରଖିଛନ୍ତି । କିନ୍ତୁ ବନ୍ଧୁଭାବାପନ୍ନ ଆଦିମ ଅଧିବାସୀମାନେ ବ୍ୟବସାୟୀମାନଙ୍କ ଲୁଣ୍ଠନ ଓ ସରକାରୀ ପ୍ରଶାସନରେ ସେମାନଙ୍କୁ ସଭ୍ୟ କରିବା ପାଇଁ ପ୍ରୟାସ ଫଳରେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ପ୍ରାଚୀନ ପରମ୍ପରା ଓ ଆଧୁନିକ ସଭ୍ୟତାର ସମନ୍ୱୟର ସାର୍ଥକତା ଉପରେ ହିଁ ଏଇ ଦ୍ୱୀପପୁଞ୍ଜର ଅଧିବାସୀମାନଙ୍କର ଭବିଷ୍ୟତ ନିର୍ଭରଶୀଳ ।

 

ଆଦିମ ଅଧିବାସୀଙ୍କ ପ୍ରସଙ୍ଗରେ ଗବେଷଣାର ଅନ୍ତ ନାହିଁ । ପ୍ରକୃତିପରି ଆଦିମ, ପୃଥିବୀ ପରି ରହସ୍ୟମୟ ଏଇ ଆଦିବାସୀମାନେ ସଭ୍ୟ ମଣିଷକୁ ବଡ଼ ସନ୍ଦେହ ଦୃଷ୍ଟିରେ ଦେଖନ୍ତି । ଏଇମାନେ ସେମାନଙ୍କୁ ପଶୁପରି ବନ୍ଦୀ କରିଛନ୍ତି, ଶିକାର କରିଛନ୍ତି । ଏମାନେ କିପରି ବା ଜାଣିବେ ଯେ ସମସ୍ତେ କେବଳ ସଭ୍ୟତାର ନଖବନ୍ତ ବହନ କରନ୍ତି ନାହିଁ ? ସଭ୍ୟତାର ପ୍ରକୃତ ପୂଜାରୀ ମାନବତାର ଦରଦୀ ପ୍ରେମିକ ବି ଅଛନ୍ତି । କେତେ ଧର୍ମଯାଜକ ଧର୍ମାନ୍ତର ଲାଗି, ନୃତାତ୍ତ୍ୱିକ ମଣିଷର ଅବିକୃତ ଆଦିମ ସ୍ଵଭାବର ଧାରଣା ପାଇଁ ଏଇ ଆଦିମ ଅଧିବାସୀଙ୍କୁ ମାନବତାର ପରମ ସମ୍ପଦ ମନେକରିଥାନ୍ତି । ଆଦିବାସୀମାନେ ଭୌତିକ ସଭ୍ୟତା ଦିଗରୁ ଅନେକ ନୀଚରେ ଥିଲେ ବି ଉଚ୍ଚମାନବତାର ଅଧିକାରୀ । ମୁକ୍ତପ୍ରଣୟ, ନାରୀର ମର୍ଯ୍ୟାଦା ଓ ସାମ୍ୟଧର୍ମ ଏମାନଙ୍କଠାରୁ ଆଧୁନିକ ସଭ୍ୟ ମଣିଷ ଶିଖିପାରେ । କିପରି ଏକ ସମୃଦ୍ଧ ଲୌକିକ ସାହିତ୍ୟର ଏମାନେ ଅଧିକାରୀ ତାହା ନିକୋବର ଆଦିମ ଅଧିବାସୀଙ୍କ ମଧ୍ୟରେ ପ୍ରଚଳିତ ଗୋଟିଏ ଗଳ୍ପରୁ ଅନୁମାନ କରାଯାଇପାରେ ।

 

ଗିରି ଓ ସୋଆନ (Giri and Shoan)

 

ସୁନ୍ଦର ପୁରୁଷ ଅରଙ୍ଗର ତିନିପୁଅ, ତିନିଝିଅ । ଭଲ ଘର ଥିଲା ଓ ଥିଲା ଅନେକ ସମ୍ପଦ-। ଦିନେ ସେ ବଡ଼ ପୁଅ ସୋଆନକୁ ସଙ୍ଗରେ ଘେନି ସମୁଦ୍ରକୁ ସୁତୁଲିରେ ମାଛ ଧରିବାକୁ ଗଲା । ହଠାତ୍ ଆସିଲା ଝଡ଼, ସମୁଦ୍ର ହେଲା ଅଶାନ୍ତ । ଡଙ୍ଗାଟିର ମଙ୍ଗ ଭାଙ୍ଗଗଲା, ଦିହେଁ ସମୁଦ୍ରରେ ବୁଡ଼ିଲେ । ଅରଙ୍ଗ ଅଥଳ ସମୁଦ୍ରରେ କୁଆଡ଼େ ହଜିଗଲା । କିନ୍ତୁ ପିଲାଟି ଭଙ୍ଗା ନୌକାକୁ ଧରି କୌଣସିମତେ ଭାସୁଥିଲା, କାନ୍ଦୁଥିଲା–“ମୁଁ କ’ଣ କରିବି, ମୋ ବାପା କୁଆଡ଼େ ଗଲା ? ଗୋଟିଏ ତିମି ପାଣିରୁ ଫୁତ୍‌କାର କରି ବାହାରିଆସିଲା । ସୋଆନକୁ ସାନ୍ତ୍ୱନା ଦେଇ ପଚାରିଲା, କାହିଁକି କାନ୍ଦୁଛୁରେ ପୁଅ ? ସବୁ ଶୁଣି କହିଲା ମୋ ପିଠିରେ ବସ । ମୁଁ ବାଟ ଜାଣେ” । ପ୍ରଥମେ ସୋଆନକୁ ବହୁତ ଡର ମାଡ଼ୁଥିଲା । ଅଥଳ ସମୁଦ୍ରରେ ନିଜେ ବା କ’ଣ କରନ୍ତା ? ଭାସିଲା ଡଙ୍ଗା ବୁଡ଼ୁ ବୁଡ଼ୁ ତିମି ପିଠିରେ ବସିଲା । ତିମି ସମୁଦ୍ରର ରାଜା । ସମସ୍ତେ ତାକୁ ଡରି ବାଟ ଛାଡ଼ିଦେଲେ । ଉଡ଼ନ୍ତା ମାଛ ସବୁଆଡ଼କୁ ଡେଇଁ ପଳାଇଲେ । କଚିମ ପାଣିରେ ବୁଡ଼ି ଲୁଚିଲେ, ଡେଣା ବନ୍ଦକରି ମଗର ପାଣିରେ ବୁଡ଼ିଲେ । ସାପ ସବୁ ବାଲିରେ ଗାତ ଭିତରେ ପଶିଲେ । ଏମିତି ସେ ଦୁହେଁ ଚାଲିଲେ । ତିମି ଦେଶରେ ପହଞ୍ଚିଲେ ଲାଲ ପ୍ରବାଳ ପଥରରେ ତିମିରାଜ୍ୟର ସୁନ୍ଦର ଘର । ଘରେ ତା’ର ସୁନ୍ଦର ଝିଅ–ନାମ ଜରି । “ଏଇ ପୁଅଟି ତୋତେ କେମିତି ଲାଗୁଛି’’–ତିମି ପଚାରିଲା । ଜରି କହିଲା–‘ସେ ଘରେ ରହୁ’ । ସୋଆନ ହେଲା ଜରିର ଦେହଲଗା ଚାକର । ସୋଆନ ଦେଖିବାକୁ ଝିଅପରି, ମାତ୍ର ତା’ର ଦେହର ତଳ ଅଂଶଟି ମାଛର ଲାଞ୍ଜ ଭଳି, ତା’ର ବକ୍ଷ ମୁକ୍ତାଧାରୀ ଶାମୁକା ଭଳି ଓ ପିଠି ସୁନାରଙ୍ଗର, ଆଖି ତରା ଭଳି ଉଜ୍ଜ୍ୱଳ, ସମୁଦ୍ରର ଶୈବାଳ ପରି ତା’ର କେଶଗୁଚ୍ଛ ।

 

ଜରି ପଚାରିଲା–‘‘ସୋଆନ’ ତୁମେ କି କାମ କରିପାରିବ ? ମୁଁ ଜଙ୍ଗଲରୁ ନଡ଼ିଆ ଆଣିପାରିବି । ଆମର ତ ଏଠି ନଡ଼ିଆ ଗଛ ନାହିଁ । ଆଉ କ’ଣ କରିପାରିବ ? ’ ମୁଁ ନୌକା ତିଆରି କରିପାରିବି” । “ଆମର ନୌକା ବା କ’ଣ ହେବ ? ଆଉ କ’ଣ କାମ କରିପାରିବ, କୁହ । ‘ମୁଁ ତୀରରେ ମାଛ ମାରିପାରେ’ । ‘ନା, ନା’ ସେ କଥା ଏଠି ମନକୁ ଆଣିବ ନାହିଁ । ମୋ ବାପା ମାଛଙ୍କର ରାଜା । ମାଛକୁ ରକ୍ଷା କରିବା ଆମ କାମ । ହେଉ, ସେ ସବୁକଥା ଛାଡ଼ । ମୋର କେଶ ବାନ୍ଧି ଦିଅ ।”

 

ସୋଆନ ରହିଲା–ସେ ଜରିର କେଶ ବାନ୍ଧେ, ତା’ ସଙ୍ଗରେ ଥଟ୍ଟା ପରିହାସ କରେ–ଶେଷରେ ଦୁହିଁଙ୍କର ବିବାହ ହେଲା ।

 

ଦିନେ ସୋଆନ୍ କହିଲା–“ପ୍ରିୟତମା” ତୁମ ମୁହଁ ସତେ କେଡ଼େ ସୁନ୍ଦର ! କିନ୍ତୁ ଦର୍ପଣ ବିନା ତୁମେ ନିଜ ମୁହଁ ଦେଖିପାରୁନ ?” ଜରି କହିଲା–“ଦର୍ପଣଟିଏ ମୋତେ ଆଣିଦିଅ ।” “ମୋ ଗାଆଁ ଘରେ ଦର୍ପଣ ଅଛି । କିନ୍ତୁ ମୁଁ ତ ବାଟ ଜାଣେ ନାହିଁ ।” “ମୁଁ ଘେନିଯିବି । ବାଟ ଜାଣେ । ତେବେ ମୁଁ ତ ତୁମ ଦେଶରେ ଚାଲି ପାରିବି ନାହିଁ । ସମୁଦ୍ର କୂଳରେ ଅପେକ୍ଷା କରିଥିବି । ଶୀଘ୍ର ଯାଇ ଫେରି ଆସିବ ।” “ନିଶ୍ଚୟ, ତୁମକୁ ଛାଡ଼ି ମୁଁ ତ ମୁହୂର୍ତ୍ତେ ରହିପାରିବି ନାହିଁ । “ତୁମେ ପ୍ରବାଳ ପର୍ବତର ଧାରରେ ବଡ଼ ପଥର ତଳେ ଅପେକ୍ଷା କରିଥିବ । ମୁଁ ଶୀଘ୍ର ଦର୍ପଣ ଘେନି ଫେରି ଆସିବି-।”

 

ସୋଆନ୍ ଗାଆଁକୁ ଗଲା । ଘରେ ଏକୁଟିଆ ମାଆ । ପଚାରିଲା–“ତୁ କିଏ ?” “ମୁଁ ସୋଆନ୍” । ନା, ସେ ତ ସମୁଦ୍ରରେ ତା’ବାପ ସଙ୍ଗରେ ବୁଡ଼ି ମରିଛି ।

 

ନାଁ, ନାଆଁ । ତୋ ସୋଆନ୍ ମରିନାହିଁ । ମୋ ମୁଁହଁକୁ ଥରେ ଚାହିଁ ଦେଖ । ସୋଆନ୍ ଘରେ ପଶିଲା । ତା’ ଗପ ଶୁଣିବାକୁ ଗାଆଁ ସାରା ଲୋକ ଆସି ଏକାଠି ହେଲେ । କିନ୍ତୁ ସୋଆନ୍ ମାଛରାଜା ତିମିଝିଅକୁ ବାହା ହେଇଛି–ଏକଥା କେହି ବିଶ୍ୱାସ କଲେ ନାହିଁ । ସୋଆନ୍ ମନରେ ଖୁବ୍ ଦୁଃଖ ହେଲା । ସେ ଘରୁ ଦର୍ପଣଟି ଧରି ସମୁଦ୍ରଆଡ଼କୁ ଦଉଡ଼ିଲା । ଲୋକେ ତା’ ପଛରେ ଗୋଡ଼ାଇଲେ । ତୀର ବିନ୍ଧି ତା’କୁ ମାରିଦେଲେ ।

 

ଜରି ପ୍ରବାଳ ପାହାଡ଼ ଧାରରେ ବଡ଼ ପଥର ମୁଣ୍ଡିଆ ତଳେ ଅପେକ୍ଷା କରିଥାଏ । ଦୀଘଶ୍ୱାସ ଛାଡ଼ୁଥାଏ । ଏବେ ବି ମାଛ ଧରିବାକୁ, ସମୁଦ୍ରକୁ ଗଲେ ଶୁଣାଯାଏ–କେତେବେଳେ ସେ ଦୁଃଖରେ ଗୀତ ଗାଉଛି ନୋହିଲେ କାନ୍ଦୁଛି, ଲୋକେ କିଏ କାନ୍ଦୁଛି, ଜାଣନ୍ତି ନାହିଁ । ଜରି ଏକୁଟିଆ ଫେରିବ ନାହିଁ । ସେ କାନ୍ଦଣା ସ୍ୱରରେ ଡାକୁଛି–ସୋଆନ୍, ଫେରିଆସ, ସୋଆନ୍ ଫେରିଆସ ।”

 

(ଏଇ ଗପଟି De Roepstorff (ଇଂରାଜୀରେ) ସଂଗ୍ରହ କରିଥିଲେ । କାମର୍ତାରେ ଜଣେ ସିପାହୀ ଆତତାୟୀ ହାତରେ ସେ ପ୍ରାଣ ଦେଇଥିଲେ ।)

Image

 

ଆଣ୍ଡାମାନ ଓ ନିକୋବରର ଆଦିମ ଅଧିବାସୀ

 

ଆଣ୍ଡାମାନର ଆଦିମ ଅଧିବାସୀ

 

ଆଣ୍ଡାମାନର ଆଦିମ ଅଧିବାସୀମାନେ ଏକ ସ୍ୱତନ୍ତ୍ର ଜାତିର ଲୋକ । ଏମାନେ ଅନ୍ୟତ୍ର ଅଛନ୍ତି କି ନାହିଁ ଏହା ନୃତତ୍ତ୍ୱବିତ୍‍ମାନଙ୍କର ଗବେଷଣାର ବିଷୟ । ତେବେ ଆଫ୍ରିକାର ନିଗ୍ରୋ ଜାତିର ଲୋକଙ୍କ ସହିତ କେତେକ ସାମ୍ୟ ଲକ୍ଷଣୀୟ । ଅନୁମାନ କରାଯାଏ–ଆଣ୍ଡାମାନର ଏହି ଆଦିମ ଅଧିବାସୀମାନେ ଆଫ୍ରିକାର ନିଗ୍ରୋଟବଂଶଜା ପର୍ତ୍ତୃଗୀଜ ଜଳଦସ୍ୟୁମାନଙ୍କର କୌଣସି ବାତ୍ୟା ବିଧ୍ୱସ୍ତ ଜାହାଜରୁ ରକ୍ଷା ପାଇ ହୁଏତ ଏହି ଦ୍ଵୀପରେ ଆଶ୍ରୟ ନେଇଥିଲେ । କିନ୍ତୁ ପର୍ତ୍ତୁଗୀଜମାନେ ପଞ୍ଚଶତ ଶତାବ୍ଦୀ ପ୍ରଥମାର୍ଦ୍ଧ ପୂର୍ବରୁ ଭାରତ ମହାସାଗରକୁ ଆସିନଥିଲେ । ଅଥଚ ଏହି ଭାରତ ମହାସାଗରର ଦ୍ୱୀପ ଓ ତା’ର ଅଧିବାସୀମାନଙ୍କ ପ୍ରସଙ୍ଗରେ ଦ୍ୱିତୀୟ ଶତକରୁ ଭ୍ରମଣକାରୀମାନଙ୍କ ବିବରଣୀରୁ ସୂଚନା ମିଳେ । ତେଣୁ ଆଫ୍ରିକାର ଆଦିମ ଅଧିବାସୀଙ୍କ ବଂଶଜ ବୋଲି ଆଣ୍ଡାମାନ ଅଧିବାସୀମାନଙ୍କୁ କୁହାଯାଇନପାରେ । ଆଣ୍ଡାମାନ ଅଧିବାସୀମାନଙ୍କର ପ୍ରାଚୀନତାର ଆଉ ଏକ ପ୍ରମାଣ ହେଉଛି-ସୁପ୍ରାଚୀନ ବସତିର ସଙ୍କେତ । ଆଣ୍ତାମାନର ଅଧିବାସୀମାନେ ବହୁପରିମାଣରେ ଯାଯାବର l ସେମାନେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ରହନ୍ତି । ସାଧାରଣତଃ ୪୦ । ୫୦ ଦିନ ଧରି ସେମାନେ ଗୋଟିଏ ସ୍ଥାନରେ ରହନ୍ତି । ସେମାନଙ୍କ ଏହି ରହଣୀ କାଳରେ ଶାମୁକା, ଭଗ୍ନ ମୃତ୍ ପାତ୍ର, ଭୁକ୍ତ ଖାଦ୍ୟର ଅବଶିଷ୍ଟାଂଶ ଗୋଟିଏ ସ୍ଥାନରେ ଜମାଇ ରଖନ୍ତି । ଏହିସବୁ ଜମି କ୍ଷୁଦ୍ର ପର୍ବତ ଆକାର ସ୍ତୁପ (Kitchen Midden) ସୃଷ୍ଟି କରିଥାଏ । ଏଥିରୁ ସହସ୍ରାଧିକ ବର୍ଷର ମୃତ୍ ପାତ୍ର ଓ ଶାମୁକା ଦେଖିବାକୁ ମିଳେ-। ଆଣ୍ତାମାନ ଅଧିବାସୀଙ୍କ ଭଳି ଆଦିମ ଅଧିବାସୀ ହେଉଛନ୍ତି ମାଳୟର ସେମାଙ୍ଗ (Semang) ଓଫିଲି ପାଏନ୍ ଇଆୟେଟା (Aeta) ଙ୍କ ସହିତ ଏମାନଙ୍କର ଜୀବନ ପ୍ରଣାଳୀ, ଖାଦ୍ୟ, ସଂସ୍କୃତିରେ ଅନେକ ସାମ୍ୟ ଦେଖାଯାଏ । କେହି କେହି ମନେକରନ୍ତି–ବହୁ ପ୍ରାଚୀନ କାଳରେ ଆଣ୍ଡାମାନ୍ ଦ୍ୱୀପପୁଞ୍ଜ ବ୍ରହ୍ମଦେଶ ଓ ମାଳୟ ଉପଦ୍ୱୀପ ସହିତ ସଂଯୁକ୍ତ ଥିଲା ଓ ଏକପ୍ରକାର ଆଦିମ ଅଧିବାସୀ ଏସବୁ ଅଞ୍ଚଳରେ ବାସ କରୁଥିଲେ । ଏହି ଆଦିମ ନିଗ୍ରୋଟୋ ଅଧିବାସୀମାନେ ଉଚ୍ଚବର୍ଣ୍ଣର ସଂସ୍ପର୍ଶରେ ଆସି ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଲୋପପାଇ ଯାଇଥିଲେ । ମାତ୍ର ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ଅନ୍ୟ କୌଣସି ସଭ୍ୟ ଜାତିର ସଂସ୍ପର୍ଶରେ ଆସି ନ ଥିବାରୁ ଆଣ୍ଡାମାନର ଏହି ଆଦିମ ଅଧିବାସୀମାନେ ନିଜର ସୁପ୍ରାଚୀନ ଜୀବନଧାରା ଅବ୍ୟାହତ ରଖିଅଛନ୍ତି । କେହି କେହି ମନେକରନ୍ତି–କଞ୍ଚାମାଂସ ଓ ମାଛ ଆହାର କରୁଥିବା ଯେଉଁ ଦ୍ୱୀପବାସୀ କିରାତମାନଙ୍କର ବର୍ଣ୍ଣନା ରାମାୟଣରେ ରହିଛି, ତାହା ଆଣ୍ଡାମାନର ଅଧିବାସୀମାନଙ୍କ ପ୍ରତି ପ୍ରଯୁଜ୍ୟ ।

 

ଆଣ୍ତାମାନର ଅଧିବାସୀଙ୍କ ଶ୍ରେଣୀ ବିଭାଗ :

 

ଭାଷା, ଆଚାର ଓ ବ୍ୟବହୃତ ହାତହତିଆରକୁ ଭିତ୍ତିକରି ଆଣ୍ଡାମାନର ଅଧିବାସୀଙ୍କୁ ପ୍ରଧାନତଃ ତିନି ଭାଗରେ ଭାଗ କରାଯାଏ । (୧) ୟେରେଓ୍ୱା (Yerewa), (୨) ବୋଜିଙ୍ଗିଜି (Bojingiji), (୩) ଅଙ୍ଗିଜାରଓ୍ୱା (Onge-Jarawa) । ପୁଣି ପ୍ରତ୍ୟେକ ଏକ ଭାଷାଭାଷୀ ଉପଜାତିଙ୍କୁ କେତେକ ଦଳ (Sept) ରେ ବିଭକ୍ତ କରାଯାଇପାରେ । ପ୍ରତିଦଳଙ୍କର ସ୍ୱତନ୍ତ୍ର ଦଳପ୍ରତି ଥାଆନ୍ତି ଓ ସେମାନେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୁପ୍ରାଚୀନ କାଳରୁ ବାସ କରି ଆସୁଥିଲେ । ଇଂରେଜମାନେ ଆଧୁନିକ ବସତିସ୍ଥାପନ କରିବା ଫଳରେ ଏହି ଆଦିବାସୀମାନେ ନିଜର ପ୍ରାକୃତିକ ବାସସ୍ଥାନ ହରାଇଛନ୍ତି ଓ କେତେକ ପ୍ରଜାତିର ଆଦିବାସୀଗଣ ଲୋପ ପାଇଛନ୍ତି । ପୋର୍ଟବ୍ଲେୟାର ନିକଟବର୍ତ୍ତୀ ଅଞ୍ଚଳରେ ଜାରଓ୍ୱାମାନେ ଏହି ଦ୍ୱୀପର ଉତ୍ତର-ପଶ୍ଚିମ ଅଞ୍ଚଳକୁ ପଳାଇଛନ୍ତି । ରୁଟଲେଣ୍ଡ ଦ୍ୱୀପର ଜାରଓ୍ୱା ବସତି ଅଞ୍ଚଳ ଲଘୁ ଆଣ୍ଡାମାନ ଉତ୍ତରାଂଶରୁ ଆସି ଓ୍ୱାଙ୍ଗିମାନେ ଅଧିକାର କରିଛନ୍ତି । ନିଜର ବଂଶହାନି ହେତୁ ୟେରେଓ୍ୱା ଓ ବୋଜିଙ୍ଗିଜିମାନେ ପରସ୍ପର ମଧ୍ୟରେ ବିବାହ ସୂତ୍ରରେ ଆବଦ୍ଧ ହୋଇ ନିଜ ନିଜ ପ୍ରଜାତିଗତ ସ୍ଵାତନ୍ତ୍ର୍ୟ ହରାଇଛନ୍ତି ।

 

ବସସ୍ଥାନ ଦିଗରୁ ଆଣ୍ଡାମାନର ଆଦିବାସୀମାନଙ୍କୁ ଦୁଇଦିଗରେ ବିଭକ୍ତ କରାଯାଏ । ଆରୟାଣ୍ଟୋ (Ar-yanto) ଉପକୂଳ ଅଧିବାସୀ ଓ ଏରେମ୍‍ଟ୍ୟାଗା (Eremtaga) ବା ଅରଣ୍ୟ ଅଧିବାସୀ । ଉପକୂଳ ଅଧିବାସୀମାନେ ମୁଖ୍ୟତଃ ନିଜର ଖାଦ୍ୟ ପାଇଁ ସମୁଦ୍ର ଉପରେ ନିର୍ଭର କରନ୍ତି । ସମୁଦ୍ରରେ ସନ୍ତରଣ କରିବା, ତୀରମାରି ମାଛ ଶିକାର କରିବାରେ ଏମାନେ ନିପୁଣ-। ସାମୁଦ୍ରିକ ଜୀବଜନ୍ତୁମାନଙ୍କ ବିଷୟରେ ଏମାନେ ପ୍ରଚୁର ଅଭିଜ୍ଞତା ସୃଷ୍ଟି ଜ୍ଞାନର ଅଧିକାରୀ-। ଏରେମ୍‍ଟ୍ୟାଗା ବା ଅରଣ୍ୟ ଅଧିବାସୀମାନେ ଜଙ୍ଗଲରେ ନିର୍ଭୟରେ ଭ୍ରମଣ କରନ୍ତି । ବନ୍ୟଶୁକର ଶିକାର ଏମାନଙ୍କର ପ୍ରଧାନ ପେଷା । ଏମାନେ ଜଙ୍ଗଲର ଜୀବଜନ୍ତୁ ଓ ବୃକ୍ଷଲତା ବିଷୟରେ ମଧ୍ୟ ପ୍ରଚୁର ଜ୍ଞାନର ଅଧିକାରୀ । ଦକ୍ଷିଣ ଆଣ୍ଡାମାନର ଜାରୁୟମାନେ ପୂର୍ଣ୍ଣତଃ ଆରଣ୍ୟ ଅଧିବାସୀ ଓ ଉତ୍ତର ସେଣ୍ଟିନେଲ ଦ୍ୱୀପର ଜାରୁୟମାନେ ଉପକୂଳବାସୀ । ଉପକୂଳ ଓ ୟାରଣ୍ୟବାସୀ ଏକା ଜାତିର ଆଦିବାସୀମାନଙ୍କ ଭିତରେ ବିବାହ ସମ୍ପର୍କ ସ୍ଥାପିତ ହୋଇଥାଏ ।

 

ଏହି ଆଦିମ ଅଧିବାସୀମାନେ ବସ୍ତୁତଃ ବିଚ୍ଛିନ୍ନ ଭାବରେ ବାସ କରୁଥିଲେ । ନୃତତ୍ତ୍ୱବିତ୍ ପୋର୍ଟମ୍ୟାନ୍ (Pourtmen) ଏହି ଆଦିବାସୀମାନଙ୍କର ମନୋଭାବ ନିମ୍ନପ୍ରକାରେ ବିଶ୍ଳେଷଣ କରିଛନ୍ତି । ଏମାନେ ନିଜ ପରିବାର ଭିତରେ ସବୁଠାରୁ ବେଶୀ ବନ୍ଧୁତ୍ୱଭାବ ରକ୍ଷା କରନ୍ତି । ନିଜ ପ୍ରଜାତି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାବ ରଖନ୍ତି । ଅନ୍ୟ ପରିଚିତ ଉପଜାତିମାନଙ୍କ ସହିତ ଭଦ୍ର ବ୍ୟବହାର କରନ୍ତି । କିନ୍ତୁ ଅଜ୍ଞାତ ଉପଜାତି ତଥା ଅନ୍ୟ ଯେକୌଣସି ମନୁଷ୍ୟଜାତିଙ୍କ ପ୍ରତି ଏମାନେ ଶତ୍ରୁଭାବ ପୋଷଣ କରିଥାନ୍ତି । ତେଣୁ ଭିନ୍ନ ଭିନ୍ନ ଉପଜାତିମାନଙ୍କ ମଧ୍ୟରେ ମଧ୍ୟ ଅତୀତରେ ବହୁ ସଂଘର୍ଷ ଘଟୁଥିଲା । ଇଂରେଜ ସରକାର ଆଣ୍ଡାମାନ ହୋମ୍‍ସ (Andaman Homes) ପ୍ରତିଷ୍ଠା କରି ଆଦିମମାନଙ୍କୁ ଏକତ୍ର ରଖିବାର ବ୍ୟବସ୍ଥା କରିଥିଲେ । ଫଳରେ ଜାତି ଜାତିମାନଙ୍କ ମଧ୍ୟରେ ବିବାହ ଓ ବନ୍ଧୁତ୍ୱ ବିସ୍ତୃତ ହୋଇଥିଲା ।

 

ଆଣ୍ଡାମାନ ଅଧିବାସୀମାନଙ୍କର ଦୈହିକ ଓ ମାନସିକ ବୈଶିଷ୍ଟ୍ୟ :

 

ପୁରୁଷମାନଙ୍କର ଉଚ୍ଚତା ହାରାହାରି ୪ଫୁଟ୧୦” ଓ ନାରୀମାନଙ୍କର ୪ଫୁଟ ୬” । ଏମାନଙ୍କର ଓଠ ସ୍ଥୂଳ । ମୁଖ ଅପେକ୍ଷାକୃତ ଆୟତନରେ ବଡ଼ । ସୁଗଠିତ ହେଲେବି ଏମାନଙ୍କର ହାତ ଓ ପାଦ ଅପେକ୍ଷାକୃତ କ୍ଷୁଦ୍ର । ଆଖି କୃଷ୍ଣ ବର୍ଣ୍ଣ ଓ ମୁଖମଣ୍ଡଳରେ ଏହା ଆଗକୁ ବାହାରି ଆସିଥାଏ । ଓଙ୍ଗି ବା ଅନ୍ୟ ସଭ୍ୟଜାତିଙ୍କ ସଂସ୍ପର୍ଶରେ ଆସିଥିବା ଆଦିବାସୀକୁ ଛାଡ଼ିଦେଲେ ଅନ୍ୟମାନଙ୍କ ଦାନ୍ତ ଧଳା ଓ ସୁଗଠିତ । ଏମାନଙ୍କର ଚର୍ମ ମସୃଣ ଓ ଚିକ୍‍କଣ । ପୂର୍ଣ୍ଣ କୃଷ୍ଣବର୍ଣ୍ଣ ହେଲେବି ଏମାନଙ୍କର ଗଣ୍ଡଦେଶ ଓ କାନ୍ଧର ହାଡ଼ ଅଂଶ କ୍ୱଚିତ ଧୂସର ଦେଖାଯାଏ । ବୋଜିଙ୍ଗିଜ ଶ୍ରେଣୀର ଆଦିବାସୀମାନେ ସବୁଠାରୁ ଅଧିକ କୃଷ୍ଣକାୟ । ଜାରୁଆମାନେ ସମସ୍ତଙ୍କ ତୁଳନାରେ ଅଳ୍ପ କୃଷ୍ଣ । ଓଙ୍ଗିମାନଙ୍କର ମୁଖମଣ୍ଡଳ ଲୋହିତାଭ, ବାଦାମୀ । ଏମାନଙ୍କର କେଶର ରଙ୍ଗ କେତେବେଳେ କଳା, କେତେବେଳେ ଧୂସର, କାହାର ପୀତାଭ । ମୁଖ୍ୟତଃ ଅଙ୍ଗାରଭଳି କୃଷ୍ଣବର୍ଣ୍ଣ । କେବଳ ମସ୍ତକ ବ୍ୟତୀତ ଏମାନଙ୍କ ଶରୀରର ଅନ୍ୟ କୌଣସି ସ୍ଥାନ ଲୋମଶ ନୁହେଁ । ପୁରୁଷମାନଙ୍କର ବପୁ ସୁଗଠିତ ଓ ପୌରୁଷଯୁକ୍ତ । ଏମାନେ ଦେହରେ ଲାଲ୍‍ ଓ ସାଧା ମାଟି ବୋଳି ହୋଇଥାନ୍ତି । ସ୍ତ୍ରୀମାନେ ଅପେକ୍ଷାକୃତ କମ୍ ସୁନ୍ଦରୀ । ଏମାନେ ଅଳ୍ପ ବୟସରୁ ଅତ୍ୟାନ୍ତ ସ୍ଥୂଳାଙ୍ଗୀ ହୋଇଯାଆନ୍ତି । ସ୍ତ୍ରୀମାନେ ୧୬ ଓ ପୁରୁଷମାନେ ୧୮ ବର୍ଷରେ ପୂର୍ଣ୍ଣ ଯୌବନ ଲାଭ କରନ୍ତି ଓ ୪୦ ବର୍ଷରୁ ଏମାନଙ୍କର ବାର୍ଦ୍ଧକ୍ୟ ଆରମ୍ଭ ହୋଇଥାଏ । ଏମାନଙ୍କର ଆୟୁସ୍କାଳ ୬୦ରୁ ୬୫ ବର୍ଷ ମଧ୍ୟରେ ସୀମାବଦ୍ଧ । ୪୦ ବର୍ଷ ପର୍ଯ୍ୟନ୍ତ ଏମାନଙ୍କର ମାନସିକ ଶକ୍ତି, ଅତୁଟ ଥାଏ । ଏମାନେ ପରସ୍ପର ପ୍ରତି ସ୍ନେହପୂର୍ଣ୍ଣ ବ୍ୟବହାର କରନ୍ତି । କୌଣସି ଶାସ୍ତିର ଭୟ ନଥିବାରୁ ଏମାନେ କ୍ରୋଧବଶ ହେଲେ ସହଜରେ ନିଷ୍ଠୁର ଆଚରଣ କରିଥାନ୍ତି । ସାଧାରଣତଃ ଅଧିକ ବୟସର ଆଦିମ ଅଧିବାସୀମାନଙ୍କ ମଧ୍ୟରେ କ୍ରୋଧଭାବ, ନିଷ୍ଠୁରତା, ପରଶ୍ରୀକାତରତା ବେଶୀ ପରିମାଣରେ ଦେଖାଯାଏ । ଏମାନଙ୍କ ସ୍ମୃତିଶକ୍ତି କ୍ଷୀଣ । ଏମାନେ କ୍ୱଚିତ୍‍ କୃତଜ୍ଞତା ପ୍ରକାଶ କରନ୍ତି । ଏମାନେ ସାଧାରଣତଃ ଆନନ୍ଦର ଭାବ ଦେଖାଇଥାନ୍ତି । ଏମାନେ ଆଳାପପ୍ରିୟ, କୌତୁହଳପ୍ରିୟ ଓ ଚଞ୍ଚଳ । ଶିକାର ଏମାନଙ୍କର କେବଳ ପେଶା ନୁହେଁ ଯେପରିକି ଏକ ନିଶା । କୌଣସି ମାନସିକ ପରିଶ୍ରମ କରିବାକୁ ହେଲେ ଏମାନେ ଶୀଘ୍ର କ୍ଳାନ୍ତ ହୋଇ ପଡ଼ନ୍ତି । ଏମାନଙ୍କର ଘ୍ରାଣ ଓ ଶ୍ରବଣଶକ୍ତି ଅତ୍ୟନ୍ତ ତୀକ୍ଷଣ । ଅନେକ ଦୂରରୁ ଏମାନେ ଘ୍ରାଣ ଶକ୍ତି ସାହାଯ୍ୟରେ ଅଗ୍ନିର ଅବସ୍ଥିତି ପର୍ଯ୍ୟନ୍ତ ଜାଣି ପାରନ୍ତି । ଏମାନଙ୍କର ତୀକ୍ଷ୍ଣ ଶ୍ରବଣଶକ୍ତି ଏମାନଙ୍କୁ ନିପୁଣ ଶିକାରୀ କରିଥାଏ । ବୁଦ୍ଧିବୃତ୍ତିରେ ନାରୀମାନେ ପୁରୁଷଙ୍କଠାରୁ କୌଣସି ଦିଗରେ ଊଣା ନୁହଁନ୍ତି । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ପୁରୁଷମାନଙ୍କ ତୁଳନାରେ ଏମାନଙ୍କ ମାନସିକ ଶକ୍ତି ସେପରି ହ୍ରାସ ପାଏ ନାହିଁ । ଏମାନେ ପରସ୍ପର ମଧ୍ୟରେ କଳହରତ ହୁଅନ୍ତି ନାହିଁ । ବୃଦ୍ଧା ବୟସରେ ବି ଏମାନେ ଯୌବନସୁଲଭ ଆନନ୍ଦୋଜ୍ଜ୍ୱଳ ଭାବ ଓ ସ୍ଵାସ୍ଥ୍ୟରକ୍ଷା କରିଥାନ୍ତି ।

 

ଆଦିବାସୀମାନେ ବିଶେଷ କଷ୍ଟସହିଷ୍ଣୁ । ଏମାନେ ୨୪ ଘଣ୍ଟା ଅନାୟାସରେ ନ ଶୋଇ ମଧ୍ୟ ରହିପାରନ୍ତି । ନୃତ୍ୟ ଉତ୍ସବ ସମୟରେ ଏମାନେ ପ୍ରାୟ ୪ରାତି ୪ଦିନ ନ ଶୋଇ କଟାନ୍ତି । ଶିକାର ଅଥବା ଉତ୍ସବ ପର୍ବରେ ସେମାନେ କ୍ଷୁଧା, ତୃଷା ଓ ଶାରିରୀକ କ୍ଳାନ୍ତି ଅନାୟାସରେ ସହ୍ୟ କରିଥାନ୍ତି ! ଗରମ ଏମାନଙ୍କୁ ବାଧେ ନାହିଁ । କିନ୍ତୁ ଥଣ୍ଡାକୁ ଏମାନେ ଭଲ ପାଆନ୍ତି ନାହିଁ । ଏମାନେ ସ୍ୱଭାବତଃ ନଗ୍ନ । ଏମାନଙ୍କର ମସ୍ତକ ଅନାବୃତ । ନାରୀମାନେ ସମ୍ମୁଖ ଭାଗରେ କିଛି ଗଛର ପତ୍ର ଅଣ୍ଟାରେ ଗୁଡ଼ାନ୍ତି । ନାରୀ ଓ ପୁରୁଷ ନିର୍ବିଶେଷରେ ଜାରୁଓ୍ୱାମାନେ ପୂର୍ଣ୍ଣ ଉଲଗ୍ନ ହୋଇ ରହନ୍ତି । ସଭ୍ୟମାନଙ୍କର ସଂସ୍ପର୍ଶରେ ଆସି ଲୁଗା ପିନ୍ଧୁଥ‌ିବା ଆଦିବାସୀଙ୍କ ସ୍ଵାସ୍ଥ୍ୟହାନୀ ଘଟୁଥ‌ିବା ଦେଖାଯାଏ-। ଆଦିବାସୀମାନେ ଅନାୟାସରେ ଚାଲନ୍ତି, ଦ୍ରୁତ ଦୌଡ଼ନ୍ତି । ଆଣ୍ଡାମାନର ଏହି ଆଦିମ ଅଧିବାସୀମାନେ ସମୁଦ୍ରରେ ଅଧିକ ଦୂର ଯିବାକୁ ପସନ୍ଦ କରନ୍ତି ନାହିଁ । ଦୂରବର୍ତ୍ତୀ ଦ୍ୱୀପକୁ ଯାଆନ୍ତି ନାହିଁ । ବ୍ରିଟିସଙ୍କ ଆଗମନ ପୂର୍ବର ନିକୋବର ଦ୍ୱୀପର ଅବସ୍ଥିତି ଆଣ୍ଡାମାନ ଅଧିବାସୀଙ୍କୁ ଜଣା ନଥିଲା ।

ଆଦିମ ଅଧିବାସୀମାନଙ୍କର ଗ୍ରାମ :

ଏମାନଙ୍କ ଗ୍ରାମଗୁଡ଼ିକ ଅର୍ଦ୍ଧସ୍ଥାୟୀ, କାରଣ କିଛି ନା କିଛି ପରିମାଣରେ ସବୁ ଆଦିବାସୀ ଯାଯାବର । ତେବେ ଜାରଓ୍ୱାମାନଙ୍କର ଗ୍ରାମଗୁଡ଼ିକ ଦୀର୍ଘକାଳ ସ୍ଥାୟୀ ଓ ସୁନିର୍ମିତ । ଗୋଟିଏ ଦଳ (Sept) ପ୍ରାୟ ଏକତ୍ର ବାସ କରନ୍ତି । କେବଳ ଖାଦ୍ୟର ଅନୁସନ୍ଧାନ ପାଇଁ ଏମାନେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଦୂରସ୍ଥାନକୁ ଯାଆନ୍ତି । ସେତେବେଳେ ଏମାନେ ଅସ୍ଥାୟୀ କୁଡ଼ିଆ ତିଆରି କରି ରହନ୍ତି । ଏମାନଙ୍କ ଗ୍ରାମଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ରୀତିରେ ନିର୍ମିତ । କୁଡ଼ିଆଗୁଡ଼ିକ ପ୍ରାୟ ୪ଫୁଟ୍ ଲମ୍ବ ଓ ୩ଫୁଟ ଚଉଡ଼ା । କୌଣସି ସ୍ଥାନରୁ ଖାଦ୍ୟଦ୍ରବ୍ୟ ସରିଗଲେ ଅଥବା ଗ୍ରାମ ନିକଟବର୍ତ୍ତୀ ସ୍ଥାନ ଅପରିଚ୍ଛନ୍ନ ହୋଇଗଲେ ଏମାନେ ନୂଆ ଜାଗାରେ ଯାଇ ବସତିସ୍ଥାପନ କରନ୍ତି । ଗ୍ରାମଗୁଡ଼ିକ ସାଧାରଣତଃ ଆୟତାକାର । ଛୋଟ ଛୋଟ କୁଡ଼ିଆରେ ବିବାହିତମାନେ ଓ ଦୁଇଟି ସାଧାରଣ ଗୃହରେ ଅବିବାହିତ ପୁରୁଷ ଓ ଅବିବାହିତା କନ୍ୟାମାନେ ଏକତ୍ର ବାସ କରନ୍ତି । ଓଙ୍ଗିମାନେ ଏକପ୍ରକାର ଗୋଲାକାର କୁଡ଼ିଆ ନିର୍ମାଣ କରନ୍ତି । ଏଗୁଡ଼ିକ ସାଧାରଣତଃ ସମୁଦ୍ରକୂଳରେ ନିର୍ମିତ ହୋଇଥାଏ । ତେବେ ବୃଷ୍ଟି ବିତ୍ପାତ ସମୟରେ ଅଥବା ଅରଣ୍ୟର ମଧୁ ଓ ଫଳ ସଂଗ୍ରହ କରିବା ପାଇଁ ଏମାନେ ଅରଣ୍ୟ ଭିତରକୁ ପ୍ରବେଶ କରିଥାନ୍ତି । ଏମାନେ ବେତରେ ଏକପ୍ରକାର ଖଟିଆ ତିଆରି କରି ସେଥିରେ ଶୁଅନ୍ତି । ଏମାନେ ଶିକାର କରି ପଶୁମାନଙ୍କର ମୁଣ୍ଡର ଖପୁରି କୁଡ଼ିଆ ଭିତରେ ଝୁଲାଇ ରଖନ୍ତି । ଓଙ୍ଗିମାନଙ୍କର ସାଧାରଣ ବାସଗୃହରେ ପ୍ରାୟ ୮୦ରୁ ୧୦୦ ଜଣ ଏକତ୍ର ବାସ କରନ୍ତି । ଏମାନେ ଘର ଆଗରେ ଗୋଟିଏ ବଡ଼ ବାଉଁଶ ପୋତି ସେଥ‌ିରେ ଟୋକେଇ ଜାଲ ଇତ୍ୟାଦି ଝୁଲାଇ ରଖନ୍ତି ।

ଏମାନଙ୍କର ପ୍ରଧାନ ଖାଦ୍ୟ ଘୁଷୁରୀ ମାଂସ ଓ ମାଛ, କଚିମ ମାଂସ ଓ ଅଣ୍ଡା, ଗେଣ୍ଡା, ବିରୁଡ଼ି ଓ ଅନ୍ୟାନ୍ୟ ପତଙ୍ଗମାନଙ୍କର ଅଣ୍ଡା, ନାନା ପ୍ରକାର ଫଳ, ମଞ୍ଜି, ବିଭିନ୍ନ ପ୍ରକାର ଗଛର ମୂଳ ଓ ମଧୁ । ଏ ସମସ୍ତ ଖାଦ୍ୟ ସମୁଦ୍ର ଓ ଅରଣ୍ୟରୁ ସଂଗ୍ରହ କରିଥାନ୍ତି । ଏମାନେ କୃଷିକାର୍ଯ୍ୟରେ କୌଣସି ଆଗ୍ରହ ପ୍ରକାଶ କରନ୍ତି ନାହିଁ । ବସ୍ତୁତଃ ଇଂରେଜମାନଙ୍କ ସଂସ୍ପର୍ଶରେ ଆସି ଆଣ୍ଡାମାନ ହୋମ୍‍ ରେ ରହିବା ପୂର୍ବରୁ ଏମାନେ କୌଣସି କୃଷିକାର୍ଯ୍ୟ ଜାଣି ନଥିଲେ । ଆଣ୍ଡାମାନର ଏହି ଆଦିମ ଅଧିବାସୀମାନେ କେବେ ଉପବାସ ରହନ୍ତି ନାହିଁ । ବହୁ ପରିମାଣରେ ଖାଦ୍ୟ ଖାଇଥାନ୍ତି । ସେମାନେ ସବୁ ଖାଦ୍ୟ ରାନ୍ଧି ଖାଆନ୍ତି ଓ ଗରମ ଖାଇବାକୁ ସୁଖ ପାଆନ୍ତି । ମାଂସ ଓ ମାଛରେ ନାନା ପ୍ରକାର ଖାଦ୍ୟ ତିଆରି କରନ୍ତି । ସାଧାରଣତଃ ଅବିବାହିତ ପୁରୁଷ ଓ କୁମାରୀମାନେ ଖାଦ୍ୟ ସଂଗ୍ରହରେ ମୁଖ୍ୟ ଅଂଶ ଗ୍ରହଣ କରନ୍ତି ।

ଗ୍ରାମର ଶାସନ–ଆଧୁନିକ ପ୍ରଶାସନଗତ କୌଣସି ଧାରଣା ଆଦିମ ଅଧିବାସୀମାନଙ୍କର ନଥିବା ହିଁ ସ୍ଵାଭାବିକ । ତେବେ ପ୍ରତିଦଳର ଜଣେ ଦଳପତି ଥାଆନ୍ତି । ଏଥିପାଇଁ କୌଣସି ନିର୍ବାଚନ ହୁଏନାହିଁ । ମାନସିକ ଓ ଦୈହିକ ସାମର୍ଥ୍ୟର ଅଧିକାରୀ ବୋଲି ଦଳପତିଙ୍କୁ ସମସ୍ତେ ଖାତିର କରନ୍ତି । ଏହି ଦଳପତିଙ୍କ ସ୍ତ୍ରୀ ମଧ୍ୟ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନ ଲାଭ କରନ୍ତି । ପ୍ରତ୍ୟେକ ଦଳ (sept) ଗୋଟିଏ ନିର୍ଦ୍ଦିଷ୍ଟ ଭୂମିଖଣ୍ଡକୁ ନିଜର ଅଧିକାରରେ ରଖନ୍ତି । ଏହି ଭୂମିଖଣ୍ଡରେ ଯଦି ଅନ୍ୟ କୌଣସି ଦଳ ପ୍ରବେଶ କରେ, ତେବେ ଦଳପତିଙ୍କ ନିର୍ଦ୍ଦେଶରେ ସେମାନେ ଯୁଦ୍ଧପାଇଁ ସଙ୍ଗଠିତ ହୁଅନ୍ତି । ନିଜ ଦଳ ଭିତରେ ନରହତ୍ୟା, ଚୋରି, ଯୌନ ଅପରାଧ, ସମ୍ପତ୍ତି କ୍ଷତିସାଧନ ଓ ଅନ୍ୟକୁ ଶାରୀରିକ ପୀଡ଼ା ଦେବା ଆଦିକୁ ଏମାନେ ଦୋଷ ବୋଲି ଗ୍ରହଣ କରିଥାନ୍ତି । ଏହିସବୁ ଅପରାଧର ଶାସ୍ତି ବିଧାନ ପାଇଁ ଆଦିମ ଅଧିବାସୀମାନେ ସାଧାରଣତଃ ନିଜ ବନ୍ଧୁମାନଙ୍କ ସାହାଯ୍ୟରେ ପ୍ରତିଶୋଧ ନେଇଥାନ୍ତି । ଅବଶ୍ୟ ଏହି ପ୍ରତିଶୋଧମୂଳକ ସଂଘର୍ଷରେ ଦଳର ବୟସ୍କ ସଭ୍ୟ ଓ ଦଳପତି ସ୍ଥଳ ବିଶେଷରେ ମଧ୍ୟସ୍ଥତା କରିଥାନ୍ତି । ତାଙ୍କର ବିଚାରକୁ ସମସ୍ତେ ମାନି ନିଅନ୍ତି । ଏମାନେ ଗ୍ରାମର ସମସ୍ତ ଜମି ଓ ସମସ୍ତ ସମ୍ପତ୍ତିକୁ ସର୍ବସାଧାରଣଙ୍କର ବୋଲି ମନେକରନ୍ତି । କେବଳ ଦଳପତିଙ୍କର ବସ୍ତୁ ହୋଇ ନଥିଲେ ବିନା ଅନୁମତିରେ ଅନ୍ୟର ପଦାର୍ଥ ଗ୍ରହଣ କରିବାରେ ଏମାନେ କୁଣ୍ଠାବୋଧ କରନ୍ତି ନାହିଁ । ଏମାନଙ୍କ ସମାଜଶୃଙ୍ଖଳାରେ ଆଦିମ ସାମ୍ୟବାଦନୀତି ପ୍ରତିଫଳିତ । ବ୍ୟକ୍ତିଗତ ସୁବିଧା ଦୃଷ୍ଟିରୁ ସମାଜର ବୟସ୍କ ସଭ୍ୟଙ୍କ ଉପଦେଶ ଏମାନେ ସ୍ଥଳବିଶେଷରେ ସ୍ୱୀକାର କରିଥାନ୍ତି ।

ଆଦିବାସୀମାନଙ୍କର ଧର୍ମମତ ଓ ଆଚାର ଅନୁଷ୍ଠାନ :

ଆଦିବାସୀମାନଙ୍କର ଧର୍ମମତ ସହଜ ବିଶ୍ୱାସ ଦ୍ୱାରା ପ୍ରଭାବିତ । ଏମାନଙ୍କର ପ୍ରଧାନ ଦେବତା ପୁଲ୍‍ଗ (pulga) । ସବୁଠାରୁ ଉଚ୍ଚ ପାହାଡ଼ ଶୃଙ୍ଗରେ ବାସ କରନ୍ତି । ତାଙ୍କରି ଦୟାରେ ଗଛ, ପ୍ରାଣୀ ଓ ମନୁଷ୍ୟ ସମସ୍ତେ ଜୀବନଧାରଣ କରନ୍ତି । ଆଦିବାସୀମାନେ ବିଶ୍ଵାସ କରନ୍ତି ଏହି ପୁଲ୍‍ଗଙ୍କର ଗୋଟିଏ ସ୍ତ୍ରୀ, ଗୋଟିଏ ପୁତ୍ର ଓ ବହୁ କନ୍ୟା । ସେ ତାଙ୍କର ଆଦେଶ ପୁଅଙ୍କ ହାତରେ ଝିଅମାନଙ୍କ ନିକଟକୁ ପ୍ରେରଣା କରନ୍ତି । ଅପଶକ୍ତିଙ୍କ ଉପରେ ତାଙ୍କର କର୍ତ୍ତୃତ୍ୱ ନଥାଏ । କେହି ତାଙ୍କ ବିରୋଧରେ ଅପରାଧ କଲେ ତା’କୁ ଶାସ୍ତି ଦିଅନ୍ତି । ସେ ଝଡ଼ ସୃଷ୍ଟି କରନ୍ତି । ଏହି ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା ପ୍ରାର୍ଥନା ବା ବଳିଦାନର ଧାରଣା ଦେଖାଯାଏ ନାହିଁ । ତେବେ ଏ ଦେବତାଙ୍କ ଭୟରେ ଏମାନେ ଚିରାଚରିତ ଭାବରେ କେତେକ କାର୍ଯ୍ୟରୁ ନିବୃତ୍ତ ରହନ୍ତି ।

ଜଙ୍ଗଲ ଓ ସମୁଦ୍ରରେ କେତେକ ଅପଶକ୍ତି (Evil spirit) ଥିବାରୁ ଏମାନେ ବିଶ୍ଵାସ କରନ୍ତି । ଜଙ୍ଗଲରେ ଥାଆନ୍ତି ଏରେମ୍‍ ଚଙ୍ଗା (Erem.changa) ଓ ଜଳରେ ଥାଆନ୍ତି ଜୁରୁଇନ୍ (Jurwin) । ଏ ଉଭୟଙ୍କ ସ୍ତ୍ରୀ ଓ ପରିବାର ଅଛନ୍ତି । ଏମାନଙ୍କ ବ୍ୟତୀତ ନିଲୋ ଓ ଚୋଲ ନାମରେ ଆହୁରି କେତେକ ଗୌଣ ଅପଶକ୍ତି ଥିବାର ଏମାନେ ବିଶ୍ଵାସ କରନ୍ତି । ଅପଶକ୍ତିମାନେ ରୋଗ ସୃଷ୍ଟି କରନ୍ତି । ମରିଗଲେ ଆତ୍ମୀୟ ସ୍ୱଜନ ମଧ୍ୟ ଅପଶକ୍ତି ରୂପ ନିଅନ୍ତି । ସେମାନଙ୍କର ବିରାଗଭାଜନ ଭଳି କୌଣସି କାର୍ଯ୍ୟ କଲେ ଶାସ୍ତି ବିଧାନ କରନ୍ତି । ଏମାନେ ବିଶ୍ଵାସ କରନ୍ତି ମଣିଷ ମରିଗଲେ ସେ ଆଉ ଗୋଟିଏ ଅରଣ୍ୟ ରାଜ୍ୟକୁ ଚାଲିଯାଏ । ସେହି ରାଜ୍ୟର ନାମ ଚୈତନ (chaitan) । ଏକ ବିରାଟ ନଡ଼ିଆ ବା ଖଜୁରୀ ଗଛ ରୂପରେ ଏହି ଚେତନ କଳ୍ପିତ । ଏହି ବିଶାଳକାୟ ଚୈତନ ଓ ପୃଥ‌ିବୀ ମଧ୍ୟରେ ଆକାଶମାର୍ଗରେ ଏକ ସେତୁ ଥାଏ । ମରିଗଲେ ଏହି ସେତୁ ଦେଇ ଆତ୍ମା ଉପରକୁ ଯାଏ । ପୁଣି ଚୈତନରୁ ମୃତ ଆତ୍ମା ଏହି ସେତୁ ଦେଇ ଆସି ଶିଶୁ ରୂପରେ ଜନ୍ମଲାଭ କରେ । କୌଣସି ଆଦିବାସୀ ଦମ୍ପତ୍ତିଙ୍କର ପ୍ରଥମ ସନ୍ତାନ ମରିଗଲେ, ଦ୍ୱିତୀୟ ସନ୍ତାନର ମୃତସନ୍ତାନ ଅନୁରୂପ ନାମ ରଖାଯାଏ । କାରଣ ସେମାନେ ବିଶ୍ୱାସ କରନ୍ତି ମୃତ ସନ୍ତାନ ଆସି ଜନ୍ମ ନେଇଛି । ସ୍ୱର୍ଗ ଓ ନରକର ଧାରଣା ଏମାନଙ୍କର ନାହିଁ । ମରିଗଲେ କୌଣସି ପୁରସ୍କାର ଅଥବା ଶାସ୍ତିର ଭୟ ଏମାନଙ୍କର ନଥାଏ । ଅରଣ୍ୟର ଭୂତ (spirit) ଏରେମ୍ ଚେଙ୍ଗା ଠାରୁ ରକ୍ଷାପାଇବା ପାଇଁ ଏମାନେ ସବୁବେଳେ ଆଲୁଅ ଧରି ବାହାରକୁ ବାହାରନ୍ତି । ଏମାନେ ଚନ୍ଦ୍ରକୁ ସବୁଠାରୁ ବଡ଼ ବୋଲି ମନେ କରନ୍ତି । ଏମାନଙ୍କର ଧାରଣା ଅନୁସାରେ ସୂର୍ଯ୍ୟ ଚନ୍ଦ୍ରଙ୍କର ସ୍ତ୍ରୀ ଓ ତାରାମାନେ ଏହି ଦମ୍ପତ୍ତିଙ୍କର ସନ୍ତାନ । ତେଣୁ ଆକାଶରେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଉଦୟ ବେଳେ ଏମାନେ ନୀରବ ରହନ୍ତି । ‘ପୁଲ୍‍ଗ’ ଙ୍କର ତୃପ୍ତ ପାଇଁ ନିଆଁରେ ଶୁଖିଲାପତ୍ର ପୋଡ଼ନ୍ତି, ମହୁଫେଣା ପୋଡ଼ନ୍ତି । ଭୂମିକମ୍ପକୁ ପୂର୍ବ ପୁରୁଷଙ୍କର ଖେଳ ବୋଲି ମନେ କରନ୍ତି, ସ୍ଵପ୍ନରେ ବିଶ୍ଵାସ କରନ୍ତି । ସ୍ୱପ୍ନ ମାଧ୍ୟମରେ ଗୁଣୀମାନେ ବିଭିନ୍ନ ଭୂତ (spirit) ଙ୍କ ସହିତ କଥାବାର୍ତ୍ତା କରନ୍ତି । ନାନା ଗୁଣି ଗାରିଡ଼ିରେ ବିଶ୍ୱାସ କରନ୍ତି । ଏମାନଙ୍କ ଧାରଣାରେ ପଶୁ ପକ୍ଷୀମାନେ ମଧ୍ୟ ମଣିଷଙ୍କ ଭଳି ଗୋପନ କଥା କହିଦେଇ ପାରନ୍ତି ।

ଏମାନେ ନିଜର ପ୍ରଥମ ପୂର୍ବ ପୁରୁଷଙ୍କୁ ‘ଟମୋ’ (Tomo) ବୋଲି ମନେ କରନ୍ତି । ଏହି ଆଦି ଦମ୍ପତ୍ତି ଟମୋଙ୍କ ପାଇଁ ‘ପୁଲ୍‍ଗ’ ନିଆଁ ଆଣି ଦେଇଥିଲେ, କୁଡ଼ିଆ ଓ ନୌକା ତିଆରି, ଶିକାର ଶିଖାଇଥିଲେ । ତାଙ୍କରି ପାଇଁ ଅରଣ୍ୟ ଓ ସମୁଦ୍ର ସବୁ କିଛି ସୃଷ୍ଟି କରିଥିଲେ । ଏଇ ପୁଲ୍‍ଗ ଥରେ ପ୍ରଳୟପ୍ଳାବନ ସୃଷ୍ଟି କରି ସେମାନଙ୍କୁ ସମୁଦ୍ର ମଝି ଦ୍ୱୀପକୁ ଘେନି ଆସିଥିଲେ । ନିଆଁକୁ ଧ୍ୱଂସ କରିଦେଇଥିଲେ । କିନ୍ତୁ ମତ୍ସ୍ୟରଜା ଲୁରତୁତ (Luratut) ଏହି ନିଆଁକୁ ଲୁଚାଇ ରଖି ମନୁଷ୍ୟମାନଙ୍କୁ ଦେଇଥିଲେ । ତେଣୁ ଏମାନେ ସବୁବେଳେ ନିଆଁ ଜଳାଇ ରଖନ୍ତି । ଏହି ପ୍ରଳୟ ପୂର୍ବର ପୂର୍ବପୁରୁଷମାନେ ପଶୁ ଓ ପକ୍ଷୀରେ ପରିଣତ ହୋଇଥିବା କଥା ମଧ୍ୟ ଏମାନେ ବିଶ୍ଵାସ କରନ୍ତି ।

ସାମାଜିକ ଆଚାର ବିଚାର :

ପରିବାର ହେଉଛି ଆଣ୍ଡାମାନ ଆଦିବାସୀ ସମାଜର ପ୍ରଧାନ ଭିତ୍ତି । ସମସ୍ତ ପରିବାର ଅନେକ ସମୟରେ ଶିକାର ବା ଖାଦ୍ୟ ଆହରଣ ପାଇଁ ଯାଆନ୍ତି ଓ ନିଜ ଦଳରୁ ଯାଇ ସମୟ ସମୟରେ ସ୍ଵତନ୍ତ୍ର ଭାବରେ ବାସ କରିଥାନ୍ତି । ଏମାନଙ୍କ ପରିବାର ମୁଖ୍ୟତଃ ପିତୃପ୍ରଧାନ । ବିବାହ ପରେ ସ୍ତ୍ରୀ ସ୍ଵାମୀର ଅନୁସରଣ କରେ । ଗୃହସ୍ଥଳୀର ଯାବତୀୟ କାର୍ଯ୍ୟ–ରନ୍ଧାରନ୍ଧି, ପାଣି ଆଣିବା, ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଜିନିଷ ବୋହିନେବା, ରୁଗ୍‌ଣର ସେବା ସ୍ତ୍ରୀ କରିଥାଏ । ସ୍ତ୍ରୀକୁ ରକ୍ଷା କରିବା ସ୍ୱାମୀର ଦାୟିତ୍ୱ । ପୁରୁଷ ଘୁଷୁରୀ ଓ କଚିମ ଶିକାର ପାଇଁ ସରଞ୍ଜାମ ତିଆରି କରେ । ବର୍ଚ୍ଛା ଫିଙ୍ଗି ମାଛ ଧରେ । କୁମାର ଓ କୁମାରୀମାନେ ଆଣୁଥ‌ିବା ଖାଦ୍ୟର ଅଭାବ ହେଲେ ଏହିଭଳି ଭାବରେ ନିଜେ କିଛି ଖାଦ୍ୟ ସଂଗ୍ରହ କରେ । ସମାଜରେ ନାରୀର ସ୍ଥାନ କିଞ୍ଚିତ ଗୌଣ ବୋଧହେଲେ ହେଁ, ବୃଦ୍ଧା ଓ ବୟସ୍କା ନାରୀମାନେ ବିଶେଷ ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ହୋଇଥାନ୍ତି ।

ଆଣ୍ତାମାନର ଅଧିବାସୀଙ୍କ ଭିତରେ ନାମ ଦେବାର ବିଶେଷ ବିଧି ପ୍ରଚଳିତ । ଶିଶୁ ମାତୃଗର୍ଭରେ ଥିବା ସମୟରେ ମା’ ଗୋଟିଏ ନାଁ ଦିଏ । ଏଥିରେ ପୂଅ ଅଥବା ଝିଅର କୌଣସି ସୂଚନା ନଥାଏ । ଏହାକୁ “ଟେଙ୍ଗ-ଲାର-ଉଲା” (Teng-lar-ula) ବା ଗର୍ଭନାମ କୁହାଯାଏ । ଶିଶୁ ଜନ୍ମ ହେବା ପରେ ବାଳକ କ୍ଷେତ୍ରରେ ଓଟା ଓ କନ୍ୟା କ୍ଷେତ୍ରରେ କଟା ଯୁକ୍ତ ହୁଏ । ବସ୍ତୁତଃ ଏହି ଶବ୍ଦଗୁଡ଼ିକ ପୁରୁଷ ଓ ସ୍ତ୍ରୀ ଲିଙ୍ଗର ସୂଚନା ଦିଏ । ଯୌବନ ଲାଭ ସମୟରେ ପୁଣିଥରେ ନାମ ବଦଳ ହୁଏ । ସେତେବେଳେ ଷୋହଳ ପ୍ରକାର ଫୁଲ ଗଛ ମଧ୍ୟରୁ କୌଣସି ଗୋଟିଏ ଗଛ ନାମରେ ଝିଅଙ୍କୁ ନାମିତ କରାଯାଏ । ପୁରୁଷର ଗୁଣ, ଚାରିତ୍ରିକ ବୈଶିଷ୍ଟ୍ୟ ଅନୁକ୍ରମେ ତା’କୁ ଶ୍ରଦ୍ଧା ଜଣାଇବା ପାଇଁ ମଧ୍ୟ ଭିନ୍ନ ଭିନ୍ନ ନାମ ଦିଆଯାଏ । ବିବାହିତ ବୟସ୍କ ପୁରୁଷଙ୍କ କ୍ଷେତ୍ରରେ ‘ମମ’ ଓ ନାରୀଙ୍କ ନାମ ପୂର୍ବରୁ ‘ଚର୍ଯ୍ୟ’ ଶବ୍ଦ ବ୍ୟବହୃତ ହୋଇଥାଏ ।

ବାଳକ ଓ ବାଳିକାମାନେ ବିବାହଯୋଗ୍ୟ ବିବେଚିତ ହେବା ସମୟରେ ଏକ ପ୍ରକାର ଉତ୍ସବ ପାଳିତ ହୁଏ । ୧୨ରୁ ୧୬ ବର୍ଷ ଭିତରେ ଝିଅମାନେ ଛଅ ପ୍ରକାର ଖାଦ୍ୟ ପର୍ଯ୍ୟାୟକ୍ରମେ ପରିହାର କରନ୍ତି । ପ୍ରତ୍ୟେକଟି ଖାଦ୍ୟ ଛାଡ଼ିବା ଓ ଖାଇବା ଦିନ ଉତ୍ସବ ଓ ନୃତ୍ୟ ହୁଏ । ଶେଷ ଦିନ ଏହି ଝିଅକୁ ବିବାହଯୋଗ୍ୟ ବୋଲି ବିଚାର କରାଯାଏ । ଏହିସବୁ ଉତ୍ସବର ଲକ୍ଷ୍ୟ ହେଉଛି, ପରସ୍ପର ପ୍ରୀତି ଓ ବନ୍ଧୁତ୍ୱର ପରିବେଶ ସୃଷ୍ଟି । ବିବାହ ପୂର୍ବରୁ ପୁରୁଷ ଓ ନାରୀମାନଙ୍କ ମଧ୍ୟରେ କ୍ୱଚିତ୍ ଯୌନ ଶୃଙ୍ଖଳା ପରିଲକ୍ଷିତ ହୁଏ । ପୁରୁଷମାନେ ସାଧାରଣତଃ ୨୫ ବର୍ଷ ବୟସରେ ବିବାହ କରନ୍ତି । ତେବେ ଓଙ୍ଗିମାନଙ୍କ ମଧ୍ୟରେ ବାଳିକା ବିବାହ ଦେଖାଯାଏ । ଆଣ୍ଡାମାନର ଆଦିମ ଅଧିବାସୀମାନେ ଏକପତ୍ନୀକ । ଏମାନେ ସାଧାରଣତଃ ନିଜ ଦଳ ଭିତରେ ବିବାହ କରିଥାନ୍ତି । ତେବେ ଦଳ ବାହାରୁ ବିବାହ କରିବାର ଦୃଷ୍ଟାନ୍ତ ମଧ୍ୟ ମିଳିଥାଏ । ଏମାନଙ୍କ ବିବାହ ଉତ୍ସବ ଖୁବ୍ ସରଳ । କୌଣସି ଯୁବକ ଯୁବତୀ ବିବାହ କରିବାକୁ ଇଚ୍ଛୁକ ଥିବା ଜଣାପଡ଼ିଲେ ଦଳର ବୟସ୍କ ବ୍ୟକ୍ତିମାନେ ବଧୁକୁ ଗୋଟିଏ ନୂଆ ତିଆରି ହୋଇଥିବା କୁଡ଼ିଆକୁ ଘେନିଯାଆନ୍ତି । ବର ଏହି ନୂଆ କୁଡ଼ିଆକୁ ଆସି ବଧୂକୁ ଦେଖିବାମାତ୍ରେ ଜଙ୍ଗଲକୁ ପଳାଇଯାଏ । ଅନ୍ୟ ଯୁବକମାନେ ବଳାତ୍କାରରେ ଏହି ବରକୁ ଧରିଆଣି ବଧୁକୋଳରେ ବସାଇ ଦିଅନ୍ତି । ଓଙ୍ଗିମାନଙ୍କ ମଧ୍ୟରେ କିଞ୍ଚିତ୍ ଭିନ୍ନ ପ୍ରଥା ଦେଖାଯାଏ । ତେଣୁ ବୟସ୍କ ବ୍ୟକ୍ତି କନ୍ୟାର ହାତ ନେଇ ବର ହାତରେ ଧରାଇ ଦିଅନ୍ତି । ଏହାପରେ କନ୍ୟାଟି ସେହି ପୁରୁଷର ବଧୁରୂପେ ବିବେଚିତ ହୁଏ । ହାତଧରି ବଧୂକୁ ବର ଗୋଟିଏ ନୌକାକୁ ନେଇଯାଏ । କିନ୍ତୁ ଯଦି ବର ହାତରୁ କନ୍ୟା ଖସି ଆସେ, ତେବେ ବିବାହ ବିଚ୍ଛେଦ ଘଟିଥାଏ ।

ସନ୍ତାନ ଜନ୍ମ ହେବା ପରେ କୌଣସି ବିବାହ ବିଚ୍ଛେଦ ଘଟି ନଥାଏ । ତେବେ ବିବାହର କିଛି ବର୍ଷ ମଧ୍ୟରେ ସନ୍ତାନ ନ ହେଲେ ସ୍ତ୍ରୀ ଅନ୍ୟ ସ୍ଵାମୀ ଗ୍ରହଣ କରିଥାଏ । ପୁରୁଷ ପକ୍ଷରେ ବିଶେଷତଃ ଓଙ୍ଗିମାନଙ୍କ ମଧ୍ୟରେ କୌଣସି ସ୍ତ୍ରୀକୁ ପରିହାର କରିବା ଅନ୍ୟାୟ ବୋଲି ବିଚାର କରାଯାଏ । ନିଜ ସ୍ତ୍ରୀକୁ ଛାଡ଼ି କୌଣସି ପୁରୁଷ ପଳାଇଗଲେ ବୟସ୍କା ସ୍ତ୍ରୀମାନଙ୍କର ଭର୍ତ୍ସନା ତା’କୁ ଶୁଣିବାକୁ ହୁଏ । ବିଧବାମାନେ ବିବାହ କରିଥାନ୍ତି । ତେବେ ଓଙ୍ଗିମାନଙ୍କ ମଧ୍ୟରେ ବିଧବାକୁ ସମାଜର କଳଙ୍କ ବୋଲି ମନେ କରାଯାଏ । ସ୍ଥଳ ବିଶେଷରେ ସେମାନଙ୍କୁ ପାଣିରେ ବୁଡ଼ାଇ ନିଷ୍ଠୁର ଭାବରେ ହତ୍ୟା କରାଯାଏ ।

ମୃତ୍ୟୁରେ ଉଚ୍ଚସ୍ଵରରେ କ୍ରନ୍ଦନ କରି ଶୋକ ପ୍ରକାଶ କରିବା ଏମାନଙ୍କର ଏକ ପ୍ରଚଳିତ ପ୍ରଥା । ମୃତ ଶିଶୁକୁ ପିତାମାତା ନିଜ କୁଡ଼ିଆ ମଧ୍ୟରେ ମାଟିରେ ପୋତି ଦିଅନ୍ତି । ବୟସ୍କ ବ୍ୟକ୍ତି ମରିଗଲେ ଗୋଟିଏ ଗଭୀର ଗର୍ତ୍ତରେ ପୋତି ଦିଆଯାଏ । ତେବେ କୌଣସି ସମ୍ମାନିତ ବ୍ୟକ୍ତି କିମ୍ବା ଦଳପତିଙ୍କ ମୃତ୍ୟୁପରେ ଶବକୁ ଗଛ ଉପରେ ନିର୍ମିତ ମଞ୍ଚାରେ ବାନ୍ଧିରଖାଯାଏ । ବେତର କଣ୍ଟା ଦେଇ ଏହି ଶବକୁ ଘୋଡ଼ାଇ ରଖାଯାଏ । ତିନିମାସ ପର୍ଯ୍ୟନ୍ତ ଏହି ସ୍ଥାନକୁ କେହି ଯାଆନ୍ତି ନାହିଁ । ଶୋକର ଚିହ୍ନ ସ୍ୱରୂପ ମଥାରେ ମାଟି ବୋଳି ହୁଅନ୍ତି ଓ ଏହି ସମୟରେ ନୃତ୍ୟ ଉତ୍ସବାଦି କରନ୍ତି ନାହିଁ-। ଶୋକ ସମୟ ଅତୀତ ହେବାପରେ ଜ୍ଞାତ ଓ ବନ୍ଧୁମାନେ ମୃତବ୍ୟକ୍ତିର କଙ୍କାଳକୁ ଘେନି ଆସି ଅଳଙ୍କାର ରୂପେ ବ୍ୟବହାର କରନ୍ତି । ଏହି ଅଳଙ୍କାର ସବୁପ୍ରକାର ବ୍ୟଥା ବେଦନା ଦୂର କରିବାକୁ ସକ୍ଷମ ବୋଲି ଏମାନେ ବିଶ୍ୱାସ କରନ୍ତି । ମୃତବ୍ୟକ୍ତିର ନିକଟତମ ଆତ୍ମୀୟ ଖପୁରୀଟିକୁ ନିଜ ବେକରେ ଝୁଲାଏ । ତେବେ ଅନେକ କ୍ଷେତ୍ରରେ ଓଙ୍ଗି, ଜାରୁଓ୍ୱା ଓ ସେଣ୍ଟିନେଲିଜ୍‍ମାନେ ପୂର୍ଣ୍ଣ ଖପୁରୀଟିକୁ ବେକରେ ନ ଝୁଲାଇ ମୃତବ୍ୟକ୍ତିର ହନୁହାଡ଼ର ଏକ କ୍ଷୁଦ୍ର ଅସ୍ଥି ପାଖରେ ରଖନ୍ତି-। ମୃତବ୍ୟକ୍ତିର ଶୋକଚିହ୍ନ ପୋଛିବା ପୂର୍ବରୁ ଏକ ଉତ୍ସବ ପାଳିତ ହୁଏ । ଏଥିରେ ନୃତ୍ୟ ଓ ଭୋଜି ଇତ୍ୟାଦି ହୋଇଥାଏ ।

ଆଣ୍ଡାମାନୀଙ୍କ ଭାଷାରେ ସମ୍ମାନ ବା ସ୍ନେହ ଓ ସମ୍ବୋଧନ ପାଇଁ କୌଣସି ଶବ୍ଦ ନାହିଁ । ପ୍ରଥମ ସାକ୍ଷାତରେ ସେମାନେ ପରସ୍ପରକୁ ନିର୍ଲିପ୍ତ ଭାବରେ ଅନାଇ ରହନ୍ତି । ଉଭୟଙ୍କ ମଧ୍ୟରେ ଅଳ୍ପବୟସ୍କ ବ୍ୟକ୍ତି ହିଁ ପ୍ରଥମେ କୌଣସି ମନ୍ତବ୍ୟ କରି ନୀରବତା ଭଙ୍ଗ କରେ । ତା’ପରେ ସେମାନେ ପରସ୍ପର ନାନା ସଂଳାପରେ ମାତି ଉଠନ୍ତି । ନିକଟ ଆତ୍ମୀୟଙ୍କ ମଧ୍ୟରେ ଦୀର୍ଘ ବିଚ୍ଛେଦପରେ ସାକ୍ଷାତ ହେଲେ ସେମାନେ ପରସ୍ପରର କୋଳରେ ବସନ୍ତି ଓ ବହୁ ସମୟ ଉଚ୍ଚ ସ୍ୱରରେ ଡାକି ପରସ୍ପର ପ୍ରତି ଶ୍ରଦ୍ଧା ଜଣାନ୍ତି । ଏହା କେତେ ଘଣ୍ଟା ଧରି ଚାଲେ । ତେବେ ଓଙ୍ଗିମାନଙ୍କ ମଧ୍ୟରେ ଏହି କୋଳ ବସାବସି ଓ କୋଳାକୋଳି ଅଳ୍ପ କେତେ ମିନିଟ୍‍ ପାଇଁ ହୋଇଥାଏ । ଦୁରାଗତ କୌଣସି ଅତିଥି ଆସିଲେ ସେ ଜଣକ ପରେ ଜଣେ ସମସ୍ତଙ୍କୁ କୋଳରେ ବସାଏ, ନିଜେ ବସେ ଓ ଆଲିଙ୍ଗନ କରେ । ଏହି କୋଳାକୋଳିରୁ ନାରୀପୁରୁଷ କେହି ବାଦ ଯାଆନ୍ତି ନାହିଁ ।

ଆଣ୍ଡାମାନୀ ପୁରୁଷ ଓ ସ୍ତ୍ରୀ ପ୍ରାୟ ଉଲଗ୍ନ ରହନ୍ତି । କେବଳ ପୁରୁଷମାନେ କମରରେ ଦଉଡ଼ିପଟି ବାନ୍ଧିଥାନ୍ତି ଓ ଅଳଙ୍କାରରୂପେ କଉଡ଼ି ହାର ପିନ୍ଧନ୍ତି । ସ୍ତ୍ରୀମାନେ ୫ । ୬ଟି ପତ୍ର କମରରେ ସମ୍ମୁଖ ଭାଗରେ ଝୁଲାଇଥାନ୍ତି । ଉତ୍ତର ଆଣ୍ଡାମାନର କେତେକ ଉପଜାତିର ସ୍ତ୍ରୀମାନେ ପତ୍ର ସ୍ଥାନରେ ବକ୍‍କଳ ପିନ୍ଧିବାର ଦେଖାଯାଏ । ଓଙ୍ଗି ସ୍ତ୍ରୀମାନେ ଏକ ପ୍ରକାର ହଳଦିଆ ତନ୍ତୁ ପିନ୍ଧନ୍ତି-। କି ପୁରୁଷ କି ସ୍ତ୍ରୀ ନିଜକୁ ସୁନ୍ଦର କରିବାପାଇଁ ନାନା ରଙ୍ଗ ବେରଙ୍ଗର ମାଟି ଦେହରେ ବୋଳି ହୁଅନ୍ତି । ସାଧାରଣତଃ ବାଦାମୀ, ଧଳା ଓ ଲାଲ ରଙ୍ଗର ମାଟି ବୋଳି ହୁଅନ୍ତି । ବୋଧହୁଏ କୌଣସି ବାସନା ପରିବର୍ତ୍ତେ ଏହି ମୂର୍ତ୍ତିକାର ପ୍ରଲ୍ଲେପ ସେମାନଙ୍କୁ ରକ୍ଷାକରେ । ଏମାନେ ଅଳଙ୍କାର ରୂପେ ପତ୍ରପୁଷ୍ପ ଗୁଚ୍ଛ, ଗଛର ତନ୍ତୁ, ନଡ଼ା, ଶାମୁକା, କଉଡ଼ି, ହାଡ଼, ମୃତର ମସ୍ତକ ଓ ହନୁହାଡ଼ ବ୍ୟବହାର କରନ୍ତି ଓ ଘର ସଜାଇବା ପାଇଁ କଚିମ ଖୋଳପା, ଘୁଷୁରୀହାଡ଼ ଇତ୍ୟାଦି ବ୍ୟବହାର କରନ୍ତି ।

ପ୍ରାୟ ସର୍ବତ୍ର ଆଦିବାସୀମାନଙ୍କ ଦେହରେ ଚିତା କୁଟିବା ଦେଖାଯାଏ । ଏମାନେ ଦେହରେ କଟାଦାଗ ପରି ଚିହ୍ନ କରିଥାନ୍ତି । ପ୍ରାୟ ଇଞ୍ଚକର ଚାରି ଭାଗରୁ ଭାଗେ କରି କଟାଦାଗ ଗୁଡ଼ାକ ହୋଇଥାଏ । ୧୨ । ୧୪ ଧାଡ଼ି କଟାଦାଗ ଜଣ ଜଣକ ଦେହରେ ଦେଖିବାକୁ ମିଳେ । ଏହି ଦାଗଗୁଡ଼ିକ ପ୍ରାୟ କୁକୁର ଦାନ୍ତ ଛକର ହୋଇଥାଏ । ସାଧାରଣତଃ ପ୍ରଥମେ ନାଭୀ ପାଖରୁ ଯୋନି ବା ଲିଙ୍ଗ ପର୍ଯ୍ୟନ୍ତ ଏହି କଟା ଚିହ୍ନ ଦିଆଯାଇଥାଏ । ଉତ୍ତର ଆଣ୍ଡାମାନୀଙ୍କ ମଧ୍ୟରେ ଦେହର କୌଣସି ଏକ ଅଙ୍ଗରେ ଏହି କଟା ଚିହ୍ନ ଦିଆଯାଏ । ଗଳା ପାଖରୁ ପିଠିରେ ଏହି କଟା ଚିହ୍ନ ଦିଆଯାଇଥାଏ ।

ଆଣ୍ତାମାନୀମାନେ ଶିକାର ଶେଷରେ ନୃତ୍ୟ ଗୀତରେ ରାତ୍ରି କଟାନ୍ତି । ପ୍ରତିଦିନ ସନ୍ଧ୍ୟାରେ କେତେ ଘଣ୍ଟା ଏହି ନୃତ୍ୟ ଚାଲେ । ତେବେ କୌଣସି ବିଶେଷ ଉତ୍ସବର ଅଙ୍ଗରୂପେ ଏହି ନୃତ୍ୟ ଏକାଧାରରେ ୩ । ୪ ଦିନ ଧରି ଚାଲିଥାଏ । ନୃତ୍ୟ ସମୟରେ ନାନା ଲତା ପତ୍ରରେ ଏମାନେ ଶରୀରକୁ ସଜାନ୍ତି । ଦର୍ଶକମାନେ ଗୀତ ଗାଆନ୍ତି ଓ ତାଳି ବଜାନ୍ତି । ନୃତ୍ୟ ଗୀତରେ ସ୍ତ୍ରୀ ପୁରୁଷ ଉଭୟ ଯୋଗ ଦିଅନ୍ତି । ଏମାନେ ଏକପ୍ରକାର ଫମ୍ପା କାଠରେ ତିଆରି ବାଦ୍ୟ ଯନ୍ତ୍ର ବଜାନ୍ତି । ଏହି ନୃତ୍ୟ ଗୀତରେ ଏକ ପ୍ରକାର ଛନ୍ଦ ଦେଖିବାକୁ ମିଳେ । ଏମାନେ ଯେପରିକି ସ୍ୱତଃ-ସ୍ଫୁର୍ତ୍ତ ଭାବରେ ପ୍ରତ୍ୟେକ ଗୀତ ଗାଇପାରନ୍ତି ଓ ନାଚନ୍ତି । ଏମାନଙ୍କର ସଙ୍ଗୀତ ମୁଖେ ମୁଖେ ସଞ୍ଚରଣ କରେ । ଭ୍ରମଣ ଓ ଶିକାରର ଦୁଃସାହସିକ ଅନୁଭୂତି ଗୀତରେ ଥାଏ । ସ୍ତ୍ରୀ ଲୋକମାନେ ପିଲାଙ୍କୁ ଶୋଇବା ପାଇଁ ମଧୁର ଛନ୍ଦରେ ଗୀତ ଗାଇଥାନ୍ତି ।

ହାତହତିଆର :

କଟାକଟି କରିବା ପାଇଁ ଏମାନେ ଏକ ପ୍ରକାର ପଥର ଖଣ୍ତ ବ୍ୟବହାର କରନ୍ତି । ଏଥିରେ ସେମାନେ କ୍ଷୌର ହୁଅନ୍ତି ଓ ଦେହରେ ଟାଟୁ ଦାଗ ଟାଣନ୍ତି । ମାଛର ହାଡ଼ ଓ ଶାମୁକା, କଚିମ୍‍ ଇତ୍ୟାଦିର ଖୋଳପାରେ ଏମାନେ ଛୋଟ ଛୁରୀ ତିଆରି କରନ୍ତି । ଏଥିରେ ଫଳାକରି ଧନୁ ଓ ତୀରରେ ବ୍ୟବହାର କରନ୍ତି । ମୃଗୁର, ହାତୁଡ଼ି, ଟାଙ୍ଗିଆ ଆଦି ଭାବରେ ଉପଯୁକ୍ତ ଆକୃତିର ପଥର ବାଛି ନେଇ ବ୍ୟବହାର କରନ୍ତି । ସାମୁଦ୍ରିକ ଝଡ଼ରେ ଧ୍ୱଂସ ପ୍ରାପ୍ତ ଜାହାଜରୁ ଭଙ୍ଗାକାଚ ଓ ଲୁହା ଆଦି ସଂଗ୍ରହ କରି ଏମାନେ ବ୍ୟବହାର କରିଥାନ୍ତି । ଖୁବ୍ ସମ୍ଭବତଃ ଊନ୍ନବିଂଶ ଶତାବ୍ଦୀ ପୂର୍ବରୁ ଏମାନଙ୍କୁ ଲୁହାର କୌଣସି ବ୍ୟବହାର ଜଣାନଥିଲା । ଏମାନଙ୍କ ହାତହତିଆର ଭଳି ବାସନକୁସନ ବି ବଡ଼ ଆଦିମ ଧରଣର । ଦ୍ୱୀପର କୌଣସି ଅଂଶରେ ମିଳୁଥିବା ଏକ ପ୍ରକାର ସ୍ୱତନ୍ତ୍ର ମାଟିରେ କାଦୁଅ କରି ହାତରେ ପିଟି ଏମାନେ ବାସନ ତିଆରି କରନ୍ତି । କୁମ୍ଭାର ଚକ ଏମାନଙ୍କୁ ଜଣାନାହିଁ । ଖରାରେ ଶୁଖାଇ ନିଆଁରେ ପୋଡ଼ି ଏ ପାତ୍ରକୁ ଶକ୍ତ କରାଯାଏ । କଞ୍ଚା ମୃତ ପାତ୍ରରେ କେତେକ ରେଖାଟାଣି ପାତ୍ରକୁ ଅଳଙ୍କୃତ କରିବାର ଚେଷ୍ଟା ଏମାନେ କରିଥାନ୍ତି । ଭିନ୍ନ ଭିନ୍ନ ଉପଜାତିଙ୍କର ମୃତପାତ୍ରରେ କିଞ୍ଚିତ୍ ପାର୍ଥକ୍ୟ ଦେଖାଯାଏ । କାହାର ମୃତପାତ୍ରର ତଳଦେଶ ଗୋଜିଆ, କାହାର ବା ବର୍ତ୍ତୁଳ । ଧନୁ ଓ ତୀର ଏମାନଙ୍କର ପ୍ରଧାନ ଅସ୍ତ୍ର । ମାଛ ମାରିବା ପାଇଁ ଏକ ପ୍ରକାର ଫଳା ଯୁକ୍ତ ସୁତୁଲି (Harpun) ଓ ଘୁଷୁରୀ ମାରିବା ପାଇଁ ବର୍ଚ୍ଛା ଏମାନେ ବ୍ୟବହାର କରନ୍ତି । ଜାରୁଓ୍ୱା ସେଣ୍ଟିନାଲୀମାନଙ୍କ ଧନୁ ଅର୍ଦ୍ଧବୃତ୍ତାକାର । କିନ୍ତୁ ଦକ୍ଷିଣ ଓ ଉତ୍ତର ଆଣ୍ଡାମାନର କେତେକ ଅଧିବାସୀଙ୍କ ଧନୁ ଇଂରାଜୀ ‘ଏସ୍’ ଅକ୍ଷର ପରି ଦୁଇପାଖରେ ବର୍ତ୍ତୁଳ । ଜାରୁଓ୍ୱାମାନଙ୍କର ଧନୁ ସବୁଠାରୁ ଦୀର୍ଘ, ଚଉଡ଼ା ଓ ଖୁବ୍‍ ଭାରି । ଏମାନେ ଘୁଷୁରୀ ଶିକାର ଓ ଶତ୍ରୁମାନଙ୍କ ଉପରେ ପ୍ରୟୋଗ ପାଇଁ ଭିନ୍ନ ଭିନ୍ନ ଫଳାଯୁକ୍ତ ତୀର ଧନୁରେ ବ୍ୟବହାର କରିଥାନ୍ତି । ଶତ୍ରୁ ନାଶ ପାଇଁ ତୀର ସାଧାରଣତଃ ବିଷାକ୍ତ ହୋଇଥାଏ । ମତ୍ସ୍ୟ ଓ ପକ୍ଷୀ ଶିକାର ପାଇଁ ଏକାଧିକ ଫଳାଯୁକ୍ତ ତୀର ବ୍ୟବହୃତ ହୁଏ । ଅଳ୍ପ ଦୂରରୁ ଏହି ଆଦିମ ଅଧିବାସୀମାନେ ତୀର ସାହାଯ୍ୟରେ ଅବ୍ୟର୍ଥ ଭାବରେ ଲକ୍ଷ୍ୟଭେଦ କରିଥାନ୍ତି । ହାର ପୁନ ବା ଫଳାଯୁକ୍ତ ସୁତୁଲି ସାହାଯ୍ୟରେ ଏମାନେ କଚିମ ଓ ବଡ଼ ମାଛ ଶିକାର କରନ୍ତି । ସମୁଦ୍ରର ଉତ୍ତାଳ ତରଙ୍ଗ ଭିତରେ ଧାବମାନ ମତ୍ସ୍ୟ ଏମାନେ ଯେପରି ଶିକାର କରନ୍ତି, ତାହା ଅତି ଆଶ୍ଚର୍ଯ୍ୟଜନକ । ଅନ୍ୟ କାହାରି ପକ୍ଷରେ ଏହାରି ଅନୁକରଣ ଅସମ୍ଭବ-। ଏମାନେ ଅନ୍ୟ କୌଣସି ପ୍ରକାର ବନଶୀ ଖଡ଼ା ବା ମାଛ ଧରିବା ପାଇଁ ଜାଲ ବ୍ୟବହାର କରନ୍ତି ନାହିଁ । ତେବେ ବଡ଼ ବଡ଼ କଚିମମାନଙ୍କୁ ଜୀଅନ୍ତା ଧରିବା ପାଇଁ ଏମାନେ ମୋଟା ଫାଶର ଗୋଟିଏ ପ୍ରକାର ଜାଲ ବ୍ୟବହାର କରନ୍ତି । ଏହି ଜାଲ ଲତା ତନ୍ତୁରେ ବୁଣା ହୋଇଥାଏ । ଗୃହସ୍ଥଳୀର ଆସବାବ ପତ୍ର ମଧ୍ୟରେ ମୃତପାତ୍ର (ରନ୍ଧାବସନ), ଜିନିଷ ରଖିବା ପାଇଁ ଛୋଟ ଛୋଟ ଜାଲ, ଟୋକେଇ ଓ ପାଣି ଆଣିବା ପାଇଁ କାଠ ପାତ୍ର ପ୍ରଧାନ । ଏମାନଙ୍କ ବୁଣା ଟୋକେଇ ଅତି ସୁଦୃଶ୍ୟ । ପାଣି ବୋହିବା ପାଇଁ ଏମାନେ ଏକ ପ୍ରକାର କାଠର ବାଲ୍‍ଟି ବ୍ୟବହାର କରନ୍ତି । ଏମାନଙ୍କର ନୌକା ଅତ୍ୟନ୍ତ ଆଦିମ ଧରଣର । ଏମାନେ ସାଧାରଣତଃ ଗଛର ଗଣ୍ଡିକୁ ଖୋଳି ଖୋଳି ସାନ ସାନ ଡ଼ଙ୍ଗା ତିଆରି କରନ୍ତି । ଏମାନଙ୍କ ନୌକା ଏତେ ଆଦିମ ଧରଣର ଯେ, ତୀରବର୍ତ୍ତୀ ଶାନ୍ତ ସମୁଦ୍ରରେ କେବଳ ଏହା ବ୍ୟବହାର କରାଯାଇପାରେ । ଜାରୁଓ୍ୱାମାନେ ନୌକାର ବ୍ୟବହାର ପରିବର୍ତ୍ତେ ଏକପ୍ରକାର ଭେଳା ବ୍ୟବହାର କରନ୍ତି । ଏମାନେ କାତ ଓ ଆହୁଲା ଉଭୟ ବ୍ୟବହାର କରନ୍ତି । ଏମାନଙ୍କର ନୌକା ଗୁଡ଼ିକ ଖୁବ୍ ହାଲୁକା ହୋଇଥିବାରୁ ଅଳ୍ପ ଦୂର ଖୁବ୍ ଦ୍ରୁତଗତିରେ ଯାଇପାରେ । ଏମାନେ କମ୍ପାସ୍ ଅଥବା ଆକାଶର ତାରା ଦେଖି ସମୁଦ୍ରରେ ପଥ ବାରି ପାରନ୍ତିନାହିଁ-। ନୌକାରେ ପାଣି ମଧ୍ୟ ନିଅନ୍ତି ନାହିଁ । ତେଣୁ ଦୂର ସମୁଦ୍ର ଯାତ୍ରା କରିବା ସମ୍ଭବ ହୁଏ ନାହିଁ ।

 

ଆଦିବାସୀଙ୍କ ଭାଷା :

 

ଅତ୍ୟନ୍ତ ବ୍ୟବଚ୍ଛିନ୍ନ ଭାବରେ ବାସ କରୁଥିବାରୁ ଏମାନଙ୍କ ଭାଷା ଭାଷାତତ୍ତ୍ୱ ଦିଗରୁ ଖୁବ୍ କୌତୁହଳଜନକ । ଏମାନେ କୌଣସି ଲିଖିତ ଭାଷା ବା ସଙ୍କେତ ବ୍ୟବହାର କରନ୍ତିନାହିଁ । ଏମାନେ ଏବେ ବି ପ୍ରାକ୍‍ଲିପି ଯୁଗରେ ବାସ କରୁଛନ୍ତି । ଗୋଟିଏ ଦଳର ଭାଷା ଆଉ ଗୋଟିଏ ଦଳ ଦୀର୍ଘଦିନ ପରସ୍ପରର ସମ୍ପର୍କରେ ନ ଆସିଲେ ବୁଝନ୍ତି ନାହିଁ । ତେବେ ବିଭିନ୍ନ ଦଳ ଦ୍ୱାରା ବ୍ୟବହୃତ ଭାଷାକୁ ତୁଳନାତ୍ମକ ଭାବେ ବିଚାର କଲେ, ଏ ଭାଷାର ମୂଳ ସ୍ରୋତ ଅଭିନ୍ନ ବୋଲି ମନେହୁଏ । ଏମାନଙ୍କ ବ୍ୟବହୃତ ଶବ୍ଦଗୁଡ଼ିକର ଉଚ୍ଚାରଣ ପ୍ରାୟ ଏକପ୍ରକାର । ତେବେ ଏଥିରେ ସ୍ୱତନ୍ତ୍ର ଉପସର୍ଗ, ପ୍ରତ୍ୟୟ ଓ ଉଚ୍ଚାରଣର ଭଙ୍ଗୀଗତ ପାର୍ଥକ୍ୟ ଥାଏ । ଏମାନଙ୍କ ନିତ୍ୟ ପ୍ରଚଳିତ ଶବ୍ଦର ସଂଖ୍ୟା ଖୁବ୍ ଅଳ୍ପ । ଏମାନଙ୍କ କଥନଭଙ୍ଗୀ ଅସ୍ଫୁଟ, ଅସ୍ପଷ୍ଟ, (Elliptical) ଓ ଅସଂଲଗ୍ନ । ତେବେ ଏମାନେ ନିଜର ମନୋଭାବ ସ୍ପଷ୍ଟ ଭାଷାରେ ବର୍ଣ୍ଣନା କରିଥାନ୍ତି । ଏମାନଙ୍କର ଭାଷାରେ ଯେତେପ୍ରକାର ପ୍ରାକୃତିକ ଧ୍ୱନ୍ୟାନୁକରଣ ଏକାନ୍ତ ଅବିକଶିତ ଆଦିମ ଭାଷା । ଅବିକଶିତ ବୋଧହେଲେ ବି ଆଣ୍ତାମାନ ଆଦିବାସୀଙ୍କର ଭାଷା ଯେ, ସୁପ୍ରାଚୀନ ଏଥିରେ ସନ୍ଦେହ ନାହିଁ । ବିଭିନ୍ନ ଧ୍ୱନିର ଏକତ୍ର ସଂଯୋଗରେ ଶବ୍ଦ ଗଠନ, ଯୁଗ୍ମ ପଦ, ସର୍ବନାମ, ବିଭକ୍ତି ଏ ସବୁର ପ୍ରୟୋଗ ଦେଖିଲେ ମନେହୁଏ ଏ ଭାଷା ସ୍ଵୟଂ ସମ୍ପୂର୍ଣ୍ଣ ଓ ସୁପ୍ରାଚୀନ । ଏମାନଙ୍କ ଭାଷା ଆକୃତିଗତ ଭାବରେ ଏଗ୍‍ଲୁଟିନେଟିଭ (Agglutinativ) । ଏମାନଙ୍କ ଶବ୍ଦ ଭଣ୍ଡାର ବିଶ୍ଳେଷଣ କଲେ ସହଜରେ ଧରାପଡ଼େ, ଏମାନଙ୍କ ମାନସିକ ଚିନ୍ତା ଅତି ସହଜ ଓ ଭାବବୋଧ ଅତ୍ୟନ୍ତ ସୀମାବଦ୍ଧ । ବିଦେଶୀ ଶବ୍ଦକୁ ନିଜ ଭାଷାର ଉଚ୍ଚାରଣ ଗତ ମୌଳିକ ଭଙ୍ଗୀରେ ବ୍ୟବହାର କରିବା ମଧ୍ୟ ଦେଖାଯାଏ ।

 

ସଭ୍ୟତାର ଗନ୍ଥାଘରରେ ଆଣ୍ଡାମାନର ଏହି ଉପଜାତିମାନଙ୍କ ଠାରେ ଏକ ଆଦିମ ସଭ୍ୟତାର ଅମ୍ଳାନ ଓ ବିଶୁଦ୍ଧ ରୂପଟି ଦେଖି ହୁଏ । ସତେ ଯେପରିକି କାଳର ପ୍ରବାହକୁ ଭ୍ରୂକ୍ଷେପ ନକରି ଏକ ମାନବଜାତି ନିଜର ସୁପ୍ରାଚୀନ ଆଦିମ ଜୀବନ ଧାରା ଅବ୍ୟାହତ ରଖିଅଛି । ସମଗ୍ର ପୃଥିବୀରେ ଏହିମାନେ ହିଁ ଏକ ସୁପ୍ରାଚୀନ ଜାତି (Race)ର ଆଦିମ ପ୍ରତିନିଧି । ଏମାନେ ଏବେ ବି ପ୍ରସ୍ତର ଯୁଗରେ ବାସ କରୁଅଛନ୍ତି । ସୁଉଚ୍ଚ ନାରୀକେଳଗଛ କୌଣସି ଉପକରଣ ବିନା ଏମାନଙ୍କ ପରି ଆଉ କେହି ଗଢ଼ିବାର ଦେଖାଯାଏ ନାହିଁ । ଏମାନେ ଜନ୍ତୁ ପରି ଦୌଡ଼ିପାରନ୍ତି ଓ ମାଙ୍କଡ଼ ପରି ଗଛ ଚଢ଼ିପାରନ୍ତି ବୋଲି କୁହାଯାଇପାରେ । ଗତ ଦୁଇ ଶତାବ୍ଦୀ ଧରି ଏମାନେ ସଭ୍ୟତାର ଆଘାତ ସହିଛନ୍ତି । ଫଳରେ ଏମାନଙ୍କ ଦୈହିକ ଓ ଆତ୍ମିକ ଶକ୍ତିର ଧ୍ୱଂସ ସାଧିତ ହୋଇଛି । କେବଳ ଓଙ୍ଗି ଓ ଜାରୁଓ୍ୱାମାନଙ୍କୁ ଛାଡ଼ିଦେଲେ ବହୁ ଉପଜାତି ପ୍ରାୟ ନିଶ୍ଚିହ୍ନ ହେବାର ଆଶଙ୍କା ଦେଖାଯାଇଛି ।

 

ନିକୋବରର ଆଦିମ ଅଧିବାସୀ :

 

ନିକୋବରର ଆଦିମ ଅଧିବାସୀମାନେ ଆଣ୍ତାମାନୀଙ୍କଠାରୁ ସ୍ୱତନ୍ତ୍ର । ତେବେ ଏମାନେ ଯେ ଅତ୍ୟନ୍ତ ପ୍ରାଚୀନ ଜାତି ଏଥିରେ ସନ୍ଦେହ ନାହିଁ । କାରଣ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକରୁ ଏମାନଙ୍କ ବିଷୟରେ ଭ୍ରମଣକାରୀଙ୍କ ବିବରଣୀରୁ ଜାଣିବାକୁ ମିଳେ । ପୃଥିବୀର ଅନ୍ୟ କୌଣସି ଅଞ୍ଚଳରେ ଅନୁରୂପ ଉପଜାତି ବାସ କରୁଥିବା ଦେଖାଯାଏ ନାହିଁ । ତେଣୁ ଏମାନଙ୍କୁ କୌଣସି ବିଶେଷ ଶ୍ରେଣୀଭୁକ୍ତ କରିବା ସମ୍ଭବ ହୁଏ ନାହିଁ । ଏମାନଙ୍କର ଆଚାର, ଭାଷା, ପ୍ରଥା ଓ ଦୈହିକ ଗଠନ କ୍ରମେ ଏମାନଙ୍କୁ ଚାରୋଟି ଭାଗରେ ବିଭକ୍ତ କରାଯାଇପାରେ । ଯଥା–(୧) ଉତ୍ତର ନିକୋବର ଦଳ, (୨) କେନ୍ଦ୍ରୀୟ ନିକୋବର ଦଳ, (୩) ଦକ୍ଷିଣ ନିକୋବର ଦଳ । ଗ୍ରେଟ ନିକୋବରର ଅଭ୍ୟନ୍ତରରେ ସମ୍ପେନ ନାମକ ଉପଜାତି ରହନ୍ତି । ସାର ରିଚାର୍ଡ ଟେମ୍ପଲ୍ ଅନୁମାନ କରନ୍ତି ଏମାନେ ଗୋଟିଏ ପ୍ରଜାତିର ବଂଶଜ । ଏମାନେ ଖୁବ୍ ସମ୍ଭବତଃ ଇଣ୍ଡୋ ଚାଇନା ଜାତିର ଆଦିମ ବଂଶଧର । ବିଶେଷଭାବରେ ଏମାନଙ୍କ ଭାଷା ଆଧୁନିକ ମାଳୟର ଟେନା ସେରିମ୍‍ର ଟେଲଙ୍ଗ୍ ବା ମନ୍‍ଭାଷା ଓ କାମ୍ବୋଡ଼ିଆର ଖେମର (Khemer) ଭାଷାର ଅନୁରୂପ । ଏହି ନିକୋବରିଜମାନଙ୍କର ପ୍ରଧାନ ଖାଦ୍ୟ ହେଉଛି ନଡ଼ିଆ । ରାମାୟଣରେ ସମୁଦ୍ର ତୀରବର୍ତ୍ତୀ ତମାଳ ବନବାସୀ ନାରିକେଳ ଖାଦକ ଯେଉଁ ବାନରଙ୍କ କଥା କୁହାଯାଇଛି, ତାହା ଏହି ନିକୋବରବାସୀଙ୍କ ବର୍ଣ୍ଣନା ବୋଲି କୁହାଯାଇଥାଏ । ଏମାନଙ୍କ ବର୍ଣ୍ଣ ଗୌର, ଏମାନେ ଫଳମୂଳ ଭକ୍ଷକ । ଏମାନେ କୌଣସି ଅସ୍ତ୍ର ବ୍ୟବହାର ନକରି କେବଳ ମଲ୍ଲଯୁଦ୍ଧ କରିଥାନ୍ତି । ଏମାନେ ଅତି ସାମାନ୍ୟ ବସ୍ତ୍ର ପରିଧାନ କରନ୍ତି । ସେଥିରେ ଗୋଟିଏ ଲାଙ୍ଗୁଳ ଥାଏ । ରାଗିଗଲେ ଏମାନେ ପ୍ରତିପକ୍ଷକୁ ଆଘାତ ନ କରି ନିଜେ ଉପବାସ ରହନ୍ତି ଓ ନିଜ ନୌକା ପୋଡ଼ିଦିଅନ୍ତି । ଦୈହିକ ଗଠନ ଦିଗରୁ ଏମାନେ ସୁଗଠିତ ଓ ଆଣ୍ତାମାନୀଙ୍କ ତୁଳନାରେ ଦୀର୍ଘକାୟ । ହାରାହାରି ପୁରୁଷମାନଙ୍କର ଉଚ୍ଚତା ୫ ଫୁଟ୍‍ ୪ ଇଞ୍ଚ ଓ ସ୍ତ୍ରୀମାନଙ୍କର ଉଚ୍ଚତା ୫ ଫୁଟ୍‍ । ଏମାନଙ୍କର କପାଳ ସୁଗଠିତ, ଓଷ୍ଠ ସ୍ଵାଭାବିକ ସ୍ଥୂଳତାଯୁକ୍ତ, କାନ ମଧ୍ୟମ ଆକୃତିର । ଆଖି ବକ୍ର । ନାକ ଚଉଡ଼ା ଓ ଚେପ୍‍ଟା । ହନୁ ହାଡ଼ ଅପେକ୍ଷାକୃତ ବଡ଼, ମୁଖମଣ୍ଡଳ ବର୍ତ୍ତୃଳାକାର ଓ ମୁଖ ଗହ୍ୱର ଅପେକ୍ଷାକୃତ ବଡ଼ । ଏମାନଙ୍କ ରଙ୍ଗ ଚମ୍ପକ ଗୌର, କେତେବେଳେ ବାଦାମୀ ଅଥବା ଲୋହିତାଭ । ବେକଟି ସ୍ଥୂଳ ଓ ପୃଷ୍ଠ ଦେଶ କିଞ୍ଚିତ ବକ୍ର ହୋଇଥିବାରୁ ଏମାନଙ୍କ ଚେହେରା ସୁନ୍ଦର ଦିଶେ ନାହିଁ । ଚର୍ମ ଆଜୀବନ ମସୃଣ ରହେ । ଦାନ୍ତର ସ୍ୱାଭାବିକ ସୌନ୍ଦର୍ଯ୍ୟ ବହୁ ପରିମାଣରେ ପାନଖାଇବା ହେତୁରୁ ନଷ୍ଟ ହୋଇଯାଏ । ଏମାନଙ୍କର କେଶ କଳା ଓ କସରା । ଉତ୍ତର ନିକୋବରୀଙ୍କଠାରେ ବର୍ମିଜ୍ ମାନଙ୍କର ସାଦୃଶ୍ୟ ଓ ଗ୍ରେଟ୍ ନିକୋବରରେ ମଳୟବାସୀଙ୍କର ସାଦୃଶ୍ୟ ଦେଖାଯାଏ । ସମ୍ପେନ୍‍ମାନେ ଅପେକ୍ଷାକୃତ କ୍ଷୁଦ୍ର ଅବୟବ, କୃଷ୍ଣକାୟ ଓ କୁଞ୍ଚିତ କେଶ । ଏମାନଙ୍କ ଚେହେରାରେ ଦକ୍ଷିଣ ଭାରତୀୟ ଦ୍ରାବିଡ଼ୀୟ ପ୍ରଭାବ ଦେଖିବାକୁ ମିଳେ । ସଭ୍ୟ ମଣିଷଠାରୁ ନିକୋବରବାସୀମାନେ ପଳାୟନ କରିନଥାନ୍ତି । ନାନ୍‍କଓରୀ ଦ୍ୱୀପର (Nancowry) ର ଅଧିବାସୀଙ୍କ ଚେହେରାରେ ‘ନୋଡ଼ିକ୍’ ଆକୃତି ଦେଖାଯାଏ । ଏଠାରେ ଡିନାମାରମାନଙ୍କ ସେନାବାହିନୀ ରହିଥିଲେ । ଫଳରେ ଏହି ଶଙ୍କର ଜାତିର ସୃଷ୍ଟି ହୋଇଅଛି । ସେହିପରି ନିକୋବରର ଦକ୍ଷିଣ ଅଂଶରେ ଚୀନାମାନଙ୍କ ସଂସ୍ପର୍ଶରେ ଆସି ଶଙ୍କର ଜାତି ସୃଷ୍ଟି ହୋଇଅଛି ।

 

ନିକୋବରର ଅଧିବାସୀମାନଙ୍କୁ ସ୍ୱତଃ ଅଳସୁଆ, ଭୀରୁ ଓ ମାନ୍ଦା ପ୍ରକୃତିର ବର୍ଣ୍ଣନା କରାହୋଇଥାଏ । ହୁଏତ ଜଳବାୟୁ ଓ ପ୍ରାକୃତିକ ପରିବେଶ ଏହାର କାରଣ । ଏଠାରେ ନାରୀକେଳ ଓ ଅନ୍ୟାନ୍ୟ ଫଳ, ଘୁଷୁରୀ ଓ ପକ୍ଷୀଙ୍କର ମାଂସ ବହୁପରିମାଣରେ ମିଳିଥାଏ । ଅତି ସାମାନ୍ୟ ଚେଷ୍ଟାରେ ଏମାନେ ନାନାପ୍ରକାର ଫଳ ପନିପରିବା ଓ ମୂଳ ଜାତୀୟ ଖାଦ୍ୟ ପାଇଥାନ୍ତି । ଏହାର ମାଟି ଅପେକ୍ଷାକୃତ ଉର୍ବର । ଜଳବାୟୁ ଉଷ୍ଣ ଓ ଆଦ୍ର । ବର୍ଷର ଅଧିକାଂଶ ସମୟରେ ବର୍ଷା ହୋଇଥାଏ । ତେଣୁ କୃଷି ଏଠାରେ ସହଜସାଧ୍ୟ । ନିକୋବର ଅଧିବାସୀମାନେ ପଶୁପାଳନ ଓ ଉଦ୍ୟାନ ରଚନାରେ ଅତି ନିପୁଣ । ନିଜର ଗୃହସ୍ଥଳୀ, ନୌକା ଓ ଅନ୍ୟାନ୍ୟ ହାତ ହତିଆରି ଅତି ନିପୁଣ ଭାବରେ ତିଆରି କରିଥାନ୍ତି । ଏମାନେ ଆହୁଲା ମାରି ବହୁଦୂର ପର୍ଯ୍ୟନ୍ତ ନୌକା ଚଳାଇ ଯାଇପାରନ୍ତି । ଅନାୟାସରେ ଗଛ ଚଢ଼ନ୍ତି । ଏମାନେ ବାରମ୍ବାର ଆହାର କରନ୍ତି ଓ ପାନ କରନ୍ତି, ସତେ ଯେପରିକି କ୍ଷୁଧା ଓ ତୃଷା ଏମାନେ ଆଦୌ ସହିପାରନ୍ତି ନାହିଁ । ଏମାନେ ଅତ୍ୟନ୍ତ ଶାନ୍ତ ପ୍ରକୃତିର । ଅନାଗତ ଅତିଥିମାନଙ୍କ ପ୍ରତି ଅତ୍ୟନ୍ତ ସଦୟ ବ୍ୟବହାର କରିଥାନ୍ତି । ଏମାନେ ସତ୍ୟବାଦୀ, ସାଧୁ ଓ ଭଦ୍ର । ତେବେ ବାରମ୍ବାର ପ୍ରତାରିତ ହୋଇ ବିଦେଶୀ ବ୍ୟବସାୟୀଙ୍କୁ ଏମାନେ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି ।

 

ଏହି ଆଦିମ ଅଧିବାସୀଙ୍କ ଭିତରେ ଅନେକ ଉପଦଳ ଦେଖାଯାଏ । ଗୋଟିଏ ଗୋଟିଏ ଦଳ ଏକାଧିକ ଗ୍ରାମରେ ବାସ କରନ୍ତି । ସେମାନଙ୍କର ଜଣେ ଦଳପତି ଥାନ୍ତି । ଏହି ଦଳପତି ସେମାନଙ୍କ ଭିତରେ ସାଧାରଣତଃ ସବୁଠାରୁ ବିତ୍ତବାନ ବ୍ୟକ୍ତି । ପାଳିତ ଘୁଷୁରୀ ଓ ନଡ଼ିଆ ଗଛର ସଂଖ୍ୟା ଅନୁସାରେ ସମ୍ପତ୍ତିର କଳନା କରାଯାଏ । ଦଳପତି ସମଗ୍ର ସମାଜ ଉପରେ ନିଜର ବ୍ୟକ୍ତିଗତ ଇଚ୍ଛା ଚପାଇ ଦେଇପାରନ୍ତି ନାହିଁ । ଦଳର ବିଚାରରେ ଯାହା ସମସ୍ତଙ୍କର ମତ ବୋଲି ଠିକ୍ ହୁଏ, ତାହା ହିଁ ସମସ୍ତଙ୍କୁ ମାନିନେବାକୁ ହୁଏ । ଦଳପତିଙ୍କୁ ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ପରିବାରର ବୟସ୍କ ବ୍ୟକ୍ତିମାନଙ୍କ ସହ ପରାମର୍ଶ କରିବାକୁ ହୁଏ । ଏହି ବୟସ୍କ ଗ୍ରାମବାସୀମାନଙ୍କର ସଭାରେ ଦଳଗତ ବିବାଦ ଓ ବ୍ୟକ୍ତିଗତ କଳହର ସମାଧାନ କରାଯାଏ । ପାରମ୍ପରିକ ସାମାଜିକ ପ୍ରଥାର କେହି ବିରୋଧ କଲେ ତାକୁ ଏହି ସଭାରୁ ଶାସ୍ତି ମିଳିଥାଏ । ଏମାନଙ୍କର ଏହି ଆଦିମ ଶାସନକୁ “ପ୍ରଥାବଦ୍ଧ ସହଜ ଗଣତନ୍ତ୍ର” ବୋଲି କୁହାଯାଇପାରେ । ଆଣ୍ତାମାନ ଭିତରେ କାର ନିକୋବର ହେଉଛି ସବୁଠାରୁ ଘନଜନବସତି ପୂର୍ଣ୍ଣ । ଏମାନଙ୍କର ପ୍ରତ୍ୟେକ ଗ୍ରାମରେ ଦଳପତି, ଉପଦଳପତି ଓ ବୟସ୍କମାନଙ୍କର ସଭା ଥାଏ । ଚଓରା (Chawora) ଦ୍ୱୀପରେ ଦଳପତିଙ୍କର ପ୍ରାଧାନ୍ୟ ବିଶେଷ ଅନୁଭୂତ ହୁଏ । କାର ନିକୋବର ଦ୍ଵୀପରେ ଆଧୁନିକ ପ୍ରଶାସନିକ ବ୍ୟବସ୍ଥା ଦୃଢ଼ । ସେଠାରେ ଏହି ଉପଜାତିର ଶାସନ କ୍ରମଶଃ ଶକ୍ତି ହରାଉଛି । ଏମାନଙ୍କ ବିଚାରରେ ଉଭୟ ଆର୍ଥିକ ଓ ଦୈହିକ ଶାସ୍ତି ଅପରାଧୀକୁ ଭୋଗ କରିବାକୁ ହୁଏ । ସାଧାରଣତଃ ଜୋରିମନା ଭାବରେ ଘୁଷୁରୀ ଦେବାକୁ ହୁଏ । ଏହି ଘୁଷୁରୀ ସର୍ବସାଧାରଣ ଭୋଜିରେ ଲାଗେ । ଆଉ ଏକ ପ୍ରକାର ବିଚାର ବଡ଼ ବିଚିତ୍ର । ଏଥିରେ ଦୁଇ ବିବାଦମାନ ପ୍ରତିପକ୍ଷଙ୍କୁ ଦଳପତିଙ୍କ ସମ୍ମୁଖରେ ଯୁଦ୍ଧରତ ହେବାକୁ ହୁଏ । ଏହି ଯୁଦ୍ଧରେ ଯେ ଅକ୍ଷତ ଅବସ୍ଥାରେ ପରାଜୟ ମାନିନିଏ, ସେହି ହିଁ ନ୍ୟାୟରେ ହାରେ । ତା’କୁ ଗୋଟିଏ ଘୁଷୁରୀ ଜୋରିମନା ଦେବାକୁ ହୁଏ । ଏହି ଘୁଷୁରୀ ବିରୋଧମାନ ଦୁଇପକ୍ଷୀ ଭାଗ କରିନିଅନ୍ତି । ଏହିଭଳି ଭାବରେ ପରସ୍ପର ଶତ୍ରୁତା ବନ୍ଧୁତାରେ ପରିଣତ ହୁଏ । ପରସ୍ପର ମଧ୍ୟରେ କଳହର ସମାଧାନ ପାଇଁ ନଡ଼ିଆ ଖୋଳପାରେ ଶିରସ୍ତ୍ରାଣ ପିନ୍ଧି ଓ ହାତରେ ଚାଖଣ୍ଡେ ଲମ୍ବର ବାଡ଼ିଧରି (Quarter staves) ନିଜ ମୁହଁରେ ରକ୍ତ ବୋଳି ହୋଇ ରାତିରେ ପରସ୍ପରକୁ ଆକ୍ରମଣ କରନ୍ତି । ପ୍ରତିପକ୍ଷକୁ ଯଥାର୍ଥରେ ଆହତ ନକରି ଏମାନଙ୍କର କଳହର ଅବସାନ ଘଟିଥାଏ । କେତେକ କ୍ଷେତ୍ରରେ ଗୁଣୀ ଓ ଭୂତଗ୍ରସ୍ତ ବୋଲି ମନେକରି ଜଣେ ଜଣେ ବ୍ୟକ୍ତିଙ୍କୁ ଏମାନେ ଉତ୍ସବ ଅନୁଷ୍ଠାନ କରି ନିଷ୍ଠୁର ଭାବରେ ହତ୍ୟା କରିଥାନ୍ତି । ସାଧାରଣତଃ ଭୂତ ଗ୍ରାସ କରିଥିବା ବ୍ୟକ୍ତି, ଗୁଣୀ ହୋଇ ସମାଜରେ କ୍ଷତି ଚାହୁଁଥିବା ବ୍ୟକ୍ତି, ନିଜ ପରିବାରର କୌଣସି ସଭ୍ୟଙ୍କୁ ହତ୍ୟା କରିଥିବା ବ୍ୟକ୍ତି, ଅନ୍ୟକୁ ମାରିବାପାଇଁ ଭୟଭୀତ କରୁଥିବା ବ୍ୟକ୍ତି, କୌଣସି ଦୁରାରୋଗ୍ୟ ରୋଗରେ ପୀଡ଼ିତ କିମ୍ବା ବାରମ୍ବାର ଚୈର୍ଯ୍ୟାପରାଧରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଏହି ପ୍ରାଣଦଣ୍ଡ ଭୋଗ କରିବାକୁ ହୁଏ । ପ୍ରଥମେ ଅଚାନକ ଭାବରେ ଅପରାଧୀର ଗୋଡ଼ ହାତ ଭାଙ୍ଗି ଦିଆଯାଏ । ତା’ପରେ ତା’ ଗଳାରେ ଗୋଟିଏ ରଶି ଟଣାଯାଏ ଓ ଏହି ଶବର ଗୋଟିଏ ଗୋଡ଼ରେ ପଥର ବାନ୍ଧି ସମୁଦ୍ରକୁ ଭସାଇ ଦିଆଯାଏ । ଏବେ ଏଇ ପ୍ରଥା ପ୍ରକାଶ୍ୟରେ କ୍ୱଚିତ୍‍ ପ୍ରଚଳିତ ହୁଏ । କାରଣ ଧରାପଡ଼ିଲେ ନିକୋବର ଅଧିବାସୀଙ୍କୁ ବର୍ତ୍ତମାନ ଆଇନ ଅନୁସାରେ ଶାସ୍ତି ଭୋଗିବାକୁ ହୋଇଥାଏ ।

ସମାଜ ଜୀବନ :

ନିକୋବରର ଅଧିବାସୀମାନେ ଅତ୍ୟନ୍ତ ସୁଖୀ ଓ ସୁସ୍ଥ ସମାଜରେ ବାସ କରନ୍ତି । ସେମାନଙ୍କ ମଧ୍ୟରେ ଜାତିଭେଦ ଏପରିକି ଧନୀ, ଦରିଦ୍ର ଭେଦ କ୍ୱଚିତ ଦେଖିବାକୁ ମିଳେ । ନଡ଼ିଆ, ଜଙ୍ଗଲର ଫଳମୂଳ, ମାଛ ଆଦି ପ୍ରଚୁର ଆହାର୍ଯ୍ୟ ଅନାୟାସରେ ଏମାନେ ସଂଗ୍ରହ କରିଥାନ୍ତି । ଏମାନଙ୍କର ଅବସର ପ୍ରଚୁର । ସନ୍ତରଣ, କୁସ୍ତି, କ୍ରୀଡ଼ା ଓ ନୌକା ଦୌଡ଼ପ୍ରତିଯୋଗିତା, ନାନା ଭୋଜି ଓ ଉତ୍ସବ ମଧ୍ୟରେ ଏମାନେ ଅବସର ବିନୋଦନ କରନ୍ତି । ସବୁବେଳେ ସାମାଜିକ ଓ ଦଳଗତ ଭାବରେ ଉତ୍ସବ ପାଳିତ ହୁଏ । ସମଗ୍ର ଗ୍ରାମ ପ୍ରତ୍ୟେକ ଉତ୍ସବରେ ଯୋଗ ଦେଇଥାଏ । ବଡ଼ ବଡ଼ ଉତ୍ସବରେ ଗୋଟିଏ ଗୋଟିଏ ଦ୍ୱୀପର ସମସ୍ତ ଗ୍ରାମ ଯୋଗ ଦିଅନ୍ତି । କାର ନିକୋବର ଦ୍ଵୀପରେ କା-ନା-ହା–ଉନ (Ka-na-ha-un) ଉତ୍ସବ ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଗ୍ରାମରେ ଅନୁଷ୍ଠିତ ହୁଏ । ସାତଦିନ ଆଗରୁ ନିମନ୍ତ୍ରଣ ଯାଏ । ଗ୍ରାମବାସୀମାନେ ଘୁଷୁରୀ, କଦଳୀ, ଅମୃତ ଭଣ୍ତା ଓ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଧରି ଉତ୍ସବ ସ୍ଥାନକୁ ଯାଆନ୍ତି । ଉତ୍ସବରେ ଏମାନେ ଏକପ୍ରକାର ଦେଶୀ ମଦ (ତାଡ଼ି) ପାନ କରନ୍ତି । ବେତରେ ତିଆରି ଏକପ୍ରକାର ଡାଲାରେ ଖାଦ୍ୟ ପରିବେଷଣ କରାଯାଏ । ପାନ, ଗୁଆ ଓ ପିକା ଥାଏ । ସାରାରାତି ନୃତ୍ୟ ଗୀତରେ କଟେ । ‘କାର ନିକୋବର’ରେ ଆଉ ଏକପ୍ରକାର ଉତ୍ସବ ପାଳିତ ହୁଏ । ସେଥିଲାଗି ଅନେକ ଘୁଷୁରୀ ସଂଗୃହୀତ ହୁଅନ୍ତି । ଏହି ଘୁଷୁରୀମାନଙ୍କୁ ପ୍ରଚୁର ଖାଇବାକୁ ଦିଆଯାଇ ମୋଟା କରାଯାଏ । ଉତ୍ସବ ପୂର୍ବରୁ ପ୍ରଥମେ ଏହି ଘୁଷୁରୀ ଯୁଦ୍ଧ ଆରମ୍ଭ ହୁଏ । ଘୁଷୁରୀ ରକ୍ତ ବିଶିଷ୍ଟ ବ୍ୟକ୍ତିମାନେ ନିଜ ଦେହରେ ବୋଳି ହୁଅନ୍ତି । ସାରାରାତି ସମବେତ ନୃତ୍ୟ ସଙ୍ଗୀତ ଚାଲେ ଓ ଶେଷରେ ଚୌରା ଦ୍ୱୀପରୁ କାର ନିକୋବରକୁ ନୌକାରେ ନାନା ପ୍ରକାର ଦ୍ରବ୍ୟ ବୋଝେଇ ହୋଇ ଆସେ । ଏହିଭଳି ଭୋଜି ସମାପ୍ତ ହୁଏ ।

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିକୋବରୀମାନେ ଅନେକ ସାମାଜିକ ଆଚାର ପାଳନ୍ତି । ପ୍ରଥମଟି ହେଉଛି କୌଓାଡ଼େ (Couvade) ଏଥିରେ ପିଲାଜନ୍ମ ହେବାର କେତେ ସପ୍ତାହ ପୂର୍ବରୁ ଗୋଟିଏ ସ୍ୱତନ୍ତ୍ର କୁଡ଼ିଆରେ ସ୍ଵାମୀ ସ୍ତ୍ରୀଙ୍କୁ ଏକତ୍ର ରଖାଯାଏ । ସେମାନେ କୌଣସି କଠିନ ପରିଶ୍ରମ କରନ୍ତି ନାହିଁ ! କୌଣସି ଉତ୍ସବ ଅନୁଷ୍ଠାନରେ ଯୋଗ ଦିଅନ୍ତି ନାହିଁ ଓ କେତେ ପ୍ରକାର ଖାଦ୍ୟ ଖାଇବାରୁ ବିରତ ହୁଅନ୍ତି । ଶିଶୁ ଜନ୍ମର ପରେ ପ୍ରାୟ ଗୋଟିଏ ମାସ ଏହି କୁଡ଼ିଆରେ ଜଣେ ଅସୁସ୍ଥ ଲୋକ ଭାବରେ ସ୍ତ୍ରୀ ସଙ୍ଗେ ସ୍ଵାମୀକୁ କଟାଇବାକୁ ପଡ଼େ । ପ୍ରସୂତିର ଯେପରି ପରିଚର୍ଯ୍ୟା କରାଯାଏ, ସନ୍ତାନର ପିତାର ମଧ୍ୟ ସେହିପରି ପରିଚର୍ଯ୍ୟା କରାଯାଏ । ଦ୍ଵିତୀୟ ଓ ପରବର୍ତ୍ତୀ ସନ୍ତାନର ଜନ୍ମରେ ପିତାକୁ ମାତ୍ର ଦୁଇ ତିନି ଦିନ ଏହିଭଳି କଟାଇବାକୁ ହୁଏ । ଏହି ପ୍ରଥା ପୂର୍ବେ ଅତି କଠୋର ଭାବରେ ପାଳିତ ହେଉଥିଲା । ସନ୍ତାନ ଜନ୍ମ ପରେ ପ୍ରସ୍ତୂତୀ ଓ ତା’ର ସ୍ଵାମୀକୁ ତିନିରୁ ଛ’ ମାସ ପର୍ଯ୍ୟନ୍ତ ଆନ୍ତରୀଣ ଭାବରେ କଟାଇବାକୁ ହେଉଥିଲା । ଜନ୍ମପରେ ଶିଶୁର ନାମ ଦିଆ ଉତ୍ସବରେ ଭୋଜି ହୁଏ, ସ୍ତ୍ରୀ ଲୋକମାନେ ବାହୁନନ୍ତି ଓ ଭୂକ୍ତାବଶିଷ୍ଟ ଖାଦ୍ୟଦ୍ରବ୍ୟର କିଛି ଅଂଶ ଗୋଟିଏ ଝୁଡ଼ିରେ ରଖନ୍ତି । ଶିଶୁର ଶୁଭମନାସି ଏହି ଝୁଡ଼ିଟିକୁ ସମୁଦ୍ରରେ ଭସାଇ ଦିଆଯାଏ । ଶିଶୁକୁ ପ୍ରଥମେ ପିତା ଗୋଟିଏ ନାଁ ଦିଏ । ତା’ପରେ ପିତାଙ୍କର ପିତା ବା ତାଙ୍କର ବନ୍ଧୁ, ଜ୍ଞାତିମାନେ ମଧ୍ୟ ନାଁ ଦେଇଥାନ୍ତି ।

ନରନାରୀଙ୍କର ଅବାଧ ଯୌନ ସମ୍ପର୍କରେ ବିବାହ ପୂର୍ବରୁ ବାରଣ ନଥାଏ । ଅବିବାହିତ ପୁରୁଷ ଓ ସ୍ତ୍ରୀମାନେ ପରସ୍ପର ମଧ୍ୟରେ ଅବାଧରେ ମିଳାମିଶା କରନ୍ତି ଓ ସନ୍ଧ୍ୟାରେ ନାନାପ୍ରକାର ଲୁଚକାଳି ଖେଳ ଖେଳନ୍ତି । ଝିଅମାନେ ଷୋହଳ ବର୍ଷରେ ଓ ପୁରୁଷମାନେ କୋଡ଼ିଏ ବର୍ଷରେ ବିବାହଯୋଗ୍ୟ ବୟସର ବିବେଚିତ ହୁଅନ୍ତି । କୌଣସି ପ୍ରେମିକକୁ ଗ୍ରହଣ କରିବାର କିମ୍ବା ପରିତ୍ୟାଗ କରିବାର ପୂର୍ଣ୍ଣ ସ୍ଵାଧୀନତା ଅବିବାହିତା କନ୍ୟାମାନଙ୍କର ଥାଏ । ଅବଶ୍ୟ ସ୍ଥଳ ବିଶେଷରେ କନ୍ୟାର ପିତାମାତା ଅଥବା ପରିବାରର ମୁଖ୍ୟ ଉପଯୁକ୍ତ ସ୍ଵାମୀ ଗ୍ରହଣରେ କନ୍ୟାକୁ ପ୍ରଭାବିତ କରିଥାନ୍ତି l ପିତା, ମାତା ତଥା ସମଗ୍ର ପରିବାରର ସମ୍ମତିକ୍ରମେ ବିବାହ ଅନୁଷ୍ଠିତ ହୁଏ । ବିବାହ ପାଇଁ ଅନ୍ତତଃ ବର ଅଥବା କନ୍ୟା ପକ୍ଷରୁ ତିନୋଟି ଘୁଷୁରୀ ଯୋଗାଡ଼ କରିବାକୁ ହୁଏ । ଏଥିରେ ଭୋଜି ହୁଏ । କନ୍ୟାପିତାଙ୍କ ମର୍ଯ୍ୟାଦା ଅନୁସାରେ ବର ପକ୍ଷରୁ କିଛି ଉପହାର ଦେବାକୁ ହୁଏ । ବର ଦରିଦ୍ର ହେଲେ ଉପହାର ପରିବର୍ତ୍ତେ କିଛିଦିନ କନ୍ୟା ପିତାଙ୍କ ଘରେ କାମ କରେ । ବିବାହରେ କ୍ୱଚିତ୍ କୌଣସି ଆଚାର କ୍ରିୟା ଅନୁଷ୍ଠିତ ହୁଏ । କିନ୍ତୁ ସମଗ୍ର ଗ୍ରାମ ବା ସମସ୍ତ ସମାଜକୁ ଘେନି ଗୋଟିଏ ବଡ଼ ଭୋଜି ହୁଏ । ଅତିଥିମାନେ ନାନାପ୍ରକାର ଉପହାର ଓ ଖାଦ୍ୟସମ୍ଭାର ସହ ଏହି ଭୋଜିକୁ ଆସନ୍ତି । ଚୌରା (Chowora) ଦ୍ୱୀପରେ ବରକନ୍ୟାଙ୍କୁ ନଣ୍ଡା କରିଦିଆଯାଏ । ସେମାନଙ୍କର ଏହି କେଶ ସାତଦିନ ପାଇଁ ଗୋଟିଏ ଜାଗାରେ ରଖାଯାଏ । ବରକନ୍ୟାମାନେ ହଳଦିଆ ଲୁଗା ପିନ୍ଧନ୍ତି । ଏମାନଙ୍କର ମନୋମାଳିନ୍ୟ ଘଟିଲେ ସହଜରେ ବିବାହ ବିଚ୍ଛେଦ ହୋଇଥାଏ । ବିବାହ ବିଚ୍ଛେଦରେ କୌଣସିପ୍ରକାର ତିକ୍ତତା ସୃଷ୍ଟି ହେବାର କ୍ୱଚିତ୍‍ ଦେଖାଯାଏ । ଯେଉଁ ସ୍ତ୍ରୀ ପର୍ଯ୍ୟାୟକ୍ରମେ ଅଧିକ ବିବାହ କରିଥାଏ, ସମାଜରେ ସେ ସେତେବେଶୀ ସମ୍ମାନିତା ହୁଏ-। ଗୋଟିଏ ସ୍ତ୍ରୀ ପାଇଁ ଏକାଧିକ ପାଣିପ୍ରାର୍ଥୀ ଥିଲେ, ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୁଦ୍ଧ ହୋଇଥାଏ । ବିବାହର ଅମର୍ଯ୍ୟାଦା କ୍ୱଚିତ୍ ହୋଇଥାଏ । ବିବାହ ପରେ ଅବୈଧ ସଙ୍ଗମକୁ ସମଗ୍ର ସମାଜରେ ବଡ଼ ପାପ ବୋଲି ବିବେଚନା କରାଯାଏ । ଆଗକାଳରେ ଏଥିପାଇଁ ମୃତ୍ୟୁଦଣ୍ତ ପର୍ଯ୍ୟନ୍ତ ଭୋଗ କରିବାକୁ ହେଉଥିଲା । ଏଥିପାଇଁ ଏବେ ଜୋରିମାନା ଓ ପ୍ରଚୁର ଶାରୀରିକ ଦଣ୍ଡ ଦିଆହୋଇଥାଏ । ଏହି ଜୋରିମାନାରୁ କିଛି ଅଂଶ କ୍ଷତିପୂରଣ ସ୍ଵରୂପ ସ୍ଵାମୀ ବା ସ୍ତ୍ରୀ ପାଏ । ଏହି କ୍ଷତିପୂରଣ ପାଇଁ କନ୍ୟାର ଭାଇ ଅଥବା ସ୍ଵାମୀ ପ୍ରତିଶୋଧ ସ୍ୱରୂପ ନିଜ ନୌକାଟିକୁ ନଷ୍ଟ କରିଦିଅନ୍ତି । ଜୋରିମାନା ଦେବାର ଆର୍ଥିକ ସମ୍ବଳ ନଥିଲେ ନଡ଼ିଆ ଗଛ ଦେବାକୁ ହୁଏ । ଦମ୍ପତ୍ତି ବିବାହ ପରେ ସନ୍ତାନସମ୍ଭବା ନ ହେଲେ ଅନାୟାସରେ ବିବାହ ବିଚ୍ଛେଦ କରିଥାନ୍ତି । ସନ୍ତାନ ଥିଲେ ବିବାହ ବିଚ୍ଛେଦ ପରେ ପରସ୍ପର ମଧ୍ୟରେ ବିଚାରକ୍ରମେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସେମାନଙ୍କୁ ବାଣ୍ଟି ଦିଆହୋଇଥାଏ । ନିକୋବର ସମାଜରେ ପୁରୁଷ ସହିତ ନାରୀ ସମାନ ମର୍ଯ୍ୟାଦା ଭୋଗ କରେ । ସେମାନଙ୍କର ସ୍ଵାଧୀନତା ଅଖଣ୍ତ । ନାରୀମାନେ ପୁରୁଷଙ୍କ ଦ୍ୱାରା ଗଠିତ ସର୍ବସାଧାରଣଙ୍କ ବିଚାର ସଭାକୁ ମଧ୍ୟ ପ୍ରଭାବିତ କରିଥାନ୍ତି । ଅନେକ କ୍ଷେତ୍ରରେ ଜୋଇଁ ଶଶୁର ଘରେ ରହି ବୃଦ୍ଧ ଶଶୁରଙ୍କ ସେବା କରିଥାଏ । ତେଣୁ ସମାଜରେ ଝିଅମାନେ ପୁଅଙ୍କ ସମାନ ମର୍ଯାଦା ପାଆନ୍ତି । ନାରୀମାନେ ଗୃହସ୍ଥଳୀର କାର୍ଯ୍ୟ କରିଥାନ୍ତି ଓ ପୁରୁଷମାନେ କଠୋର ପରିଶ୍ରମ କରନ୍ତି ।

ନିକୋବରିନ୍ ମାନଙ୍କ ଧର୍ମବିଶ୍ଵାସ ମୁଖ୍ୟତଃ ଭୂତପ୍ରେତଙ୍କୁ ବିତାଡ଼ନ କରିବା ମଧ୍ୟରେ ସୀମାବଦ୍ଧ । ରୋଗ, ବ୍ୟାଧି, ସମ୍ପତ୍ତିହାନି ଏପରିକି ବ୍ୟକ୍ତିଗତ କ୍ଷୟକ୍ଷତି ପ୍ରତ୍ୟେକ କ୍ଷେତ୍ରରେ ଏମାନେ ଏହି ଭୂତଶକ୍ତିକୁ ଦାୟୀ କରିଥାନ୍ତି । କେତେକ ଭୂତ ମୃତବ୍ୟକ୍ତିଙ୍କଠାରୂ ଆସିଥାନ୍ତି ବୋଲି ଏମାନେ ମନେ କରନ୍ତି । ତେଣୁ କେହି ଜଣେ ବ୍ୟକ୍ତି ମରିଥିଲେ ତା’ର ସମସ୍ତ ସମ୍ପତ୍ତି ମଧ୍ୟ ତା’ ସଙ୍ଗରେ ନଷ୍ଟ କରାଯାଏ । ମୃତବ୍ୟକ୍ତିର ନୌକା ମଧ୍ୟ ନଷ୍ଟ କରିଦିଆଯାଏ । ତା’ର ନଡ଼ିଆ ବଗିଚା, ଫଳ ଓ ବାଉଁଶ ଗଛ ଇତ୍ୟାଦି ତିନିବର୍ଷ ପର୍ଯ୍ୟନ୍ତ କେହି ଛୁଅନ୍ତି ନାହିଁ । ନିକୋବରବାସୀମାନେ ନିଜଘର ଆଗରେ ଇଓ୍ୱି (Iwi) ବା ଭୂତ ଡରାଇବା ପାଇଁ ଗୋଟିଏ ଖମ୍ବ ଉପରେ ମଣିଷର ମୂର୍ତ୍ତି ଆଙ୍କି ରଖନ୍ତି । କେତେବେଳେ ମଧ୍ୟ ଏହା ଏକ ନୌକା ଆକାରରେ କରାଯାଏ ଓ ପ୍ରତ୍ୟେକ କୁଡ଼ିଆ ଭିତରେ ରଖାଯାଏ । ବହୁ ବିଚିତ୍ର ପ୍ରକାରର ଏହି ଭୂତ ତାଡ଼ନ ସୃଷ୍ଟି କରାଯାଇଥାଏ । ନୂଆ ଘର ବା କ୍ଷେତ କଲାବେଳେ ଏମାନେ ଗୋଟିଏ ବାଉଁଶ ଉପରେ ପଇଡ଼ ବାନ୍ଧି ରଖନ୍ତି । ସେମାନଙ୍କର ବିଶ୍ଵାସ ଏହା ଫଳରେ ଇଓ୍ୱିକା (Iwi-ka) ବା ସୌଭାଗ୍ୟଦାନକାରୀ ଭୂତ ସନ୍ତୁଷ୍ଟ ହେବ । ନାନ୍‍କଓରୀ ଦ୍ୱୀପରେ ଭୂତ ତଡ଼ିବା ପାଇଁ ଗୁଆଗଛର ବକ୍‍କଳରେ ଏକ ପ୍ରକାର ଛବି କରାଯାଏ । ଏଥିରେ ସୂର୍ଯ୍ୟ ଚନ୍ଦ୍ର ମଣିଷ ରୂପରେ ଏକ ଦେବତା ଅଙ୍କିତ ହୋଇଥାଏ । ଏହି ପ୍ରଧାନ ଛବିର ପାର୍ଶ୍ଵ ଦେଶରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ପଦାର୍ଥ ସେମାନଙ୍କ କୁଡ଼ିଆ ଘର ନଡ଼ିଆଗଛ, ପକ୍ଷୀ, ଅନ୍ୟାନ୍ୟ ଜୀବଜନ୍ତୁ, ନାନାପ୍ରକାର ମାଛ ଓ କଚିମର ଛବି ମଧ୍ୟ କରାହୋଇଥାଏ । ଅନ୍ୟ ଏକପ୍ରକାର ଭୂତ ତଡ଼ିବା ଯନ୍ତ୍ର କାଠରେ କରାଯାଏ, ତା’କୁ ହେଣ୍ଟାକୋଇ (Henta-koi) କୁହାଯାଏ । ଏଥିରେ ମଧ୍ୟ ନାନାପ୍ରକାର ପଶୁପକ୍ଷୀ, ମାଛ, କଚିମ, ସିଡ଼ି ଓ ମଣିଷ ମୂର୍ତ୍ତି ଅଙ୍କନ କରାଯାଇଥାଏ । କୌଣସି ପ୍ରକାର ମହାମାରୀ ବା ରୋଗବ୍ୟାଧି ବ୍ୟାପିଲାବେଳେ ଏମାନେ ମଧ୍ୟ ଏକପ୍ରକାର ଯାଦୁ ବା କୁହୁକ ପଟା ତିଆରି କରନ୍ତି । ଏଥିରେ ନାନାପ୍ରକାର ରଙ୍ଗରେ ପ୍ରଧାନ ଦେବତା, ନୌକା, ଘର, ପକ୍ଷୀ ପଶୁ ଓ ମାଛର ଚିତ୍ର ଅଙ୍କିତ ହୋଇଥାଏ । ଏହି ଛବିରେ ସାଧାରଣତଃ ଚାରୋଟି ଭାଗ ଥାଏ-। ତଳୁ ଉପର ଆଡ଼କୁ ଦେଖିଲେ ପ୍ରଥମେ ଥାଏ ମାଛ, ତା’ପରେ ପଶୁ । ତୃତୀୟ ଭାଗରେ ଘର, ନୌକା ଓ ପକ୍ଷୀ ଚତୁର୍ଥ ଭାଗରେ ଦେବତାଙ୍କୁ ଦେଖାଯାଏ । ନିକୋବରିଜ୍‍ଙ୍କ ମଧ୍ୟରେ ମେନଲୋନା (Menluana) ବା ଡାହାଣୀ ଗୁଣିଆଙ୍କର ପ୍ରାଧାନ୍ୟ ଦେଖାଯାଏ । ଏମାନେ ଭୂତମାନଙ୍କୁ ଛଡ଼ାଇଥାନ୍ତି, ପ୍ରଥମେ ଏମାନଙ୍କୁ କହନ୍ତି ମାଫୈ (Mafai) । କୌଣସି ଏକ ଶକ୍ତି ଏମାନଙ୍କ ଉପରେ ଘର କରିଛି ବୋଲି ଲୋକେ ବିଶ୍ଵାସ କରନ୍ତି । ଏହି ମାଫୈକୁ ଗୋଟିଏ ସୁସଜ୍ଜିତ ଚୌକିରେ ବସାଇ ବୁଲାନ୍ତି ଓ ବହୁତ ଭୋଜି ଭାତ କରନ୍ତି । ପରେ ଯଦି ସେ ପ୍ରଚୁର ଶକ୍ତିର ଅଧିକାରୀ ହୋଇଛି ବୋଲି ଲୋକେ ବିଶ୍ଵାସ କରନ୍ତି ତେବେ ତାଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ଗୁଣୀ ଡାକ୍ତର କରାଯାଏ । ଯଦି କୌଣସି ଗୁଣୀ ଡାକ୍ତର ଅସାଧୁ ଉପାୟ ଅବଲମ୍ବନ କରେ ତେବେ ଅପଶକ୍ତିମାନେ ତା’ର ବହୁତ କ୍ଷତି କରିବେ ବୋଲି ବିଶ୍ଵାସ କରାଯାଏ । ଅବଶ୍ୟ ଆଧୁନିକ ଚିକିତ୍ସା ଫଳରେ ଏହି ଗୁଣୀ ଡାକ୍ତରଙ୍କ ପ୍ରଭାବ ପ୍ରତିପତ୍ତି ଯଥେଷ୍ଟ ହ୍ରାସ ପାଉଅଛି ।

ମୃତାହ କ୍ରିୟା ନିକୋବରିଜ୍‍ଙ୍କ ଜୀବନର ସବୁଠାରୁ ପ୍ରଧାନ ଅନୁଷ୍ଠାନ । ଶିଶୁ ଜନ୍ମପୂର୍ବରୁ ଯେପରି ପିତାମାତାଙ୍କୁ ଗୋଟିଏ ସ୍ୱତନ୍ତ୍ର ଜନ୍ମ-ଗୃହକୁ ନିଆଯାଏ, ମୃତ୍ୟୁ ମୁଖୀ ଲୋକଙ୍କୁ ଏଲ୍‍ପାନାମ୍ (Elpa-nam) ନାମକ ଗୋଟିଏ ସ୍ୱତନ୍ତ୍ର ଘରକୁ ଅଣାଯାଏ । ସାଧାରଣତଃ ଏହି ଘରଟି ଗାଁଠାରୁ କିଛିଦୂରରେ ଓ ସମୁଦ୍ର କୂଳରେ ହୋଇଥାଏ । ଲୋକ ମଲାବେଳେ ତା’ ପାଖରେ କେହି ରହନ୍ତି ନାହିଁ । ମୃତ୍ୟୁ ପରେ ଶବକୁ ବାନ୍ଧିବା ପାଇଁ ଗ୍ରାମର ପ୍ରତ୍ୟେକ ପରିବାର କିଛି ଲାଲ ଲୁଗା ଓ ସାଧାଲୁଗା ଦିଅନ୍ତି । ନଡ଼ିଆ ପାଣିରେ ଶବକୁ ପ୍ରଥମେ ଗାଧୋଇ ଦେଇ ଲାଲ ଓ ସାଧା ଲୁଗାରେ ଗୁଡ଼ାଇ ଗୋଟିଏ ପୁରୁଣା ନୌକାରେ ବାନ୍ଧି ଦିଆଯାଏ । ମୃତବ୍ୟକ୍ତିର ଆତ୍ମୀୟମାନେ ଏହାକୁ ଗାଁକୁ ଫେରାଇ ନେବାପାଇଁ ଚାହାନ୍ତି । କିନ୍ତୁ ଗ୍ରାମର ଅନ୍ୟ ସମସ୍ତ ଲୋକେ ଏହାକୁ କବରଖାନାକୁ ନିଅନ୍ତି-। ଏଠି ଅନେକ ସମୟ ଧରି ଦ୍ୱନ୍ଦ୍ୱ ଚାଲେ । କିଛିକ୍ଷଣ ଟଣାଓଟରା ହୁଅନ୍ତି । ଗାଁକୁ ଶବକୁ ନେଇଗଲେ ଗାଁ ଅପବିତ୍ର–ହୋଇଯିବ ବୋଲି ଏମାନଙ୍କର ବିଶ୍ଵାସ । ଶବ ସାଙ୍ଗରେ ତା’ର ନିତ୍ୟ ବ୍ୟବହୃତ ସମସ୍ତ ଜିନିଷ ମଧ୍ୟ ପୋଡ଼ି ଦିଆଯାଏ । ଯଦି ମୃତ୍ୟୁଘରେ ନ ମରି କେହି ଦୈବାତ୍ ନିଜ ବାସ କରୁଥିବା କୁଡ଼ିଆରେ ମରେ, ତେବେ ସେହି କୁଡ଼ିଆଟିକୁ ଗ୍ରାମବାସୀ ପୋଡ଼ିଦିଅନ୍ତି । କୌଣସି ବିଶିଷ୍ଟ ବ୍ୟକ୍ତିର ମୃତ୍ୟୁରେ ସ୍ଵତନ୍ତ୍ର ଉତ୍ସବ ପାଳିତ ହୁଏ । ଶବକୁ ପ୍ରଥମେ କନାରେ ବନ୍ଧାଯାଏ, ତା’କୁ ରୂପାର ହାର ଓ ଅଳଙ୍କାର ପିନ୍ଧାଇ ଦିଆଯାଏ ଓ ଏକ ଖୋଲା ଶବାଧାର ଉପରେ ବେତରେ ବାନ୍ଧି ରଖାଯାଏ । ବିଭିନ୍ନ ଗ୍ରାମରୁ ସହସ୍ରାଧିକ ବ୍ୟକ୍ତି ଆସି ସମବେତ ହୁଅନ୍ତି । ଶତାଧିକ ବ୍ୟକ୍ତି ଏହି ଶବାଧାରକୁ ମୃତ୍ୟୁଗୃହ ଓ କବର ସ୍ଥାନ ମଧ୍ୟରେ ବହୁଥର ଘୋଷରା ଘୋଷରି କରନ୍ତି । ବେତଗୁଡ଼ିକ ଭାଙ୍ଗିଯିବା ପର୍ଯ୍ୟନ୍ତ ଏହିପରି ଚାଲେ ଓ ଶେଷରେ ଏହାକୁ କବର ଦିଆଯାଏ । ମୃତ ବ୍ୟକ୍ତିକୁ ସମାଧି ଦେଇସାରିବା ପରେ ସାଧାରଣ ବ୍ୟକ୍ତି କ୍ଷେତ୍ରରେ ତିନିଦିନ ଓ ବିଶିଷ୍ଟ ବ୍ୟକ୍ତିଙ୍କ କ୍ଷେତ୍ରରେ ସାତଦିନ ପର୍ଯ୍ୟନ୍ତ ଗ୍ରାମବାସୀମାନେ ଶୋକ ପାଳନ କରନ୍ତି । ଏହି ଶୋକ ସମୟରେ ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ କରନ୍ତି ନାହିଁ । ଶୋକ ଦିବସ ଶେଷ ହେବା ସଙ୍ଗେ ସଙ୍ଗେ ଏମାନେ କବରରୁ ମୃତବ୍ୟକ୍ତିର ହାଡ଼ ବାହାରକରି କୌଣସି ସମୁଦ୍ର କୂଳବର୍ତ୍ତୀ ଜଙ୍ଗଲରେ ଫିଙ୍ଗି ଦିଅନ୍ତି । ମୃତ ବ୍ୟକ୍ତିର ହାଡ଼ର ଏକ କ୍ଷୁଦ୍ର ଅଂଶ ଏକ ଫୁଟ ବ୍ୟାସାର୍ଦ୍ଧ ଓ ତିନି ଫୁଟ ଲମ୍ବର ଏକ ଫମ୍ପା କାଠ ଭିତରେ ରଖନ୍ତି-। କେତେକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ମୁଣ୍ଡ ଖପୁରୀକୁ ମଧ୍ୟ ଏହିଭଳି ଭାବରେ ରଖାଯାଏ-। ଚୌରା ଦ୍ୱୀପରେ ଶବକୁ ନ ପୋତି ମୃତ ବ୍ୟକ୍ତିର ନୌକାରେ ବାନ୍ଧି ଇଂରାଜୀ (Y) ଓ୍ୱାଇ ଆକାରର ଦୁଇ ଖଣ୍ଡ କାଠ ଖମ୍ବ ଉପରେ ଝୁଲାଇ ରଖନ୍ତି । ଏହି ଶବଟି ପଚି ପଚି ତା’ର ହାଡ଼ ସେଠାରେ ବହୁଦିନ ପର୍ଯ୍ୟନ୍ତ ପଡ଼ିଥାଏ । ପୁରୁଷ ପୁରୁଷ ଧରି ଗ୍ରାମର ମୃତ ବ୍ୟକ୍ତିଙ୍କର କଙ୍କାଳ ଓ ହାଡ଼ ଗୋଟିଏ ସ୍ଥାନରେ ପଡ଼ିଥିବାର ଦେଖାଯାଏ । କେତେକ ସ୍ଥଳରେ ମୃତ ବ୍ୟକ୍ତିର ଖପୁରୀକୁ ଘରେ ରଖି ପୂଜା କରାଯାଏ । ମୃତ ବ୍ୟକ୍ତିର ଶୁଦ୍ଧିକ୍ରିୟା ପାଳିତ ହୁଏ । ଗ୍ରାମର ସାଧାରଣ ଗୃହରେ ମୃତ ବ୍ୟକ୍ତିର ସ୍ମୃତି ସ୍ୱରୂପ ଗୋଟିଏ କାଠର ସ୍ତମ୍ଭ ପୋତାଯାଏ । ସେଥିରେ କାଠରେ ତିଆରି ଚାମୁଚ ଓ କଣ୍ଟା ରଖାଯାଇଥାଏ । ସୂର୍ଯ୍ୟାସ୍ତ ପରେ ଗ୍ରାମବାସୀମାନେ ସେଠାରେ ଗୋଟିଏ ଭୋଜି କରନ୍ତି । ଭୋଜି ପୂର୍ବରୁ ମୃତ ବ୍ୟକ୍ତି ପାଇଁ ଗୋଟିଏ ଝୁଡ଼ିରେ ଝୁଡ଼ିଏ ଘୁଷୁରୀ ମାଂସ ରଖି ଦିଅନ୍ତି । ପରଦିନ ସକାଳେ ଏହି ମାଂସ ଝୁଡ଼ିକୁ ସମୁଦ୍ରରେ ଭସାଇ ଦିଆଯାଏ ଓ ଆଉ ଗୋଟିଏ ଭୋଜି ହୁଏ-। ମୃତବ୍ୟକ୍ତିର ଅଧିକାରଭୁକ୍ତ ନଡ଼ିଆ ବଗିଚାରୁ ଗୋଟିଏ ଗଛକୁ କାଟି ପୋତି ଦିଆଯାଏ । ମୃତବ୍ୟକ୍ତିର ଘରେ ଚଟାଣ ମାଟିରେ ଅଥବା ଖୁଣ୍ଟିର କିଛି ଅଂଶ କାଟି ଦିଆଯାଏ-

ସମସ୍ତ ମୃତ ବ୍ୟକ୍ତିଙ୍କ ପାଇଁ ପ୍ରତି ଦୁଇ ବା ତିନି ବର୍ଷରେ ଏକ ବଡ଼ ଭୋଜି ହୁଏ । ଏହାକୁ ଅସୁଆରୀ (Ossuary) ଭୋଜି କୁହାଯାଏ । ଏହି ଭୋଜି ପାଇଁ ବିରାଟ ଆୟୋଜନ ହୋଇଥାଏ । ଏକଗ୍ରାମର ଭୋଜିରେ ଅନ୍ୟ ଗ୍ରାମବାସୀମାନେ ମଧ୍ୟ ସାହାଯ୍ୟ କରନ୍ତି ଓ ଆମନ୍ତ୍ରିତ ହୋଇ ଆସନ୍ତି । ଏଥିରେ ମୃତଙ୍କ ପାଇଁ ଗୋଟିଏ ବଡ଼ଗଛ (ଷାଠିଏ ଫୁଟ ଉଚ୍ଚର) କଟାଯାଏ । ତାହାର ଡାଳପତ୍ର ସବୁ କାଟିଦିଆଯାଏ । ଗାଁଠାରୁ କିଛିଦୂରରେ ‘ମୃତଘର’ ନିକଟରେ ଏହାକୁ ପୋତାଯାଏ । ଏହି ଦୀର୍ଘାକୃତି ଖମ୍ବରେ ଓ ଶାଖାରେ ବିନ୍ଧକରି ଏଥିରେ ନାନାପ୍ରକାର ଫଳ, ନଡ଼ିଆ, ପ୍ରାୟ ପଚାଶ ପ୍ରକାରର ଖାଦ୍ୟ ଦ୍ରବ୍ୟ ଝୁଲେଇ ଦିଆଯାଏ । ଏହି ଖମ୍ବକୁ ମଧ୍ୟ ନାନାପ୍ରକାର ପତାକା ଓ ଖେଳଣା ଦେଇ ସଜାଯାଏ । ଏହି ଖମ୍ବତଳେ ଶିଶୁକାଠର ବାକ୍‍ସରେ ବସ୍ତ୍ର ଅଳଙ୍କାର ରଖାଯାଏ । ମଦ୍ୟ ଓ ମୃତପାତ୍ର ମଧ୍ୟ ରଖାଯାଏ । ଏହି କବର ସ୍ଥାନ ଓ ଗ୍ରାମ ମଧ୍ୟରେ ରାସ୍ତା ନିର୍ମିତ ହୁଏ । ସମୁଦ୍ର କୂଳ ଓ ମୃତ ଘର ମଧ୍ୟରେ ଏକ ବଡ଼ ସ୍ଥାନ ପରିଷ୍କାର କରାଯାଏ । ଏହି କାର୍ଯ୍ୟ ପ୍ରାୟ ତିନି ମାସ ଧରି ଚାଲେ । ଏହି କାର୍ଯ୍ୟରେ ବିଭିନ୍ନ ଗ୍ରାମରୁ ଲୋକେ ଆସି ସାହାଯ୍ୟ କରନ୍ତି । ଏହି ସମୟରେ ଘୁଷୁରୀ ମାରିବା ନିଷେଧ କରାଯାଏ । ସମସ୍ତ ଆୟୋଜନ ଶେଷ ହେବା ପରେ ଉତ୍ସବର ନିର୍ଦ୍ଦିଷ୍ଟ ଦିନ ନିର୍ଦ୍ଧାରିତ ହୁଏ । ବାଉଁଶରେ ତିଆରି ଗୋଟିଏ ବଡ଼ ଜନ୍ତାରେ ବିଭିନ୍ନ ଗ୍ରାମରୁ ଘୁଷୁରୀ ଆଣି ଜମେଇ ରଖାଯାଏ । ମୃତପାଇଁ ଯେଉଁଠି ଏହି ଖାଦ୍ୟ ରଖାଯାଇଥାଏ, ସେଠାରେ ସାରା ରାତି ଗୀତ ଓ ନୃତ୍ୟ ଚାଲେ । ପରଦିନ ସକାଳେ ଏହି ବିଶାଳକାୟ ଖମ୍ବଟିକୁ ଖଣ୍ଡ ଖଣ୍ଡ କରି କାଟି ସେଥିରେ ଝୁଲା ହୋଇଥିବା ସମସ୍ତ ଖାଦ୍ୟପଦାର୍ଥକୁ ବାନ୍ଧି ଜଙ୍ଗଲର ବିଭିନ୍ନ ସ୍ଥାନରେ ପକାଇ ଦିଆଯାଏ । ଗୋଟିଏ ଘୁଷୁରୀ ବଳି ଦିଆଯାଏ । ସେହି ଘୁଷୁରୀର କିଛି ମାଂସ ନଡ଼ିଆ ପତ୍ରରେ ବାନ୍ଧି ଖମ୍ବଟି ପୋତା ହୋଇଥିବା ସ୍ଥାନରେ ମାଟିରେ ପୋଡ଼ି ଦିଆଯାଏ । ସନ୍ଧ୍ୟାରେ ଏକତ୍ର କରାଯାଇଥିବା ଘୁଷୁରୀ ମାଂସ ଯାଏ ଓ ନଡ଼ିଆ ପତ୍ରରେ ତା’କୁ ପୋଡ଼ି ସମସ୍ତ ଗ୍ରାମବାସୀ ଓ ଆଚନ୍ତୁକ ଅତିଥିମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ । ଯିଏ ଭୋଜି ପାଇଁ ଘୁଷୁରୀ ଦେଇଥାଏ, ସେ ଘୁଷୁରୀର କଳ ଦାନ୍ତ କପାଟି ପାଏ । ସେ ଏହାକୁ ଭୋଜିର ସ୍ମାରକ ରୂପେ ସାଇତି ରଖେ । କିଛି ବଣ ଘୁଷୁରୀଙ୍କୁ ଆଣି ଆଉ ଗୋଟିଏ ଜନ୍ତାରେ ରଖାହୋଇଥାଏ । କିଛି ଦର୍ଶକ ଓ ବିଶିଷ୍ଟ ଗ୍ରାମବାସୀଙ୍କ ମଧ୍ୟରେ ଏହି ବଣୁଆ ଘୁଷୁରୀମାନଙ୍କୁ ଛାଡ଼ି ଦିଆଯାଏ । ନିଜ ଶକ୍ତିର ପରଖ ସ୍ଵରୂପ କେହି କେହି ବଣ ଘୁଷୁରୀଙ୍କର କାନ ଧରି ତା’କୁ ଅଟକାନ୍ତି । ଏହି ଘଷୁରୀ ଯଦି ମଣିଷର ଗୋଡ଼ କିମ୍ବା ହାତରେ ଆଘାତ କରେ ଅନ୍ୟମାନେ ସଙ୍ଗେ ସଙ୍ଗେ ତା’କୁ ବର୍ଚ୍ଛା ମାରି ମାରି ଦିଅନ୍ତି । ଏହି ମାଂସ କେବଳ ବୟସ୍କ ଲୋକେ ଖାଆନ୍ତି । ତହିଁ ଆରଦିନ କବର ଖୋଳା ଉତ୍ସବ ଅନୁଷ୍ଠିତ ହୁଏ । କବର ଚାରିପଟେ ତାଳପତ୍ରର ଗୋଟିଏ ବାଡ଼ ବେଢ଼ାଇ ଦିଆଯାଏ । କେବଳ ଜଙ୍ଗଲ ଆଡ଼କୁ ଗୋଟିଏ ଦୁଆର ଥାଏ । ପ୍ରତ୍ୟେକ କବର ଖୋଳି କଙ୍କାଳସବୁ ବାହାର କରାଯାଏ । ଯଦି କୌଣସି କଙ୍କାଳ ଦେହରେ ମାଂସ ଲାଗିଥାଏ, ତେବେ ତା’କୁ ପୁଣି ପୋତି ଦିଆଯାଏ । ସମସ୍ତ କଙ୍କାଳର ହାଡ଼ ପରିଷ୍କାର କରି ଧଳା ଓ ଲାଲ ଲୁଗାରେ ବାନ୍ଧି ଗୋଟିଏ ଗୋଟିଏ ସ୍ଵତନ୍ତ୍ର ଆଧାରରେ ରଖାଯାଏ । ତା’ପରେ ଗୋଟିଏ ବଡ଼ ହାଣ୍ଡିରେ ରଖି ସେହି ମୃତ ଘରକୁ ନିଆଯାଏ । ଅନେକ ସମୟରେ ଏହି କବର ଖୋଲିବାକୁ ଦୁଇ ତିନି ଦିନ ପର୍ଯ୍ୟନ୍ତ ଲାଗିଯାଏ । ସାଧାରଣ ଲୋକଙ୍କର ହାଡ଼ ଜଙ୍ଗଲରେ ପିଙ୍ଗି ଦିଆଯାଏ ଓ ବିଶିଷ୍ଟ ବ୍ୟକ୍ତିଙ୍କ କଙ୍କାଳ ହାଡ଼କୁ ପୁଣି ପୋତିଦିଆଯାଏ । ସର୍ବଶେଷରେ ଭୋଜି ହୁଏ ଓ କେତେ ରାତି ଧରି ନାଚ ଚାଲେ । କୁସ୍ତି ଓ ନୌକା ଦୌଡ଼ ହୁଏ । ଏହି ଉତ୍ସବ ବ୍ୟତୀତ ବିଭିନ୍ନ ଋତୁରେ ମଧ୍ୟ ନାନା ଉତ୍ସବ ପାଳିତ ହୁଏ । ବିଭିନ୍ନ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ପ୍ରସ୍ତୁତ ହୁଏ । ମେ’ ମାସର ଅମାବାସ୍ୟାରେ ଫସଲ ଅମଳର ଉତ୍ସବ ପାଇଁ ଏକ ସ୍ୱତନ୍ତ୍ର ପ୍ରକାର କ୍ଷୀରୀ ତିଆରି ହୁଏ । ପରଦିନ ସକାଳେ ପ୍ରତ୍ୟେକ ପରିବାର ଗୋଟିଏ ଘୁଷୁରୀ ମାରନ୍ତି, ନଡ଼ିଆ ପତ୍ରରେ ଘର ସଜାନ୍ତି । ପରିବାରର ଜଣେ କେହି ଚିତ୍କାର କରି ପ୍ରଚୁର ଫସଲ ହେଉ, ବହୁତ ଘୁଷୁରୀ ହୁଅନ୍ତୁ, ନଡ଼ିଆ ବେଶୀ ଫଳ ଓ ବହୁତ ସୁନ୍ଦ‍ରୀ ଝିଅ ତା’କୁ ବାହାହେବାପାଇଁ ରାଜି ହୁଅନ୍ତୁ–ଏସବୁ ପ୍ରାର୍ଥନା କରେ । ଦିନରେ ବିଶ୍ରାମ ପରେ ସନ୍ଧ୍ୟାରେ ସବୁ ପୁରୁଷ ମୃତଘର ନିକଟକୁ ଯାଆନ୍ତି । ନଡ଼ିଆରେ ଏକ ପ୍ରକାର ଖେଳ ଖେଳନ୍ତି । ପରଦିନ ପୁରୁଷମାନେ ଘୁଷୁରୀ ଶିକାରରେ କଟାନ୍ତି । ଜୁଲାଇ ମାସରେ ମୃତମାନଙ୍କର ଭୂତକୁ ସମ୍ମାନ ଦିଆଯାଏ । ଗୋଟିଏ ଭେଳା ଭସାଇ ଖରାପ ଭୂତଙ୍କୁ ତଡ଼ି ଦିଆଯାଏ । ଅଗଷ୍ଟ ମାସରେ ମାଛଧରା ଉତ୍ସବ ପାଳିତ ହୁଏ । ଏଥିରେ କିଛି ନଡ଼ିଆ ଓ ମାଛ ଘର କାନ୍ଥରେ ଟାଙ୍ଗି ଦିଆଯାଏ । ଏହିଭଳି ନାନା ଉତ୍ସବ ପ୍ରାୟ ସାରାବର୍ଷ ଲାଗି ରହିଥାଏ । ନିକୋବରୀମାନଙ୍କ ମଧ୍ୟରେ ବହୁ ପ୍ରକାର ଅନ୍ଧବିଶ୍ଵାସ ପ୍ରଣୋଦିତ ନିଷେଧ (Taboo) ଥାଏ । ମୃତ ଲୋକର ନାମ କେହି ଉଚ୍ଚାରଣ କରନ୍ତି ନାହିଁ । ମୃତ ବ୍ୟକ୍ତିର ପ୍ରିୟ କୌଣସି ଖାଦ୍ୟ ବର୍ଷରେ ଦିନେ ବା ଦୁଇଦିନ ଖାଆନ୍ତି ନାହିଁ । ଚୌରା ଦ୍ୱୀପ ବ୍ୟତୀତ ଅନ୍ୟ କୌଣସି ଦ୍ୱୀପର ଲୋକ ମୃତପାତ୍ର ତିଆରି କରନ୍ତି ନାହିଁ । ବୟସ୍କ ଲୋକେ ଭୋଜିରେ ବଡ଼ପାତ୍ର ବ୍ୟବହାର କରନ୍ତି ନାହିଁ । ବ୍ୟକ୍ତିଗତ ଭାବରେ କେତେକ ବିଶେଷ ନିଷେଧ ପାଳନ କରନ୍ତି । ଏମାନଙ୍କୁ ସାଓକୁଆ (Saokkua) କୁହାଯାଏ । ଏମାନେ ନିଜ ଗୃହପାଳିତ ପକ୍ଷୀ ଓ ଘୁଷୁରୀ ଖାଆନ୍ତି ନାହିଁ । ଏମାନେ କୌଣସି ପୋଖରୀ କିମ୍ୱା ନଈରୁ ପାଣି ପିଅନ୍ତି । ଏହି ନିଷେଧ ସମୟରେ ଅନ୍ୟ କାହାପାଖରୁ କେବଳ ରୁଟି, ବିସ୍କୁଟ ଓ ମଦ ବ୍ୟତୀତ ଅନ୍ୟ କିଛି ଖଆନ୍ତି ନାହିଁ ।

ନିକୋବରୀଙ୍କ ଲୋକସାହିତ୍ୟ :

ନିକୋବରର ଅଧିବାସୀମାନଙ୍କର ଲୋକସାହିତ୍ୟ ଅତି ବ୍ୟାପକ । ବହୁ ଲୋକଗଳ୍ପରେ ମନୁଷ୍ୟ, ପଶୁ ଓ ବୃକ୍ଷଲତାଦିର ସୃଷ୍ଟି କାହାଣୀ ବର୍ଣ୍ଣିତ । ଚୌରା ଦ୍ୱୀପକୁ ଏମାନେ ପବିତ୍ର ବୋଲି ମନେକରନ୍ତି । ଗୋଟିଏ ଲୋକକାହାଣୀ ଅନୁସାରେ ନିକୋବରୀମାନେ ନିଜକୁ କୁକୁରଠାରୁ ଉଦ୍‌ଭବ ବୋଲି ମନେକରନ୍ତି । ଏ ଗଳ୍ପ ଅନୁସାରେ ଜଣେ ରାଜକୁମାରୀ ଏ ଦ୍ୱୀପକୁ ନିର୍ବାସିତା ହୋଇଥିଲେ ଓ ସଙ୍ଗରେ ଗୋଟିଏ କୁକୁର ଥିଲା । ଏହି କୁକୁର ସଙ୍ଗମରେ ସେ ସନ୍ତାନ ସମ୍ଭବ ହୋଇଥିଲେ । ଏହି ସନ୍ତାନ ନିକୋବରୀଙ୍କର ପ୍ରଥମ ପୁରୁଷ । ଭୋଜବିଦ୍ୟା ବଳରେ ନିଜ କହୁଣିରୁ ପାଣି ସୃଷ୍ଟି କରିଥିବାରୁ ଜଣକର ମସ୍ତକ ଛେଦନ କରାଯାଇଥିଲା । ଏହି ମସ୍ତକରୁ ନାରିକେଳର ସୃଷ୍ଟି । ଦଳେ ସାଧୁ ଗ୍ରାମବାସୀ ବିନା ଦୋଷରେ ଆଉ ଦଳେ ଅରଣ୍ୟ ଅଧିବାସୀଙ୍କ ଦ୍ୱାରା ନିହତ ହୋଇଥିଲେ । ଏହି ଦୁଷ୍କୃତକାରୀ ଅରଣ୍ୟବାସୀମାନେ ମୃତ୍ୟୁପରେ ସମୁଦ୍ରରେ ମଗର ମାଛ ରୂପେ ଜନ୍ମ ନେଇଥିଲେ ।

 

ନିକୋବରୀଙ୍କର ବାସଗୃହ ସୁନିର୍ମିତ ଓ ଗୋଟିଏ ପରିବାର ସ୍ୱଚ୍ଛନ୍ଦରେ ବାସ କରିବା ଭଳି ଯଥେଷ୍ଟ ବଡ଼ । ଏମାନେ ମାଟିରୁ ପାଞ୍ଚ ସାତ ଫୁଟ ଉଚ୍ଚ କରି ଘର ତିଆରି କରନ୍ତି । ଘର ତଳେ ନଡ଼ିଆପତ୍ର ପଟି ବିଛା ହୋଇଥାଏ । ଘରଗୁଡ଼ିକ ସାଧାରଣତଃ ଗୋଲାକାର । ତାଳପତ୍ର ଓ ଘାସରେ ଏ ସବୁ ଛାଉଣି ହୁଏ । ଏମାନେ ରନ୍ଧନ ପାଇଁ ସ୍ୱତନ୍ତ୍ର ଘର ବ୍ୟବହାର କରନ୍ତି । ବାସଘରେ ଏମାନେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ ରଖନ୍ତି ନାହିଁ । କାଠନିର୍ମିତ ମୂର୍ତ୍ତି ଓ ଘର ସଜାଇବା ପାଇଁ କେତେକ ଜିନିଷ ରଖିଥାନ୍ତି । ଏକ ପରିଚ୍ଛନ୍ନ ସ୍ଥାନରେ ସାଧାରଣତଃ ଗ୍ରାମଗୁଡ଼ିକ ଥାଏ । ଗ୍ରେଟ୍ ନିକୋବର ଦ୍ଵୀପପୁଞ୍ଜରେ ଗଛ ଉପରେ କୁଡ଼ିଆ ନିର୍ମିତ ହେବାର ଦେଖାଯାଏ । ଧନୀ ନିକୋବରୀମାନେ ସମୁଦ୍ର କୂଳ ଓ ଦ୍ୱୀପର ଅଭ୍ୟନ୍ତରସ୍ଥ ଅରଣ୍ୟରେ ଦୁଇଟି ସ୍ୱତନ୍ତ୍ର ଘର ତିଆରି କରିବା ଦେଖାଯାଏ । ଗୋଟିଏ ପ୍ରକାରରେ ଏହି ଘରସବୁ ନିର୍ମିତ ହୋଇଥାଏ । ବର୍ଷର ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଦ୍ୱୀପର ଅଭ୍ୟନ୍ତରରେ ଥିବା ଘରେ ବାସ କରନ୍ତି । ଚାଷ ଓ ଘୁଷୁରୀ ପାଳନ ପାଇଁ ଏକ ଦୋହରା ଘରେ ବାସ କରନ୍ତି । ଘରର ମାଲିକଙ୍କ ଅନୁପସ୍ଥିତିରେ ଏହି ଅରଣ୍ୟଗୃହ ସବୁବେଳେ ଅରଣ୍ୟରେ ବାସ କରୁଥିବା କେତେକ ଆଦିବାସୀଙ୍କ ଜିମାରେ ରହିଥାଏ ।

 

ଆଧୁନିକ ଯୁଗରେ ନିକୋବରୀମାନେ ଖୁବ୍ ଶିକ୍ଷିତ ହୋଇଥିଲେ ବି ଘରେ ଥିଲାବେଳେ ସେମାନେ ପାରମ୍ପରିକ ରୀତିରେ ଖଣ୍ଡିଏ କ୍ଷୁଦ୍ର ଲୁଗା ଅଣ୍ଟାରେ ବାନ୍ଧନ୍ତି । ଏଥି ସହିତ ଗୋଟିଏ ଲାଙ୍ଗୁଳ ଭଳି ପଛକୁ ଝୁଲିଥାଏ । ହୁଏତ ଯୁଗ ଯୁଗ ଧରି ଏମାନେ ଏହି ପୋଷାକ ହିଁ ପିନ୍ଧି ଆସୁଥିଲେ । ସ୍ତ୍ରୀ ଲୋକମାନେ ଗଛର ବକ୍‍କଳ ଓ ନଡ଼ିଆ ପତ୍ରରେ ତିଆରି ଗୋଟିଏ କ୍ଷୁଦ୍ର ପେଟିକୋଟ୍ ପିନ୍ଧନ୍ତି । ଏଥିରେ କେବଳ ଜଙ୍ଘଠାରୁ ଅଣ୍ଟାପର୍ଯ୍ୟନ୍ତ ଲୁଚିଥାଏ । ବିଦେଶୀମାନଙ୍କର ସଂସ୍ପର୍ଶରେ ଆସି ଏମାନେ ଏବେ ଲୁଗା ପିନ୍ଧିବା ଶିଖିଛନ୍ତି । ତଥାପି ଏବେ ବି ଏହି ପାରମ୍ପରିକ ପୋଷାକ ପିନ୍ଧିଥିବା ଲୋକ ଦେଖିବାକୁ ମିଳେ । ଏମାନେ ରଙ୍ଗବେରଙ୍ଗର ପୋଷାକ ପିନ୍ଧିବାକୁ ଭଲପାଆନ୍ତି । ପୁରୁଷମାନେ ଲାଲ ଅଥବା କଳାର ଲୁଗାରେ କଟିବସ୍ତ୍ର ଓ ଉଡ଼ନ୍ତ ଲାଙ୍ଗୁଳ ପିନ୍ଧିଥିଲେ ନିଜକୁ ଗୌରବବାନ୍ ମନେକରନ୍ତି । ସ୍ତ୍ରୀ ଲୋକମାନେ ମଧ୍ୟ ଏହି ରଙ୍ଗର ଲୁଙ୍ଗି ପିନ୍ଧନ୍ତି, ସେଥିରେ ଫୁଲର ନକ୍‍ସା କଟା ହୋଇଥାଏ । ଏମାନେ ସାଧାରଣତଃ ପଇସା ଓ ଚାରିଣିକୁ ତାରରେ ବାନ୍ଧି କାନରେ ଝୁଲନ୍ତି । ପୁରୁଷମାନେ ବେଳେବେଳେ ଏକ ପ୍ରକାର ମୁକୁଟ ପିନ୍ଧିବାର ଦେଖାଯାଏ । ଜର୍ମାନ ସିଲଭରରେ ତିଆରି ବଳା, ବାଜୁବନ୍ଧ, ହାର ପିନ୍ଧନ୍ତି । ଚୌରାଦ୍ୱୀପରେ ଲୁହାର ନିର୍ମିତ ଅଳଙ୍କାର ପିନ୍ଧିବାର ଦେଖାଯାଏ ।

 

ନିକୋବରୀମାନଙ୍କର ପ୍ରଧାନ ଖାଦ୍ୟରେ ନଡ଼ିଆ ରସ, ତାଳ, କଦଳୀ ଆଦି ଏକତ୍ର ସିଝାହୋଇ ଗୋଟିଏ ପ୍ରକାର ଅର୍ଦ୍ଧତରଳ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହି ଖାଦ୍ୟ ବହୁ ସମୟ ପର୍ଯ୍ୟନ୍ତ ରଖାଯାଇପାରେ । ଏହି ପ୍ରଧାନ ଖାଦ୍ୟ ସହିତ ସେମାନେ ଘୁଷୁରୀ, କୁକୁଡ଼ା ମାଂସ ଓ ମାଛରେ ତିଆରି ତରକାରୀ ଖାଆନ୍ତି । ଏବେ ନାନାପ୍ରକାର ପନିପରିବା ମଧ୍ୟ ସେମାନେ ଚାଷକରି ଖାଇଥାନ୍ତି । ଚୌରାଦ୍ୱୀପର ଆଦିମ ଅଧିବାସୀମାନେ କୁକୁର ମାଂସ ଖାଆନ୍ତି । ଏବେ ନିକୋବର ଅଧିବାସୀମାନେ କ୍ରମଶଃ ଭାତ ଖାଇବା ପାଇଁ ମଧ୍ୟ ଅଭ୍ୟସ୍ତ ହେଉଛନ୍ତି । ଏମାନେ ନଡ଼ିଆ ଗଛରୁ ଏକ ପ୍ରକାର ତାଡ଼ି ପ୍ରସ୍ତୁତ କରି ପିଅନ୍ତି । ପାନ ଓ ପିକା ଖାଇବାରେ ମଧ୍ୟ ଖୁବ୍ ଅଭ୍ୟସ୍ତ ହୋଇ ପଡ଼ିଛନ୍ତି ।

 

ଇଣ୍ଡୋଚାଇନିଜ୍ ଭାଷା ସହିତ ନିକୋବରିଜ୍ ଭାଷାର କିଛି ସାମ୍ୟ ଦେଖାଯାଏ । ମାଳୟ ଉପଦ୍ୱୀପରେ କେତେକ ଅନୁରୂପ ଭାଷା ଦେଖିବାକୁ ମିଳେ । ନିକୋବରଙ୍କ ଭାଷା ବିଷୟରେ ଜାଣିବାପାଇଁ ଇଣ୍ଡୋଚିନ୍ ଭାଷାରୁ ଭାଷାତତ୍ତ୍ୱବିତ୍‍ମାନେ ଉପାଦାନ ସଂଗ୍ରହ କରିଥାନ୍ତି । ନିକୋବର ଦ୍ଵୀପପୁଞ୍ଜରେ ପ୍ରାୟ ଛ’ପ୍ରକାର ଭାଷା ପ୍ରଚଳିତ । ଏଗୁଡ଼ିକ ଗୋଟିଏ ଭାଷାର ଉପଭାଷା କିମ୍ବା ଛଅ ପ୍ରକାର ଅଲଗା ଭାଷା ତାହା ଭାଷାତତ୍ତ୍ୱବିଦ୍‍ଙ୍କ ତର୍କର ବିଷୟ । ବହୁସମୟରେ ମାଳୟ ଭାଷାରୁ ଶବ୍ଦ ଆହରଣ ସଙ୍ଗେ ସଙ୍ଗେ ପର୍ତ୍ତୁଗୀଜ, ଡଚ୍, ଇଂରାଜୀ, ବର୍ମିଜ ଓ ହିନ୍ଦୁସ୍ଥାନୀ ଶବ୍ଦ ମଧ୍ୟ ଗ୍ରହଣ କରିଥିବା ଦେଖାଯାଏ । ନିକୋବରୀମାନେ ବେଶ ବୁଦ୍ଧିମାନ୍ । ଅନେକ ନିକୋବରୀ ନିଜ ଭାଷା ସଙ୍ଗେ ସଙ୍ଗେ ବିଦେଶୀ ମାନଙ୍କ ସହ ବିଦେଶୀ ଭାଷାରେ ମଧ୍ୟ କଥାବାର୍ତ୍ତା କରିଥାନ୍ତି ।

 

ଗ୍ରେଟ୍ ନିକୋବରର ସମ୍ପେନ୍ (Shoampen) ମାନେ ଏବେ ବି ସଭ୍ୟତାରୁ ଦୂରରେ ଥାଇ ସମ୍ପୂର୍ଣ୍ଣ ଆଦିମ ଭାବରେ ବାସ କରୁଛନ୍ତି । କିନ୍ତୁ ନିକୋବରର ଅନ୍ୟ ଆଦିମ ଅଧିବାସୀମାନେ ବହୁପରିମାଣରେ ସଭ୍ୟଜାତିର ସଂସ୍ପର୍ଶରେ ଆସିଛନ୍ତି । ତଥାପି ବୃହତ୍ତର ଜଗତଠାରୁ ଏମାନେ ଏବେ ବି ବିଚ୍ଛିନ୍ନ । ଏପରିକି ବିଭିନ୍ନ ଦ୍ୱୀପରେ ବସବାସ କରୁଥିବା ଏ ଆଦିବାସୀମାନଙ୍କ ମଧ୍ୟରେ ଅତି ସାମୟିକ ଯୋଗାଯୋଗ ଘଟେ । ସେମାନଙ୍କୁ ଗତ ଦୁଇ ସହସ୍ର ବର୍ଷଧରି ସଭ୍ୟଜଗତ ଜାଣିଛି-। ମାତ୍ର କେବଳ ଗତ ଦୁଇଶତ ବର୍ଷ ମଧ୍ୟରେ ସଭ୍ୟତା ସହିତ ତାଙ୍କର ପ୍ରତ୍ୟକ୍ଷ ସମ୍ୱନ୍ଧ ସ୍ଥାପିତ ହୋଇଛି । ଏବେ ବି ଅର୍ଦ୍ଧସଭ୍ୟ ଅବସ୍ଥାକୁ ଉନ୍ନୀତ ହୋଇଥିଲେ ବି ନିକୋବରର ଏହି ଆଦିମ ଅଧିବାସୀମାନଙ୍କଠାରେ ଆଦିମ ସଭ୍ୟତାର ନିଦର୍ଶନ ହଜିଯାଇନାହିଁ । ଚୀନ୍–ଇଣ୍ତୋଚୀନ୍ ଓ ମାଳୟ ଉପଦ୍ୱୀପର ଏପରିକି ସମଗ୍ର ଦୂର ପ୍ରାଚ୍ୟ ସଭ୍ୟତାର ଆଦିମ ଅବସ୍ଥା ବିଷୟରେ ଜାଣିବାକୁ ହେଲେ ନିକୋବରର ଏହି ଅଧିବାସୀ ମାନଙ୍କର ସଭ୍ୟତା ଅଧ୍ୟୟନ ପ୍ରୟୋଜନ । ଏବେ ବି ନିକୋବରୀମାନେ ସଭ୍ୟତାର ଏହି ଶୈଶବ ଅତିକ୍ରମ କରିନାହାନ୍ତି । ଏହି ଆଦିବାସୀମାନଙ୍କର ମନ ଶିଶୁସୁଲଭ କୌତୁହଳ ପ୍ରବଣତା ଓ ବନ୍ୟପଶୁ ସୁଲଭ ପ୍ରବୃତ୍ତି ଦ୍ୱାରା ନିୟନ୍ତ୍ରିତ । ଏମାନେ ଜୀବନର ସବୁ ଅବସ୍ଥାରେ ଓ ସକଳ କର୍ମରେ, ଧର୍ମୀୟ ଉତ୍ସବ ଅନୁଷ୍ଠାନରେ ଏଭଳିକି ମୃତାହ କ୍ରିୟାରେ ସବୁବେଳେ ଆନନ୍ଦର ଉତ୍ସ ସନ୍ଧାନରେ ଆଗ୍ରହୀ ।

 

ନିକୋବର ଦ୍ଵୀପପୁଞ୍ଜରେ ଏକ ସମୟରେ ଖ୍ରୀଷ୍ମଧର୍ମପ୍ରଚାରର ପ୍ରବଳ ପ୍ରୟାସ ହୋଇଥିଲା । ଏହାର ଫଳସ୍ଵରୂପ କାର ନିକୋବର ଦ୍ୱୀପର ଅଧିବାସୀମାନେ ବହୁ ପରିମାଣରେ ଖ୍ରୀଷ୍ମଧର୍ମାବଲମ୍ବୀ । ସମସାମୟିକ କାଳରେ ଯୋଜନାବଦ୍ଧ ଭାବରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରବଳ ପ୍ରୟାସ ମଧ୍ୟରେ ସମାଜର ବାସ୍ତବ ସ୍ଥିତିର ଦ୍ରୁତ ପରିବର୍ତ୍ତନ ଘଟୁଅଛି । ତଥାପି ପ୍ରଗତିଶୀଳ ନିକୋବର ଅଧିବାସୀମାନେ ଆଧୁନିକ ଜୀବନର ସୁଖ ସ୍ଵାଚ୍ଛନ୍ଦ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଚିରାଚରିତ ପ୍ରାଚୀନ ସଂସ୍କୃତିର ବୈଶିଷ୍ଟ୍ୟ ଓ ସୁସ୍ଥ ପରମ୍ପରା ସକଳ ରକ୍ଷା କରିବାପାଇଁ ଚେଷ୍ଟିତ ।

Image

 

କଳାପାଣିରେ ଶହୀଦ୍ ଓଡ଼ିଆ

 

ଓଡ଼ିଆ ସ୍ଵାଧୀନତାର ପୂଜାରୀ । ୧୮୦୩ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶାର ଏକାଂଶ ଅଧିକାର କରି ସ୍ଵାଧୀନତାପ୍ରେମୀ ଓଡ଼ିଆ ଜାତିକୁ ଏକାବେଳକେ ବଶୀଭୂତ କରିପାରି ନଥିଲେ । ୧୮୧୮ରେ ପଶ୍ଚିମ ଓଡ଼ିଶା ବ୍ରିଟିଶ ଅଧିକାରଭୂକ୍ତ ହେଲା । ଏହାର ବର୍ଷକ ପୂର୍ବରୁ ରୋଡ଼ଙ୍ଗର ବକ୍‌ସି ଜଗବନ୍ଧୁ ଭ୍ରମରବର ରାୟଙ୍କ ନେତୃତ୍ଵରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦ୍ରୋହ ଦେଖାଦେଲା । ଏହାହିଁ ସୁପରିଚିତ ପାଇକ ବିଦ୍ରୋହ । ଏଇ ବିଦ୍ରୋହ ଏକ ସମୟରେ ବଡ଼ ଭୀଷଣ ଆକାର ଧାରଣ କରିଥିଲା ଓ ଇଂରେଜ ଆଧିପତ୍ୟ ଲୋପର ଆଶଙ୍କା ଦେଖା ଦେଇଥିଲା । ଏଇ ବିଦ୍ରୋହ ଇଂରେଜମାନେ କଠୋର ଭାବରେ ଦମନ କରିଥିଲେ । ପାଇକବିଦ୍ରୋହର ନେତା ଓ ସେନାପତିମାନଙ୍କୁ ଓଡ଼ିଶା ସୀମା ମଧ୍ୟରେ ଏପରିକି ନିଜ ଅଧିକାରଭୂକ୍ତ ଭାରତ ଭୂଖଣ୍ଡରେ ରଖିବା ଲାଗି ନିରାପଦ ମଣି ନ ଥିଲେ । ଏମାନେ ହୋଇଥିଲେ ପ୍ରଥମ କଳାପାଣି ଯାତ୍ରୀ । ବିଦ୍ରୋହର ନେତା ନାରାୟଣ ପରମଗୁରୁ କରୁଣା କର ପରମ ଗୁରୁ, ବାମଦେବ ପାଟଯୋଷୀ ଆଦିଙ୍କ ସହ ମୋଟ ୧୦୩ ଜଣ ଦ୍ୱୀପାନ୍ତର ଦଣ୍ଡ ଭୋଗ କରିଥିଲେ । ଏମାନଙ୍କୁ ବେନ୍‍କୁଲେନ୍ (Bencoolen) ଦ୍ୱୀପକୁ ପଠାହୋଇଥିଲା । ଏହି ଦ୍ୱୀପ ଜାଭାର ଶାସକ ସାର୍ ଥମାସ୍ ଷ୍ଟାମ୍‌ଫୋର୍ଡ ରାଫ୍‍ଲର (୧୭୮୧-୧୮୨୬) ଙ୍କ ଅଧୀନରେ ଶାସିତ ହେଉଥିଲା । ସାର୍ ଷ୍ଟାମ୍‍ଫୋର୍ଡ ଜଣେ ଇଛାର ଶାସକ ଥିଲେ । ୧୮୧୮ ରେ ଭାରତର କମ୍ପାନୀ ସରକାରଙ୍କୁ ବେନ୍‍କୁଲେନ୍ ବନ୍ଦୀ ବସତିର ପ୍ରଶାସନ ବିଷୟରେ ଏକ ରିପୋର୍ଟ ପଠାଇଥିଲେ । ଏଥିରୁ ଜଣାଯାଏ ଭାରତର କମ୍ପାନୀ କର୍ତ୍ତୃପକ୍ଷ ଯେତେ କଠୋର ହୋଇଥାନ୍ତୁ ନା କାହିଁକି, ସାର୍ ଷ୍ଟାମ୍‌ଫୋର୍ଡ ସ୍ୱଦେଶରୁ ବିତାଡ଼ିତ ବନ୍ଦୀଙ୍କ ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ ଥିଲେ । ସେ ଏମାନଙ୍କୁ ଆତ୍ମନିର୍ଭରଶୀଳ ଓ ଏକ ସୁସ୍ଥ ସମାଜର ସୁନାଗରିକ ରୂପେ ଗଢ଼ିବାକୁ ଚାହୁଁଥିଲେ । ସେମାନଙ୍କୁ କୃଷି ଓ ଶିଳ୍ପରେ ନିଯୁକ୍ତ କରୁଥିଲେ । ବନ୍ଦୀମାନଙ୍କ ମଧ୍ୟରୁ ବୁଦ୍ଧିମାନ ନେତୃସ୍ଥାନୀୟ ଲୋକ ବାଛି ସେମାନଙ୍କ ହାତରେ ବନ୍ଦୀମାନଙ୍କ ନିୟନ୍ତ୍ରଣ ଭାର ଦେଉଥିଲେ । କିଛିଦିନ ଉତ୍ପାଦନଶୀଳ ଶ୍ରମରେ ନିଯୁକ୍ତ ରହିବା ପରେ, ଏମାନଙ୍କୁ ବିବାହ କରିବା ଓ ସ୍ଵାଧୀନ ଭାବରେ ବାସ କରିବାକୁ ଦେବା ଥିଲା ତାଙ୍କର ନୀତି । ୧୮୨୯ ଖ୍ରୀଷ୍ଟାବ୍ଦରେ ଏହି ଜାଭା ଓ ତତ୍‍ସଂଲଗ୍ନ ଦ୍ୱୀପସବୁ ଡଚମାନଙ୍କ ଶାସନାଧୀନ ହୋଇଥିଲା । ଡଚମାନେ ଦ୍ୱୀପାନ୍ତର ଦଣ୍ତ ଭୋଗ କରୁଥିବା ବନ୍ଦୀମାନଙ୍କୁ ସ୍ୱଦେଶକୁ ଫେରିବାପାଇଁ ସୁଯୋଗ ଦେଇଥିଲେ । ଏକ ବିବରଣୀ ଅନୁସାରେ ପାଇକବିଦ୍ରୋହର ନେତା କରୁଣାକର ପରମଗୁରୁ ଭାରତରେ ପହଞ୍ଚି ମାଜିଷ୍ଟ୍ରେଟ୍‍ଙ୍କ ନିକଟରେ ସ୍ଵଇଚ୍ଛାରେ ଆତ୍ମସମର୍ପଣ କରିଥିଲେ । ଏହି ପରମଗୁରୁଙ୍କ ବ୍ୟବହାରରେ ମୁଗ୍‌ଧ ହୋଇ ବେନ୍‌କୁଲେନ୍ ଦ୍ୱୀପର ଶାସକ ତାଙ୍କୁ ଦ୍ୱୀପାନ୍ତର ଦଣ୍ଡରୁ ମୁକ୍ତି ଦେବା ପାଇଁ ସୁପାରିଶ କରିଥିଲେ । ପରମଗୁରୁଙ୍କୁ କମ୍ପାନୀ ସରକାର କ୍ଷମାଦାନ କରିଥିଲେ । ଦ୍ୱୀପାନ୍ତରିତ ଶତାଧିକ ବ୍ୟକ୍ତିଙ୍କ ଭାଗ୍ୟରେ କ’ଣ ଘଟିଥିଲା–ସେ ଇତିହାସ ଅଜ୍ଞାତ । (ପାଇକ ବିଦ୍ରୋହ–ପଣ୍ଡିତ ସୂର୍ଯ୍ୟନାରାୟଣ ଦାସ) ଇଉନାଇଟେଡ୍ ବୁକ୍ ହାଉସ୍‌ କଟକ ୨-ଦ୍ୱିତୀୟ ସଂସ୍କରଣ ୧୯୬୪)

 

୧୮୫୭ ରେ ସିପାହୀ ବିଦ୍ରୋହ ପରେ ଆଣ୍ଡାମାନରେ ବନ୍ଦୀ ବସତି ଓ ବିଖ୍ୟାତ ସେଲୁଲାର ଜେଲ ପ୍ରତିଷ୍ଠିତ ହୋଇଥିଲା । ଏଇ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ହୁଏତ ଓଡ଼ିଆମାନେ ଦ୍ୱୀପାନ୍ତରିତ ହୋଇଥିବେ । ଏବେ ପ୍ରାୟ ଅର୍ଦ୍ଧଶତାଧିକ ଓଡ଼ିଆ ପରିବାର ସ୍ଥାନୀୟ ଅଧିବାସୀ ପୁରୁଷାନୁକ୍ରମେ ଆଣ୍ତାମାନରେ ବାସକରି ଆସୁଛନ୍ତି । ତେବେ ସେଲୁଲାର ଜେଲରେ ପ୍ରଦର୍ଶିତ ନାଗପଞ୍ଜିରେ ଅଥବା ଚିତ୍ରଶାଳାରେ ଓଡ଼ିଶା ଗତ କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କର ନାମ ଦେଖିବାକୁ ମିଳେ ନାହିଁ । ହୁଏତ ଓଡ଼ିଶାର ସ୍ଵତନ୍ତ୍ର ରାଜନୈତିକ ସ୍ଥିତି ନ ଥିବାରୁ, ଅନ୍ୟାନ୍ୟ ପ୍ରଦେଶ ଅନ୍ତର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ତାଲିକାରେ ଏମାନଙ୍କ ନାମ ଥିବା ସମ୍ଭବ ।

 

ପୁରୀର ଠାକୁର ରାଜା ଦିବ୍ୟସିଂହ ଦେବ ଶିବୁଦାସ ନାମକ ଜଣେ ବାବାଜୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ୧୮୭୮ ଖ୍ରୀଷ୍ଟାବ୍ଦରେ କଳାପାଣି ପଠାହୋଇଥିଲେ । ଏହି ତରୁଣ ରାଜା ଆଣ୍ଡାମାନରେ ଏକ ପାଗଳା ଗାରଦରେ ୯ ବର୍ଷ କଟାଇ ୧୮୮୭ ଖ୍ରୀଷ୍ଟାବ୍ଦରେ ଯକ୍ଷ୍ମାରୋଗରେ ପ୍ରାଣତ୍ୟାଗ କରିଥିଲେ । ଏହି ଘଟଣା ଲୋକଚିତ୍ତକୁ ବିଶେଷ ଆଲୋଡ଼ିତ କରିଥିଲା । ଇଂରେଜମାନଙ୍କର ଏହା ଏକ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟଥିଲା ବୋଲି ଲୋକସାଧାରଣଙ୍କ ବିଶ୍ୱାସ ଜନ୍ମିଥିଲା । ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ସଂଗୃହୀତ କଳାପାଣି, ରାଣୀଙ୍କ ଶୋକ, ମହାରାଜା ଚଉତିଶା ଆଦି ଲୋକଗୀତରେ ଏହି କରୁଣ ଘଟଣା ଚିତ୍ରିତ ହୋଇଅଛି । (ପଲ୍ଲୀଗୀତ–ସଞ୍ଚୟନ–୧ମ ଭାଗ)

Image